ଜୁନ୍ ୨୦୨୪ରେ ଓଡ଼ିଶାରେ ନୂତନ ରାଜନୈତିକ ଅଧ୍ୟାୟ ଆରମ୍ଭ ହେବା ସହିତ ଲୋକମାନଙ୍କ ଆଶା ମଧ୍ୟ ନୂତନ ଗତି ପାଇଥିଲା। “ଓଡ଼ିଆ ଅସ୍ମିତା”, “ନୂତନ ଶାସନ ଶୈଳୀ”, “ପ୍ରଶାସନରେ ପରିବର୍ତ୍ତନ”— ବିଜେପିର ଏହି ସ୍ଲୋଗାନ୍ ଲୋକମାନଙ୍କ ମନରେ ଏକ ସ୍ପଷ୍ଟ ଆଶା ଦେଇଥିଲା ଯେ ରାଜ୍ୟରେ ପ୍ରଶାସନିକ ଦକ୍ଷତା ଓ ନୀତିଗତ ସ୍ଥିରତାର ଏକ ନୂତନ ଦୃଶ୍ୟପଟ ଦେଖିବାକୁ ମିଳିବ।
କିନ୍ତୁ ଗତ ୧୮ ମାସର ଅନୁଭବ ସଂକ୍ଷିପ୍ତ ହେଉଛି—
• ବିଭିନ୍ନ ବିଭାଗ ପାଇଁ ଆବଣ୍ଟିତ ବଜେଟ୍ର ମାତ୍ର ୬୦% ଖର୍ଚ୍ଚ
• ଆଇଏଏସ୍ ସ୍ତରରେ ପ୍ରାୟ ୨୯ଥର ବଦଳି
• ଆଇପିଏସ ସ୍ତରରେ ୬ଥର ବଦଳି
• ଓଏଏସ ସ୍ତରରେ ପ୍ରତିଦିନ ବଦଳି!
ଏହି ସମସ୍ତ ତଥ୍ୟ ମିଶି ଏକ ଗୁରୁତର ପ୍ରଶ୍ନ ଉଠାଉଛି— ଓଡ଼ିଶାର ପ୍ରଶାସନ କ’ଣ ସ୍ଥିରତାର ଅଭାବରେ ସଂଘର୍ଷ କରୁଛି? ନା ଏହା ଏକ ନୂତନ ସରକାରଙ୍କ ପ୍ରଶାସନିକ ପୁନର୍ଗଠନର ଅନିବାର୍ଯ୍ୟ ପର୍ଯ୍ୟାୟ?
ଏସବୁ ଭିତରେ ପାୱାର କରିଡରରେ ଅନେକ କଥା ଚର୍ଚ୍ଚା ହେଉଛି।
/odishatv/media/media_files/2025/12/24/odishas-first-woman-chief-secretary-anu-garg-journey-so-far-and-challenges-ahead-2025-12-24-20-28-30.jpg)
ବଜେଟ୍ର ୪୦% ଅଖର୍ଚ୍ଚିତ— ବିକାଶର ଗତି କାହିଁକି ଧୀର?
ରାଜ୍ୟରେ ବିଭିନ୍ନ ବିଭାଗ ପାଇଁ ଆବଣ୍ଟିତ ଅର୍ଥର ମାତ୍ର ୬୦% ଖର୍ଚ୍ଚ ହେବା ଏକ ସାଧାରଣ ଚିନ୍ତାର ବିଷୟ ନୁହେଁ; ଏହା ଗଭୀର ପ୍ରଶାସନିକ ବିଫଳତାର ସୂଚନା।
ରାଜ୍ୟ ବଜେଟ୍ କେବଳ ଆୟ-ବ୍ୟୟର ଲେଖାଜୋଖା ନୁହେଁ। ଏହା ହେଉଛି—
• ବିକାଶ, ସଡ଼କ, ହସ୍ପିଟାଲ, ସ୍କୁଲର ଆଶା
• କୃଷକ ସହାୟତା ଯୋଜନା
• ଉଦ୍ୟୋଗ ପ୍ରୋତ୍ସାହନ
• ନିଯୁକ୍ତି ସୃଷ୍ଟି
• ସମାଜିକ ସୁରକ୍ଷା
ଯଦି ଏହି ଅର୍ଥ ଠିକଣା ସମୟରେ ଖର୍ଚ୍ଚ ହେଉନାହିଁ, ତେବେ ପ୍ରକଳ୍ପ ବିଳମ୍ବ ହୁଏ। ଯଦି କେନ୍ଦ୍ର ପ୍ରଦତ୍ତ ଅର୍ଥ ଫେରିଯାଏ, ତେବେ ଏହା ରାଜ୍ୟର ପ୍ରତିଛବିକୁ ମଧ୍ୟ ପ୍ରଭାବିତ କରେ।
କାହିଁକି ଖର୍ଚ୍ଚ ହୋଇନପାରି ବଳକା ରହୁଛି ଅର୍ଥ?
