ରାଜ୍ୟର ବିଜେପି ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ୧୮ ତାରିଖରେ ଅନାସ୍ଥା ନୋଟିସ ଅଣାଯାଇଥିଲା। କଂଗ୍ରେସର ସମସ୍ତ ୧୪ ବିଧାୟକ ଏବଂ ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ଅନାସ୍ଥା ନୋଟିସ ଦେଇଥିଲେ। ନୋଟିସକୁ ସମର୍ଥନ ପାଇଁ ବିଜେଡିର ସହଯୋଗ ଲୋଡ଼ିଥିଲେ । ହେଲେ ବିଜେଡି ଏହି ନିଷ୍ପଭିକୁ ଗଡ଼ାଇ ଦେଇଥିଲା। ଦିଲ୍ଲୀରେ ଥାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିରବ ରହିଥିଲେ ।
ଭୁବନେଶ୍ୱରରେ ଦଳ ଚୁପ ରହିଥିଲା। ତେବେ ପରଦିନ ହିଁ ଦଳ ପକ୍ଷରୁ ଏକ ଭିନ୍ନ ରଣନୀତି ଆପଣାଯଇ ବିଧାନସଭାକୁ ଅଚଳ କରାଯାଇଥିଲା। ହଠାତ ସାର ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗରେ ହୋ-ହଲ୍ଲା କରିଥିଲେ ଏବଂ ବାଚସ୍ପତି ତୁରନ୍ତ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ। ପୁନର୍ବାର ଅପରାହ୍ନରେ ସମାନ ପରିସ୍ଥିତିରେ ପରଦିନ ପାଇଁ ବାଚସ୍ପତି ଗୃହ ମୁଲତବୀ ରଖୁଥିଲେ। ବାଚସ୍ପତି କହିଥିଲେ ଯେ, କଂଗ୍ରେସର ଅନାସ୍ଥା ନୋଟିସ ସେ ପାଇଛନ୍ତି। ତେବେ ଗୃହ ସ୍ୱାଭାବିକ ନ ହେବା ଯାଏଁ ଏହାକୁ ସେ ଆଗତ କରିପାରିବେ ନାହିଁ ।
ସେହିପରି ପରଦିନ ବିଜେଡି ସମାନ ଢଙ୍ଗରେ ହୋ-ହଲ୍ଲା କରିଥିଲା ଏବଂ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଅପରାହ୍ନରେ ବାଚସ୍ପତି ଗୃହକୁ ପରବର୍ତ୍ତୀ କାର୍ଯ୍ୟ ଦିବସ ଅର୍ଥାତ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ। ସୋମବାର ବିଜେଡି ସମାନ ରଣନୀତିରେ ଗୃହ ମଧ୍ୟଭାଗକୁ ଆସିଥିବା ବେଳେ ବାଚସ୍ପତି ପୁଣି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ଏବଂ ଅପରାହ୍ନରେ କହିଥିଲେ ଯେ, ଅନାସ୍ଥା ନୋଟିସ ଗ୍ରହଣ କରିବା ଲାଗି ଆଉ ସମୟ ନାହିଁ। ଇତି ମଧ୍ୟରେ ଅନାସ୍ଥା ନୋଟିସର ସମୟ ସରିଯାଇଛି । ତେଣୁ ଏହାକୁ ଗୃହକୁ ଅଣାଯାଇ ପାରିବ ନାହିଁ। ରାଜନୈତିକ ବିଶ୍ଳେଷକଙ୍କ ମତରେ ବିଜେଡି ଚାଲ୍ରେ କଂଗ୍ରେସ ଫସିଲା। ଦୁଇ ବିରୋଧୀ ଦଳଙ୍କ ଭିତରେ ଲଢ଼େଇ ଶେଷରେ ସରକାରଙ୍କୁ ସୁହାଇଲା। ଜାଣିଶୁଣି ବିଜେଡି ଗୃହକୁ ଅଚଳ ରଖିଲା ଓ ସେହି ଆଧାରରେ ବାଚସ୍ପତି ସମୟ ଗଡ଼ିଛି କହି ଅନାସ୍ଥା ଅଗ୍ରାହ୍ୟ କଲେ।
ଅନାସ୍ଥା ନୋଟିସ ଆସିଥିଲେ ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେପି ସରକାରଙ୍କ ଉପରେ ଆଦୌ ବିପଦ ନ ଥିଲା । ମାତ୍ର ବିଧାନସଭାରେ ଆଲୋଚନା ହୋଇଥିଲେ ବିରୋଧୀ ଦଳକୁ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବାର ସୁଯୋଗ ମିଳିଥାନ୍ତା । ଆଇନଶୃଙ୍ଖଳା, ବେକାରୀ ପ୍ରସଙ୍ଗ, ନାରୀ ସୁରକ୍ଷା, ଚାଷୀ, ଶିକ୍ଷା, ପିଇବା ପାଣି, ଦଳିତ ଆଦିବାସୀ ସୁରକ୍ଷା ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିଥାନ୍ତେ I କଂଗ୍ରେସ ଅନାସ୍ଥା ଆଣିବା ପଛରେ ଏହା ହିଁ ଥିଲା ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା, ଯାହାକି ସଫଳ ହୋଇପାରିନାହିଁ ।
