ଆଜିର ବିଶ୍ୱ ଏକ ଭୟାବହ ସନ୍ଧିକ୍ଷଣରେ ଠିଆ ହୋଇଛି । ଆମେରିକା ଓ ରୁଷିଆ ମଧ୍ୟରେ ଥିବା ଏକମାତ୍ର କାର୍ଯ୍ୟକାରୀ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିର ଅବଧି ଶେଷ ହୋଇଯାଇଛି। ଏହି ଚୁକ୍ତି କେବଳ ଦୁଇଟି ଦେଶର ସମ୍ପର୍କକୁ ନୁହେଁ, ସାରା ବିଶ୍ୱର ସୁରକ୍ଷା ବ୍ୟବସ୍ଥାକୁ ଏକ ସୂକ୍ଷ୍ମ ସନ୍ତୁଳନରେ ଧରିରଖିଥିଲା । ଆଜି ସେଇ ସନ୍ତୁଳନ ଭାଙ୍ଗିଯିବାର ଆଶଙ୍କା ଗଭୀର ହୋଇଉଠିଛି। ପ୍ରଶ୍ନ ଏବେ ଏହା ନୁହେଁ ଯେ ଏକ ଚୁକ୍ତି ଶେଷ ହେଲା; ପ୍ରଶ୍ନ ହେଉଛି— ବିଶ୍ୱ କ’ଣ ପୁଣି ଏକ ଅନିୟନ୍ତ୍ରିତ ପରମାଣୁ ଅସ୍ତ୍ର ଦୌଡ଼ର ଦିଗକୁ ଫେରିଯାଉଛି?

୨୦୧୦ ମସିହାରେ ସ୍ୱାକ୍ଷରିତ ‘ନ୍ୟୁ ଷ୍ଟାର୍ଟ’ ଚୁକ୍ତି କେବଳ ଆମେରିକା ଓ ରୁଷିଆର ପରମାଣୁ ଅସ୍ତ୍ର ସଂଖ୍ୟାକୁ ସୀମିତ କରୁନଥିଲା; ଏହା ଦୁଇ ମହାଶକ୍ତି ମଧ୍ୟରେ ଭରସା ଓ ପାରଦର୍ଶିତାର ଏକ ବ୍ୟବସ୍ଥା ସୃଷ୍ଟି କରିଥିଲା। ଏହି ଚୁକ୍ତି ଅନୁସାରେ, ଉଭୟ ଦେଶ ୧,୫୫୦ ରଣନୈତିକ ପରମାଣୁ ଅସ୍ତ୍ରରେ ସୀମିତ ରହିବାକୁ ବାଧ୍ୟ ଥିଲେ। ସେହି ସହିତ ଯାଞ୍ଚ, ନିରୀକ୍ଷଣ ଓ ସୂଚନା ଅଦଳବଦଳର ବ୍ୟବସ୍ଥା ଥିଲା। ଏହା ଶୀତଯୁଦ୍ଧ ପରବର୍ତ୍ତୀ ଦୁନିଆରେ ଏକ ଦୁର୍ଲଭ ସଫଳତା ଥିଲା—ଯେଉଁଠି ପ୍ରତିଦ୍ୱନ୍ଦିତା ଥିଲା, କିନ୍ତୁ ନିୟନ୍ତ୍ରଣ ମଧ୍ୟ ଥିଲା।
ଏହି ଚୁକ୍ତିର ଅବଧି ଶେଷ ହେବା ସହିତ ଏକ ଗଭୀର ସତ୍ୟ ସାମ୍ନାକୁ ଆସିଛି— ଏବେ ଆମେରିକା ଓ ରୁଷିଆ ଉପରେ ପରମାଣୁ ଅସ୍ତ୍ର ସଂଖ୍ୟା କିମ୍ବା ମୁତୟନ ନେଇ କୌଣସି ବାଧ୍ୟବାଧକ ନାହିଁ। ସରଳ ଭାଷାରେ କହିଲେ, ଦୁଇ ଦେଶ ନିଜ ଇଚ୍ଛା ଅନୁସାରେ ଅସ୍ତ୍ର ତିଆରି କରିପାରିବେ, ନୂଆ ମିସାଇଲ୍ ମୁତୟନ କରିପାରିବେ ଓ ଏହା ଉପରେ କୌଣସି ଆନ୍ତର୍ଜାତୀୟ ଲଗାମ ରହିବ ନାହିଁ। ଏହି ପରିସ୍ଥିତି ଅନିୟନ୍ତ୍ରିତ ପରମାଣୁ ଦୌଡ଼ର ଦ୍ୱାର ଖୋଲିଦେଇଛି। ବିଶ୍ୱର