ଦିଲ୍ଲୀ ଏନସିଆରରେ ଏବେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ ବାତିଲ କରି ସେଗୁଡ଼ିକୁ ସ୍କ୍ରାପ କରାଯାଉଛି । ଏହା ସରକାରୀ ନିୟମର ଏକ ଅଂଶ । ଯଦିଓ ଏହି ନିୟମ ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ, ଦିଲ୍ଲୀ-ଏନସିଆରରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ୫୦ ବା ୧୦୦ ବର୍ଷ ପୁରୁଣା ଭିଣ୍ଟେଜ କାରଗୁଡ଼ିକ କିପରି ଏହି ନିୟମରୁ ଛାଡ଼ ପାଉଛନ୍ତି ।
ଆପଣ ନିଶ୍ଚିତ ଭାବେ ଭିଣ୍ଟେଜ କାରଗୁଡ଼ିକୁ ରାସ୍ତାରେ, ଭିଣ୍ଟେଜ କାର ରାଲିରେ କିମ୍ବା କେତେକ ବିଶେଷ ବ୍ୟକ୍ତିଙ୍କ ଘରେ ଦେଖିଥିବେ । ଏହି କାରଗୁଡ଼ିକର କେତେକ ୫୦ ବର୍ଷ ପୁରୁଣା, ଆଉ କେତେକ ୧୦୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ହୋଇପାରେ । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ ଯେ ଭାରତରେ ୧୦୦ ବର୍ଷ ପୁରୁଣା ଭିଣ୍ଟେଜ କାର ମଧ୍ୟ ଅଛି । ଏହି କାରଗୁଡ଼ିକ ସେମାନଙ୍କର ରୂପ ଓ ଶୈଳୀ ଯୋଗୁଁ ଆକର୍ଷଣୀୟ ଲାଗନ୍ତି । ଯେତେବେଳେ ଏଗୁଡ଼ିକ ଭିଣ୍ଟେଜ ରାଲିରେ ବାହାରେ, ତାହା ଦେଖିବାକୁ ଅତି ସୁନ୍ଦର ଲାଗେ ।
କେଉଁ ନିୟମ ଯୋଗୁଁ ଭିଣ୍ଟେଜ କାରଗୁଡ଼ିକ ସ୍କ୍ରାପ ହୁଏ ନାହିଁ?
ତେବେ ପ୍ରଶ୍ନ ହେଉଛି ଯେ, କେଉଁ ନିୟମ ଯୋଗୁଁ ଭିଣ୍ଟେଜ କାରଗୁଡ଼ିକ ସ୍କ୍ରାପ ହୁଏ ନାହିଁ କି ରାସ୍ତାରେ ସେଗୁଡ଼ିକାର ଚାଲାଣ କଟାଯାଏନି ? କାହିଁକି ଏଗୁଡ଼ିକୁ ଦୀର୍ଘ ସମୟ ପାଇଁ ରଖିବାର ଅନୁମତି ମିଳୁଛି। ଏହା ପଛରେ କେତେକ ବିଶେଷ କାରଣ ଅଛି। ଆସନ୍ତୁ ଜାଣିବା ଏହାର ନିୟମ ସବୁ କ’ଣ ।
– ଭିଣ୍ଟେଜ କାରଗୁଡ଼ିକ ନିୟମିତ ବ୍ୟବହାର ପାଇଁ ନୁହେଁ, ଅର୍ଥାତ୍ ଏଗୁଡ଼ିକୁ ପ୍ରତିଦିନ ରାସ୍ତାରେ ଚଲାଇ ହୁଏ ନାହିଁ।
– ଏଗୁଡ଼ିକ କେବଳ ଶୋ, ରାଲି, ପ୍ରଦର୍ଶନୀ କିମ୍ବା ବିଶେଷ ଅବସରରେ ରାସ୍ତାକୁ ବାହାରେ।
– ଏଗୁଡ଼ିକର ଟ୍ରାଫିକ, ପ୍ରଦୂଷଣ ଓ ସଡ଼କ ସୁରକ୍ଷା ଉପରେ ଖୁବ କମ ପ୍ରଭାବ ପଡ଼େ।
କେଉଁ କାରଗୁଡ଼ିକୁ ଭିଣ୍ଟେଜ କାର ବୋଲି ଗଣାଯାଏ ?
