No confidence motion against Dhanakar : ସୂତ୍ରରୁ ପ୍ରକାଶ ଯେ ନୋଟିସ୍ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଅଗଷ୍ଟ ମାସରେ ଆବଶ୍ୟକ ସଂଖ୍ୟକ ଦସ୍ତଖତ ହାସଲ କରିଥିଲେ, କିନ୍ତୁ ଧନଖଡ଼ଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିବାରୁ ସେମାନେ ଆଗକୁ ବଢ଼ିନଥିଲେ, କିନ୍ତୁ ସୋମବାର ତାଙ୍କ ଆଚରଣ ଦେଖି ବିରୋଧୀ ଏହାକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ।
ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ବିରୋଧରେ ବିରୋଧୀ ଇଣ୍ଡି ମେଣ୍ଟ ମିଳିତ ମଞ୍ଚର ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବେ କି ନାହିଁ ସେନେଇ ବିଜେଡି ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ଦଳର ଆଭିମୁଖ୍ୟ ସମ୍ପର୍କରେ ପ୍ରଶ୍ନ କରାଯିବାରେ ବିଜେଡି ସଭାପତି ତଥା ବିଧାନସଭାରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ ‘ଆମେ ଏହା ଉପରେ ଦୃଷ୍ଟି ରଖିଛୁ। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। ‘ ରାଜ୍ୟସଭାରେ ସାତୋଟି ଆସନ ବିଶିଷ୍ଟ ଏହି ଆଞ୍ଚଳିକ ଦଳ ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ପ୍ରମୁଖ ପ୍ରସଙ୍ଗରେ ଏନଡିଏ ସରକାରଙ୍କୁ ସମର୍ଥନ କରିଛି।
ଦଳର ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିଜେଡି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ଯଦିଓ ସେମାନଙ୍କର ସମର୍ଥନ କିମ୍ବା ବିରୋଧ ଅନାସ୍ଥା ପ୍ରସ୍ତାବର ଫଳାଫଳକୁ ପ୍ରଭାବିତ କରିବ ନାହିଁ। ୧୨୩ ସଦସ୍ୟଙ୍କ ସହ ଏନଡିଏ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଛି।ଏବେ ରାଜ୍ୟସଭାରେ ମୋଟ ୨୩୮ ସଦସ୍ୟ ଅଛନ୍ତି।
ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା ଆବେଦନରେ ବିଜେଡି ସଦସ୍ୟମାନେ ଦସ୍ତଖତ କରିନାହାଁନ୍ତି। ଯେଉଁ ୭୧ ସଦସ୍ୟ ସ୍ୱାକ୍ଷର କରିଛନ୍ତି ସେମାନେ ସମସ୍ତେ କଂଗ୍ରେସ ଓ ତାର ସହଯୋଗୀ।ସଦସ୍ୟମାନେ ଦସ୍ତଖତ କରି ନଥିବାରୁ ବିଜେଡି କ’ଣ କରିବ ବୋଲି ପଚରାଯିବାରୁ ଦଳର ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଇଣ୍ଡିଆ ମିଳିତ ମଞ୍ଚର ନିଷ୍ପତ୍ତିରେ ବିଜେଡି ସଂପୃକ୍ତ ନୁହେଁ।
ସସ୍ମିତ କହିଛନ୍ତି ଯେ ପୂର୍ବଭଳି ସେମାନେ ଏନଡିଏ ଏବଂ ଇଣ୍ଡିଆର ସହଯୋଗୀ ଦଳ ଠାରୁ ସମାନ ଦୁରତ୍ଵ ରକ୍ଷା କରିବେ।ନିକଟରେ ବିଜେଡିର ରାଜ୍ୟସଭା ସଂସଦ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଏହାର ଦୁଇ ସଦସ୍ୟ ମମତା ମହନ୍ତ ଏବଂ ସୁଜିତ କୁମାର ବିଜେପିରେ ଯୋଗ ଦେଇଛନ୍ତି। ମହାନ୍ତ ବିଜେପି ପ୍ରାର୍ଥୀ ଭାବରେ ତାଙ୍କ ରାଜ୍ୟସଭା ଆସନ ଜିତି ସାରିଥିବାବେଳେ କୁମାର ସେ ଛାଡିଥିବା ଆସନ ପାଇଁ ବିଜେପିର ପସନ୍ଦ ଭାବରେ ପୁନଃ ନିର୍ବାଚିତ ହେବାକୁ ଯାଉଛନ୍ତି।
ଉଲ୍ଲେଖ କରାଯାଇପାରେ ଯେ ୨୦୨୨ ମସିହାରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଧନଖରଙ୍କୁ ସମର୍ଥନ କରିଥିଲା।
ବ୍ୟବସ୍ଥା ଅନୁଯାୟୀ ୧୪ ଦିନିଆ ନୋଟିସ ଆବଶ୍ୟକ ଥିବାରୁ ଧନଖରଙ୍କ ବିରୋଧରେ ହୋଇଥିବା ପ୍ରସ୍ତାବ ଭୋଟ୍ ପୂର୍ବରୁ ହିଁ ବିଫଳ ହେବ ବୋଲି ଆଶା କରାଯାଉଛି। ଡିସେମ୍ବର ୨୦ରେ ରାଜ୍ୟସଭା ଅଧିବେଶନ ଶେଷ ହେବ। କିନ୍ତୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ନୋଟିସ ବଳବତ୍ତର ରହିବ। ତେଣୁ ପ୍ରସ୍ତାବଟି ଆପେ ଆପେ କାଟ ଖାଇଯିବାର ଅନୁମାନ କରାଯାଉଛି।
