Prathamastami : ଆଜି ପ୍ରଥମାଷ୍ଟମୀ । ଏହା ଓଡ଼ିଶାର ପ୍ରାଚୀନ ସାଂସ୍କୃତିକ ପର୍ବମାନଙ୍କ ମଧ୍ୟରୁ ଗୋଟିଏ ପ୍ରମୁଖ ପର୍ବ ।
ଏହି ପର୍ବରେ ପ୍ରଥମ ଜନ୍ମିତ ପୁଅ ବା କନ୍ୟା ସନ୍ତାନଙ୍କ ସୁସ୍ଥ ଓ ଦୀର୍ଘ ଆୟୁ ପାଇଁ ପୂଜା କରାଯାଇଥାଏ। କହିବାକୁ ଗଲେ, ଆଜିର ଦିନଟି ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ହୋଇଥାଏ । ଆଜିର ଦିନକୁ ବେଶ ଧୂମଧାମର ସହ ପାଳନ କରାଯାଇଥାଏ । ନୂଆ ପୋଷାକ ସାଙ୍ଗକୁ ହଳଦିପତ୍ର ପିଠା ବା ଏଣ୍ଡୁରି ପିଠାର ମହକରେ ମହକି ଉଠୁଛି ପ୍ରତ୍ୟେକ ଓଡ଼ିଆ ଘର। ଏହି ପିଠା ଅନେକ ସ୍ୱାଦିଷ୍ଟ ହୋଇଥାଏ।
ମାର୍ଗଶୀର ମାସର ଅଷ୍ଟମୀ ତିଥୀ ପ୍ରଥମାଷ୍ଟମୀ ବା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡ଼ିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ପରମ୍ପରା ଅନୁଯାୟୀ, ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ। ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଓ ଭାଣିଜୀ ଘରକୁ ଯାଇ ପୋଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧାରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ।
ଏହାସହ ଘରର ପ୍ରଥମ ସନ୍ତାନଟି ପୁଅ ହେଉ କିମ୍ବା ଝିଅ, ତାଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥାଏ। ଏହାପରେ ଦିଅଁଙ୍କ ଆଗରେ ତାଙ୍କୁ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ଦେଇ ସନ୍ତାନର ମା’ ବନ୍ଦାପନା କରିଥାନ୍ତି। ଗୃହ ଦେବତାଙ୍କୁ ଏବଂ ଶିବପାର୍ବତୀଙ୍କୁ ଆହ୍ୱାନ କରି ପୂଜା କରାଯାଏ। ଶିଶୁର ଦୀର୍ଘାୟୁ, ସୁସ୍ଥ ଶରୀର ଓ ଜୀବନର ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ।
ତେବେ ଏହି ପର୍ବର ପ୍ରମୁଖ ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର ପିଠା। ସକାଳୁ ସକାଳୁ ମା’ମାନେ ମଣ୍ଡା ପିଠା, ହଳଦିପତର ପିଠା ବା ଏଣ୍ଡୁରି ପିଠା, ଇଟିଲି ପିଠା ଆଦି ପ୍ରସ୍ତୁତ କରି ଠାକୁରଙ୍କୁ ଅର୍ପଣ କରନ୍ତି। ପରେ ପରିବାର ସଭ୍ୟମାନଙ୍କ ସହ ମିଶି ଖାଇଥାନ୍ତି । ପ୍ରଥମାଷ୍ଟମୀରେ ଘରର ବଡ଼ମାନଙ୍କୁ ସେମାନଙ୍କର ବଡ଼ ହେବାର ଅଧିକାର ପାଇଁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ପର୍ବର ଆଉ ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବାର ସଦସ୍ୟମାନଙ୍କ ମଧ୍ୟରେ ପ୍ରେମ ଓ ସମ୍ପର୍କକୁ ମଜବୁତ କରିବା। ଏହାକୁ ନେଇ ବେଶ ଚଳଚଞ୍ଚଳ ହୋଇଉଠେ ଗାଁରୁ ସହର।
ALSO READ: https://purvapaksa.com/3-artistes-from-odisha-to-receive-ustad-bismillah-khan-yuva-puraskar/