ଏଥିପାଇଁ ବିଶ୍ଳେଷକମାନେ ତିନିଟି ପ୍ରମୁଖ କାରଣ ଉଠାଇଛନ୍ତି—
୧. ପ୍ରଶାସନିକ ଅସ୍ଥିରତା: ଅଧିକାରୀ ବାରମ୍ବାର ବଦଳି ହେଲେ ଫାଇଲ୍ର ନିର୍ଦ୍ଦେଶନା ବିଳମ୍ବିତ ହୁଏ।
୨. ପ୍ରକଳ୍ପ ମନିଟରିଂର ଅଭାବ: ନିୟମିତ ସମୀକ୍ଷା ନ ହେଲେ ଅଗ୍ରଗତି ଧୀର ହୋଇଯାଏ।
୩. ନିଷ୍ପତ୍ତି ନେବାର ଧୀରଗତି: ଅଧିକାରୀଙ୍କ ଉପରେ ଅଧିକ ଭାର।
ଅର୍ଥନୈତିକ ପରିଣାମ ହେଲା-
• ପରବର୍ତ୍ତୀ ବର୍ଷରେ ଆବଣ୍ଟନ କମିପାରେ
• କେନ୍ଦ୍ରୀୟ ଯୋଜନାରେ ବିଶ୍ୱାସ ହ୍ରାସ
• ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ
ଏହା ଏକ ସଂକେତ— ଅର୍ଥ ବ୍ୟବସ୍ଥାରେ କୌଣସି ଗଭୀର ଭୁଲ ରହିଛି।
୧୮ ମାସରେ ୨୯ଥର ବଦଳି— ପୁନର୍ଗଠନ ନା ଅସ୍ଥିରତା?
ଗତ ୧୮ ମାସରେ ସରକାର ପ୍ରାୟ ୨୯ଥର ବଦଳି ଆଦେଶ ସହିତ ପଦବୀ ଅଦଳବଦଳ କରିଛନ୍ତି। ଏହି ପରିବର୍ତ୍ତନର ଗତି ଏତେ ତୀବ୍ର ହୋଇଛି, ବିଶେଷକରି ଅନୁ ଗର୍ଗ ନୂତନ ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ତାଙ୍କ ନେତୃତ୍ୱରେ ଏକ ସପ୍ତାହ ମଧ୍ୟରେ ଦୁଇଟି ବଦଳି ସମେତ ଅନେକ ପର୍ଯ୍ୟାୟ ବଦଳି ହୋଇଥିଲା। ବଦଳିର ସମୟସୀମା ଦର୍ଶାଉଛି ଯେ ଜୁନ୍ ୨୦୨୪ରେ କ୍ଷମତାକୁ ଆସିବା ପରେ, ସେହି ବର୍ଷ ସରକାର ପ୍ରଥମେ ଜୁନ୍ ୨୮, ଜୁଲାଇ ୪, ୧୦, ୧୮, ୨୮, ଅଗଷ୍ଟ ୭, ୨୧, ନଭେମ୍ବର ୯, ୨୩ ଓ ଡିସେମ୍ବର ୨୪ରେ ଦୁଇଟି ବଦଳି ଓ ପୋଷ୍ଟି ଆଦେଶ ବାହାରିଥିଲା। ଏହାପରେ ୨୦୨୫ରେ ଜାନୁଆରୀ ୧, ୨ରେ ଦୁଇଟି ଅର୍ଡର, ୪, ୨୨, ୨୪, ୩୧, ଫେବୃୟାରୀ ୨୮, ମାର୍ଚ୍ଚ ୧୭, ଜନୁ ୨୯, ଦୁଲାଇ ୨୨, ଅକ୍ଟୋବାର ୧୦ ଓ ଡିସେମ୍ବର ୨୪ରେ ବଦଳି ଓ ପୋଷ୍ଟି ଆଦେଶ ବାହାରିଥିଲା। ୨୨ ଜୁଲାଇ ୨୦୨୫ରେ, ଏକ ବଡ଼ ପରିବର୍ତ୍ତନରେ ଅନେକ ଜିଲ୍ଲାପାଳଙ୍କ ସମେତ ୪୯ ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିଲା। ୧୦ ଅକ୍ଟୋବର ୨୦୨୫ରେ ଆଉ ୧୫ ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିଲା।