ସମୁଦାୟ ପରମାଣୁ ଅସ୍ତ୍ରର ପ୍ରାୟ ୮୭ ପ୍ରତିଶତ କେବଳ ଦୁଇଟି ଦେଶ—ଆମେରିକା ଓ ରୁଷିଆ—ପାଖରେ ରହିଛି। ତେଣୁ ଏହି ଦୁଇ ଦେଶ ମଧ୍ୟରେ ଯେକୌଣସି ଅସ୍ଥିରତା ସାରା ପୃଥିବୀକୁ ପ୍ରଭାବିତ କରିବା ସ୍ୱାଭାବିକ। ଯେତେବେଳେ ଏହି ଦୁଇ ମହାଶକ୍ତି ଅସ୍ତ୍ର ନିୟନ୍ତ୍ରଣରୁ ପଛୁଆଟ ନେଉଛନ୍ତି, ସେତେବେଳେ ବିଶ୍ୱର ଅନ୍ୟ ଦେଶମାନେ ମଧ୍ୟ ନିଜ ସୁରକ୍ଷା ନେଇ ପୁନଃଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି।
ଏହି ଚୁକ୍ତି ଶେଷ ହେବାର ପଛରେ କେବଳ ତକନିକି କାରଣ ନାହିଁ; ଏହା ପଛରେ ଗଭୀର ରାଜନୈତିକ ତିକ୍ତତା ଅଛି। ୟୁକ୍ରେନ ଯୁଦ୍ଧ ଆମେରିକା ଓ ରୁଷିଆ ମଧ୍ୟରେ ଭରସାର ଶେଷ ଅବଶେଷକୁ ମଧ୍ୟ ଧ୍ୱଂସ କରିଦେଇଛି।
ଏକପଟେ ଆମେରିକା ରୁଷିଆ ଉପରେ ଆର୍ଥିକ ଓ ସାମରିକ ଚାପ ବଢ଼ାଇଛି, ଅନ୍ୟପଟେ ରୁଷିଆ ନିଜକୁ ଘେରାଯାଇଥିବା ମନେ କରୁଛି। ଏଭଳି ପରିବେଶରେ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଏକ “ଅସୁବିଧା” ଭାବେ ଦେଖାଯାଉଛି—ଏହା ହିଁ ସବୁଠାରୁ ବଡ଼ ବିପଦ।
ଆମେରିକା ଚାହୁଁଛି ଯେ ଯେକୌଣସି ନୂଆ ପରମାଣୁ ଚୁକ୍ତିରେ ଚୀନକୁ ସାମିଲ କରାଯାଉ। ଚୀନର ପରମାଣୁ ଅସ୍ତ୍ର ସଂଖ୍ୟା ପ୍ରାୟ ୬୦୦ ବୋଲି ଅନୁମାନ କରାଯାଉଛି, ଏବଂ ସେ ଦ୍ରୁତ ଗତିରେ ନିଜର ପରମାଣୁ କ୍ଷମତା ବଢ଼ାଉଛି।
କିନ୍ତୁ ଚୀନ ନିଜକୁ ଆମେରିକା–ରୁଷିଆ ସ୍ତରରେ ନେବାକୁ ରାଜି ନୁହେଁ। ଏହା ଏକ ନୂଆ ଅସମତୁଳନ ସୃଷ୍ଟି କରୁଛି—ଯେଉଁଠି ତିନୋଟି ମହାଶକ୍ତି ଏକାସାଥି ଅସ୍ତ୍ର ବଢ଼ାଇବାର ଆଶଙ୍କା ରହିଛି। ଏହି ପରିବର୍ତ୍ତନ ଭାରତ ପାଇଁ ମଧ୍ୟ ଗଭୀର ଚିନ୍ତା ସୃଷ୍ଟି କରୁଛି। ଭାରତ ଚୀନ ସହିତ ଦୀର୍ଘ ସୀମା ବିବାଦରେ ଜଡିତ ଓ ପୂର୍ବରୁ ଏକାଧିକ ବାର ସୈନ୍ୟ ମୁହାଁମୁହିଁ ହୋଇଛି। ଯଦି ଚୀନ ନିଜ ପରମାଣୁ କ୍ଷମତା ଦ୍ରୁତ ଗତିରେ ବଢ଼ାଏ, ତେବେ ଦକ୍ଷିଣ ଏସିଆର ସୁରକ୍ଷା ସମୀକରଣ ପୂରାପୂରି ବଦଳିଯିବ।

