- ଓଡ଼ିଶା ମଣ୍ଡପ ବୁଲିଲେ ପ୍ରବାସୀ ଓଡ଼ିଆ
- ଓଡ଼ିଶା ପ୍ରସିଦ୍ଧ ପାଟ, ବମକେଇ, ଟସର ସିଲକ ଶାଢ଼ିର ଚାହିଦା
- ଡାଲମା, ଦହିବରା, ରସଗୋଲା, ଛେନାପୋଡ଼ର ଆକର୍ଷଣ
- ମନ ମୋହୁଛି ପ୍ରସିଦ୍ଧ ଚିତ୍ରକଳା ଏବଂ ହସ୍ତଶିଳ୍ପ
ହରିୟାଣାର କୁରୁକ୍ଷେତ୍ରରେ ଦେଖିବାକୁ ମିଳିଛି ଆମ ଓଡ଼ିଆ ସଂସ୍କୃତିର ଝଲକ। ଚଳିତବର୍ଷ ଗୀତା ମହୋତ୍ସବରେ ଓଡ଼ିଶା ପାର୍ଟନର ଷ୍ଟେଟ୍ ଭାବେ ଯୋଗ ଦେଇଛି। କୋଣାର୍କ ଚକ୍ର ଠାରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ, ଓଡ଼ିଶା ମଣ୍ଡପରେ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସଂସ୍କୃତି ଏବଂ ଐତିହ୍ୟର ଏକ ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳୁଛି। ଏହା ଦ୍ୱାରା ଦେଶ-ବିଦେଶରୁ ଆସୁଥିବା ବିଭିନ୍ନ ଦର୍ଶକମାନେ ଓଡ଼ିଶାର ଗୌରବମୟ ଇତିହାସ ଏବଂ ସଂସ୍କୃତି ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି। ଆମେ ମଧ୍ୟ ପ୍ରତିଦିନ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଛୁ ଏବଂ ଓଡ଼ିଶା ସରକାରଙ୍କ ଏହି ପ୍ରୟାସ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି”, ଏହିପରି ମନ୍ତବ୍ୟ ରଖିଛନ୍ତି ହରିୟାଣା କୁରୁକ୍ଷେତ୍ର ନ୍ୟାସନାଲ ଇନଷ୍ଟିଚୁଟ୍ସ ଅଫ୍ ଟେକ୍ନୋଲୋଜିରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ।
ସେହିପରି ଭାବେ ଓଡ଼ିଶା ମଣ୍ଡପରେ ବିଶେଷ ଆକର୍ଷଣ ପାଲଟିଛି ପାରମ୍ପରିକ ଓଡ଼ିଆ ଖାଦ୍ୟ। ଓଡ଼ିଶା ପ୍ରସିଦ୍ଧ ଡାଲମା, ଦହିବରା, ରସଗୋଲା, ଛେନାପୋଡ଼, ମଣ୍ଡା, କାକରା, ଏଣ୍ଡୁରି ଆଦି ପିଠା ଖାଇବାକୁ ଷ୍ଟଲରେ ଲୋକଙ୍କ ଭିଡ଼ ଜମିବା ସହ ଲୋକମାନେ ଏହାକୁ ବେଶ୍ ପସନ୍ଦ କରିଛନ୍ତି।
ଓଡ଼ିଶା ପ୍ରସିଦ୍ଧ ପାଟ, ବମକେଇ, ଟସର ସିଲକ ଆଦି ଶାଢ଼ୀ କିଣିବା ପାଇଁ ମଧ୍ୟ ମହିଳାମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି। “ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ମୁଁ ହରିୟାଣାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଆସିଛି। ଓଡ଼ିଶା ମଣ୍ଡପରେ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଏବଂ ବିଭିନ୍ନ ଲୋକନୃତ୍ୟ ଦେଖିବାକୁ ମିଳୁଛି। ଏହାସହ ପାଟ, ସମ୍ବଲପୁରୀ, ବମକେଇ, ଟସର ସିଲକ ଆଦି ଶାଢ଼ି କିଣିବା ସହ ଓଡ଼ିଆ ଖାଦ୍ୟ ଖାଇବାକୁ ମିଳୁଥିବାରୁ ବହୁତ ଖୁସି ଲାଗୁଛି”, ବୋଲି ପ୍ରବାସୀ ଓଡ଼ିଆ ମହିଳା ମତପ୍ରକାଶ କରିଛନ୍ତି। ସେହିପରି ଭାବେ ଓଡ଼ିଶାର ଚିତ୍ରକଳା ଏବଂ ହସ୍ତଶିଳ୍ପ ସାମଗ୍ରୀ କିଣିବାକୁ ହରିୟାଣାର ଆଞ୍ଚଳିକ ଲୋକମାନେ ଷ୍ଟଲରେ ବେଶ୍ ଭିଡ଼ ଜମାଉଛନ୍ତି। ବିଶେଷ ଭାବେ ପଟ୍ଟଚିତ୍ର, ଚାନ୍ଦୁଆ ଏବଂ କାଇଁଚ ଘାସରେ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ କିଣିବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।
୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ ଆସନ୍ତାକାଲି ପର୍ଯ୍ୟନ୍ତ ହରିୟାଣାର କୁରୁକ୍ଷେତ୍ରରେ ଅନୁଷ୍ଠିତ ହେବ। ଡିସେମ୍ବର ୫ ତାରିଖରେ ଓଡ଼ିଶା ମଣ୍ଡପର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ମଣ୍ଡପରେ ଓଡ଼ିଶାର ପ୍ରମୁଖ ଚିତ୍ରକଳା, ହସ୍ତତନ୍ତ, ବୟନଶିଳ୍ପ, ପର୍ଯ୍ୟଟନ ସ୍ଥଳୀ, ଲୋକନୃତ୍ୟ ଏବଂ ଓଡ଼ିଶାର ଖାଦ୍ୟ ପରମ୍ପରାକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି ଯାହାକି ସମସ୍ତ ଦର୍ଶକମାନଙ୍କ ପାଇଁ ଏକ ଶୈକ୍ଷଣିକ ବିଷୟ ବସ୍ତୁ ଭାବେ କାର୍ଯ୍ୟ କରିବା ସହ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଆମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ସଫଳ ହୋଇ ପାରିଛି। ୨୦୧୬ ମସିହାରେ ଗୀତା ମହୋତ୍ସବ ଭାରତରେ ଆରମ୍ଭ ହେବା ପରେ ୨୦୧୯ ମସିହାରୁ ଲଣ୍ଡନ, କାନାଡ଼ା, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଭଳି ଦେଶରେ ମଧ୍ୟ ଗୀତା ମହୋତ୍ସବର ଆୟୋଜନ କରାଯାଉଛି।
previous article:https://purvapaksa.com/91-indian-districts-at-high-drought-risk/
