‘ନ-ଅଙ୍କ ଦୁର୍ଭିକ୍ଷ’। ଶହେ ଷାଠିଏ ବର୍ଷ ତଳର ସେହି ଅନ୍ଧକାରାଚ୍ଛନ୍ନ ଓଡ଼ିଶା । ୧୮୬୬ ମସିହାର ଓଡ଼ିଶା ଦୁର୍ଭିକ୍ଷ, ଯାହାକୁ ‘ନ-ଅଙ୍କ ଦୁର୍ଭିକ୍ଷ’ ମଧ୍ୟ କୁହାଯାଏ, ଏକ ବିପର୍ଯ୍ୟୟପୂର୍ଣ୍ଣ ଘଟଣା କେବଳ ନଥିଲାଓଡିଶା ଇତିହାସରେ ଏକ କଳଙ୍କିତ ଘଟଣା ଥିଲା।। ଏଥିରେ ଓଡ଼ିଶାର ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ବା ଦଶ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏହା ମାଡ୍ରାସରୁ ବଙ୍ଗଳା ପର୍ଯ୍ୟନ୍ତ ଭାରତର ପୂର୍ବ ଉପକୂଳର ଏକ ବ୍ୟାପକ ଅଞ୍ଚଳକୁ ପ୍ରଭାବିତ କରିଥିଲା। ଦୁର୍ଭିକ୍ଷ ପ୍ରଭାବିତ ଅଞ୍ଚଳର କ୍ଷେତ୍ରଫଳ ଥିଲା ୧, ୮୦,୦୦୦ ବର୍ଗ ମାଇଲ୍ ଏବଂ ଜନସଂଖ୍ୟା ୪୮ କୋଟି।
ପ୍ରାକୃତିକ ବିପର୍ଯ୍ୟୟ, ଔପନିବେଶିକ ପ୍ରଶାସନିକ ବିଫଳତା ଏବଂ ଆର୍ଥିକ ସମସ୍ୟା ଦ୍ୱାରା ପରିଚାଳିତ ଏହା ଭାରତୀୟ ଇତିହାସର ସବୁଠାରୁ ମାରାତ୍ମକ ଦୁର୍ଭିକ୍ଷ ମଧ୍ୟରୁ ଗୋଟିଏ ଥିଲା। ୧୮୬୫ ମସିହାରେ ଖରାପ ମୌସୁମୀ କାରଣରୁ ସୃଷ୍ଟି ହୋଇଥିବା ଭୟଙ୍କର ମରୁଡ଼ି କାରଣରୁ ଆରମ୍ଭ ହୋଇଥିଲା ଏହି ଦୁର୍ଭିକ୍ଷ। ଓଡ଼ିଶାର ଜନସଂଖ୍ୟା ଯେହେତୁ ଶୀତକାଳୀନ ଧାନ ଫସଲ ଉପରେ ଅତ୍ୟଧିକ ନିର୍ଭର କରୁଥିଲା, ଏହାର ବିଫଳତା ତୀବ୍ର ଖାଦ୍ୟ ଅଭାବ ସୃଷ୍ଟି କରିଥିଲା। ଅକ୍ଟୋବର ୧୮୬୫ ସୁଦ୍ଧା, ଧାନ ଦୁର୍ଲଭ ଏବଂ ମହଙ୍ଗା ହୋଇଗଲା। କୃଷକମାନେ ସେମାନଙ୍କର ସାଧାରଣ ଉତ୍ପାଦନର ମାତ୍ର ଏକ ତୃତୀୟାଂଶ ଅମଳ କରି ପାରିଥିଲେ।
