ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଯେଉଁ ଯୋଜନା ଚାଲିଛି ତା’ର ବ୍ଲୁ-ପ୍ରିଣ୍ଟ ନବୀନ ନିବାସରୁ ତିଆରି ହୋଇଛି । ବିଜେଡିର ଜଣେ ପୂର୍ବତନ ସାଂସଦଙ୍କ ଓଏଏସ ଅଫିସର ସ୍ୱାମୀ ତଥା ପୂର୍ବରୁ ନବୀନ ନିବାସରେ ଟହଲିଆ ଥିବା ରବୀନ୍ଦ୍ର ସେଠୀ ଏହି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ରାଜନୀତିକ ମହଲରେ ଆଲୋଚନା ହେଉଛି ।
ନବୀନ ନିବାସ ଇସାରାରେ ସେ ଓଏଏସ ସଂଘକୁ ସରକାର ବିରୋଧରେ ଅସ୍ତ୍ର ବ୍ୟବହାର କରୁଛନ୍ତି । ସଂଘ ସହ ରାଜ୍ୟ ସରକାରଙ୍କ ସକରାତ୍ମକଭାବେ ଆଲୋଚନାର ମୋଡ଼ ବଦଳାଇବାରେ ରବୀନ୍ଦ୍ର ସେଠୀ ଆୟୁଧ ସାଜୁଛନ୍ତି ।
ଓଏଏସ ସଂଘ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ମଧ୍ୟ ପୁଣି କାହିଁକି ସରକାରଙ୍କ ବିରୋଧରେ ମୁଣ୍ଡ ଟେକିଛି। ଏହାକୁ ନେଇ ତନାଘନା ଚାଲିଥିବାବେଳେ ଏବେ ନବୀନ ନିବାସର ସାଂଘାତିକ ସତ ପଦାକୁ ଆସିଛି । ନବୀନ ନିବାସର ଇସାରାରେ ସେ ସଂଘକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛନ୍ତି ।
ସଂଘ ନେତାଙ୍କୁ ଉସକାଇ ସରକାରଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ଓଏଏସ ସଂଘରେ ହେଉଥିବା ଆଲୋଚନାର ନିଷ୍କର୍ସକୁ ସେ କିଛି ଗଣମାଧ୍ୟମକୁ ଜାଣିଶୁଣି ଲିକ କରୁଛନ୍ତି । ଏପରିକି ପାୱାର କରିଡରରୁ ମିଳୁଥିବା ସୂଚନା ଅନୁଯାୟୀ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୁଧବାର ବୈଠକକୁ ରବୀନ୍ଦ୍ର ସେଠୀ ହିଁ କେଁ ପୂରେଇ ଭାଙ୍ଗିଦେଲେ ।
ରବୀନ୍ଦ୍ର ସେଠୀ ଗୋଟେ ସମୟରେ ନବୀନ ନିବାସର ବୋଲକରା ଭଳି କାମ କରୁଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ବିଜେଡିରୁ ସାଂସଦ ପ୍ରାର୍ଥୀ ବି କରାଇଥିଲେ । ଗତ ନିର୍ବାଚନ ସମୟରେ ସେ ବିଜେଡିର ଟିକେଟ ବଣ୍ଟା କାମରେ ବି ଲାଗିଥିବା ସେ ସମୟରେ ଅଭିଯୋଗ ହେଉଥିଲା । କାରଣ କିଛି ଅସନ୍ତୁଷ୍ଟ ବିଜେଡି ନେତା ମଧ୍ୟ ତାଙ୍କ ନାଁକୁ ନେଇ ଗଣମାଧ୍ୟମରେ ବିଷୋଦ୍ଗାର କରିଥିଲେ । ନବୀନ ନିବାସର ଏହି ବୋଲକରା ଏବେ ଓଏଏସ ଅଫିସରଙ୍କୁ ସରକାରଙ୍କ ବିରୋଧରେ ତେଜୁଥିବା ଚର୍ଚ୍ଚା ହେଉଛି ।
ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସବୁ ମନ୍ତ୍ରୀଙ୍କ ସହ ଏହି ବିବାଦୀୟ ସ୍ଥିତି ନେଇ ଆଲୋଚନା କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ହୁଏତ ମୁଖ୍ୟମନ୍ତ୍ରୀ ଓଏଏସ ସଂଘକୁ ଭେଟିଥାନ୍ତେ। କିନ୍ତୁ ନବୀନ ନିବାସରୁ ପରିଚାଳିତ ରବୀନ୍ଦ୍ର ସେଠୀଙ୍କ ଗୋଟିଚାଳନାରେ ଆଲୋଚନା ଫେଲ ହୋଇଥିଲା । ପଦ୍ମପୁର ଉପନିର୍ବାଚନ ସମୟରେ ପାଣ୍ଡିଆନ ଘର ଉପରକୁ ବିଜେପି କର୍ମୀମାନେ ଗୋବର ଫିଙ୍ଗିବାରୁ ସବୁ ସଂଘର କର୍ମକର୍ତ୍ତାମାନେ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ସମବେଦନା ଜଣାଇଥିଲେ ଓ ତାଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିଥିଲେ । ସେହିଦିନଠୁ ପାଣ୍ଡିଆନ ରାଜ୍ ଆରମ୍ଭ ହେଲା । ଅମଲାତନ୍ତ୍ରର ପାଣ୍ଡିଆନୀକରଣ ହୋଇଗଲା ।
କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାରି ଭିତରେ ଏମିତି ଅନେକଗୁଡ଼ିଏ ଘଟଣା ଘଟିଛି, ଯେଉଁଥିରେ ଓଏଏସ୍ ଅଫିସରମାନେ ମାଡ଼ ଖାଇଛନ୍ତି । ଗତ ଜୁନରେ ମୟୂରଭଞ୍ଜ କପ୍ତିପଦାର ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ ବାଲିମାଫିଆମାନେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଏହାର କିଛିଦିନ ଆଗରୁ ରେମୁଣାର ଜୁନିଅର ଖଣି ଅଧିକାରୀ ତାପସ କୁମାର ବେହେରାଙ୍କୁ ବାଲି ମାଫିଆମାନେ ଗାଡ଼ିରୁ ଟାଣିଆଣି ବହେ ଛେଚିଥିଲେ ।
ଅଛଦିନ ତଳେ କୁଳିଅଣା ବ୍ଲକର ତିତ୍ରିରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାବେଳେ ମହିଳାମାନେ ତହସିଲଦାରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ପୁଲିସ ଉପସ୍ଥିତିରେ ଏହା ହୋଇଥିଲା। କିନ୍ତୁ ଓଡ଼ିଶା ପ୍ରଶାସନିକ ଅଧିକାରୀ ସଂଘ ଏବାବଦରେ ଗଣଛୁଟି ନେଇଥଲା କି? ଆଇଏଏସ୍ ସଂଘ ଏହାକୁ ନିନ୍ଦା କରିଥିଲା କି? ସଂଯୁକ୍ତ ବିବୃତି ଜାରି ହୋଇଥିଲା କି? କିନ୍ତୁ ରତ୍ନାକର ସାହୁଙ୍କ ବେଳେ ଦୁଇ ସଂଘ ଏତେ ଛାଟିପିଟି ହେଲେ କାହିଁକି? ଛାଡି ଫଟାଇ ଚିତ୍କାର କରିବା ପରେ ଛୁଟିରେ ଯାଇ ରାଜ୍ୟସାରା ଅରାଜକତା ସୃଷ୍ଟିର ହୀନ ଉଦ୍ୟମ ହେଲା କାହିଁକି? ବିଜେଡି ସରକାରବେଳେ ଏମିତି ଘଟଣା ଘଟିନଥିଲା କି ? ୨୦୨୦ର ଘଟଣା। ସେତେବେଳେ ତ ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ । ନୀଳଗିରି ତହସିଲଦାର ଅଶେଷ ନାୟକଙ୍କୁ ପୂନାଦଳ ଗାଁରେ ପ୍ରବଳ ମାଡ଼ ମାରି ବନ୍ଦୀ ବନାଇ ଦେଇଥିଲେ। ତହସିଲଦାର କାର୍ଯ୍ୟରତ ଅବସ୍ଥାରେ ଆକ୍ରମଣର ଶିକାର ହୋଇନଥିଲେ କି ? ପୁଲିସକୁ ବହୁ କଷ୍ଟରେ ତହସିଲଦାରଙ୍କୁ ମୁକୁଳାଇବାକୁ ପଡ଼ିଥିଲା। ୨୦୨୧ ଅଗଷ୍ଟରେ ବାଲେଶ୍ଵର ଜିଲାର ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀଙ୍କୁ ଭୋଗରାଇରେ ବାଲି ମାଫିଆମାନେ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ। କେଉଁମାନଙ୍କ ପାଇଁ ଏହା ପୂର୍ବରୁ କାନ୍ଦିଥିଲା ଅଫିସର ସଂଘ? ରତ୍ନାକର କ’ଣ ଦିବ୍ୟ ପୁରୁଷ? ତାଙ୍କୁ ଆକ୍ରମଣ ହେବା କେଉଁ ଦୃଷ୍ଟିରୁ ଭିନ୍ନ?