/odishatv/media/post_attachments/uploadimage/library/16_9/16_9_0/recent_photo_1752943679.jpg)
ନୂତନ ମୁଖ୍ୟ ସଚିବଙ୍କ ନିଯୁକ୍ତି ପରେ, ପ୍ରଶାସନିକ ଦଳକୁ ପୁନଃସଂଗଠିତ କରିବା ପ୍ରୟାସର ଅଂଶ ଭାବରେ ଆହୁରି ପରିବର୍ତ୍ତନ କରାଯାଇଥିଲା। ଅନୁ ଗର୍ଗ ମୁଖ୍ୟ ସଚିବ ହେବା ପରେ ଜାନୁଆରୀ ୧, ଫେବୃୟାରୀ ୫ ଓ ୧୧ ତାରିଖରେ ବଦଳି ଓ ପୋଷ୍ଟି ଆଦେଶ ବାହାରିଛି। ଏହା କେବଳ ପୋଷ୍ଟିଂର ପରିବର୍ତ୍ତନ ନୁହେଁ; ଏହା ନୀତିର ଗତିକୁ ପ୍ରଭାବିତ କରୁଛି।
ବଦଳିର ପରିଣାମ-
• ଜିଲ୍ଲା ପ୍ରଶାସନରେ ଅସ୍ଥିରତା
• ଦୀର୍ଘକାଳୀନ ପ୍ରକଳ୍ପରେ ବିଳମ୍ବ
• ନୀତିର ସମନ୍ୱୟରେ ଖାମି
ନୂତନ ମୁଖ୍ୟ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ କରିବା ପରେ ବଦଳିର ଗତି ଆହୁରି ବୃଦ୍ଧି ପାଇଛି।
ପ୍ରଶ୍ନ ହେଉଛି—
ପୁନର୍ଗଠନ ପାଇଁ ଏତେ ବଡ଼ ଓ ଏତେ ଥର ପରିବର୍ତ୍ତନ ଆବଶ୍ୟକ ଥିଲା କି?
କେବଳ ସେତିକି ନୁହେଁ ଏହି ୧୮ ମାସ ଭିତରେ ୬ଥର ଆଇପିଏସ ସ୍ତରରେ ବଦଳି ଓ ପୋଷ୍ଠିଂ ହୋଇଥିବାବେଳେ ଓଏଏସ ସ୍ତରରେ କେତେଥର ବଦଳି ବିଜ୍ଞପ୍ତି ବାହାରିଲାଣି ତାକୁ ଗଣିବା କାଠିକର ପାଠ।
ଆଇଏଏସ୍ ଅଭାବ— ପ୍ରକୃତ ସମସ୍ୟା କେଉଁଠି?
ରାଜ୍ୟରେ ଆଇଏଏସ୍ ଅଧିକାରୀଙ୍କ ମଞ୍ଜୁରୀପ୍ରାପ୍ତ ସଂଖ୍ୟା ୨୪୮।
ଖାଲି ପଦବୀ ୪୬।
କାର୍ଯ୍ୟରତ ୧୭୫।
କେନ୍ଦ୍ରୀୟ ଡେପୁଟେସନରେ ୨୭।
ଏହା ସ୍ପଷ୍ଟ— ମାନବ ସଂସାଧନ ଅଭାବ ରହିଛି।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହାକୁ ସ୍ୱୀକାର କରି କେନ୍ଦ୍ର ସହ ଆଲୋଚନା କରାଯାଇଥିବା କହିଛନ୍ତି।
କିନ୍ତୁ ପ୍ରଶ୍ନ—
• ଖାଲି ପଦବୀ ପୂରଣ ପାଇଁ ଦୀର୍ଘକାଳୀନ ଯୋଜନା କାହିଁକି ନାହିଁ?
