ମାତ୍ର ୧୭ ମାସର ବ୍ୟବଧାନ ପରେ ପୁଣିଥରେ ଏକ ନିର୍ବାଚନ ଓଡ଼ିଶାରେ ହେବାକୁ ଯାଉଛି। ଏହା ଗୋଟିଏ ବିଧାନସଭା ପାଇଁ ଉପ ନିର୍ବାଚନ ହୋଇପାରେ, କିନ୍ତୁ ରାଜ୍ୟ ରାଜନୀତିକ ଦୃଶ୍ୟପଟ୍ଟରେ ଏହା ଅନେକ ପରିବର୍ତ୍ତନ ଆଣିବ। ଏ ପରିବର୍ତ୍ତନର ଆଭାସ ଏବେଠାରୁ ମିଳିଲାଣି। ପ୍ରାର୍ଥୀ ଅଦଳବଦଳଠାରୁ ଆରମ୍ଭ କରି ସମୀକରଣ ପରିବର୍ତ୍ତନ ସବୁକିଛି। ସେଥିପାଇଁ ଏ ନିର୍ବାଚନ କେବଳ ନୂଆପଡ଼ାରେ କି ପଶ୍ଚିମାଞ୍ଚଳରେ ସୀମିତ ନାହିଁ ବରଂ ସାରା ଓଡ଼ିଶାକୁ ଆଲୋଚନାର ଖୋରାକି ଯୋଗାଇଛି।
ପୁରୁଣା ପ୍ରାର୍ଥୀଙ୍କ ଉପରେ ତିନି ଦଳର ଭରସା ନାହିଁ

ଦୀର୍ଘ ଦିନର ଅସୁସ୍ଥତା ପରେ ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସେପ୍ଟେମ୍ବର ୮ ତାରିଖରେ ଦେହାନ୍ତ ହୋଇଛି। ଆଉ ସାମ୍ବିଧାନିକ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ନିର୍ବାଚନ କମିଶନ ଏଠାରେ ପୁଣିଥରେ ଭୋଟ୍ ଗ୍ରହଣ ଲାଗି ନଭେମ୍ବର ୧୧ ତାରିଖକୁ ସ୍ଥିର କରିଛନ୍ତି। ଏହି ବିଜ୍ଞପ୍ତି ପ୍ରକାଶ ହେବା ପରେ ରାଜଧାନୀରେ ହଠାତ୍ ରାଜନୀତିକ ପରିବେଶ ଚଳଚଞ୍ଚଳ ହୋଇଛି।
ରାଜ୍ୟର ତିନିଟି ପ୍ରମୁଖ ଦଳ ନିଜ ନିଜ ସ୍ଥିତି ଜାଣି ମଧ୍ୟ ଏହି ନିର୍ବାଚନର ଫାଇଦା ନେବାକୁ ଆଗଭର ହୋଇଛନ୍ତି। ଗୋଟି ଚାଳନା ହୋଇଛି, ସମୀକରଣ ବଦଳାଇବାକୁ ପ୍ରୟାସ ହୋଇଛି। ୨୦୨୪ରେ ଯେଉଁ ପ୍ରାର୍ଥୀଙ୍କୁ ତିନି ପ୍ରମୁଖ ଦଳ ଉତ୍ତରଣ କରିଥିଲେ ଏବେ ସେମାନଙ୍କ ଉପରେ ଆଉ ଭରସା କରିପାରି ନାହାନ୍ତି। ପରଘର ତିଅଣ ସୁଆଦ ନୀତିରେ ଅନ୍ୟ ଘରୁ ପ୍ରାର୍ଥୀ ଆମଦାନୀ କରିଛନ୍ତି। କେହି କେହି ଏହାକୁ ହାଇଜାକ୍, ପ୍ରାର୍ଥୀ ଚୋରି ବୋଲି ବି କହିଛନ୍ତି।
ରାଜ୍ୟ ରାଜନୀତିରେ ପ୍ରଫେସନାଲିଜିମ୍ ସୃଷ୍ଟି
ନିଜର ପୂର୍ବତନ ପ୍ରାର୍ଥୀମାନଙ୍କ ଉପରେ ଭରସା ନ କରିପାରିବାର ଧାରା କଂଗ୍ରେସରୁ ଆରମ୍ଭ ହୋଇଛି। କଂଗ୍ରେସ ୨୦୨୪ ବିଧାନସଭା ନିର୍ବାଚନରେ ନିଜର ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡି ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ଆସ୍ଥା କରି ପୁଣିଥରେ ପ୍ରାର୍ଥୀ କରି ବିଜୟ ଲାଭ କରିଥିଲା।
