ଓବିସି ସଂରକ୍ଷଣକୁ ନେଇ ରାଜ୍ୟ ରାଜନୀତି ଏବେ କିଛିଦିନ ହେଲା ପୁଣି ସରଗରମ ହୋଇଛି। ବିଜେଡିର ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କଂଗ୍ରେସର ଶ୍ରୀକାନ୍ତ ଜେନା ଏ ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚିତ ରହିଛନ୍ତି। ସାମ୍ବାଦିକଙ୍କୁ ବିଭିନ୍ନ ସୂଚନା ଦେବା, ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା, କିପରି ଓବିସିଙ୍କ ସ୍ୱାର୍ଥ ହାସଲ ପାଇଁ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ କହୁଛନ୍ତି। କିନ୍ତୁ ଜାଣିଛନ୍ତି ଏ ତିନି ନେତା ଓବିସିଙ୍କ ପାଇଁ କାଳନିମି ସଦୃଶ। ବାଲ୍ମିକୀ ରାମାୟଣର ଯୁଦ୍ଧ କାଣ୍ଡରେ ଏହି କାଳନିମି ରାକ୍ଷସର କଥା କୁହାଯାଇଛି ଯିଏ ହନୁମାନଙ୍କୁ ବିଶଲ୍ୟକରଣୀ ଆଣିବା ପାଇଁ ରୋକିଥିଲେ। ଠିକ୍ ସେମିତି ଏହି ନେତାତ୍ରୟ ଓବିସିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ ହୋଇଛି।
ବାଲ୍ମିକୀ ରାମାୟଣର ୭୪ତମ ଅଧ୍ୟାୟ କଥା କହୁଥିଲି ଆପଣଙ୍କୁ। ଏହି ଅଧ୍ୟାୟରେ ମହର୍ଷି ଲେଖିଛନ୍ତି ଇନ୍ଦ୍ରଜିତର ବ୍ରହ୍ମାସ୍ତ୍ର ପ୍ରହାରରେ ଲକ୍ଷ୍ମଣ ଏବଂ ୬୪ କୋଟି ବାନର ମୁର୍ଛା ଯାଇଥିଲେ। ଜାମ୍ବବାନ ଏହି ସମୟରେ ହନୁମାନଙ୍କୁ ହିମାଳୟ ଯାଇ ୪ଟି ଗୁରୁତ୍ୱପୂର୍ଣ୍ଣ ଜଡ଼ିବୁଟି ଗଛ ସଂଗ୍ରହ କରିବାକୁ କହିଲେ। ହନୁମାନ ହିମାଳୟତ ଗଲେ କିନ୍ତୁ କେଉଁଟି ମୃତ ସଞ୍ଜିବନୀ, ବିଶଲ୍ୟକରଣୀ, ସୁବର୍ଣ୍ଣ କରଣୀ, ସନ୍ଧାନୀ ତାହା ଜାଣିପାରିଲେ ନାହିଁ। ଏହି ସମୟରେ ରାବଣ ମାୟା ବନ୍ଧନୀରେ ହନୁମାନଙ୍କୁ ଅଟକାଇବା ଲାଗି କାଳନିମି ରାକ୍ଷାସକୁ ପଠାଇଲେ। ଏହି ରାକ୍ଷାସ କାଳନିମି ଋଷି ବେଶରେ ହନୁମାନଙ୍କୁ ସହାୟତା କରିବା ତଥା ସଞ୍ଜିବନୀ ବୁଟି ଚିହ୍ନଟରେ ସହାୟକ ହେବ ବୋଲି ପ୍ରଥମେ ଘରକୁ ଡାକିଥିଲା, ପରେ ମାୟାବୀ କୁମ୍ଭୀରରେ ପରିଣତ ହୋଇ ହନୁମାନଙ୍କ ଉପରେ ଆକ୍ରମଣ କରିଥିଲା। ଅବଶ୍ୟ ହନୁମାନଙ୍କ ଗଦା ପ୍ରହାରରେ ତା’ର ମାୟା ତୁଟିଥିଲା ଓ ବିଭ୍ରାଟ ଓ ବିଳମ୍ବ ଚାହିଁଥିବା କାଳନିମି ଅପସରି ଯାଇଥିଲା। ଏହାପରେ ଆବଶ୍ୟକ ସମସ୍ତ ଜଡିବୁଟି ଥିବା ପାହାଡ଼କୁ ହନୁମାନ ନେଇ ଯୁଦ୍ଧସ୍ଥଳରେ ପହଞ୍ଚିଥିଲେ। ଏହାକୁ ଶୁଂଘି ସମସ୍ତ ୬୪ କୋଟି ବାନର ଏବଂ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚେତା ଫେରିଥିଲା।