• କେନ୍ଦ୍ରୀୟ ଡେପୁଟେସନରୁ ଅଧିକାରୀଙ୍କୁ ଫେରାଇ ଆଣିବାର ପ୍ରୟାସ କେତେ ହୋଇଛି?
ଏକାଧିକ ବିଭାଗର ଭାର— କାର୍ଯ୍ୟକୁଶଳତାରେ ପ୍ରଭାବ
ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା ଗୃହ, ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ସହିତ ଇପିକଲ୍ର ଦାୟିତ୍ୱ ନେଇଛନ୍ତି।
ଦେଓରଞ୍ଜନ ସିଂହ ଉନ୍ନୟନ, ଯୋଜନା ଓ ଖଣି ବିଭାଗ ଦାୟିତ୍ୱରେ। ଏହା ପୂର୍ବରୁ ସେ ଖଣି ବିଭାଗରେ ଅତିରିକ୍ତ ଦାୟିତ୍ୱରେ ଥିଲାବେଳେ ସେ ବିଭାଗୀୟ୍ କାର୍ଯ୍ୟାଳୟକୁ ଯାଇନଥିବା ଅଭିଯୋଗ ହୁଏ।
ଅନ୍ୟ ଅଧିକାରୀମାନେ ମଧ୍ୟ ଦୁଇ ଦୁଇଟି ବିଭାଗ ପାଇଛନ୍ତି। ସେମାନେ ହେଲେ ସୁରେନ୍ଦ୍ର କୁମାର, ସଞ୍ଜୟ ସିଂହ, ଅରବିନ୍ଦ ପାଢ଼ୀ, ଉଷା ପାଢ଼ୀ, ରାଜେଶ ପ୍ରଭାକର ପାଟିଲ ଏବଂ ବଳବନ୍ତ ସିଂହ।
ଏକ ଅଧିକାରୀ ଦୁଇଟି ବଡ଼ ବିଭାଗ ଚଲାଇଲେ—
• ଫାଇଲ୍ର ଅଗ୍ରଗତି ଧୀର
• ନିଷ୍ପତ୍ତି ନେବାରେ ବିଳମ୍ବ
• ନୀତିରେ ଗଭୀରତା କମିଯାଏ
ଏହା ଅସ୍ଥାୟୀ ବ୍ୟବସ୍ଥା ହୋଇପାରେ, କିନ୍ତୁ ଦୀର୍ଘକାଳୀନ ହେଲେ ଏହା ପ୍ରଶାସନରେ ଚାପ ସୃଷ୍ଟି କରିବ।
ରାଜନୈତିକ ପ୍ରଭାବ ଓ ଅମଲାତାନ୍ତ୍ରିକ ନିରପେକ୍ଷତା
“ସିଭିଲ୍ ସର୍ଭିସ୍ ଏବେ ରାଜନୈତିକ ସେବାରେ ପରିଣତ ହୋଇଛି”— ଏହି ମତ ପାୱାର କରିଡରରେ ଶୁଣାଯାଉଛି। ଅଣଓଡ଼ିଆ ଆଇଏଏସ ଅଧିକାରୀମାନେ ଏତେ ପ୍ରଭାବଶାଳୀ ହୋଇଯାଇଛନ୍ତି ଯେ ସେମାନେ କାହା କଥା ଶୁଣିବାକୁ ରାଜି ନୁହଁନ୍ତି। ସେହି ଅଧିକାରୀମାନେ ସରକାରଙ୍କୁ ସଖୀ କଣ୍ଢେଇ ଭଳି ନଚାଉଛନ୍ତି। ବିଜେଡି ଶାସନ କାଳରେ ଯେପରି ଆଇଏଏସ ଅଧିକାରୀମାନେ ପ୍ରଚଣ୍ଡ କ୍ଷମତାର ଅଧିକାରୀ ଥିଲେ ଏବେ ତା’ଠାରୁ ଦୁଇପାଦ ଆଗକୁ ଯାଇଛନ୍ତି। କାରଣ ସରକାରରେ ମନ୍ତ୍ରୀ ହୋଇଥିବା ଅନେକ ନେତା ଏହି ଆଇଏଏସ ଅଧିକାରୀମାନଙ୍କ ନୋଟକୁ ପଢ଼ି ବୁଝିବା କ୍ଷମତା ନ ଥିବାରୁ ସେମାନେ ଅଧିକାରୀ ନିର୍ଦ୍ଦେଶ ଅନୁସାରେ କେବଳ ଦସ୍ତଖତ ମାରୁଛନ୍ତି। ଏହି ଘଟଣାକୁ ଦେଖି କେହି କେହି ଏହି ମନ୍ତ୍ରୀମାନଙ୍କୁ ଦସ୍ତଖତ ମାରବାକୁ ଅଛନ୍ତି ବୋଲି କହୁଛନ୍ତି।