ଆଜି ରାଜେନ୍ଦ୍ରଙ୍କ ଅବର୍ତ୍ତମାନରେ ଭୋଟ୍ ହେଉଥିବାରୁ ସମସ୍ତଙ୍କ ନଜର ରହିଥିଲା ତାଙ୍କ ପରିବାରର ସଦସ୍ୟଙ୍କ ଉପରେ। କାରଣ ଏହାଙ୍କ ପରିବାର ପ୍ରତି ଅନୁକମ୍ପାମୂକ ଭୋଟ୍ ମିଳିପାରେ। ଆଉ ବିଜେଡି ଏହି ଭୋଟ୍କୁ ଅକ୍ତିଆର କରିବା ଲାଗି ତାଙ୍କ ପରିବାରର କାହାକୁ ବାଛିବ ବୋଲି ଆଶା କରାଯାଉଥିଲା। ସର୍ବପ୍ରଥମେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଚାର ହେଲା। ହେଲେ ବିଜେଡି ଅନେକ ପରୀକ୍ଷା ନିରୀକ୍ଷା ଚଳାଇ ତାଙ୍କୁ ଟିକଟ ଦେବାରେ କାଳବିଳମ୍ବ କଲା। ଜୟ ଏ କଥା ଜାଣିବା ପରେ ଏବେ ବିଜେପିରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି।
ଅର୍ଥାତ୍ ବିଜେପି ମଧ୍ୟ ନିଜର ପୂର୍ବତନ ପ୍ରାର୍ଥୀଙ୍କ ଉପରେ ଆଉ ଭରସା କରିପାରୁନାହିଁ। ଏହା ପୂର୍ବରୁ କଂଗ୍ରେସ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିବା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଛି। ଏବେ ବାକି ରହିଲା ବିଜେଡି। ଏବେ ବି ଦ୍ୱନ୍ଦ୍ୱରେ ରହିଛି ବିଜେଡି। ସରକାରରେ ଥିବାବେଳେ ବିଜେଡି ଏପରି ବିଳମ୍ବ କରୁଥିଲେ ବି ତାହା ଉପରେ କିଛି ଫରକ ପଡ଼ୁନଥିଲା। ହେଲେ ଏବେ ପ୍ରାର୍ଥୀ ବି ଦଳର ନିଷ୍ପତ୍ତିକୁ ଅପେକ୍ଷା ନ କରି ନିଜ କ୍ୟାରିଅର ପାଇଁ ସଜାଗ ହେଉଛନ୍ତି। ଏହା ରାଜନୀତିରେ ପ୍ରଫେସନାଲିଜିମ୍ ସୃଷ୍ଟିର ଏକ ପାହାଚ ବୋଲି ଗ୍ରହଣ କରାଯାଇପାରେ।
ନିର୍ବାଚନ ଫଳାଫଳ ପ୍ରକାଶ ପାଇଲେ ଏ କର୍ପୋରେଟ ପ୍ରଫେସନାଲିଜିମ୍ ରାଜନୀତିରେ କେତେ ସଫଳ ହେଉଛି ତାହା ସ୍ପଷ୍ଟ ହେବ। କିନ୍ତୁ ଏ ନିର୍ବାଚନ ଯେ ତ୍ରିମୁଖୀ ଲଢ଼େଇରେ ଉପନୀତ ହେବାକୁ ଯାଉଛି ତାହାକୁ ଅଣ ଦେଖା କରାଯାଇନପାରେ।
କଂଗ୍ରେସ ପୁନଃସଂଗଠିତ ହେବାକୁ ଚେଷ୍ଟା କରୁଛି

