ପିସିସି ସଭାପତିଙ୍କ ‘ସେଣ୍ଟ୍ରାଲାଇଜ୍ଡ’ ପ୍ରଚାର ନୀତି ଉପରେ ଅସନ୍ତୋଷ-ନୂଆପଡ଼ା ଉପନିର୍ବାଚନରେ ଦଳୀୟ ମନୋଭାବ ଗଭୀର ସଙ୍କଟରେ।
ନୂଆପଡ଼ା ଉପନିର୍ବାଚନ ତାତି ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ କଂଗ୍ରେସର ରାଜନୀତିକ ଉତ୍ତାପ ନୂଆପଡ଼ାର ମଇଦାନଠାରୁ ଅଧିକ ଭୁବନେଶ୍ୱରର କଂଗ୍ରେସ ପାର୍ଟି ଅଫିସରେ ଅନୁଭବ ହେଉଛି। ପ୍ରାର୍ଥୀ ଘୋଷଣା ପରେ ଯେପରି ସମସ୍ତ ଦଳର ବରିଷ୍ଠନେତାଙ୍କଠାରୁ ଆରମ୍ଭ କରି ଯୁବ ନେତାମାନେ ନୂଆପଡ଼ାର ପ୍ରଚାରରେ ମାତିଛନ୍ତି, ସେପରି ଦୃଶ୍ୟ କଂଗ୍ରେସ ଶିବିରରେ ଦେଖାଯାଉ ନାହିଁ। ପିସିସି ସଭାପତି ଭକ୍ତ ଦାସ ନିଜେ ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି, କିନ୍ତୁ ବରିଷ୍ଠ ନେତାମାନେ, ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ନୂଆପଡ଼ା ଏବଂ ପଶ୍ଚିମ ଓଡ଼ିଶାରେ ଦଳର ମୁହଁ ହୋଇଥିଲେ ସେମାନେ ମାଟିରେ ପଶି ପାରୁନାହାନ୍ତି।
ଫଳସ୍ୱରୂପ, ନୂଆପଡ଼ାର ରାଜନୀତି ମଇଦାନରେ କଂଗ୍ରେସ ଶିବିର ଖାଁ ଖାଁ ଲାଗୁଛି। ଯେଉଁଠି ଆଗରୁ କଂଗ୍ରେସ ଶିବିରର କର୍ମୀମାନେ ନିଶ୍ଚିତ ବିଜୟ ନେଇ ଉତ୍ସାହିତ ଥିଲେ ଏବେ ଆତ୍ମଗ୍ଲାନୀରେ ଅଛନ୍ତି। ସେମାନେ କହୁଛନ୍ତି “ଆମେ କାହାକୁ ଶୁଣିବୁ, କାହା ସହ କାମ କରିବୁ?”
ପାର୍ଟି ଅଫିସରୁ ପ୍ରେସ୍ ମିଟ୍: ନିର୍ବାଚନ ପ୍ରଚାର ନା ନିଜର ଆତ୍ମସମ୍ମାନ ରକ୍ଷା ଉଦ୍ୟମ
୪୦ ଭାଗ ଲୋକ ଆଦିବାସୀ ଥାଇ ମଧ୍ୟ ଜିଲ୍ଲାରେ ITDA ବ୍ଲକ କାହିଁକି ନାହିଁ ? ବିଜେଡି ଆଉ ବିଜେପି ଉଭୟ ନୂଆପଡ଼ା ବିକାଶ ପାଇଁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିନାହାନ୍ତି l
: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ#nuapadabyelection #Ghasiram #Congress pic.twitter.com/kQuzDHDIwe— Odisha Congress (@INCOdisha) October 26, 2025
କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତିମାନଙ୍କୁ ବର୍ତ୍ତମାନର ପିସିସି ସଭାପତି ଭକ୍ତ ଦାସ ଗୁରୁତ୍ୱ ଦେଉନାହାନ୍ତି। ଏପରିକି ସେମାନଙ୍କୁ ନୂଆପଡ଼ାରେ ପ୍ରଚାର କରିବାକୁ ଡାକୁନାହାନ୍ତି ବୋଲି ଦଳୀୟ ସ୍ତରରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇଛି। ଭକ୍ତ ଦାସଙ୍କର ଏଭଳି ମନୋଭାବରେ ଏହି ବରିଷ୍ଠ ନେତାମାନେ ଚିନ୍ତିତ ହୋଇପଡ଼ିଛନ୍ତି। ନିଜର ଆତ୍ମସମ୍ମାନ ବଞ୍ଚାଇବା ସହିତ ସେମାନେ ଏବେବି କଂଗ୍ରେସରେ ଅଛନ୍ତି ବୋଲି ଦର୍ଶାଇବାକୁ ଚାହୁଁଛନ୍ତି। ଏଥିପାଇଁ ଦଳର ବରିଷ୍ଠ ନେତାମାନେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ବସି ପ୍ରେସ୍ ମିଟ୍ କରି ଦଳ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି।

ଏହି କ୍ରମରେ ଗତ ୨୬ ତାରିଖରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ପାର୍ଟି ଅଫିସରେ ପ୍ରେସ୍ ମିଟ୍ କରି ନୂଆପଡ଼ା ନିର୍ବାଚନକୁ ନେଇ ଦଳର ଦୃଷ୍ଟିକୋଣ ପ୍ରକାଶ କରିସାରିଛନ୍ତି । ତା’ ପରଦିନ, ୨୭ ତାରିଖରେ ଦଳର ବରିଷ୍ଠ ନେତା ତଥା ନୂଆପଡ଼ାର ପୂର୍ବତନ ବିଧାୟକ ଜଗନ୍ନାଥ ପଟ୍ଟନାୟକ ମଧ୍ୟ ଭୁବନେଶ୍ୱରରୁ ପ୍ରେସ୍ ମିଟ୍ କରି ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି। ଦୁଇଜଣଙ୍କ ମଧ୍ୟରୁ କେହି ମଧ୍ୟ ମଇଦାନରେ ନ ଥିବାରୁ କଂଗ୍ରେସ କର୍ମୀମାନଙ୍କ ମନୋବଳ ଅନେକ ହ୍ରାସ ପାଇଛି।
ତେଣୁ ଏବେ ନୂଆପଡ଼ାବାସୀ ଭୋଟ୍ରଙ୍କ ପ୍ରଶ୍ନ —“ନୂଆପଡ଼ାର ଭୋଟ୍ ପ୍ରଚାର କରିବା ପରିବର୍ତ୍ତେ କଂଗ୍ରେସ ନେତାମାନେ ଭୁବନେଶ୍ୱରର ମିଡିଆ ମଞ୍ଚକୁ ବିଶେଷ ଗୁରୁତ୍ୱ ଦେଲେ କଂଗ୍ରେସ କ’ଣ ନିର୍ବାଚନ ଜିତି ପାରିବ?
ଭକ୍ତ ଦାସଙ୍କ ‘ନିୟନ୍ତ୍ରିତ ପ୍ରଚାର’ ନୀତି