ଯଦି ପୋଷ୍ଟିଂ ଘନିଷ୍ଠତା ଆଧାରରେ ହୁଏ, ତେବେ ନିରପେକ୍ଷତା କ୍ଷୀଣ ହେବ।
ସିଭିଲ୍ ସର୍ଭିସ୍ର ମୂଳ ଚିନ୍ତାଧାରା ହେଲା—
ରାଜନୈତିକ ନୀତିକୁ ପ୍ରଶାସନିକ କୌଶଳରେ ପରିଣତ କରିବା।
ଯଦି ଏହା ରାଜନୈତିକ ପ୍ରଭାବରେ ଚାଲିଥାଏ, ତେବେ ଲୋକମାନଙ୍କ ବିଶ୍ୱାସ କ୍ଷୀଣ ହେବ।
“ଓଡ଼ିଆ ଅସ୍ମିତା” ଓ ପ୍ରଶାସନର ବାସ୍ତବତା
“ଓଡ଼ିଆ ଅସ୍ମିତା” ରାଜନୈତିକ ସ୍ଲୋଗାନ୍ ଥିଲା।
କିନ୍ତୁ ପ୍ରଶାସନ ଯଦି ଅଣ-ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କ ମର୍ଜିରେ ଚାଲୁଛି ବୋଲି ଚର୍ଚ୍ଚା, ତେବେ ଏହା ଏକ ବିରୋଧାଭାସ।
ତଥାପି, ସିଭିଲ୍ ସର୍ଭିସ୍ ଅଖିଳ ଭାରତୀୟ ସେବା। ଏହାର ମୂଳ ଚେତନା— ଜାତୀୟ ଏକତା।
ପ୍ରଶ୍ନ ହେଉଛି—
ଜନ୍ମସ୍ଥାନ ନା କି କାର୍ଯ୍ୟଦକ୍ଷତା?
ପ୍ରଶାସନିକ ସ୍ଥିରତା ପାଇଁ ତିନିଟି ପଦକ୍ଷେପ ଆବଶ୍ୟକ—
୧. ବଦଳିରେ ନୀତିଗତ ସ୍ଥିରତା
କମ୍ ସେ କମ୍ ଦୁଇ ବର୍ଷର କାର୍ଯ୍ୟକାଳ।
୨. ଖାଲି ପଦବୀ ପୂରଣ
କେନ୍ଦ୍ର ସହ ସମନ୍ୱୟ।
୩. ବଜେଟ୍ ମନିଟରିଂ
ମାସିକ ସମୀକ୍ଷା, ରିଅଲ୍-ଟାଇମ୍ ଡାଟା ଟ୍ରାକିଂ।
ପରୀକ୍ଷାର ସମୟ
ମାତ୍ର ୬୦% ବଜେଟ୍ ଖର୍ଚ୍ଚ, ୨୯ଥର ବଦଳି, ୪୬ ଖାଲି ପଦବୀ— ଏହା କି ନୂତନ ଶାସନର ଅନିବାର୍ଯ୍ୟ ପୁନର୍ଗଠନ? ନା ଅସ୍ଥିରତାର ସଙ୍କେତ?
ଗଣତନ୍ତ୍ରରେ ରାଜନୈତିକ ପରିବର୍ତ୍ତନ ସାଧାରଣ।
କିନ୍ତୁ ପ୍ରଶାସନିକ ସ୍ଥିରତା ଅତ୍ୟାବଶ୍ୟକ।
ଓଡ଼ିଶାର ଲୋକମାନେ ଏବେ ଦେଖୁଛନ୍ତି— ନୂତନ ସରକାର ଏହି ଅସ୍ଥିରତାକୁ ସ୍ଥିରତାରେ ପରିଣତ କରିପାରିବ କି?
ଏହା ଏକ ନୂତନ ଶାସନ ପାଇଁ ପ୍ରଥମ ବଡ଼ ପରୀକ୍ଷା।
also read https://purvapaksa.com/face-transplant/