ବ୍ରିଟିଶ ଔପନିବେଶିକ କର୍ତ୍ତୃପକ୍ଷ, ବିଶେଷ କରି ବେଙ୍ଗଲ ବୋର୍ଡ ଅଫ୍ ରେଭେନ୍ୟୁ, ଏହି ସଙ୍କଟର ତୀବ୍ରତାକୁ କମ୍ ଆକଳନ କରିଥିଲେ। ଭୁଲ ରିପୋର୍ଟ ଏବଂ କାଳ୍ପନିକ ମୂଲ୍ୟ ତାଲିକା ଦ୍ୱାରା ବିଭ୍ରାନ୍ତ ହୋଇ, ସେମାନେ ମେ ୧୮୬୬ ପର୍ଯ୍ୟନ୍ତ ପରିସ୍ଥିତିର ଗମ୍ଭୀରତାକୁ ବୁଝିବାରେ ବିଫଳ ହୋଇଥିଲେ। ଯେତେବେଳେ ମୌସୁମୀ ଋତୁ ଆରମ୍ଭ ହେଲା , ରିଲିଫ କାର୍ଯ୍ୟ ଜଟିଳ ହୋଇ ପଡିଲା । ଓଡ଼ିଶାର କମିଶନର ଟି. ଇ. ରେଭେନ୍ସା ଏବଂ ବଙ୍ଗର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସିସିଲ ବିଡନଙ୍କ ପରି ପ୍ରମୁଖ ବ୍ୟକ୍ତିତ୍ୱ ସେମାନଙ୍କର ନିଷ୍କ୍ରିୟତା ପାଇଁ ଅବଶ୍ୟ ସମାଲୋଚିତ ହୋଇଥିଲେ। ପରେ କିନ୍ତୁ ରେଭେନ୍ସା ଭୁଲ ବିବେଚନା କରିଥିବା ସ୍ୱୀକାର କରିଥିଲେ। ଖାଦ୍ୟ ଅଭାବ ସତ୍ତ୍ୱେ ଓଡ଼ିଶା ବିପୁଳ ପରିମାଣର ଚାଉଳ (୧୮୬୬ ମସିହା ପର୍ଯ୍ୟନ୍ତ ବାର୍ଷିକ ପ୍ରାୟ ୨୦,୦୦୦ ଟନ୍) ରପ୍ତାନି ଜାରି ରଖିଥିଲା।
ଦୁର୍ଭିକ୍ଷ ସମୟରେ ଭାରତ ସମଗ୍ର ୨୦୦ ନିୟୁତ ପାଉଣ୍ଡରୁ ଅଧିକ ଚାଉଳ ରପ୍ତାନି କରିଥିଲା।ଏହା ଭାରତୀୟ ଜାତୀୟତାବାଦୀମାନଙ୍କୁ କ୍ରୋଧିତ କରିଥିଲା। ଦାଦାଭାଇ ନରୋଜୀଙ୍କ ଡ୍ରେନ୍ ସିଦ୍ଧାନ୍ତକୁ ଏହା ଇନ୍ଧନ ଯୋଗାଇଥିଲା। ସେହି ଥିଓରି ଯୁକ୍ତି କରିଥିଲା ଯେ ବ୍ରିଟିଶ ନୀତି ହିଁ ଭାରତ ଗରିବ ରହିବା ପଛରେ ମୁଖ୍ୟ କାରଣ।
ସେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ବନ୍ଦର କିମ୍ବା ପରିବହନ ନେଟୱାର୍କ ନଥିବା କାରଣରୁ ଓଡ଼ିଶା ବିଚ୍ଛିନ୍ନ ହୋଇ ପଡ଼ିଥିଲା ଏବଂ ସମୟୋଚିତ ଖାଦ୍ୟ ଆମଦାନୀରେ ବାଧା ସୃଷ୍ଟି କରିଥିଲା। ଜଳସେଚନ ବ୍ୟବସ୍ଥାର ଅଭାବ ଯୋଗୁଁ କୃଷି ସମ୍ପୂର୍ଣ୍ଣ ଭାବେ ମୌସୁମୀ ଉପରେ ନିର୍ଭରଶୀଳ ହୋଇଯାଇଥିଲା। ଅଧିକନ୍ତୁ, ସଙ୍କଟକୁ ପ୍ରଶାସକଙ୍କ ଲୋକଳୋଚନକୁ ଆଣିବା ପାଇଁ କୌଣସି ସ୍ଥାନୀୟ ଗଣମାଧ୍ୟମ ନଥିଲା।
