ରାଜ୍ୟସଭା; ଭାରତୀୟ ସଂସଦର ଉପର ସଦନ। ସଂବିଧାନ ଅନୁଯାୟୀ ରାଜ୍ୟମାନଙ୍କ ପ୍ରତିନିଧିତ୍ୱର ମଞ୍ଚ। କିନ୍ତୁ ଏହି ପ୍ରତିନିଧିତ୍ୱ ସଦା ସର୍ବଦା ଭୌଗୋଳିକ ମୂଳରେ ସୀମିତ ରହେନି। ଦଳୀୟ ରଣନୀତି, ଜାତୀୟ ସମୀକରଣ ଓ ନେତୃତ୍ୱର ପ୍ରାୟୋଗିକ ଆବଶ୍ୟକତା ଅନୁଯାୟୀ ବହୁ ସମୟରେ ଏକ ରାଜ୍ୟରୁ ଅଣଓଡ଼ିଆ କିମ୍ବା ଅଣସ୍ଥାନୀୟ ପ୍ରାର୍ଥୀଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଯାଇଛି। ଓଡ଼ିଶା ମଧ୍ୟ ଏହି ଅପବାଦରୁ ମୁକ୍ତ ନୁହେଁ।
୨୦୨୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏକ ପ୍ରଶ୍ନ ପୁଣିଥରେ ରାଜନୈତିକ ମହଲରେ ଉଠିଥିଲା—ଏଥର ମଧ୍ୟ କ’ଣ ଓଡ଼ିଶାରୁ ଅଣଓଡ଼ିଆ ପ୍ରାର୍ଥୀ ଦେଖିବାକୁ ମିଳିବ? ନା ଦଳମାନେ ସ୍ଥାନୀୟ ମୁହଁକୁ ଅଗ୍ରଗତି ଦେବେ? କିନ୍ତୁ ବିଜେଡି ସଭାପତି ନବୀନ ପଟ୍ଟଠନାୟକଙ୍କ ଏକ ତରଫା ପ୍ରାର୍ଥୀ ଘୋଷଣା ଯୋଗୁ ବିଜେପି ବାଧ୍ୟ ହୋଇ ରାଜ୍ୟର ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। କାରଣ ବିଜେପି ଭୟ କଲା ରାଜ୍ୟ ବାହାରର ପ୍ରାର୍ଥୀଙ୍କୁ ଓଡ଼ିଶାରୁ ନିର୍ବାଚନ ଲଢ଼ାଇଲେ ଲାଭ ହେବା ପରିବର୍ତ୍ତେ ଦଳର ଅପୂରଣୀୟ କ୍ଷତି ହେବ।
ଐତିହ୍ୟର ପୃଷ୍ଠା: ଅଣଓଡ଼ିଆଙ୍କ ପ୍ରବେଶ
ଓଡ଼ିଶାରୁ ଏ ପର୍ଯ୍ୟନ୍ତ ୬ଜଣ ଅଣଓଡ଼ିଆଙ୍କୁ ରାଜ୍ୟସଭାକୁ ପଠାଯାଇଛି। ସେହିପରି ଜଣେ ଓଡ଼ିଆ ନେତାଙ୍କୁ ଅନ୍ୟ ଦୁଇଟି ରାଜ୍ୟରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି। ଏହା ପ୍ରମାଣ କରେ ଯେ ରାଜ୍ୟସଭା କେବଳ ଭୌଗୋଳିକ ନୁହେଁ—ରାଜନୈତିକ ରଣନୀତିର ମଞ୍ଚ।
ଶୈଳବାଳା ଦାସ: ମୂଳ ବଙ୍ଗୀୟ, କିନ୍ତୁ ଓଡ଼ିଆଣୀର ଗୌରବ
୫୦ ଦଶକରେ ଶୈଳବାଳା ଦାସଙ୍କୁ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ କରାଯାଇଥିଲା। ତାଙ୍କ ମାତା-ପିତା ବଙ୍ଗୀୟ ହୋଇଥିଲେ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୋଷ୍ୟା କନ୍ୟା ଭାବେ ସେ ଓଡ଼ିଶାର ସାମାଜିକ ଜୀବନରେ ଗାଢ଼ ଭାବରେ ଜଡ଼ିତ ଥିଲେ। ନାରୀଶିକ୍ଷା ପ୍ରସାର ଓ ଉତ୍କଳ ସମ୍ମିଳନୀ ସହ ତାଙ୍କ ଜଡାଉ ତାଙ୍କୁ ଓଡ଼ିଆଣୀ ଭାବେ ସ୍ୱୀକୃତି ଦେଇଥିଲା।
କଂଗ୍ରେସ ଯୁଗ: କେ.ଭି. ପାନିକର
୮୦ ଦଶକରେ ଓଡ଼ିଶାରୁ କେରଳ ନିବାସୀ କେ.ଭି. ପାନିକରଙ୍କୁ ରାଜ୍ୟସଭା ପଠାଯାଇଥିଲା। ସେ ନିଖିଳ ଭାରତ କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତା ଥିଲେ। ଏହା ଦଳୀୟ ରଣନୀତିର ଅଂଶ ଥିଲା—ରାଜ୍ୟସଭାକୁ ଜାତୀୟ ମଞ୍ଚ ଭାବେ ବ୍ୟବହାର। ଓଧଡ଼ିଶାରୁ ରାଜ୍ୟସଭାକୁ ଯାଇତିଲେ ସତ, କିନ୍ତୁ ଓଡ଼ିଶା ସମସ୍ୟା ରାଜ୍ୟସଭାରେ ଉଠାଇ ନାହାନ୍ତି।

ଜନତା ଦଳ ସମୟ: ଏସ୍.ଆର. ବୋମାଇ