ସାଂଗଠନିକ ଶକ୍ତି ସ୍ଥିର ରହିଲେ ମଧ୍ୟ, ନୂଆପଡ଼ା ଭଳି ଉପନିର୍ବାଚନ ପାଇଁ ସ୍ଥାନୀୟ ଅଞ୍ଚଳରେ ଜଣେ ‘ଲିଡ୍ କମାଣ୍ଡର’ ଦରକାର। ପିସିସି ସଭାପତି ଭକ୍ତ ଦାସ ସେ ଭୂମିକା ନିଜେ ଗ୍ରହଣ କରିଛନ୍ତି। ଦଳୀୟ ରଣନୀତି, ପ୍ରଚାର ମଙ୍ଗ, ମିଡିଆ ବିବୃତି, ସବୁ ତାଙ୍କ ନିୟନ୍ତ୍ରଣରେ ରହିଛି। ଭକ୍ତ ଦାସ ସମର୍ଥକମାନଙ୍କ ମତରେ, “ଅନେକ କଂଗ୍ରେସ ନେତା ନୂଆପଡ଼ା ଆସି ପ୍ରଚାର କଲେ ଗହଳି ସିନା ବୃଦ୍ଧି ପାଇବ, କିନ୍ତୁ ବିଶେଷ କିଛି ଲାଭ ମିଳିବ ନାହିଁ, ତେଣୁ ଏକ ନିୟନ୍ତ୍ରିତ ଅଭିଯାନ ଆବଶ୍ୟକ।”
କିନ୍ତୁ ଏହି ନୀତିକୁ ବରିଷ୍ଠ ନେତାମାନେ ଅସ୍ୱୀକାର କରୁଛନ୍ତି। ନିରଞ୍ଜନ ପଟ୍ଟନାୟକ ଓ ଜଗନ୍ନାଥ ପଟ୍ଟନାୟକ ଭଳି ନେତାଙ୍କ ମତ ହେଲା- “ଦଳୀୟ ଅଭିଯାନ ହେଉଛି ନିର୍ବାଚନମଣ୍ଡଳୀର ଭୋଟ୍ରଙ୍କ ସହ ସଂଯୋଗ ସ୍ଥାପନ କଲେ ଦଳକୁ ଫାଇଦା ମିଳିଥାଏ ; ପ୍ରେସ୍ ମିଟ୍ରୁ ଭୋଟ୍ ଆସେ ନାହିଁ।”
ନୂଆପଡ଼ାରେ କଂଗ୍ରେସ ନେତା “ମୁହଁ ଦେଖିବାକୁ ମିଳୁନାହିଁ”
ନୂଆପଡ଼ା ସହର ଓ ପାଖାପାଖି ଗାଁରେ ବୁଲିଲେ ମତଦାତାଙ୍କଠାରୁ ଏକ ସାଧାରଣ ଉତ୍ତର ମିଳୁଛି “ବିଜେଡି ନେତା ଆସୁଛନ୍ତି, ବିଜେପି ନେତା ଆସୁଛନ୍ତି, କିନ୍ତୁ କଂଗ୍ରେସ ନେତାମାନଙ୍କର ଦେଖାଦର୍ଶନ ମିଳୁନାହିଁ।”
ପୂର୍ବରୁ ଯେଉଁ କଂଗ୍ରେସ କର୍ମୀମାନେ ପ୍ରତି ଘରେ ପହଞ୍ଚୁଥିଲେ, ସେମାନେ ଏବେ କାହାର ଅଧିନରେ କାମ କରିବେ ତାହା ଜାଣି ପାରୁନାହାନ୍ତି।
ଜଣେ ସ୍ଥାନୀୟ କର୍ମୀ କହିଲେ —“ଭକ୍ତ ଦାସ ଏକାକୀ ନିଷ୍ପତ୍ତି ନେଇ ପ୍ରଚାର ଅଭିଯାନ ଚାଲାଉଛନ୍ତି, ଆମେ ପ୍ରଚାର ମଇଦାନରେ ଏକାକୀ ରହିଛୁ।”
ଦଳୀୟ ସମ୍ପର୍କରେ ‘ଆସ୍ଥା’ର ସଙ୍କଟ
ନୂଆପଡ଼ା ନିର୍ବାଚନ ନେଇ କଂଗ୍ରେସ ନେତାମାନଙ୍କ ଭିତରେ ଯେପରି ଖେଳ ଚାଲିଛି, ତାହା ଦଳର ଗଭୀର ଅସନ୍ତୋଷକୁ ଦର୍ଶାଉଛି।
ବିଶ୍ୱାସର ସଙ୍କଟ- ଏହି ଶବ୍ଦ ଆଜି କଂଗ୍ରେସ ଶିବିରରେ ସବୁଠାରୁ ବେଶି ଶୁଣାଯାଉଛି।
ପିସିସି ସଭାପତି ଓ ବରିଷ୍ଠ ନେତାମାନଙ୍କ ମଧ୍ୟରେ ସମ୍ପର୍କ ଦୂରତା ଏତେ ବଢ଼ିଛି ଯେ, ଅନେକ ଛାମୁଆ ନେତାମାନେ ଏବେ ଦଳୀୟ କାର୍ଯ୍ୟକ୍ରମରୁ ଅଲଗା ରହିବାକୁ ଉଚିତ ମନେ କରୁଛନ୍ତି।