ପୁରୀର ଜିଲ୍ଲାପାଳ ଜି. ଏନ୍. ବାର୍ଲୋଙ୍କ ପରି ଅଧିକାରୀଙ୍କ ଚେତାବନୀକୁ ଅଣଦେଖା କରାଯାଇଥିଲା। କୃଷି ବିକାଶ ପ୍ରତି ଇଷ୍ଟ ଇଣ୍ଡିଆ କମ୍ପାନୀର ଅବହେଳା, ଶୋଷଣକାରୀ ଜମି ରାଜସ୍ୱ ନୀତି ଏସବୁ ମିଶି ସଙ୍କଟକୁ ଆହୁରି ତୀବ୍ର କରିଥିଲା । ଦୁର୍ଭିକ୍ଷ ସମୟରେ ଜମିଦାରମାନେ ରାଜସ୍ୱ ସଂଗ୍ରହ କରିବାକୁ ସଂଘର୍ଷ କରିଥିଲେ କାରଣ କୃଷକମାନେ ଫସଲ ବିଫଳତା ହେତୁ ସେସ ଦେବାକୁ ଅସମର୍ଥ ନଥିଲେ।ଲୋକେ ବର୍ଦ୍ଧିତ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ। ଶିକ୍ଷା ଏବଂ ଯୋଗାଯୋଗର ଅଭାବ ସଚେତନତା ଏବଂ ପ୍ରତିକ୍ରିୟାକୁ ଆହୁରି ବିଳମ୍ବ କରିଥିଲା।
କେବଳ ଓଡ଼ିଶାରେ ପ୍ରାୟ ଦଶ ଲକ୍ଷ ଲୋକ ଅନାହାର, କଲେରା ଏବଂ ମ୍ୟାଲେରିଆ କାରଣରୁ ମୃତ୍ୟୁବରଣ କରିଥିଲେ। ମୌସୁମୀ ଯିବା ବେଳକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଥିଲା। ଏକ ଆକଳନ ଅନୁଯାୟୀ ଦୁର୍ଭିକ୍ଷ ପ୍ରଭାବିତ ସମଗ୍ର ଅଞ୍ଚଳରେ ଦୁଇ ବର୍ଷ ମଧ୍ୟରେ ୪ରୁ ୫ ନିୟୁତ ମୃତ୍ୟୁ ଘଟିଥିଲା (୧୮୬୬-୬୭)। କଲେରା ଏବଂ ଡ଼ିସେଣ୍ଟ୍ରି ପରି ମହାମାରୀ ମୃତ୍ୟୁହାରକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଥିଲା। ସରକାରୀ ଦୁର୍ଭିକ୍ଷ ରେକର୍ଡରେ ସମ୍ପୂର୍ଣ୍ଣ ଭାବରେ ଏହି ହିସାବ ପ୍ରତିଫଳିତ ହୋଇନଥିଲା ।
ସାମାଜିକ ପରିଣାମ ମଧ୍ୟରେ ଖାଦ୍ୟ ଦଙ୍ଗା, ଶସ୍ୟ ଭଣ୍ଡାର ଲୁଟ, ସଙ୍କଟଜନକ ସ୍ଥାନାନ୍ତରଣ, ଶିଶୁଙ୍କୁ ପରିତ୍ୟାଗ, ଏବଂ ଏପରିକି ଚରମ କ୍ଷେତ୍ରରେ ନରଖାଦକତାର ଘଟନାମାନ ଘଟିଥିଲା।| ଲୋକମାନେ ଦୁର୍ଭିକ୍ଷ ବେଳର ବିଷାକ୍ତ ଖାଦ୍ୟ ଖାଊଥିଲେ ଏବଂ ପୁରୀର ଜଗନ୍ନାଥ ମନ୍ଦିରରୁ ପବିତ୍ର ନୈବେଦ୍ୟ ଚୋରି କରିନେଉଥିଲେ।
