Bihar Politics: ୨୦୨୪ ଭଳି ବିହାର ରାଜନୀତିରେ ୨୦୨୫ର ଚୁଡ଼ା-ଦହି ଭୋଜି ଏକ ନୂଆ କାହାଣୀ ଲେଖିବାକୁ ଯାଉଛି କି? ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନିମନ୍ତ୍ରଣ କରି ଦୂରେଇ ଯାଇଥିବା ଚିରାଗ ପାଶୱାନ ଏଥର ନୂଆ ଖେଳ ଖେଳୁଛନ୍ତି କି?
ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ବନ୍ଧୁତା ଓ ଶତ୍ରୁତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚିରାଗ ପାସୱାନ ଏବଂ ନୀତିଶ କୁମାରଙ୍କ ମଧ୍ୟରେ ଦୂରତା ସର୍ବଦା ଏନଡିଏ ପାଇଁ ଜଞ୍ଜାଳ ହୋଇ ଆସିଛି। ବିହାରରେ ନିର୍ବାଚନକୁ ଆଉ ୮ରୁ ୯ ମାସ ବାକି ରହିଛି। କିନ୍ତୁ ପୁଣିଥରେ ଉଭୟଙ୍କୁ ନେଇ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଖବର ଆସୁଛି। ପ୍ରକୃତରେ ଚିରାଗ ପାସୱାନ ମକର ସଂକ୍ରାନ୍ତି ଅବସରରେ ନୀତିଶ କୁମାରଙ୍କୁ ଚୁଡ଼ା-ଦହି ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ନୀତିଶ କୁମାର ଏଲଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚିରାଗ ପାସୱାନ ଗାଏବ ଥିବା ଜଣାପଡ଼ିଥିଲା। ଚିରାଗଙ୍କ ଅନୁପସ୍ଥିତିରେ ନୀତିଶ କୁମାର ଚୁଡ଼ା ଓ ଦହି ନ ଖାଇ ଫେରିଥିଲେ। ଏଭଳି ପରିସ୍ଥିତିରେ ବଡ଼ ପ୍ରଶ୍ନ ହେଉଛି, ଚିରାଗ ପାସୱାନ ନୀତିଶ କୁମାରଙ୍କ ଆଗମନ ବିଷୟରେ ଜାଣିନଥିଲେ କି? ଚିରାଗ ପାସୱାନଙ୍କ ନିଖୋଜ ହେବା କ’ଣ କେବଳ ଏକ ସଂଯୋଗ ଥିଲା? ନା ଚିରାଗ ପାସୱାନ ଜାଣିଶୁଣି ସେଠାରୁ ଚାଲି ଯାଇଥିଲେ?
ଚିରାଗ ପାସୱାନ ଏବଂ ନୀତିଶ କୁମାରଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ୨୦୨୦ ବିହାର ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ଚିରାଗ ପାସୱାନ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ଏଲଜେପି ପ୍ରାର୍ଥୀ ଦେଇଥିଲେ। ସେହି ନିର୍ବାଚନରେ ଜେଡିୟୁକୁ ୫୦ଟି ଆସନ ମଧ୍ୟ ମିଳିନଥିଲା। ଫଳରେ ନୀତିଶ କୁମାର ଅପମାନର ସହ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ ମଧ୍ୟ ସେ ଏନଡିଏ ଓ ଚିରାଗ ପାସୱାନଙ୍କ ଉପରେ ରାଗି ଯାଇଥିଲେ। ଫଳରେ ନୀତିଶ କୁମାର ମହାମେଣ୍ଟକୁ ଚାଲିଯାଇଥିଲେ। ଏହାର କିଛିବର୍ଷ ପରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶ ପୁଣିଥରେ ଏନଡିଏକୁ ଆସି ଚିରାଗ ପାସୱାନଙ୍କ ସହ ବନ୍ଧୁତା ଆରମ୍ଭ କରିଥିଲେ ।
ବିହାରରେ ପୁଣି ଚୁଡ଼ା-ଦହି ଭୋଜି ଖେଳ ହେଲା କି?
