ଗତ ନିର୍ବାଚନରେ ବିଜେଡି ହାରିଛି ସତ, ଏବେବି ରାଜ୍ୟରେ ପାଣ୍ଡିଆନ ସରକାର ଚାଲିଛି। ମୋର କହିବାର ଅର୍ଥ ହେଲା, ପାଣ୍ଡିଆନ ଯୁଗରେ ଯେପରି ଅଫିସର ରାଜ ଚାଲୁଥିଲା, ଏବେବି ବିଜେପି ସରକାରରେ ସେହିପରି ଚାଲୁଛି। ସେତେବେଳେ ଅଫିସରମାନେ ମନ୍ତ୍ରୀ ଓ ନେତାମାନଙ୍କୁ କିଙ୍କର ବୋଲି ଭାବୁଥିଲେ। କିଙ୍କର ଶବ୍ଦର ଅର୍ଥ ହେଲା ଚାକର, ଗୋଲାମ, ଭୃତ୍ୟ, ବିଶ୍ୱସ୍ତ ସେବାକାରୀ। ବିଜେଡି ଶାସନ କାଳରେ ପବ୍ଲିକ ସର୍ଭାଣ୍ଟମାନେ ନିଜକୁ ପ୍ରଭୁ ବୋଲି ବିଚାର କରୁଥିଲେ। ସରକାର ପରିବର୍ତ୍ତନ ପରେ ବି ପବ୍ଲିକ ସର୍ଭାଣ୍ଟମାନଙ୍କର ସେହି ମନୋବୃତ୍ତିରେ କୌଣସି ପରିବର୍ତ୍ତନ ଆସିନାହିଁ। ସେତେବେଳେ ପବ୍ଲିକ ସର୍ଭାଣ୍ଟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂଆଁ ବୁଲାଇବାକୁ ସାହାସ କରିପାରୁନଥିଲେ। କିନ୍ତୁ ଏବର ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ, ତାଙ୍କ କଥାରେ କୌଣସି ସତ୍ୟତା ନାହିଁ ବୋଲି ପ୍ରମାଣିତ କରିବାକୁ ପବ୍ଲିକ ସର୍ଭାଣ୍ଟମାନେ ଲାଗିପଡ଼ିଛନ୍ତି। ଏଭଳି ପବ୍ଲିକ ସର୍ଭାଣ୍ଟ ହେଲେ ରାଜ୍ୟ ପ୍ରଶାସନରେ ଥିବା ପାଢ଼ୀ ଦମ୍ପତ୍ତି।

ମୁଖ୍ୟମନ୍ତ୍ରୀଙ୍କ ମିଛୁଆ ପ୍ରମାଣିତ କଲା କିଏ?
ଗଣତନ୍ତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଏକ ଭାଷଣ ନୁହେଁ, ବରଂ ଏହା ରାଜ୍ୟବାସୀଙ୍କ ପାଇଁ ଏକ ପ୍ରତିଶ୍ରୁତି ଏବଂ ପ୍ରଶାସନ ପାଇଁ ଏକ ନିର୍ଦ୍ଦେଶାବଳୀ। କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ଚାରିମାସ ପରେ ପ୍ରକାଶିତ ବିଭାଗୀୟ ବିଜ୍ଞପ୍ତି ସେହି ଘୋଷଣାକୁ ଭୁଲ୍ ପ୍ରମାଣିତ କରେ କିମ୍ବା ସେଥିରେ ବ୍ୟାପକ ସଂଶୋଧନ ଆଣେ, ସେତେବେଳେ ପ୍ରଶ୍ନ ଉଠେ— ସରକାରୀ କଳ କାହା ଇଙ୍ଗିତରେ ଚାଲିଛି?