୨୦୧୨ରେ ସମ୍ବଲପୁର ଜିଲାପାଳ ମୃଣାଳିନୀ ଦରୱାଲଙ୍କୁ ଓକିଲମାନେ ଅସଦାଚରଣ କରିଥିଲେ ବୋଲି ସେ ନିଜେ ଥାନାରେ ଅଭିଯୋଗ କରିଥିଲେ। ଆଇଏଏସ୍ ସଂଘ ଏହି ଘଟଣାରେ ରାସ୍ତାକୁ ଆସିଥିଲା କି? କୂଳିଅଣାର ବିଜେପି ବିଧାୟକ ସାନନ୍ଦ ମାରାଣ୍ଡି ମୟୂରଭଞ୍ଜ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ହରିଶ୍ଚନ୍ଦ୍ର ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ମାଡ଼ ମାରିଥିଲେ। ପରବର୍ତ୍ତୀ ସମୟରେ ସାନନ୍ଦ ବିଜେଡି ବିଧାୟକ ହେଲେ। ବିଧାନସଭାର ଉପବାଚସ୍ପତି ମଧ୍ୟ ହୋଇଥିଲେ ନବୀନ ପଟ୍ଟନାୟକଙ୍କ ଦୟାରୁ। ସେତେବେଳେ ସଂଘ କୁଆଡ଼େ ଥିଲା?
ରତ୍ନାକର ସାହୁଙ୍କୁ ଆଗରେ ରଖି ଏକ ବଡ଼ କିନ୍ତୁ ଜଘନ୍ୟ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ପାଣ୍ଡିଆନପନ୍ଥୀ ସଂଘ କର୍ମକର୍ତ୍ତାମାନେ ଏହାକୁ ଏକ ମଉକାଭାବେ ଗ୍ରହଣ କରିଛନ୍ତି। ଯେଉଁ ଅଧିକାରୀଙ୍କ ମୁହଁରେ ଗତ ନିର୍ବାଚନରେ ଜନତା ଛେପ ପକାଇ ହଟାଇ ଦେଇଥିଲେ, ସେ ହିଁ ଓଡ଼ିଶା ବାହାରେ ରହି ଏହି ଚକ୍ରାନ୍ତ ରଚନା କରିଛନ୍ତି ବୋଲି ଚାରିଆଡ଼େ ଆଲୋଚନା ହେଉଛି।
ଭାରତୀୟ ଜନତା ପାର୍ଟିରେ କ୍ଷମତା ଆଶାୟୀ ନେତାମାନେ ଅରାଜକତାରୁ କ୍ଷମତା ପାଇବା ଆଶା ବାନ୍ଧି ବସିଛନ୍ତି। ଲାଗୁଛି ଉଭୟଙ୍କ ମଧ୍ୟରେ ଏକ ବଡ଼ ବୁଝାମଣା ହୋଇଛି। ଗତ ବର୍ଷେ ହେଲା ମୋହନ ସରକାର ଉତ୍ସବରେ ମାତିଛନ୍ତି। ପ୍ରଶାସନକୁ ସଜାଡ଼ିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ପାଣ୍ଡିଆନ ଇକୋସିଷ୍ଟମ ଭାଙ୍ଗିବା ପାଇଁ ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ତାଙ୍କ ନିଜ ସିଏମ୍ଓରେ ଯେଉଁ ଅଧିକାରୀ ଓଏଏସ୍ ଅଫିସରଙ୍କ ପୋଷ୍ଟି ଏବଂ ବଦଳି ଦାୟିତ୍ଵ ବୁଝୁଛନ୍ତି ସେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପରୋକ୍ଷରେ ଅଡୁଆ ପରିସ୍ଥିତି ସୃଷ୍ଟି କରିସାରିଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ନିଜ ଦପ୍ତର ସମ୍ଭାଳନ୍ତୁ। କଠୋର ହୁଅନ୍ତୁ। ତାଙ୍କ ସରକାରକୁ ଅସ୍ଥିର କରିବା ପାଇଁ ଭିତରୁ ଓ ବାହାରୁ ଯେଉଁ ଚକ୍ରାନ୍ତ ଚାଲିଛି, ତାହାକୁ ଦୃଢ଼ ହସ୍ତରେ ଦମନ କରନ୍ତୁ।
ALSO READ https://purvapaksa.com/who-is-soham-parekh-earning-250000-daily-from-5-jobs-scamming-companies/