୯୦ ଦଶକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଆର. ବୋମାଇଙ୍କୁ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ କରାଯାଇଥିଲା। ସେତେବେଳେ ରାଜ୍ୟରେ ଜନତା ଦଳ ସରକାର ଥିଲା। ଏହା ଜାତୀୟ ରାଜନୀତିରେ ଦଳୀୟ ଶକ୍ତି ସମନ୍ୱୟର ଅଂଶ ଥିଲା। ସେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଓଡ଼ିଶାକୁ ଆସି ନାହାନ୍ତି କି ଓଡ଼ିଶା ସମସ୍ୟା ରାଜ୍ୟସଭାରେ ଉଠାଇ ନାହାନ୍ତି।

ବିଜେଡି-ବିଜେପି ମେଣ୍ଟ: ବଲବୀର ପୁଞ୍ଜ ଓ ଛତ୍ରପାଲ୍ ସିଂହ
୨୦୦୦ରେ ବିଜେଡି-ବିଜେପି ମେଣ୍ଟ ସମୟରେ ବଲବୀର ପୁଞ୍ଜ ଓ ଛତ୍ରପାଲ୍ ସିଂହଙ୍କୁ ରାଜ୍ୟସଭା ପଠାଯାଇଥିଲା। ବଲବୀର ପୁଞ୍ଜ ଓଡ଼ିଶା ସମସ୍ୟା ରାଜ୍ୟସଭାରେ ଉଠାଇ ନାହାନ୍ତି। ପରେ ଛତ୍ରପାଲ୍ ସିଂହଙ୍କ ସଦସ୍ୟତା ରଦ୍ଦ ହେବା ଘଟଣା ରାଜ୍ୟ ପାଇଁ ଅପମାନଜନକ ପରିସ୍ଥିତି ସୃଷ୍ଟି କରିଥିଲା। ଏହା ଦଳୀୟ ନିଷ୍ପତ୍ତିର ଭୁଲକୁ ଦେଖାଇଥିଲା।
ଅଶ୍ୱିନୀ ବୈଷ୍ଣବ: ଅଣଓଡ଼ିଆ ମୂଳ, କିନ୍ତୁ ଓଡ଼ିଶା କ୍ୟାଡର
ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୂର୍ବଜ ରାଜସ୍ଥାନରେ ମୂଳ ବାସିନ୍ଦା। କିନ୍ତୁ ସେ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ଭାବେ କଟକ, ବାଲେଶ୍ୱର ଆଦିଠାରେ କାମ କରିଥିଲେ। ପରେ ରାଜନୀତିରେ ପ୍ରବେଶ କରି ବିଜେଡି ସମର୍ଥନରେ ବିଜେପି ତାଙ୍କୁ ରାଜ୍ୟସଭା ପଠାଇଥିଲା। ଏହା ଜାତୀୟ ନେତୃତ୍ୱର ଆବଶ୍ୟକତା ଓ ରାଜ୍ୟ ସମୀକରଣର ମିଶ୍ରଣ ଥିଲା। ସେ ଏବେ ନୀରବରେ କାମ କରି ଚାଲିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଆ ନେତାଙ୍କ ଜାତୀୟ ଯାତ୍ରା
ଧର୍ମେନ୍ଦ୍ର ପ୍ରଧାନ ଏକମାତ୍ର ଓଡ଼ିଆ ନେତା ଯିଏ ବିହାର ଓ ମଧ୍ୟପ୍ରଦେଶରୁ ଦୁଇଥର ରାଜ୍ୟସଭାକୁ ପଠାଯାଇଥିଲେ। ସେତେବେଳେ ସେ କେନ୍ଦ୍ର ସରକାରରେ ପେଟ୍ରୋଲିୟମ, ଦକ୍ଷତା ବିକାଶ ଓ ବର୍ତ୍ତମାନ ଶିକ୍ଷାମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ। ଏହା ପ୍ରମାଣ କରେ—ଦଳୀୟ ନେତୃତ୍ୱ ରାଜ୍ୟ ସୀମା ଉଲ୍ଲଂଘନ କରିପାରେ।
ଅଣଓଡ଼ିଆ ପ୍ରାର୍ଥୀ ପଠାଇବାର ରାଜନୈତିକ ଲାଭ
1. ଜାତୀୟ ନେତୃତ୍ୱକୁ ସଂସଦରେ ସ୍ଥାନ।
2. ରାଜ୍ୟ-କେନ୍ଦ୍ର ସମ୍ପର୍କ ସୁଦୃଢ଼ କରିବା।
3. ଦଳୀୟ ରଣନୀତିରେ ସମତା।
ବିରୋଧୀ ଯୁକ୍ତି
1. ସ୍ଥାନୀୟ ନେତାଙ୍କୁ ଅବହେଳା।
2. ଓଡ଼ିଶାର ସ୍ୱରକୁ ଅଣଦେଖା।
3. ରାଜ୍ୟସଭାରେ ରାଜ୍ୟର ପ୍ରତିନିଧିତ୍ୱର ପ୍ରଶ୍ନ।
AlsoRead;https://purvapaksa.com/bjps-operation-bjd-is-coming-soon/
ଖୁବ୍ଶୀଘ୍ର ବିଜେପିର ଅପରେସନ ବିଜେଡି! || BJP’s Operation BJD is coming soon!