ଜଣେ ପୂର୍ବତନ ବିଧାୟକ (ନାଁ ଗୋପନ ରଖିବା ସର୍ତ୍ତରେ) କହିଛନ୍ତି ଯେ, “ଆମେ ଦଳ ପାଇଁ ଦଶନ୍ଧି ଦଶନ୍ଧି ଧରି ଲଢ଼ିଛୁ। ଏବେ ଯଦି ଆମକୁ ପ୍ରଚାରରୁ ବାହାରେ ରଖାଯାଏ, ତେବେ ଦଳ ପ୍ରାର୍ଥୀ ଜିତିବା ସାତ ସପନ ହୋଇଯିବ।”
ମିଡିଆ ପ୍ରଚାରର ବିପରୀତ ରଣନୀତି
ଭୁବନେଶ୍ୱରରୁ ପ୍ରେସ୍ ମିଟ୍ ମାଧ୍ୟମରେ କଂଗ୍ରେସ ନେତାମାନେ ଯେପରି ପ୍ରଚାର କରୁଛନ୍ତି, ତାହା ସୋସିଆଲ ମିଡିଆ ଓ ଟିଭି ସ୍କ୍ରିନରେ ଚାଲିଛି।
କିନ୍ତୁ ନୂଆପଡ଼ାର ଗାଁ, ଓ ମତଦାତାଙ୍କ ଉପରେ ଏହାର ପ୍ରଭାବ କିଛି ନାହିଁ।
ପଶ୍ଚିମ ଓଡ଼ିଶାର ଭୋଟ୍ରମାନେ ସାଧାରଣତଃ ମଣିଷ ସହ ଦୀର୍ଘସ୍ଥାୟୀ ସମ୍ପର୍କ ସଂଯୋଗକୁ ବିଶ୍ୱାସ କରନ୍ତି।
ସେଠି ପ୍ରେସ୍ ମିଟ୍ ନୁହେଁ, ପାଦଯାତ୍ରା ଓ ଘରେ ଘରେ ପହଞ୍ଚିଲେ ଭୋଟ୍ରଙ୍କ ମନକୁ ଜିତି ହେବ।
ଏକଥାକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଓ ଶାସକ ଦଳ ବିଜେପି ନେତାମାନେ ବୁଝିଛନ୍ତି। ତାଙ୍କର ମୁଖ୍ୟ ମୁଖ୍ୟ ନେତାମାନେ ଏବେ ମଇଦାନରେ, ଦିନକୁ ତିନିରୁ ଚାରିଟି ଜନସଭାକୁ ସମ୍ବୋଧିକ କରିବା ପରେ ରାତିରେ ଘରକୁ ଘର ବୁଲି ମତଦାତାଙ୍କ ସହିତ ସମ୍ପର୍କ କରି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିବା ସହିତ ସମାଧାନର ଆଶ୍ୱାସନା ଦେଉଛନ୍ତି। ଏପଟେ କଂଗ୍ରେସ ନେତାମାନେ ପ୍ରଚାରକୁ ନ ଯାଇ ଭୁବନେଶ୍ୱରରେ ମାଇକ୍ ଧରି ବାର୍ତ୍ତା ଦେଉଛନ୍ତି। କଂଗ୍ରେସ ନେତାମାନଙ୍କର ଏହି ବାର୍ତ୍ତା ମତଦାତାଙ୍କ ଉପରେ କେତେ ପ୍ରଭାବ ପକାଇବା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭିତର ଅସନ୍ତୋଷ ଓ ଆଗାମୀ ଫଳାଫଳ
ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ଅସନ୍ତୋଷ କେବଳ ନୂଆପଡ଼ା ପର୍ଯ୍ୟନ୍ତ ନୁହେଁ, ରାଜ୍ୟସ୍ତରରେ ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷମାନେ ଅସ୍ପଷ୍ଟ ଭାବେ ଅସନ୍ତୋଷ ଜଣାଇଛନ୍ତି।