ଆଜି ଏ ପ୍ରସଙ୍ଗ ଏଠାରେ ମନେ ପକାଇବାର କାରଣ ହେଉଛି ବର୍ତ୍ତମାନର ରାଜନୀତି। ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଚାଲିଛି ‘ଓବିସିଙ୍କ ଆରକ୍ଷଣ’କୁ ନେଇ। ଆଉ ଏଥିରେ ସରକାର ବା ସରକାରୀ ଦଳ ଯେତିକି ଚର୍ଚ୍ଚାରେ ନାହାନ୍ତି ଶ୍ରେୟ ନେଇ ଭୋଟ୍ ପଲିଟିକ୍ସ ଖେଳିବାକୁ ଚାହିଁଛନ୍ତି ରାଜ୍ୟର ତିନି ନେତା। ଏମାନେ ହେଉଛନ୍ତି ବିଜେଡିର ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କଂଗ୍ରେସର ଶ୍ରୀକାନ୍ତ ଜେନା। ଏମାନଙ୍କ ସହିତ ଅଛନ୍ତି ପ୍ରତାପ ଜେନା ଓ ସଞ୍ଜୟ ଦାସବର୍ମା। ଏମାନେ ଯେ ଓବିସିଙ୍କୁ ସହାୟତା କରିବା ପାଇଁ ଏପରି ଆଚରଣ ବ୍ୟକ୍ତ କରୁଛନ୍ତି ତା ନୁହେଁ, ବରଂ କାର୍ଯ୍ୟରେ ବିଘ୍ନ ଆଣି ନିଜର ପ୍ରଚାର କରିବାକୁ ଚାହିଁଥିବା ମନେହୁଏ। କାରଣ ଇତିହାସ କହୁଛି ଏହି ତିନି ନେତା କେବେ ଓବିସିଙ୍କ ପକ୍ଷରେ ନିଜେ କ୍ଷମତାରେ ଥିବାବେଳେ ଦୃଢ଼ ପଦକ୍ଷେପ ନେବାକୁ ସାହସ କରିନାହାନ୍ତି।
ପ୍ରଥମେ ଆପଣଙ୍କୁ ଦେଶରେ କେମିତି ଓବିସି ରାଜନୀତିର ମଞ୍ଜି ବୁଣାଗଲା ତାହା କହୁଛି। ଅବଶ୍ୟ ଏ ବିଷୟରେ ପୂର୍ବ ଅଧ୍ୟାୟରେ କହିଛି। ଆପଣ ଚାହିଁଲେ ତଳେ ଦିଆଯାଇଥିବା ଲିଙ୍କରେ ଯାଇ ବିଶେଷ ଭାବେ ତାହାକୁ ଦେଖିପାରିବେ। ଅଥବା ଆମ ଓ୍ୱେବସାଇଟ ଲିଙ୍କକୁ ଯାଇ ତାହା ପଢ଼ିପାରିବେ। ତାହାର ଲିଙ୍କ ମଧ୍ୟ ନିମ୍ନରେ ଦିଆଯାଇଛି।
ସଂକ୍ଷେପରେ କହିଲେ, ଏହା ୧୯୯୦ ମସିହା କଥା। ଶ୍ରୀକାନ୍ତ ଜେନା ସେତେବଳେ ଜନତା ଦଳର ସାଂସଦ ଥାଆନ୍ତି। ଓଡ଼ିଶାରେ ଥାଏ ଜନତା ଦଳର ସରକାର। ଆଉ ବିଜୁ ପଟ୍ଟନାୟକ ଏହାର ମୁଖ୍ୟ। ଏହି ସମୟରେ ଭିପି ସିଂହଙ୍କ ସରକାର ଲାଗୁ କରିଲେ ମଣ୍ଡଳ କମିଶନଙ୍କ ରିପୋର୍ଟ। ଯେଉଁଥିରେ ଓବିସି ବର୍ଗଙ୍କ ଲାଗି ୨୭ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ତତ୍କାଳୀନ କଂଗ୍ରେସର ପ୍ରଭାବକୁ ରାଜନୀତିରେ କମାଇବା ଲାଗି ଏହା