ଶାସନ ବ୍ୟବସ୍ଥାରେ ସମନ୍ୱୟର ଅଭାବ
ନଗର ଉନ୍ନୟନ ବିଭାଗ ପକ୍ଷରୁ ନିକଟରେ ପ୍ରକାଶିତ ଏନ୍ଏସି ଓ ମ୍ୟୁନିସିପାଲିଟି ଗଠନ ସମ୍ପର୍କିତ ବିଜ୍ଞପ୍ତି ଏବେ ରାଜ୍ୟ ରାଜନୀତି ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଘୋଷଣାକୁ ଯେଭଳି ଭାବେ ‘ମୋଡ଼ି ମକଚି’ ଏହି ତାଲିକା ପ୍ରସ୍ତୁତ କରାଯାଇଛି, ତାହା କେବଳ ସାଧାରଣ ଜନତାଙ୍କୁ ଭ୍ରମିତ କରିନାହିଁ, ବରଂ ଶାସନ ବ୍ୟବସ୍ଥାରେ ଥିବା ସମନ୍ୱୟର ଅଭାବକୁ ମଧ୍ୟ ପଦାରେ ପକାଇଛି।
ଘୋଷଣାର ପୃଷ୍ଠଭୂମି ଓ ବିଭାଗୀୟ ବିଳମ୍ବ
ଗତ ଅଗଷ୍ଟ ୩୧ ତାରିଖ, ‘ସ୍ୱାୟତ୍ତ ଶାସନ ଦିବସ’ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉନ୍ନତି ପାଇଁ କିଛି ନୂତନ ମ୍ୟୁନିସିପାଲିଟି ଓ ଏନ୍ଏସି ଗଠନ ନେଇ ଏକ ବଡ଼ ଘୋଷଣା କରିଥିଲେ। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆଶା ଓ ଉତ୍ସାହ ଖେଳିଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏହି ଘୋଷଣା ପରେ ସରକାରୀ କଳ ପ୍ରାୟ ଚାରିମାସ ଧରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିଲା। ଯେତେବେଳେ ନିଦ ଭାଙ୍ଗିଲା ଏବଂ ବିଜ୍ଞପ୍ତି ପ୍ରକାଶ ପାଇଲା, ସେତେବେଳେ ଦେଖାଗଲା ଯେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ବାହାରିଥିବା ଶବ୍ଦ ଏବଂ କାଗଜ କଲମର ବିବରଣୀ ମଧ୍ୟରେ ଆକାଶ ପାତାଳ ଫରକ ରହିଛି। କାରଣ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହା ତାଙ୍କ ମନରୁ କରିନଥିଲେ। ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମୁହଁରେ କୁହାଯାଇଥିବା ପ୍ରସ୍ତାବକୁ କିଏ ପରିବର୍ତ୍ତନ କଲା ତାହା ହିଁ ମୁଖ୍ୟପ୍ରଶ୍ନ।
ତାଲିକାରୁ କୁଆଡ଼େ ଗଲେ ଘୋଷିତ ସହର?
ଏହି ନୂତନ ବିଜ୍ଞପ୍ତି ଅନୁସାରେ ୫ଟି ନୂଆ ମ୍ୟୁନିସିପାଲିଟି ଓ ୨୪ଟି ଏନ୍ଏସି ଗଠନ କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ତାଲିକାରୁ ୨ଟି ମ୍ୟୁନିସିପାଲିଟି ଓ ୩ଟି ଏନ୍ଏସିର ନାଁ ରହସ୍ୟଜନକ ଭାବେ ଗାୟବ ହୋଇଯାଇଛି।
ମ୍ୟୁନିସିପାଲିଟି ବିଭ୍ରାଟ
ମୁଖ୍ୟମନ୍ତ୍ରୀ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଆସ୍କା ଓ ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାକୁ ଘୋଷଣା କରିଥିଲେ। କିନ୍ତୁ ବିଭାଗୀୟ ବିଜ୍ଞପ୍ତିରେ ଏହି ଦୁଇ ପ୍ରମୁଖ ସହରର ନାଁ ନାହିଁ। ବଦଳରେ ଭଞ୍ଜନଗର, କବିସୂର୍ଯ୍ୟ ନଗର ଏବଂ ପୋଲସରାକୁ ଏହି ମାନ୍ୟତା ମିଳିଛି। ପ୍ରଶ୍ନ ଉଠୁଛି, ଆସ୍କା ଓ ଛତ୍ରପୁରର ଅପରାଧ କ’ଣ? କେଉଁ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ବିଭାଗୀୟ ଅଧିକାରୀମାନେ ଅଣଦେଖା କଲେ?