ଜାତିସଂଘର ମହାସଚିବ ଚେତାବନୀ ଦେଇଛନ୍ତି ଯେ, ଆସନ୍ତା ଦଶନ୍ଧିରେ ପରମାଣୁ ଅସ୍ତ୍ର ବ୍ୟବହାରର ବିପଦ ସବୁଠାରୁ ଅଧିକ। ଯଦି ବଡ଼ ଦେଶଗୁଡ଼ିକ ନିୟନ୍ତ୍ରଣ ଛାଡ଼ିଦେବେ, ତେବେ ଅଣ–ପରମାଣୁ ଦେଶମାନେ ମଧ୍ୟ ନିଜ ସୁରକ୍ଷା ପାଇଁ ପରମାଣୁ ଅସ୍ତ୍ର ଦିଗକୁ ଝୁକିପାରନ୍ତି। ଏହା ୧୯୭୦ର ପରମାଣୁ ଅସ୍ତ୍ର ଅପ୍ରସାରଣ ଚୁକ୍ତିକୁ ମଧ୍ୟ ଦୁର୍ବଳ କରିଦେବ। ବିଶ୍ୱର ବିଭିନ୍ନ ଧାର୍ମିକ ଓ ନୈତିକ ନେତାମାନେ ମଧ୍ୟ ପରମାଣୁ ଅସ୍ତ୍ର ଦୌଡ଼ ବିରୋଧରେ ସ୍ୱର ଉଠାଇଛନ୍ତି। ଏହା ଏକ ସାମରିକ ମସଲା ମାତ୍ର ନୁହେଁ; ଏହା ମାନବତାର ଭବିଷ୍ୟତ ସହିତ ଜଡିତ।
ଆଜି ବିଶ୍ୱ ଏକ ଭୟଙ୍କର ପ୍ରଶ୍ନ ସାମ୍ନା କରୁଛି—ଆମେ କ’ଣ ଶୀତଯୁଦ୍ଧର ସବୁଠାରୁ ଭୟାବହ ଅଧ୍ୟାୟକୁ ପୁଣି ଲେଖିବାକୁ ଯାଉଛୁ? ନିୟନ୍ତ୍ରଣ ବିନା ପ୍ରତିସ୍ପର୍ଧା ଶେଷରେ ସଂଘର୍ଷକୁ ଜନ୍ମ ଦିଏ—ଇତିହାସ ଏହି ଶିକ୍ଷା ପୁନଃପୁନଃ ଦେଇଛି। ‘ନ୍ୟୁ ଷ୍ଟାର୍ଟ’ ଚୁକ୍ତିର ଶେଷ ହେବା କେବଳ ଏକ କାଗଜର ଶେଷ ନୁହେଁ; ଏହା ଏକ ସତର୍କ ସଙ୍କେତ। ଯଦି ମହାଶକ୍ତିମାନେ ନିଜ ଅହଂକାର ଓ ରାଜନୈତିକ ଲାଭ ଉପରେ ବିଶ୍ୱ ସୁରକ୍ଷାକୁ ବଳିଦାନ କରନ୍ତି, ତେବେ ପରିଣାମ ମାନବଜାତି ପାଇଁ ଭୟାବହ ହେବ। ଆଜି ବିଶ୍ୱକୁ ନୂଆ ଅସ୍ତ୍ର ନୁହେଁ, ନୂଆ ଭରସା ଦରକାର। ପରମାଣୁ ବିପଦକୁ ରୋକିବା ପାଇଁ ରାଜନୈତିକ ସାହସ, କୂଟନୈତିକ ସଂଲାପ ଓ ସାମୂହିକ ଦାୟିତ୍ୱ ଅନିବାର୍ଯ୍ୟ। ନାହିଁଲେ, ଇତିହାସ ଆମକୁ କ୍ଷମା କରିବ ନାହିଁ।
also read https://purvapaksa.com/bomb-threats-in-courts-of-cuttack-puri-and-phulbani-high-alert-issued/
https://purvapaksa.com/bomb-threats-in-courts-of-cuttack-puri-and-phulbani-high-alert-issued/