ନୂଆପଡ଼ା ଉପନିର୍ବାଚନ ମାଧ୍ୟମରେ କଂଗ୍ରେସ ନିଜକୁ ପୁନଃସଂଗଠିତ କରିବାକୁ ଚେଷ୍ଟା କରୁଛି। ରାଜ୍ୟ କମିଟିଗୁଡ଼ିକୁ ଭାଙ୍ଗି ପୁନର୍ଗଠନ କରିବା, ରାଜନୈତିକ ବ୍ୟାପାର କମିଟି ସ୍ଥାପନ କରିବା, ଦଳ ଛାଡ଼ିଥିବା ନେତାମାନଙ୍କୁ ପୁଣି ଫେରାଇ ଆଣିବାକୁ ଚେଷ୍ଟା କରିବା ଏବଂ ସ୍ଥାନୀୟ ବିଶ୍ୱସନୀୟ ମୁହଁ ସହିତ ଉପନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବ। କିନ୍ତୁ ଏହା ସହଜ ନୁହେଁ। କଂଗ୍ରେସରେ ନେତୃତ୍ୱର ଅଭାବ, ଗୋଷ୍ଠୀବାଦ, ରଣନୀତିର ଅପର୍ଯ୍ୟାପ୍ତ ସ୍ପଷ୍ଟତାର ଅଭାବ ରହିଛି। ବିଜେପି ଏବଂ ବିଜେଡି ମଧ୍ୟରେ ଥିବା ଫାଟରୁ ଫାଇଦା ଉଠାଇବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। କଂଗ୍ରେସ ପରିସ୍ଥିତିର ଫାଇଦା ଉଠାଇବା ପାଇଁ ଏକ ଜଣାଶୁଣା ନାମ (ଘାସିରାମ ମାଝୀ)ଙ୍କୁ ପ୍ରାର୍ଥୀ କରିଛି।
ନୂଆପଡ଼ାରେ ବିଜେଡିର ଐତିହ୍ୟ ରକ୍ଷା କରିବା ବଡ଼ ପ୍ରଶ୍ନ ହୋଇଛି
କାରଣ ପୂର୍ବରୁ ସ୍ୱାଧୀନ ଭାବେ ଠିଆ ହୋଇ ମଧ୍ୟ ଘାସିରାମ ମାଝୀ ୫୦ ହଜାର ୯୪୧ ଖଣ୍ଡ ଭୋଟ ପାଇଥିଲେ। ରାଜେନ୍ଦ୍ରଙ୍କଠାରୁ ମାତ୍ର ୧୦ ହଜାର ୮୭୧ ଭୋଟରେ ସେ ହାରିଥିଲେ। ଯଦି ପୂର୍ବ ପରିସ୍ଥିତି ସେମିତି ରହେ ଏବଂ ଘାସିରାମଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢ଼େ ତେବେ କଂଗ୍ରେସ ଭୋଟ୍ ମିଶିଲେ ତାଙ୍କର ବିଜୟ ନିଶ୍ଚିତ ହୋଇପାରେ। ହେଲେ ପରିସ୍ଥିତିକୁ ବଦଳାଇବା ପାଇଁ ଉଭୟ ବିଜେପି ଓ ବିଜେଡି ଚିନ୍ତା କରିବେ ତାହାକୁ ଅଣଦେଖା କରାଯାଇନପାରେ।

ଅର୍ଥାତ୍ ନୂଆପଡ଼ାରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ଏ ଲଢ଼େଇରେ ବିଜେଡିର ଐତିହ୍ୟ ରକ୍ଷା କରିବା ବଡ଼ ପ୍ରଶ୍ନ ହୋଇଛି। ଏଥିରେ ସାମିଲ ରହିଛି ଦଳର ଇତିହାସ, ସାମାଜିକ ଆଧାର, କଲ୍ୟାଣକାରୀ ଟ୍ରାକ୍ ରେକର୍ଡ, ରାଜନୈତିକ ସଂସ୍କୃତି ଏବଂ ଏହାର କର୍ମୀ ଏବଂ ଭୋଟ୍ରଙ୍କ ଅବଶିଷ୍ଟ ବିଶ୍ୱସ୍ତତା। ସବୁଠାରୁ ଆଗରେ ରହିଛି ନବୀନଙ୍କ ବ୍ରାଣ୍ଡ ଭାଲ୍ୟୁ। କାରଣ ଏହି ବ୍ରାଣ୍ଡ ଭାଲ୍ୟ ୧୯୯୭ ମସିହାରୁ ବିଜେଡିକୁ ବିଜୟୀ କରାଉଥିଲା। ୨୦୨୪ ନିର୍ବାଚନରେ ବିଜେଡି ଯେଉଁ ୫୧ ଆସନ ପାଇଛି ସେଥିରେ ଏହି ବ୍ରାଣ୍ଡ ଭାଲ୍ୟୁ ହିଁ ପ୍ରମୁଖ କାରକ ଥିଲା ବୋଲି କୁହାଯାଏ। ଯଦିଓ ନବୀନ ସରକାର ନ ଗଢ଼ି ପାରିବା ଏବଂ ସେ ଖୋଦ ନିର୍ବାଚନରେ ପରାଜିତ ହେବା ଏ ବ୍ରାଣ୍ଡ ଭାଲ୍ୟୁ ହ୍ରାସକୁ ସୂଚାଉଛି।
ବିଜେଡିର ଲୋକପ୍ରିୟତାକୁ ପ୍ରମାଣ କରିବ ଉପନିର୍ବାଚନ
ତଥାପି ବିଜେଡିର ବ୍ୟାପକ ଦଳୀୟ ଗଠନ, ସ୍ଥାନୀୟ ନେତୃତ୍ୱ, ଦଳୀୟ କର୍ମୀମାନଙ୍କର ଭୋଟରଙ୍କ ସହିତ ସମ୍ପର୍କକୁ ଉପ-ନିର୍ବାଚନ ଏବଂ ବିଧାନସଭା କ୍ଷେତ୍ରରେ ସଂଗଠିତ କରାଯାଇପାରିବ ବୋଲି ଆଶା କରାଯାଏ। ତଥାପି ପରିବର୍ତ୍ତିତ ପରିସ୍ଥିତିରେ ଲୋକମାନେ ଅଧିକ ଆଶା କରିପାରନ୍ତି। ପୁଣି ନବୀନ ପଟ୍ଟନାୟକଙ୍କ ବୟସ ବଢ଼ୁଛି। ସେ ଅନେକଥର ଅସୁସ୍ଥ ହେଲେଣି।

ତାଙ୍କ ପରେ କିଏ ବିଜେଡି ମଙ୍ଗ ଧରିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଏଣୁ ଦଳରେ କ୍ଷମତା ବଣ୍ଟନ ଏକ ପ୍ରଶ୍ନ ହୋଇ ରହିଛି। ନବୀନଙ୍କ ସେବକ ଭିକେ ପାଣ୍ଡିଆନଙ୍କ ଭୂମିକା, ବିବାଦ, ଗୁଜବ ଏବଂ ଅନୁମାନର ବିନ୍ଦୁ ପାଲଟିଛି। ଦଳ ଭିତରେ କିଛି ଲୋକ ଅମଲାତନ୍ତ୍ରଙ୍କ ନେତୃତ୍ୱାଧୀନ ନିୟନ୍ତ୍ରଣ କିମ୍ବା ନିଷ୍ପତ୍ତି ଗ୍ରହଣ ବିଷୟରେ ଅସନ୍ତୁଷ୍ଟ ରହିଛନ୍ତି।
ବିଜେଡିର ନେତା ଓ ତାଙ୍କୁ ଭଲ ପାଉଥିବା ସାଧାରଣ ଜନତା ମଧ୍ୟ ଅଛନ୍ତି। ସେଥିଲାଗି ନେତାମାନେ ଦଳ ଛାଡ଼ୁଛନ୍ତି। ଏଣୁ ଅନିଶ୍ଚିତତା ସାଙ୍ଗକୁ ନୂଆ ନେତୃତ୍ୱକୁ ପ୍ରତିଷ୍ଠା କରିବା ଲାଗି ବିଜେଡି ପାଖରେ ସୁଯୋଗ ରହିଛି। ଅପରପକ୍ଷେ ବିଜେପି ବିରୋଧୀ ଦଳର ଘରେ ପଶି ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ହାଇଜାକ୍ କରିବାରେ ସଫଳ ହୋଇଛି।
ପ୍ରାର୍ଥୀ ଚୋରୀ ଅଭିଯୋଗକୁ ବିଜେପି କିପରି ମୁକାବିଲା କରିବ?