୫୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକୁ ଇତିହାସ ଓ ଐତିହ୍ୟର ଅଂଶ ବୋଲି ଗଣାଯାଏ । ବିଶ୍ୱବ୍ୟାପୀ ଏଗୁଡ଼ିକୁ ହେରିଟେଜ ଆସେଟର ମାନ୍ୟତା ଦିଆଯାଇଛି । ଏଗୁଡ଼ିକର ନିର୍ମାଣ ୧୯୧୯ରୁ ଆରମ୍ଭ ହୋଇ ୧୯୩୦ର ଶେଷ ପର୍ଯ୍ୟନ୍ତ ହୋଇଥିବା ବୋଲି ମନେ କରାଯାଏ । ଏହି ସମୟକୁ “ଭିଣ୍ଟେଜ ଯୁଗ” କୁହାଯାଏ ।
ବ୍ରିଟିଶ ପରିଭାଷା ଅନୁସାରେ, ଭିଣ୍ଟେଜ କାରର ଶେଷ ବର୍ଷ ହେଉଛି ୧୯୩୦, ଯେତେବେଳେ କେତେକ ଆମେରିକୀୟ ମାନକ ଏହାକୁ ୧୯୨୫ ପର୍ଯ୍ୟନ୍ତ ସୀମିତ କରେ । ଭାରତରେ ଭିଣ୍ଟେଜ କାରର ଆମଦାନୀ ଓ ରେଜିଷ୍ଟ୍ରେସନ ପାଇଁ ସାଧାରଣତଃ ୫୦ ବର୍ଷ କିମ୍ବା ତା’ଠାରୁ ଅଧିକ ପୁରୁଣା କାରଗୁଡ଼ିକୁ ଭିଣ୍ଟେଜ ବୋଲି ଗଣାଯାଏ, ଅର୍ଥାତ୍ ବର୍ତ୍ତମାନ ୧୯୭୪ ପୂର୍ବରୁ ନିର୍ମିତ କାରଗୁଡ଼ିକ ଏହି ଶ୍ରେଣୀରେ ଆସେ । ଏହି କାରଗୁଡ଼ିକରେ ଆଧୁନିକ ପ୍ରଯୁକ୍ତି ନଥାଏ ।
ବିଶ୍ୱର ସବୁଠାରୁ ପୁରୁଣା ଭିଣ୍ଟେଜ କାର କେଉଁଠି ?
ବିଶ୍ୱର ସବୁଠାରୁ ପୁରୁଣା ଭିଣ୍ଟେଜ କାର ହେଉଛି ଲା ମାର୍କିଜ, ଯାହାକୁ ୧୮୮୪ରେ ଫ୍ରାନ୍ସର ତିନୋଟି କମ୍ପାନୀ ମିଳିତ ଭାବେ ନିର୍ମାଣ କରିଥିଲେ। ଏହାକୁ କୋଇଲା, କାଠ ଓ କାଗଜ ଦ୍ୱାରା ଚାଳିତ କରାଯାଉଥିଲା। ଏହାର ସର୍ବାଧିକ ଗତି ୬୧ କିଲୋମିଟର ପ୍ରତି ଘଣ୍ଟା (୩୮ ମାଇଲ ପ୍ରତି ଘଣ୍ଟା)। ଏହା ଆଜି ମଧ୍ୟ ଚାଲିବା ଯୋଗ୍ୟ। ଏହାକୁ ଅନେକ ଥର ନିଲାମରେ ରେକର୍ଡ ମୂଲ୍ୟରେ ବିକ୍ରି କରାଯାଇଛି।
ଭାରତରେ ଭିଣ୍ଟେଜ କାରର ସଂଖ୍ୟା କେତେ ?
ଭାରତରେ ଭିଣ୍ଟେଜ ଗାଡ଼ିର ସଂଖ୍ୟା ଖୁବ ସୀମିତ। ଏଗୁଡ଼ିକ ଲକ୍ଷାଧିକ ସଂଖ୍ୟାରେ ନାହିଁ, ତେଣୁ ଏଗୁଡ଼ିକ ଦ୍ୱାରା ପରିବେଶ କିମ୍ବା ଟ୍ରାଫିକ ଉପରେ ଗମ୍ଭୀର ପ୍ରଭାବ ପଡ଼େ ନାହିଁ। ଭାରତରେ ଭିଣ୍ଟେଜ କାରର ସଂଖ୍ୟା ପ୍ରାୟ ୩୦୦୦। ଏହି କାରଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୩୫୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ସରକାର ଏଗୁଡ଼ିକୁ ସାଙ୍କେତିକ ଶ୍ରେଣୀରେ ରଖେ।
ଭାରତରେ କେତେ ବର୍ଷ ପୁରୁଣା ଭିଣ୍ଟେଜ କାର ଅଛି ?
ଭାରତରେ ୧୦୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ଆଜି ମଧ୍ୟ ରହିଛି। କେତେକ କାର ୧୯୧୦-୧୯୨୦ ମଧ୍ୟରେ ନିର୍ମିତ। ୧୯୧୧ରେ ନିର୍ମିତ ମର୍ସିଡିଜ ନାଇଟ ଭାରତର ସବୁଠାରୁ ପୁରୁଣା କାର ବୋଲି ଗଣାଯାଏ। ତା’ପରେ ୧୯୨୫ରେ ନିର୍ମିତ ଫେଣ୍ଟମ ରୋଲ୍ସ ରୟସ, ୧୯୩୫ରେ ବ୍ୟୁକ ସିରିଜ ୪୦ ଏବଂ ୧୯୪୭ରେ ପ୍ୟାକାର୍ଡ କ୍ଲିପର। ଭାରତରେ ୧୯୨୦, ୧୯୩୦, ୧୯୪୦ ଓ ୧୯୫୦ ଦଶକର ରୋଲ୍ସ ରୟସ, ବେଣ୍ଟଲେ, ଫୋର୍ଡ, ଡାଇଲମେର, କାଡିଲାକ, ମର୍ସିଡିଜ ଓ ବ୍ୟୁକ ଭଳି କାର ବହୁ ସଂଖ୍ୟାରେ ଅଛି।
ଏହି ଗାଡ଼ିଗୁଡ଼ିକୁ କିଏ ରଖେ ?
– ଭାରତର ପୁରୁଣା ରାଜା-ମହାରାଜାମାନେ ଏକଦା ବିଶ୍ୱର ସବୁଠାରୁ ମହଙ୍ଗା ଓ ବିଳାସପୂର୍ଣ୍ଣ ଗାଡ଼ି ରଖୁଥିଲେ। ସେମାନଙ୍କ ପାଖରେ ରୋଲ୍ସ ରୟସ, ଡାଇଲମେଟ, ପ୍ୟାକାର୍ଡ ଭଳି ଅତ୍ୟନ୍ତ ମୂଲ୍ୟବାନ ଗାଡ଼ି ଥିଲା। ଆଜି ମଧ୍ୟ ଉଦୟପୁର, ଜୟପୁର, ଗ୍ୱାଲିୟର, ଜୁନାଗଡ଼, ହାଇଦ୍ରାବାଦ, ବଡ଼ୋଦା ଆଦି ରାଜଘରାଣାରେ ଭିଣ୍ଟେଜ କାର ସଂଗ୍ରହ ଅଛି।
– ଦେଶର କେତେକ ଧନୀ ବ୍ୟବସାୟୀ, କଳା ପ୍ରେମୀ ଓ ଭିଣ୍ଟେଜ ସଂଗ୍ରହର ଶୌକିନ ଲୋକମାନେ ଏହି କାରଗୁଡ଼ିକୁ କିଣି ପୁନରୁଦ୍ଧାର କରନ୍ତି। ଗୌତମ ସିଂଘାନିଆ ଦେଶର ସବୁଠାରୁ ବଡ଼ ଭିଣ୍ଟେଜ କାର ସଂଗ୍ରାହକ ମଧ୍ୟରେ ଅଛନ୍ତି। ତା’ପରେ ଅହମଦାବାଦର ପ୍ରାଣଲାଲ ଭୋଗୀଲାଲଙ୍କ ନାମ ଆସେ।
ଏହାର ଫିଟନେସ ସାର୍ଟିଫିକେଟ ନେବାକୁ ପଡ଼େ କି ?
