ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧକୁ ୧୩ ଦିନ ବିତିଗଲାଣି, କିନ୍ତୁ ଏହା କେବେ ଥମିବ ତାହା କାହାକୁ ଜଣାନାହିଁ। ଏହି ଯୁଦ୍ଧ ଏବେ କେବଳ ଗୋଳା-ବାରୁଦର ଯୁଦ୍ଧ ହୋଇ ରହିନାହିଁ, ବରଂ ଏହା ଏକ ‘ଆର୍ଥିକ ଯୁଦ୍ଧ’ ବା Economic War ରେ ପରିଣତ ହୋଇଛି। ଆଜି ବିଶ୍ଳେଷଣ କରିବା ଯେ ଏହି ନିଆଁର ନଈରେ କିଏ ବୁଡ଼ିବ ଆଉ କିଏ ପାରି ହେବ?
୧୩ ଦିନର ଏହି ଯୁଦ୍ଧରେ ଇରାନର ପ୍ରବଳ କ୍ଷତି ହୋଇଛି। ସେମାନଙ୍କର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇ ଏବଂ ୪୮ ଜଣ ପ୍ରମୁଖ ସାମରିକ ନେତା ପ୍ରାଣ ହରାଇଛନ୍ତି। କିନ୍ତୁ ଇରାନ ଏବେ ବି ନଇଁବାକୁ ପ୍ରସ୍ତୁତ ନୁହେଁ। ଇରାନ ଏବେ ଏକ ନୂଆ ରଣନୀତି ଆପଣେଇଛି। ସେମାନେ ଜାଣିଛନ୍ତି ଯେ ସାମରିକ ଶକ୍ତିରେ ସେମାନେ ଆମେରିକା କିମ୍ବା ଇସ୍ରାଏଲ ସହ ସିଧାସଳଖ ମୁକାବିଲା କରିପାରିବେ ନାହିଁ। ତେଣୁ ସେମାନେ ‘ଡ୍ରୋନ୍ ଟେକ୍ନୋଲୋଜି’ ବ୍ୟବହାର କରି ଯୁଦ୍ଧର ଚରିତ୍ର ବଦଳାଇ ଦେଇଛନ୍ତି।
ଗୋଟିଏ ଡ୍ରୋନ୍ ତିଆରି କରିବାକୁ ଯେତିକି ଟଙ୍କା ଖର୍ଚ୍ଚ ହୁଏ, ତାକୁ ମାରିବା ପାଇଁ ଆମେରିକାକୁ ତା’ଠାରୁ ଶହେ ଗୁଣା ଅଧିକ ଦାମୀ ମିସାଇଲ୍ ବ୍ୟବହାର କରିବାକୁ ପଡ଼ୁଛି। ଫଳରେ ଏହି ଯୁଦ୍ଧରେ ଆମେରିକା ଏବଂ ତା’ର ସହଯୋଗୀ ଦେଶଗୁଡ଼ିକର ଆର୍ଥିକ ଅଣ୍ଟା ଭାଙ୍ଗିବାକୁ ବସିଲାଣି। ତା’ଛଡ଼ା, ଇରାନ ଏବେ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ’ (Strait of Hormuz) ବା ଜଳପଥକୁ ରୋକି ଦେଇଛି, ଯେଉଁଠାରୁ ବିଶ୍ୱର ୪୦% ତେଲ ଓ ଗ୍ୟାସ ପରିବହନ ହୋଇଥାଏ।
ସାରା ବିଶ୍ୱରେ ତେଲ ଦର ବଢ଼ିବାରେ ଲାଗିଛି
ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏବେ ଦେଶ ଭିତରେ ଚାପ ବଢ଼ୁଛି। ମହଙ୍ଗା ମାଡ଼ ଏବଂ ଯୁଦ୍ଧରେ ହେଉଥିବା ଅଜସ୍ର ଖର୍ଚ୍ଚକୁ ନେଇ ଆମେରିକାରେ ବିରୋଧ ଆରମ୍ଭ ହେଲାଣି। କିନ୍ତୁ ଇସ୍ରାଏଲର କାହାଣୀ ଅଲଗା। ଇସ୍ରାଏଲ ଏହାକୁ ନିଜର ଅସ୍ତିତ୍ୱର ଲଢ଼େଇ ବୋଲି ଭାବୁଛି। ସେମାନଙ୍କର ଲକ୍ଷ୍ୟ ହେଉଛି ଇରାନକୁ ଏମିତି ଦୁର୍ବଳ କରିବା, ଯେପରି ସେ ଆଗାମୀ ୨୦-୩୦ ବର୍ଷ ପର୍ଯ୍ୟନ୍ତ ମୁଣ୍ଡ ଟେକି ପାରିବ ନାହିଁ।
ଆଗାମୀ ଏକ ସପ୍ତାହ ଏହି ଯୁଦ୍ଧ ପାଇଁ ଅତ୍ୟନ୍ତ ନିର୍ଣ୍ଣାୟକ ହେବାକୁ ଯାଉଛି। ଇରାନ ହାରୁନାହିଁ କି ଆମେରିକା-ଇସ୍ରାଏଲ ଜିତି ପାରୁନାହାନ୍ତି। ଏହା ସତରେ ଏକ ‘ଆଗ କା ଦରିଆ’ ବା ନିଆଁର ନଈ। ଏହି ଯୁଦ୍ଧରେ କିଏ ଜିତିବ ତାହା ସମୟ କହିବ, କିନ୍ତୁ ଏହାର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼ିବାକୁ ଯାଉଛି।
AlsoRead; https://purvapaksa.com/from-japan-to-spain-women-in-these-countries-get-menstrual-leave/