ସେମାନଙ୍କ ମତ —“ଯଦି ଦଳୀୟ ପ୍ରଚାର ନିୟନ୍ତ୍ରିତ ଓ ବନ୍ଦ ମଞ୍ଚରେ ହେବ, ତେବେ ଗ୍ରାସରୁଟ୍ର ସଂଯୋଗ ଶୂନ୍ୟ ହେଇଯିବ।”
ଏହି ଭିତର ଅସନ୍ତୋଷ ଯଦି ଅନ୍ତିମ ଦିନ ପର୍ଯ୍ୟନ୍ତ ଲାଗି ରହେ, ତେବେ ଦଳ ପାଇଁ ଫଳାଫଳ ବିଫଳ ହେବା ଆଶଙ୍କା ରହିଛି।
ଅବସରକୁ ହାତଛଡ଼ା କରୁଛି କଂଗ୍ରେସ
ନୂଆପଡ଼ା ଉପନିର୍ବାଚନ କଂଗ୍ରେସ ଜିତବା ପାଇଁ ଏକ ସୁଯୋଗ ଥିଲା। ବିଜେଡିର ଭିତରେ ମଧ୍ୟ ସ୍ଥାନୀୟ ଅସନ୍ତୋଷ ଓ ବିଜେପିର ଦୁର୍ବଳ ପ୍ରାର୍ଥୀ ଚୟନ କଂଗ୍ରେସକୁ ଏକ ଆଶା ଦେଇଥିଲା। କିନ୍ତୁ ଯେପରି ନେତୃତ୍ୱ ଭିତରେ ପରସ୍ପର ଅବିଶ୍ୱାସ ଓ ଅନିଶ୍ଚିତତା ବଢ଼ିଛି, ସେପରି ଦଳୀୟ ଅଭିଯାନ ମଧ୍ୟ ଦିଗ ହୀନ ହବାରେ ଲାଗିଛି।
ଭୁବନେଶ୍ୱର ମଞ୍ଚ ନୁହେଁ, ମଇଦାନ ଦରକାର
କଂଗ୍ରେସ ପାଇଁ ସତ୍ୟ ହେଉଛି — ମିଡିଆ ମଞ୍ଚ ଜିତିଲେ ମଧ୍ୟ ମଇଦାନ ହାରିଲେ ରାଜନୀତି ମୃତ ହୋଇଯିବ। ପ୍ରେସ୍ ମିଟ୍ ଏକ ସୂଚନା ମାଧ୍ୟମ ହେଲେ ମଧ୍ୟ, ଜନମନ ପ୍ରତି ସଂଯୋଗ ରାସ୍ତା ହେଉଛି ମାଟି, ଗାଁ, ଘର। ନୂଆପଡ଼ା ଉପନିର୍ବାଚନ ଏହି ଶିକ୍ଷାକୁ ପୁଣିଥରେ ସ୍ପଷ୍ଟ କରିଦେଉଛି –ଦଳ ଯଦି ନେତାଙ୍କୁ ବିଶ୍ୱାସ କରୁନାହିଁ, ତେବେ ଜନତା ମଧ୍ୟ ଦଳକୁ ବିଶ୍ୱାସ କରିବେ ନାହିଁ।
ଭୁବନେଶ୍ୱରରେ ମାଇକ୍ ଧରିଥିବା ନେତାମାନେ ବୋଧହୁଏ ଜାଣିନାହାନ୍ତି, ନୂଆପଡ଼ାର ଗାଁଗୁଡ଼ିକରେ ଏବେ ମଧ୍ୟ ନେତାଙ୍କ ମୁହଁ ଦେଖିବା ଆଶା କରୁଛନ୍ତି। ଯଦି ସେହି ଆଶା ଭଙ୍ଗି ଯାଏ, ତେବେ ଏହି ନିର୍ବାଚନ କେବଳ ଏକ ହାର ନୁହେଁ, ଏକ ମୌନ ଅଭିଯୋଗ ହେବ — ଦଳ ମାଟି ଛାଡ଼ିଦେଲା।
Also readhttps://purvapaksa.com/after-6-years-trump-and-xi-jinping-will-meet/
After 6 years, Trump and Xi Jinping will meet ।। ୬ ବର୍ଷ ପରେ, ଟ୍ରମ୍ପ ଏବଂ ସି ଜିନପିଙ୍ଗ ସାକ୍ଷାତ କରିବେ