ଏଭଳି ଏକ ମୁହୂର୍ତ୍ତରେ ବିଜେପି ପ୍ରାର୍ଥୀ ଚୋର ବୋଲି ବି ଅଭିଯୋଗ ଉଠିଲାଣି। ପୂର୍ବରୁ ରାହୁଲ ଗାନ୍ଧି ବିଜେପିକୁ ଭୋଟ ଚୋର ବୋଲି କହିଥିଲେ, ଯାହା ଅନେକ ସମୟରେ ବିଜେପିର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚାହିଁଥିଲା। ଏବେ ପ୍ରାର୍ଥୀ ଚୋରିର ଅଭିଯୋଗକୁ ବିଜେପି କିପରି ମୁକାବିଲା କରିବ ତାହା ପ୍ରଶ୍ନବାଚୀ।
ପଶ୍ଚିମ ଓଡ଼ିଶାର ରାଜନୈତିକ ଚିତ୍ର ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବିଜେଡିର ଦୀର୍ଘ ଐତିହ୍ୟ ଏହାକୁ ଅବଶିଷ୍ଟ ଓଭର ପ୍ରଦାନ କରିଛି, କିନ୍ତୁ ଯଦି ଦଳରୁ ନେତାମାନେ ଚାଲିଯାଆନ୍ତି ତେବେ କେବଳ ଐତିହ୍ୟ ଭୋଟ୍ ଧରି ରଖିପାରିବ ନାହିଁ। ବିଜେପି ଏହାର ୨୦୨୪ ସଫଳତାକୁ କ୍ଷମତାରେ ପରିଣତ କରିଛି, କିନ୍ତୁ ପଶ୍ଚିମରେ ଶାସନ କରିବା ପାଇଁ ସ୍ଥାନୀୟ ଧୈର୍ଯ୍ୟ, ପରିଚୟ ଏବଂ ସମ୍ବଳର ସମ୍ବେଦନଶୀଳ ପରିଚାଳନା ଏବଂ ବିଶ୍ୱସନୀୟ ଜୀବିକା ନୀତି ଆବଶ୍ୟକ, ଯାହାକି ଏକ ପ୍ରକୃତ ଜୁଆ। କଂଗ୍ରେସ ଦୁର୍ବଳ ହୋଇଥିଲେ ମଧ୍ୟ ପକେଟ ଭୋଟ୍, ଆଦିବାସୀ ଅଧିକାର ଉପରେ ଧ୍ୟାନ ଦେଇ ଏବଂ ସ୍ଥାନୀୟ ଅସନ୍ତୋଷକୁ ପୁଞ୍ଜି କରି ତୃତୀୟ ମେରୁ ଭାବରେ ପ୍ରାସଙ୍ଗିକ ହୋଇପାରିବ।
ଅପରପକ୍ଷେ ବିଜେପି-ବିଜେଡି ପରସ୍ପର ସହ ଉତ୍ତମ ସମ୍ପର୍କ ରକ୍ଷା କରନ୍ତି ବୋଲି ବି ଚର୍ଚ୍ଚା ହୁଏ। ଏପରିକି ବୁଝାମଣାରେ ଜୟ ଢୋଲକିଆଙ୍କୁ ବିଜେପିକୁ ଟେକି ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। କାରଣ ଏ ଗୋଟିଏ ଆସନ ଗଲେ ବିଜେଡିର ମୂଲ୍ୟ ବିଧାନସଭାରେ କମିବ ନାହିଁ। ବିଜେଡି ହିଁ ମୁଖ୍ୟ ବିରୋଧୀ ଦଳ ହୋଇ ରହିବ।
ବରଂ ଏ ଆସନ ବିନିମୟରେ ବିଜେଡିର ବିବାଦୀୟ ନେତୃତ୍ୱଙ୍କୁ ପ୍ରଶାସନିକ ଓ ଆଇନଗତ ସୁରକ୍ଷା ମିଳିପାରେ ବୋଲି ଆଶା କରାଯାଇଛି। ଏହି ଆଶାରେ ଉଭୟ ନବୀନ ଓ ତାଙ୍କ ସେବକ ପାଣ୍ଡିଆନ୍ ନୂଆପଡ଼ା ଆସନକୁ ବିଜେପିକୁ ଦେବା ଲାଗି ଏହି ବ୍ୟବସ୍ଥା କରିଥିବା କୁହାଯାଉଛି। ଯଦି ଏହା ସତ ହୁଏ ତେବେ ବିଜେଡିର ସଂଗଠନକୁ ଦୁର୍ବଳ କରିବାର ପ୍ରକ୍ରିୟା ଏହା ଆରମ୍ଭ କରିବ। କିନ୍ତୁ ଏଥିରେ ଲାଭବାନ ହେବେ ପାଣ୍ଡିଆନ୍ ଓ ତାଙ୍କ ଗୋଷ୍ଠୀ।
Also readhttps://purvapaksa.com/stalin-will-donate-free-wife-for-votes/
‘Stalin will donate free wife for votes’ ।। ‘ଷ୍ଟାଲିନ୍ ଭୋଟ ପାଇଁ ମାଗଣା ସ୍ତ୍ରୀ ଦାନ କରିଦେବେ’