ଏହି ଦୁର୍ଭିକ୍ଷ ଦୀର୍ଘକାଳୀନ ଆର୍ଥିକ ସଙ୍କଟ ଏବଂ ସାମାଜିକ ସ୍ଥାନଚ୍ୟୁତିର କାରଣ ହୋଇଥିଲା ଯାହାର ପ୍ରଭାବ ଦଶନ୍ଧି ଦଶନ୍ଧି ଧରି ରହିଥିଲା। ଏହା ଓଡ଼ିଶାରେ ୧୫୫୩ ଜଣ ଅନାଥ ଶିଶୁଙ୍କୁ ଛାଡ଼ି ଦେଇଥିଲା, ଯେଉଁମାନଙ୍କୁ ବ୍ରିଟିଶ ପ୍ରଶାସନ ଦ୍ୱାରା ଛୋଟ ମାସିକ ଷ୍ଟାଇପେଣ୍ଡ ଦ୍ଵାରା ଉଦ୍ଧାର କରା ଯାଇଥିଲା।
ନ- ଅଙ୍କ ଦୁର୍ଭିକ୍ଷ ଜାତି, ବର୍ଗ ଏବଂ ଲିଙ୍ଗଗତ ଅସମାନତାକୁ ମଧ୍ୟ ସାମନାକୁ ଆଣିଥିଲା। ଏଥିରେ ଅବହେଳିତ ଗୋଷ୍ଠୀ ଅଧିକ ପରିମାଣରେ ପୀଡ଼ିତ ହୋଇଥିଲେ । ଏହି ଦୁର୍ଭିକ୍ଷ ଭାରତୀୟ ଜାତୀୟତାବାଦୀମାନଙ୍କୁ ଉତ୍ସାହିତ କରିଥିଲା, ଯେଉଁମାନେ ବ୍ରିଟିଶ ନିଷ୍କ୍ରିୟତା ଏବଂ ଚାଉଳ ରପ୍ତାନୀକୁ ଔପନିବେଶିକ ଶୋଷଣର ପ୍ରମାଣ ଭାବରେ ଦେଖିଥିଲେ । ଦାଦାଭାଇ ନଓରୋଜୀ ଏହି ସଙ୍କଟକୁ ନିଜ ଡ୍ରେନ୍ ସିଦ୍ଧାନ୍ତକୁ ବିକଶିତ କରିବା ପାଇଁ ବ୍ୟବହାର କରିଥିଲେ ଏବଂ ଯୁକ୍ତି କରିଥିଲେ ଯେ ବ୍ରିଟେନ୍ ଭାରତର ଖର୍ଚ୍ଚରେ ନିଜକୁ ସମୃଦ୍ଧ କରିଛି। ଦୁର୍ଭିକ୍ଷ ଭାରତର ରାଜନୈତିକ ଚେତନାରେ ଏକ ଟର୍ନିଙ୍ଗ୍ ପଏଣ୍ଟ ଭାବରେ ଚିହ୍ନିତ ହୋଇଥିଲା। ଉପନିବେଶବାଦ ବିରୋଧୀ ଭାବନାକୁ ଇନ୍ଧନ ଯୋଗାଇବାରେ ଏହା ସାହାଯ୍ୟ କରିଥିଲା |