ଲୋକସଭା ନିର୍ବାଚନ ପରେ ଦୁହିଁଙ୍କ ସମ୍ପର୍କ ପୁଣି ସ୍ୱାଭାବିକ ହେବାରେ ଲାଗିଥିଲା। ନିକଟ ଅତୀତରେ ଦୁହେଁ ଅନେକ ଥର ସାକ୍ଷାତ କରିଛନ୍ତି। ଚିରାଗ ପାସୱାନ ନିଜେ ଏବଂ ତାଙ୍କ ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନୀତିଶ କୁମାରଙ୍କୁ ଭେଟିଛନ୍ତି। ଚିରାଗ ପାସୱାନଙ୍କୁ ଏଲଜେପି କାର୍ଯ୍ୟାଳୟକୁ ଫେରାଇବାରେ ନୀତିଶ କୁମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଚିରାଗ ପାସୱାନ ଦଳର ପ୍ରତିଷ୍ଠା ଦିବସ ସମାରୋହରେ ଏଲଜେପି କାର୍ଯ୍ୟାଳୟରେ ନୀତିଶ କୁମାରଙ୍କୁ ସ୍ୱାଗତ କରିଥିଲେ। ସିଏମ ନୀତିଶ କୁମାର ମଧ୍ୟ ରାମବିଳାସ ପାସୱାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଚିରାଗଙ୍କ ସହ ଦୀର୍ଘ ସମୟ ବିତାଇଥିଲେ। କିନ୍ତୁ ଜାନୁଆରୀ ୧୪ ରେ ଚୁଡା-ଦହିରେ ଚିରାଗ ପାସୱାନ ନିଖୋଜ ହେବା ଏବେ ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ।
ନୀତିଶ କୁମାର ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ସବୁ କିଛି ଠିକ୍ ଅଛି କି?
ଦଳୀୟ ନେତାଙ୍କ ମତରେ ଏହା କୌଣସି ନୂଆ କଥା ନୁହେଁ। ଏଲଜିପି(ରାମବିଳାସ)ର ରାଜ୍ୟ ସଭାପତି କହିଛନ୍ତି ଯେ ନୀତିଶ ଆସିବାବେଳେ ଚିରାଗ ପାସୱାନ ନ ଥିବା କେବଳ ମାତ୍ର ଏକ ସଂଯୋଗ। ଦଳର ଅନ୍ୟ ନେତାଙ୍କ ସହ ମୁଁ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ସ୍ୱାଗତ କରିଥିଲି। ନୀତିଶ କୁମାର ମଧ୍ୟ ରାମବିଳାସ ପାସୱାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାରଣ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଥିଲା ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାନୁଆରୀ ୧୪ ତାରିଖ ମଧ୍ୟାହ୍ନ ୧୨ଟାରେ ଆସିବେ। କିନ୍ତୁ ମୁଖ୍ୟମନ୍ତ୍ରୀ ଆଗୁଆ ପହଞ୍ଚିଥିଲେ। ଏହି କାରଣରୁ ଚିରାଗ ପାସୱାନଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା। ଏହି ଘଟଣା ପରେ ବିହାର ରାଜନୀତିରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି । ବିରୋଧୀ ଦଳ ନେତାମାନେ ନୀତିଶ କୁମାରଙ୍କୁ ଟାର୍ଗେଟ କରୁଛନ୍ତି।
Also readhttps://purvapaksa.com/los-angeles-fires-can-artificial-rain-stop-blazes-or-not-explained/
ଲସ୍ ଏଞ୍ଜଲସ୍ ନିଆଁ ଲିଭାଇବାକୁ ଆମେରିକା କାହିଁକି କରାଉନାହିଁ କୃତ୍ରିମ ବର୍ଷା ?
