ରୁଷ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏକ ନାମ ହଠାତ୍ ଚର୍ଚ୍ଚାକୁ ଆସିଛି, ଦିମିତ୍ରୀ ମେଦଭେଦେଭ । ରୁଷର ପୂର୍ବତନ ରାଷ୍ଟ୍ରପତି ଏବଂ ବର୍ତ୍ତମାନର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ମେଦଭେଦେଭ ନିକଟରେ ଏପରି ଏକ ବୟାନ ଦେଇଛନ୍ତି, ଯାହାକୁ ଆମେରିକା ସିଧାସଳଖ ପରମାଣୁ ଧମକ ବୋଲି ଗ୍ରହଣ କରିଛି ।
ଫଳସ୍ୱରୂପ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ନିକଟରେ ଦୁଇଟି ପରମାଣୁ ବୁଡ଼ା ଜାହଜ ମୁଚୟନ କରିବାକୁ ଆଦେଶ ଦେଇଛନ୍ତି । ବର୍ତ୍ତମାନ ବିଶ୍ୱ ଭୟଭୀତ ହୋଇଛି, କାରଣ ଦୁଇ ପରମାଣୁ ଶକ୍ତି ଏକାପଟେ ଅନ୍ୟକୁ ଖୋଲାଖୋଲି ଚେତାବନୀ ଦେଉଛନ୍ତି ।
କେମିତି ବଢିଲା ଉତ୍ତେଜନା ?
ଏହି ଉତ୍ତେଜନା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଦେଇଥିବା ଚେତାବନୀ ପରେ ସୃଷ୍ଟି ହୋଇଛି । ସେ କହିଥିଲେ ଯେ, ଯଦି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧବିରାମ ପାଇଁ ରାଜି ନହୁଅନ୍ତି, ତେବେ ଆମେରିକା ରୁଷ ଉପରେ ଆହୁରି କଠୋର ପ୍ରତିବନ୍ଧକ ଲଗାଇବ। ଟ୍ରମ୍ପ ଏହାକୁ ଏକ ସିଜଫାୟାର-କିମ୍ବା-ସାଙ୍କସନ ଡେଡଲାଇନ ବୋଲି ଅଭିହିତ କରିଥିଲେ । ଏହାର ଜବାବରେ ମେଦଭେଦେଭ ଆମେରିକାକୁ ରୁଷର କୁଖ୍ୟାତ ପରମାଣୁ ପ୍ରଣାଳୀ ଡେଡ ହାଣ୍ଡର ସ୍ମରଣ କରାଇଥିଲେ—ଏକ ସିଷ୍ଟମ ଯାହା ଯଦି ରୁଷ ଉପରେ ପ୍ରଥମ ଆକ୍ରମଣ ହୁଏ, ତେବେ ସ୍ୱୟଂଚାଳିତ ଭାବେ ଜବାବୀ ପରମାଣୁ ଆକ୍ରମଣ କରେ । ଟ୍ରମ୍ପ ଏହି ବୟାନକୁ ଗମ୍ଭୀର ବିପଦ ମାନି ରୁଷ ନିକଟରେ ପରମାଣୁ ବୁଡ଼ା ଜାହଜ ମୁତୟନ କରିବାକୁ ଆଦେଶ ଦେଇଥିଲେ । ସେ ମେଦଭେଦେଭଙ୍କୁ ’ବିଫଳ ରାଷ୍ଟ୍ରପତି’ କହି ଚେତାବନୀ ଦେଇଥିଲେ ଯେ ସେ ବିପଜ୍ଜନକ କ୍ଷେତ୍ରରେ ପାଦ ଦେଉଛନ୍ତି ।
ଦିମିତ୍ରୀ ମେଦଭେଦେଭ କିଏ ?
୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ରୁଷର ରାଷ୍ଟ୍ରପତି ଥିଲେ। ସେହି ସମୟରେ ଭ୍ଲାଦିମିର ପୁଟିନ ସାମ୍ବିଧାନିକ କାରଣରୁ ରାଷ୍ଟ୍ରପତି ହୋଇପାରି ନଥିଲେ, ତେଣୁ ସେ ମେଦଭେଦେଭଙ୍କୁ ଆଗକୁ ଆଣିଥିଲେ । ତାଙ୍କ ଜନ୍ମ ଲେନିନଗ୍ରାଡ (ବର୍ତ୍ତମାନ ସେଣ୍ଟ ପିଟର୍ସବର୍ଗ)ରେ ହୋଇଥିଲା । ପେସାଗତ ଭାବେ ଓକିଲ ଅଟନ୍ତି। ୧୯୯୦ ଦଶକରୁ ହିଁ ପୁଟିନଙ୍କ ନିକଟତର ସହଯୋଗୀ ଥିଲେ। ରାଷ୍ଟ୍ରପତି ହେବା ପୂର୍ବରୁ ଗେଜପ୍ରୋମର ଚେୟାରମ୍ୟାନ, ଉପ ପ୍ରଧାନମନ୍ତ୍ରୀ ଏବଂ ଚିଫ ଅଫ ଷ୍ଟାଫ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଥିଲେ । ରାଷ୍ଟ୍ରପତି ଥିବା ସମୟରେ ନୂଆ START ପରମାଣୁ ସନ୍ଧି ଏବଂ ପୁଲିସ ସଂସ୍କାର ଭଳି ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ୨୦୨୦ ପର୍ଯ୍ୟନ୍ତ ରୁଷର ପ୍ରଧାନମନ୍ତ୍ରୀ ଥିଲେ, ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଅଟନ୍ତି, କିନ୍ତୁ ପ୍ରକୃତ କ୍ଷମତା ସୀମିତ ବୋଲି ମନେ କରାଯାଏ ।
ପରମାଣୁ ଧମକର ନୂଆ ପୋଷ୍ଟର ବୟ
ରାଷ୍ଟ୍ରପତି ଥିବା ସମୟରେ ମେଦଭେଦେଭଙ୍କୁ ଉଦାର ଏବଂ ପ୍ରଗତିଶୀଳ ଚେହେରା ମାନାଯାଉଥିଲା, କିନ୍ତୁ ୨୦୨୨ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ତାଙ୍କ ରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ସେ ନିରନ୍ତର ପାଶ୍ଚାତ୍ୟ ଦେଶମାନଙ୍କୁ ପରମାଣୁ ଆକ୍ରମଣର ଅପ୍ରତ୍ୟକ୍ଷ ଧମକ ଦେଉଛନ୍ତି, ଏବଂ ସୋସିଆଲ ମିଡିଆରେ ଆମେରିକୀୟ ଏବଂ ୟୁରୋପୀୟ ନେତାମାନଙ୍କୁ ଛିଗୁଲାଉଛନ୍ତି । କୁହାଯାଉଛି ଯେ, ପୁଟିନ ଏବଂ ରୁଷୀୟ ରାଷ୍ଟ୍ରବାଦୀମାନଙ୍କ ମଧ୍ୟରେ ନିଜର ପ୍ରଭାବ ବଜାୟ ରଖିବା ପାଇଁ ସେ ଏଭଳି ବୟାନ ସବୁ ଦେଉଛନ୍ତି ।
ALSO READ https://purvapaksa.com/lok-sabha-report-card-of-bjp-mps/
Lok Sabha report card of BJP MPs II ବିଜେପି ସାଂସଦଙ୍କ ଲୋକସଭା ରିପୋର୍ଟ କାର୍ଡ