ଦେଶରେ ଜାତିଭିତ୍ତିକ ରାଜନୀତି କ୍ଷେତ୍ରରେ ଜନତା ଦଳର ପ୍ରଥମ ପଦକ୍ଷେପ ଥିଲା। ହେଲେ ରାଜ୍ୟରେ ବିଜୁ ବାବୁଙ୍କ ସରକାର ଏହାକୁ ଗ୍ରହଣ କରିଲେ ନାହିଁ। କି ରାଜ୍ୟରେ ମଣ୍ଡଳ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ ହେଲା ନାହିଁ। ଅର୍ଥାତ୍ ବିଜୁବାବୁ ଓଡ଼ିଶା ରାଜନୀତିରେ ଓବିସି ସଂରକ୍ଷଣକୁ ଅଟକାଇବାରେ ପ୍ରଥମ ନେତା ତଥା ମୁଖ୍ୟମନ୍ତ୍ରୀ ଥିଲେ।
ଖାଲି ସେତିକି ନୁହେଁ ଶ୍ରୀକାନ୍ତ ଜେନାଙ୍କ ସମର୍ଥକ ଏ ବିଷୟକୁ ନେଇ ହାଇକୋର୍ଟରେ ଏକ ମାମଲା କରିଥିଲେ। ପଛୁଆ ବର୍ଗଙ୍କ ଭିତରେ ତାଙ୍କ ଜାତି ବା ବର୍ଗ ନ ଆସୁଥିବାରୁ ଖଣ୍ଡାୟତ ଓ ଚଷା ବର୍ଗଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଦାବି କରିଥିଲେ। ଫଳରେ ମାମଲା କୋର୍ଟରେ ଚାଲିଲା ଆଉ ଆରକ୍ଷଣ ବର୍ଗକୁ ରାଜ୍ୟର ଚଷା ଓ ଖଣ୍ଡାୟତ ବର୍ଗ ବି ଅନ୍ତର୍ଭୁକ୍ତ ହୋଇଥିଲା ଏସଇବିସି ଭାବରେ।
ଏହା ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟରେ ଓବିସିଙ୍କ ପାଇଁ ଆରକ୍ଷଣ ସମ୍ପର୍କରେ ଅନେକ ନୀତି ପାଳନ କରାଯାଇଛି। ସୁପ୍ରିମକୋର୍ଟଙ୍କ ବିରୁଦ୍ଧରେ ମଧ୍ୟ ଆଇନ କରାଯାଇଛି। କିନ୍ତୁ ରାଜ୍ୟରେ ଏଥିଲାଗି କେବେ ପ୍ରୟାସ ହୋଇ ନାହିଁ କି ଆଇନ କରାଯାଇ ନାହିଁ। ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୧୦ ମସିହାରେ ଏ ବିଷୟକୁ ନିଜ ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ପାଇଁ ଆଣିଥିଲେ। ସେତେବେଳେ ସୁପ୍ରିମକୋର୍ଟଙ୍କ ରାୟକୁ କାଏମ ରଖିବା ଲାଗି ସବୁଦାୟ ଆରକ୍ଷଣ ବ୍ୟବସ୍ଥା ଯେମିତି ୫୦ ପ୍ରତିଶତ ଉପରକୁ ନ ଯିବ ସେହି ପ୍ରୟାସ କରିଥିଲେ।
ଏହିକ୍ରମରେ ଓବିସିଙ୍କ ପାଇଁ ଚାକିରି କ୍ଷେତ୍ରରେ ୧୧.୫ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥାର ଲାଗୁ କରିଥିଲେ। ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଓବିସିଙ୍କ ଦାବିକୁ ସ୍ୱୀକାର କରି ଆରକ୍ଷଣ ଦେଲେ। କିନ୍ତୁ ଏହା ଶିକ୍ଷା କ୍ଷେତ୍ରରେ ଦିଆଯାଇ ନ ଥିଲା। ସେତେବେଳେ ରାଜ୍ୟ ସରକାରରେ ସଦସ୍ୟ ଥିଲେ ଅରୁଣ ସାହୁ। ହେଲେ ଓବିସିଙ୍କ ସ୍ୱାର୍ଥରେ ନ ଯାଇ ନିଜ ସ୍ୱାର୍ଥକୁ ଜଗିଲେ। ଆଉ ପାଟି ଖୋଲିନଥିଲେ। ଏହି ସମୟରେ ଶ୍ରୀକାନ୍ତ ଜେନା ମହାଶୟ କେନ୍ଦ୍ରରେ କଂଗ୍ରେସ ସରକାରେ ରସାୟନ ଓ ସାର ମନ୍ତ୍ରୀ ଥିଲେ। କିନ୍ତୁ ନବୀନଙ୍କୁ ସମାଲୋଚନା କରିନଥିଲେ କି ପରାମର୍ଶ ବି ଦେଇନଥିଲେ। କହିବାକୁ ଗଲେ ମିଡିଆ ସାମ୍ନାରେ ପାଟି ଖୋଲିନଥିଲେ।
ଏତିକିରେ ସରିଲା ନାହିଁ। ୨୦୨୨ ମସିହା କଥା କହୁଛି। ଏହି ସମୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ଏବଂ ପୌର ନିର୍ବାଚନରେ ଓବିସିଙ୍କୁ ଦିଆଯାଉଥିବା ସମସ୍ତ ଆରକ୍ଷଣକୁ ଉଠାଇ ଦେଲେ। ଏହି ସମୟରେ ବାବୁ ଅରୁଣ ମନ୍ତ୍ରୀ ଥିଲେ। ତାଙ୍କ ସହ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ରାଜ୍ୟର କୃଷିମନ୍ତ୍ରୀ ଥିଲେ। ହେଲେ ନବୀନ ବା ନବୀନ ତନ୍ତ୍ରକୁ ଏ ବିଷୟରେ ସମାଲୋଚନା ବା ପରାମର୍ଶ ଦେବାର କୌଣସି ପଦକ୍ଷେପ ନେଲେ ନାହିଁ। ଅର୍ଥାତ୍ ଏ ଦୁଇନେତା ମଧ୍ୟ ଶ୍ରୀକାନ୍ତଙ୍କ ଭଳି କ୍ଷମତାରେ ନ ଥିବାବେଳେ କେବଳେ ଓବିସିଙ୍କ କଥା କହୁ ନାହାନ୍ତି ବରଂ ନିଜ ସ୍ୱାର୍ଥ ଲାଗି ନୀତିରେ ପରିବର୍ତ୍ତନ ଚାହିଁଛନ୍ତି।
ଏବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଓବିସି ବର୍ଗ ଛାତ୍ରଛାତ୍ରୀଙ୍କୁ ଆରକ୍ଷଣ ସୁବିଧା ଦେବାକୁ ଚାହିଁଛନ୍ତି। ଶିକ୍ଷାନୁଷ୍ଠାନମାନଙ୍କରେ ୧୧.୫ ପ୍ରତିଶତ ଆସନ ଓବିସିଙ୍କ ପାଇଁ ଆରକ୍ଷଣ ରହିବ। ଫଳରେ ପୂର୍ବରୁ ବନ୍ଦ ଥିବା ଆରକ୍ଷଣ ସୁବିଧା ମିଳିପାରିବ। ହେଲେ ଏହାକୁ ବିରୋଧ କରୁଛନ୍ତି ଏହି ତିନି ନେତା। ଏଣୁ ସଂକ୍ଷେପରେ କହିଲେ ଏହି ତିନି ନେତା କ୍ଷମତାରେ ଥିବାବେଳେ ଓବିସିଙକ୍ ପାଇଁ କେବେ ଚିନ୍ତା କରିନାହାନ୍ତି। ଯେତେବଳେ କ୍ଷମତା ବାହାରକୁ ଆସିଛନ୍ତି ସେତେବେଳେ କାଳନିମିଙ୍କ ଭଳି ବିଳମ୍ବ ସୃଷ୍ଟି କରିବା ପାଇଁ ଲାଗିପଡ଼ିଛନ୍ତି।
Also readhttps://purvapaksa.com/how-sharif-provided-evidence-of-indias-attack-on-pakistans-key-airbase/
ପାକିସ୍ତାନର ପ୍ରମୁଖ ଏୟାରବେସ୍ ଉପରେ ଭାରତ ଆକ୍ରମଣକୁ କିପରି ପ୍ରମାଣ ଦେଲେ ସରିଫ୍