ଏନ୍ଏସି ତାଲିକାରେ ‘ମୋଡ଼ି ମକଚି’ ନୀତି
ସେହିପରି ଏନ୍ଏସି ତାଲିକାରୁ ମୟୁରଭଞ୍ଜର ଯଶିପୁର, ଯାଜପୁରର ଚଣ୍ଡିଖୋଲ ଏବଂ ବଲାଙ୍ଗୀରର ଲୋଇସିଂହା ବାଦ୍ ପଡ଼ିଛନ୍ତି। ଏହି ଅଞ୍ଚଳର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଉତ୍ସବ ମନାଇଥିଲେ, କିନ୍ତୁ ବିଜ୍ଞପ୍ତି ସେମାନଙ୍କ ଉତ୍ସାହ ଉପରେ ପାଣି ପକାଇ ଦେଇଛି। ଏହି ଘୋଷିତ ନାମଗୁଡ଼ିକ ପରିବର୍ତ୍ତେ ୧୧ଟି ନୂଆ ନାମ ତାଲିକାରେ ଯୋଡ଼ାଯିବା ସରକାରଙ୍କ ଅପରିପକ୍ୱତା କିମ୍ବା କୌଣସି ଗୁପ୍ତ ରାଜନୈତିକ ସମୀକରଣକୁ ସୂଚାଉଛି।
ବିଜ୍ଞପ୍ତିର କେତେକ ସକାରାତ୍ମକ ଦିଗ ଓ ଜିଲ୍ଲାୱାରୀ ଚିତ୍ର
ବିଭ୍ରାଟ ସତ୍ତ୍ୱେ, ନୂତନ ବିଜ୍ଞପ୍ତି କିଛି ଅଞ୍ଚଳ ପାଇଁ ଖୁସିର ଖବର ଆଣିଛି। ମୟୁରଭଞ୍ଜ ଜିଲ୍ଲା ଏଥିରେ ସର୍ବାଧିକ ଉପକୃତ ହୋଇଥିବା ପରି ମନେହୁଏ।
• ମ୍ୟୁନିସିପାଲିଟି: ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ଏବଂ ମୟୁରଭଞ୍ଜର କରଞ୍ଜିଆ ନୂଆ ମ୍ୟୁନିସିପାଲିଟି ଭାବେ ମାନ୍ୟତା ପାଇଛନ୍ତି।
• ନୂଆ ଏନ୍ଏସି: ମୟୁରଭଞ୍ଜର ୫ଟି (ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, ରାସଗୋବିନ୍ଦପୁର, କପ୍ତିପଦା), କଟକର ୩ଟି (ସାଲେପୁର, ବଡ଼ମ୍ବା, ନରସିଂହପୁର) ଏବଂ ଅନ୍ୟାନ୍ୟ ଜିଲ୍ଲାରେ ମୋଟ ୨୪ଟି ନୂଆ ଏନ୍ଏସି ଗଠନ ପାଇଁ ପଥ ପରିଷ୍କାର ହୋଇଛି।
ପ୍ରଶାସନିକ ବିଫଳତା ନା ରାଜନୈତିକ ରଣନୀତି?
ଜଣେ ମୁଖ୍ୟମନ୍ତ୍ରୀ ଯେତେବେଳେ କୌଣସି ସର୍ବସାଧାରଣ ମଞ୍ଚରେ ଘୋଷଣା କରନ୍ତି, ତାହା ପୂର୍ବରୁ ସାଧାରଣତଃ ଏକ ‘ଫିଜିବିଲିଟି ରିପୋର୍ଟ’ ବା ଯୋଗ୍ୟତା ଯାଞ୍ଚ କରାଯାଇଥାଏ। ଯଦି ଆସ୍କା, ଛତ୍ରପୁର କିମ୍ବା ଚଣ୍ଡିଖୋଲ ଭଳି ଅଞ୍ଚଳ ଯୋଗ୍ୟ ନ ଥିଲେ, ତେବେ ମୁଖ୍ୟମନ୍ତ୍ରୀ କାହିଁକି ସେମାନଙ୍କ ନାଁ ଘୋଷଣା କଲେ? ଆଉ ଯଦି ସେମାନେ ଯୋଗ୍ୟ ଥିଲେ, ତେବେ ଚାରିମାସ ପରେ ବିଭାଗ କେଉଁ ସାହସରେ ଏହି ନାମଗୁଡ଼ିକୁ କାଟିଦେଲା?
ଏହି ଘଟଣା ସ୍ପଷ୍ଟ କରୁଛି ଯେ ରାଜ୍ୟରେ “ସଚିବାଳୟ” ଏବଂ “ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ” ମଧ୍ୟରେ ଏକ ବିରାଟ ବ୍ୟବଧାନ ରହିଛି। ସରକାରୀ କଳ କେବଳ ତତ୍ପର ହୋଇନାହିଁ, ବରଂ ନିଜ ଇଚ୍ଛାରେ ନିୟମ ଓ ତାଲିକାକୁ ପରିବର୍ତ୍ତନ କରୁଛି। ଯେଉଁ ୧୧ଟି ନୂଆ ନାଁ ଯୋଡ଼ା ଯାଇଛି, ସେମାନଙ୍କ ମଧ୍ୟରୁ ଅନେକ ହୁଏତ ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଯୋଗ୍ୟ ହୋଇଥାଇପାରନ୍ତି, କିନ୍ତୁ ପୂର୍ବରୁ ଘୋଷିତ ସ୍ଥାନଗୁଡ଼ିକୁ ବାଦ୍ ଦେବା ଦ୍ୱାରା ସରକାରଙ୍କ ବିଶ୍ୱସନୀୟତା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲାଗିଛି।
ଶ୍ରୀମନ୍ଦିର ସହ ଖେଳ ଖେଳ ଖେଳୁଛନ୍ତି ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀ

ଶ୍ରୀ ମନ୍ଦିରର ୪ ଦ୍ୱାରକୁ ମୁଖ୍ୟମନ୍ତ୍ରୀ ଖୋଲିଥିଲେ ହେଁ ପରବର୍ତ୍ତୀ ସମୟରେ ତାହା ଖୋଲୁନଥିବା ସମସ୍ତେ; ଜାଣନ୍ତି। ଚଳିତ ବର୍ଷର ରଥଯାତ୍ରାରେ ଯେପରି ବିଶୃଙ୍ଖଳା ହେଲା ଓ ସରକାର ଯେପରି ନିନ୍ଦିତ ହେଲେ ପୂର୍ବରୁ କେବେ ଦେଖାଯାଇନଥିଲା। ରତ୍ନ ଭଣ୍ଡାର ମରାମତି ହେବା ପରେ ପ୍ରାୟ ଦେଢ଼ ବର୍ଷ ସମୟ ବିତିଛି। କିନ୍ତୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରରେ ଥିବା ରତ୍ନ, ଅଳଙ୍କାରର ଗଣତି, ମଣତି ହୋଇପାରୁନାହିଁ। ବିନା ଗଣତିରେ ନୂଆ ସିନ୍ଦୁକରେ ପଶି ମରାମତି ହୋଇ ସାରିଥିବା ଭଣ୍ଡାରଘରେ ତାଲା ପଡ଼ିଛି ଶ୍ରୀଜିଉଙ୍କୁ ଅମୂଲ୍ୟ ରତ୍ନ। ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲାକୁ କୋର୍ଟ ଗୁରୁତ୍ୱ ଦେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଏହି ଟ୍ୱିଟ ଏବେ ଚର୍ଚ୍ଚା ପରିଧିକୁ ଆସିଛି।
ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ ପରେ ସଚେତନ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ୨୭ ତାରିଖରେ ଏଥିନେଇ ଏକ ଜରୁରୀ ବୈଠକ ଡକାଇଛି। ରତ୍ନ ଭଣ୍ଡାର ସମ୍ବନ୍ଧୀୟ ଉଚ୍ଚସ୍ତରୀୟ କମିଟି ଏହି ସନ୍ଧ୍ୟାରେ ବସି ମାର୍ଗଦର୍ଶିକା ବାବଦରେ ଆଲୋଚନା କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୋଶାଲ୍ ମିଡିଆରେ ଜଣାଇଛନ୍ତି। ଏହା ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତି ମଣତି ଓ ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନର ଖମଖିଆଲି ଆଚରଣକୁ ସ୍ପଷ୍ଟ କରୁଛି। ପ୍ରଶ୍ନ ଉଠୁଛି ଯଦି ଗୋଟିଏ ସନ୍ଧ୍ୟାର ବୈଠକରେ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇପାରୁଛି ତେବେ ଗଲା ଏକ ବର୍ଷ ଧରି ପ୍ରଶାସନ କରୁଥିଲା କ’ଣ? ପୁଣି ଏ ମାର୍ଗ ଦର୍ଶିକା କିଛି ନୂଆ ବ୍ୟାପାର ନୁହେଁ। ୪୬ ବର୍ଷ ପୂର୍ବେ ମଧ୍ୟ ଗଣତିମଣତି ହୋଇଥିଲା ଏବଂ ସେତେବଳେ ବିଭିନ୍ନ ବର୍ଗର ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇ ଗଣତିମଣତି ହୋଇଥିଲା। ଏଣୁ ଏପରି ଅହେତୁକ ବିଳମ୍ବ ଯେ ପ୍ରଶାସନିକ ଦକ୍ଷତା ଅଭାବକୁ ପ୍ରମାଣିତ କରୁଛି ତା’ଛଡ଼ା ଆଉ କିଛି ହୋଇନପାରେ। ଏନେଇ ରାଜ୍ୟବାସୀ ତାତିବା ସ୍ୱାଭାବିକ କଥା ଆଉ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ହସ୍ତକ୍ଷେପ ମାଗିବା ବି ଏକ ସ୍ୱାଭାବିକ ବିଷୟ। ଅନେକ ମାର୍ଗଦର୍ଶିକା ପରେ ରତ୍ନ ଭଣ୍ଡାର ଖୋଲାଯାଇ ଜୁଲାଇ ୧୪ରୁ ମରାମତି ଆରମ୍ଭ ହୋଇଥିଲା। ଅଗଷ୍ଟ ୨୦୨୪ରେ ଏହି କାର୍ଯ୍ୟ ଶେଷ ହୋଇଥିଲା। ଏହାପରେ ଗଣତି କରାଯିବା କଥା। କିନ୍ତୁ ତାହା ଏଯାଏ ହୋଇପାରିନାହିଁ। ତେଣୁ ଏସବୁ ଦର୍ଶାଉଛି ଯେ ମୁଖ୍ୟପ୍ରଶାସକ କେବଳ ଟ୍ୱିଟ୍ ମାଷ୍ଟର ସିନା ପାଲଟି ଯାଇଛନ୍ତି କିନ୍ତୁ କାମରେ ଶୂନ। ଯାହାଫଳରେ ସରକାରର ମୁଖ୍ୟ ମୁଖ୍ୟମନ୍ତ୍ରୀ ବଦନାମ ହେଉଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ‘ମିଛୁଆ’ ପ୍ରମାଣିତ କରିବାରେ ରାଜନୈତିକ ଶକ୍ତି ନୁହେଁ, ବରଂ ନିଜ ସରକାରର ବିଜ୍ଞପ୍ତି ହିଁ ଯଥେଷ୍ଟ। ଯଦି ଜଣେ ଶାସନ ମୁଖ୍ୟଙ୍କ କଥାର ମୂଲ୍ୟ ରହୁନାହିଁ, ତେବେ ତଳ ସ୍ତରର ପ୍ରଶାସନ କିଭଳି କାମ କରୁଥିବ, ତାହା ସହଜରେ ଅନୁମେୟ। ରାଜ୍ୟ ସରକାରଙ୍କୁ ଏହି ‘ମୋଡ଼ି ମକଚି’ ନୀତି ତ୍ୟାଗ କରି ସ୍ପଷ୍ଟୀକରଣ ରଖିବା ଦରକାର ଯେ, କେଉଁ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ସହରଗୁଡ଼ିକୁ ଏହି ଗୁରୁତ୍ୱପୂର୍ଣ୍ଣ ତାଲିକାରୁ ବାଦ୍ ଦିଆଗଲା। ନଚେତ୍ ଆଗାମୀ ଦିନରେ ସରକାରୀ ଘୋଷଣା କେବଳ “ନିର୍ବାଚନୀ ଲଲିପପ୍” ଭାବେ ବିବେଚିତ ହେବ। ଗଣତନ୍ତ୍ରରେ ଜନତାଙ୍କୁ ଭୁଆଁ ବୁଲାଇବା ଅପେକ୍ଷା ସ୍ୱଚ୍ଛତାର ସହ କାର୍ଯ୍ୟ କରିବା ହିଁ ଶ୍ରେଷ୍ଠ ଶାସନର ପରିଚୟ।
also read https://purvapaksa.com/kashmir-apple-may-be-affected/
Kashmir apple may be affected ।। କାଶ୍ମୀର ସେଓ କ୍ଷେତ୍ର ପ୍ରଭାବିତ ହେବାର ସମ୍ଭାବନା