ଲୋକମୁଖରେ ଏହି ଘଟଣାକୁ ନେଇ ବିଜେଡି ବଦନାମ ହୋଇଛି । ଯେଉଁ ସାର ପ୍ରସଙ୍ଗରେ ବିଜେଡି ଗୃହକୁ ୩ ଦିନ ଅଚଳ କରିଦେଲା ତାହା ଆଲୋଚନା ହୋଇପାରିଲା ନାହିଁ କିମ୍ବା ସରକାର କିଛି କହିଲେ ନାହିଁ। ବିଜେଡି ଚାହିଁଥିଲେ ସାର ଉପରେ ଆଲୋଚନା କରିପାରିଥା’ନ୍ତା ଏବଂ ସରକାରଙ୍କୁ ଉତ୍ତର ଦେବାକୁ ବାଧ୍ୟ କରିପାରିଥା’ନ୍ତା । ଅପରପକ୍ଷରେ କଂଗ୍ରେସର ଅନାସ୍ଥା ନୋଟିସ ମଧ୍ୟ ଗୃହକୁ ଆସିପାରିଥା’ନ୍ତା । ବିଜେଡି ଏପରି ରଣନୀତି ଆପଣାଇଲା ଯେ ସାର ଆଲୋଚନା ହେଲା ନାହିଁ କିମ୍ବା କଂଗ୍ରେସ ଅନାସ୍ଥା ନୋଟିସ ଆସିପାରିଲା ନାହିଁ । ବିଜେପି ସରକାର ଖୁସି ହେଲେ। ଆଉ ମାତ୍ର ୩ଟି ଦିନରେ ବିଧାନସଭା ମୌସୁମୀ ଅଧୂବେଶନ ସରିବ । ସମୁଦାୟ ୭ ଦିନରୁ ୩ ଦିନ ବିଜେଡି ବର୍ବାଦ କଲା । ଏବେ କଂଗ୍ରେସର ପାଳି।
ବିଧି ବ୍ୟବସ୍ଥା ଅନୁସାରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଦେଇଥିଲା, ହେଲେ ସଂଖ୍ୟା କମ ଥିବାରୁ ବାଚସ୍ପତି ଆମକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହି ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଣତନ୍ତ୍ରକୁ ହତ୍ୟା କରାଯାଇଛି ଏବଂ ବିଜେପି, ବିଜେଡି ମିଶି ଗୃହକୁ ଜାଣିଶୁଣି ଅଚଳ କରିଛନ୍ତି ବୋଲି କଂଗ୍ରେସ ବିଧାୟକମାନେ ଅଭିଯୋଗ କରିଛନ୍ତି।
କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ନିୟମ ଏବଂ ପ୍ରକ୍ରିୟା ଅନୁସାରେ ଅଣାଯାଇଥିଲା। ସେମାନେ ତିନି ଦିନ ପର୍ଯ୍ୟନ୍ତ ଗୃହକୁ ଚାଲିବାକୁ ଦେଇନଥିଲେ। ଏହା ସ୍ପଷ୍ଟ ଯେ ଏହାକୁ କିପରି ପ୍ରତ୍ୟାଖ୍ୟାନ କରିବେ ତାହା ନିଷ୍ପତ୍ତି ନେବାକୁ ସେମାନଙ୍କୁ ୩ ଦିନ ଲାଗିଥିଲା। ଆମେ ଗୃହରେ କହିବୁ ଏବଂ ପଚାରିବୁ ଯେ ସେମାନେ କେଉଁ ଆଧାରରେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ କୌଣସି ସ୍ପଷ୍ଟ କାରଣ ଦେଇ ନାହାଁନ୍ତି।
ଏହି ଘଟଣାରେ ଯଦି ରାଜନୈତିକ ଦୃଷ୍ଟିରୁ କିଏ କ୍ଷତିରେ ପଡ଼ିଛି ସେହି ଦଳ ହେଉଛି ବିଜେଡି। କାରଣ ରାଜ୍ୟବାସୀ ଜାରିଲେ ଯେ ବିଜେଡି ମୁଖିଆ ଏବେ ସରକାରୀ ଦଳ ବିଜେପି ସହିତ ମୁକ୍କାବିଲା କରିବା ମୁଡରେ ନାହାନ୍ତି। ବରଂ ନିଜର ପାପକୁ ଲୁଚାଇବା ପାଇଁ ବିଜେପିର କେନ୍ଦ୍ରୀୟ ନେତାଙ୍କ କଥାରେ ଉଠ୍ ବସ୍ ହେଉଛନ୍ତି।
Also Read https://purvapaksa.com/the-real-story-behind-the-hirakud-dam/
The real story behind the hirakud dam ।। ହୀରାକୁଦ ପଛର ଅସଲ କାହାଣୀ