ସେହି ବର୍ଷ ବ୍ରିଟିଶମାନେ ୧୦,୦୦୦ଟନ୍ ଚାଉଳ ଆମଦାନୀ କରିଥିଲେ, କିନ୍ତୁ ଏହା ସେପ୍ଟେମ୍ବରରେ ଯାଇ ଓଡ଼ିଶାରେ ପହଞ୍ଚିଥିଲା। ସାମୂହିକ ମୃତ୍ୟୁକୁ ରୋକିବା ପାଇଁ ସେତେବେଳେ ବହୁତ ବିଳମ୍ବ ହୋଇଥିଲା। ପ୍ରବଳ ମୌସୁମୀ ବର୍ଷା ଏବଂ ବନ୍ୟା ବିତରଣରେ ବାଧା ସୃଷ୍ଟି କରିଥିଲା ଏବଂ ତଳିଆ ଅଞ୍ଚଳରେ ଫସଲ ବି ନଷ୍ଟ କରିଥିଲା। ୧୮୬୭ରେ, ସରକାର ୪୦,୦୦୦ଟନ୍ ଚାଉଳ ଆମଦାନୀ କରିଥିଲେ।ଆବଶ୍ୟକତା ଠାରୁ ବ୍ରିଟିଶ ଶାସକମାନେ ଅଧିକ ଆକଳନ କରିଥିଲେ । ୧୮୬୮ରେ ପ୍ରଚୁର ଅମଳ ହେବା ଯୋଗୁଁ ଦୁର୍ଭିକ୍ଷ ସମାପ୍ତ ହୋଇଥିଲା। ସେତେବେଅଳକୁ ଆମଦାନୀ ଚାଉଳ କେବଳ ଅଧା ବ୍ୟବହୃତ ହୋଇଥିଲା ।
୧୮୬୭ର ଦୁର୍ଭିକ୍ଷ ଆୟୋଗ ରିପୋର୍ଟ ପରିବହନ ଭିତ୍ତିଭୂମିର ଅଭାବକୁ ମୁଖ୍ୟ କାରଣ ବୋଲି ଦର୍ଶାଇଥିଲା। ଫଳସ୍ୱରୂପ, ବ୍ରିଟିଶମାନେ ଓଡ଼ିଶା ଉପକୂଳ କେନାଲ (୧୮୮୦-୧୮୮୮) ନିର୍ମାଣ କରିଥିଲେ, ଯାହା ବାଣିଜ୍ୟ ଏବଂ ଜଳସେଚନରେ ଉନ୍ନତି ଆଣିବା ପାଇଁ ସାହାଯ୍ୟ କରିଥିଲା। ୧୨୪ କିଲୋମିଟର ଜଳପଥ ଚାରାବାଟିଆକୁ ରସୁଲପୁର ସହିତ ସଂଯୋଗ କରିଥିଲା। ଭବିଷ୍ୟତର ଦୁର୍ଭିକ୍ଷକୁ ହ୍ରାସ କରିବା ପାଇଁ ସଡ଼କ, ରେଳ ଏବଂ ବନ୍ଦରକୁ ପ୍ରାଥମିକତା ଦେବା ପାଇଁ ବ୍ୟାପକ ପ୍ରୟାସର ଏହା ଅଂଶବିଶେଷ ଥିଲା।
ଦୁର୍ଭିକ୍ଷ କାରଣରୁ୧୮୮୦ରେ ଭାରତୀୟ ଦୁର୍ଭିକ୍ଷ ସଂହିତା ଲାଗୁ ହୋଇଥିଲା, ଯାହା ବିପର୍ଯ୍ୟୟ ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥିଲା। ଏହା ଔପନିବେଶିକ ଭାରତରେ ଆନୁଷ୍ଠାନିକ ରିଲିଫ୍ ପଦକ୍ଷେପର ଏହା ଥିଲା ଆରମ୍ଭ।
ନ-ଅଙ୍କ ଦୁର୍ଭିକ୍ଷ (ଗଜପତି ଦିବ୍ୟସିଂହଦେବଙ୍କ ନବମ ରାଜକୀୟ ବର୍ଷ ନାମରେ ନାମିତ) ଭାବରେ ଜଣାଶୁଣା, ଓଡ଼ିଶାରେ ଏକ ଗଭୀର ସାଂସ୍କୃତିକ କାଳିମା ଛାଡିଯାଇଥିଲା, ଯାହାକୁ ଫକୀର ମୋହନ ସେନାପତି ଏବଂ ଅନ୍ୟ ଲେଖକଙ୍କ ଦ୍ୱାରା ସାହିତ୍ୟରେ ସ୍ମରଣ କରାଯାଇଥିଲା । ୨୦୧୬ ମସିହାରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ଓଡ଼ିଶା ନ-ଅଙ୍କ ଦୁର୍ଭିକ୍ଷ ଉପରେ ଏକ ହଜାର ପୃଷ୍ଠାର ଏକ ପୁସ୍ତକ ପ୍ରକାଶ କରିଛି ଯେଉଁଥିରେ ସେତେବେଳର ସ୍କେଚ୍ ଏବଂ ଖବରକାଗଜ ରିପୋର୍ଟମାନ ସ୍ଥାନିତ ହୋଇଛି।
ଏହି ଦୁର୍ଭିକ୍ଷ କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନଥିଲା ବରଂ ଔପନିବେଶିକ ନୀତି ଜନିତ ଏକ ମନୁଷ୍ୟକୃତ ବିପର୍ଯ୍ୟୟ ଥିଲା। ଆଇରିସ ଆଳୁ ଦୁର୍ଭିକ୍ଷ ସମୟର ବିଶେଷଜ୍ଞ ସେସିଲ୍ ବିଡନ – ଯିଏ ଯୁକ୍ତି କରୁଥିଲେ ଯେ ସରକାରୀ ହସ୍ତକ୍ଷେପ ବଜାର ଶକ୍ତିକୁ ବ୍ୟାହତ କରିବ – ସେହି ଲାଇସେଜ୍-ଫେୟାର୍ ବା ମୁକ୍ତ ବଜାର ଅର୍ଥନୀତି ପ୍ରତି ବ୍ରିଟିଶମାନଙ୍କ ଅନ୍ଧ ଆନୁଗତ୍ୟ ହିଁ ଦୁର୍ଭିକ୍ଷ ସମୟର ରଣନୀତିର ବିଫଳତାର ବଡ କାରଣ ଥିଲା।
ମନଇଛା ଧାନ ରପ୍ତାନୀ , ପ୍ରଶାସନିକ ବିଳମ୍ବ ଓ ଠିକ ସମୟକୁ ହାତ ଟେକିଦେବା ଭଳି ଆଭିମୁଖ୍ୟ ଏକ ସାମାନ୍ୟ ମରୁଡ଼ିକୁ ବଡ ବିପର୍ଯ୍ୟୟରେ ପରିଣତ କରିଥିଲା। ଐତିହାସିକ ବିଦ୍ୟୁତ ମହାନ୍ତିଙ୍କ ଯୁକ୍ତି ହେଉଛି ଯେ ନ-ଅଙ୍କ ଦୁର୍ଭିକ୍ଷ ପଛରେ ଅନେକ ବୁନିଆଦି କାରଣ ଥିଲା ଯଥା : ଭୂମି ପଟ୍ଟା, ଜାତି ଉତ୍ପୀଡ଼ନ ଏବଂ ପିତୃପୁରୁଷ ଧରି ଚାଲି ଆସିଥିବା ବ୍ୟବସ୍ଥା । ଅମର୍ତ୍ତ୍ୟ ସେନଙ୍କ ଅଧିକାର ସିଦ୍ଧାନ୍ତ ବା ଏନଟାଇଟଲମେଣ୍ଟ ଥିଓରି ବି ଏହି କଥା କହେ ଯେ ଆର୍ଥିକ ଏବଂ ସାମାଜିକ ପ୍ରତିବନ୍ଧକ ହେତୁ ଅବହେଳିତ ଗୋଷ୍ଠୀଙ୍କ ପାଇଁ ଖାଦ୍ୟ ମିଳିବା ସମ୍ଭବ ନଥିଲା। ନ-ଅଙ୍କ ଦୁର୍ଭିକ୍ଷରେ ଅବହେଳିତ ଶ୍ରେଣୀ ହିଁ ଅଧିକ ମାତ୍ରାରେ ନିପାତ ହୋଇଯାଇଥିଲେ।