ହଁ, ଭିଣ୍ଟେଜ ଗାଡ଼ିଗୁଡ଼ିକୁ ୫ ବର୍ଷରେ ଥରେ ଫିଟନେସ ସାର୍ଟିଫିକେଟ ନେବାକୁ ପଡ଼େ, କିନ୍ତୁ ଏଗୁଡ଼ିକୁ ନିୟମିତ ରାସ୍ତାରେ ବ୍ୟବହାର କରାଯାଇ ପାରେ ନାହିଁ। ଏଗୁଡ଼ିକର ପ୍ରଦୂଷଣ ପରୀକ୍ଷା କରିବା ଆବଶ୍ୟକ ନୁହେଁ। ଏଗୁଡ଼ିକର ରେଜିଷ୍ଟ୍ରେସନ ସ୍ୱତନ୍ତ୍ର ଭିଣ୍ଟେଜ ଶ୍ରେଣୀରେ ହୋଇଥାଏ।
ଏହାର ନମ୍ବର ପ୍ଲେଟ ଓ ରେଜିଷ୍ଟ୍ରେସନ କିପରି ହୋଇଥାଏ
ଭିଣ୍ଟେଜ କାରର ଏକ ସ୍ୱତନ୍ତ୍ର ରେଜିଷ୍ଟ୍ରେସନ ନମ୍ବର ଥାଏ:
‘XX VA YY ####’
XX = ରାଜ୍ୟ କୋଡ
VA = ଭିଣ୍ଟେଜ ଅଟୋମୋବାଇଲ
YY = ରେଜିଷ୍ଟ୍ରେସନ ବର୍ଷ
#### = ସିରିଏଲ ନମ୍ବର
କେଉଁ କାମ ପାଇଁ ଏଗୁଡ଼ିକୁ ଚଲାଇବାର ଅନୁମତି ମିଳେ ?
– କେବଳ ଭିଣ୍ଟେଜ ରାଲିରେ
– ପ୍ରଦର୍ଶନୀ
– ବିବାହ କିମ୍ବା ଫୋଟୋଶୁଟ (କେତେକ ସମୟରେ ରାଜ୍ୟ ସରକାରଙ୍କ ଅନୁମତି ପରେ)
– ବିଶେଷ ଇଭେଣ୍ଟ
ଭିଣ୍ଟେଜ କାରର ଚାଲାଣ ହୁଏ କି ?
ହଁ, ଯଦି ଭିଣ୍ଟେଜ ଗାଡ଼ି ନିୟମ ଭାଙ୍ଗି ଅନୁମତି ବିନା ସାଧାରଣ ଟ୍ରାଫିକରେ ଚାଲୁଥାଏ, ତେବେ RTO କିମ୍ବା ଟ୍ରାଫିକ ପୋଲିସ ତାହାର ଚାଲାଣ କରିପାରେ।
ଏହାର ବୀମା ହୁଏ କି ?
– ଭିଣ୍ଟେଜ କାର ପାଇଁ ମଧ୍ୟ ଥାର୍ଡ ପାର୍ଟି ବୀମା ଆବଶ୍ୟକ। ଅନେକ ବୀମା କମ୍ପାନୀ କଷ୍ଟମ କ୍ଲାସିକ କାର ବୀମା ମଧ୍ୟ ଯୋଗାଇ ଥାଆନ୍ତି ।
ALSO READ https://purvapaksa.com/80-year-old-deogarh-woman-faces-social-isolation-in-death/
