ଓଡିଶା ସଚିବାଳୟ ସେବା ସଂଘର କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦୨୪ରେ ଯେଉଁ ନିର୍ବାଚନ ହେବାର ଥିଲା ତାହା ୨୦୨୫ରେ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ ୨ ବର୍ଷ ପାଇଁ ସଂଘର କର୍ମକର୍ତ୍ତା ଚୟନ ହୋଇଛନ୍ତି।
ନିର୍ବାଚନରେ ୯ଟି ପଦ ପାଇଁ ସର୍ବମୋଟ ୨୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଦ୍ୱିମୁଖୀ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ବିବେକାନନ୍ଦ ସାମଲ ସଭାପତି ନିର୍ବାଚିତ ହୋଇଥିବାବେଳେ ବିଜୟ ସ୍ୱରୂପ ପଣ୍ଡା ଓ ମାନସ ସୁତାର ଉପ ସଭାପତିଭାବେ ନିର୍ବାଚିତ ହୋଇଛନ୍ତି। ପ୍ରତ୍ୟୁଷ କୁମାର କଁଅର ସାଧାରଣ ସମ୍ପାଦକଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଚାରିଜଣ ସମ୍ପାଦକ ଭାବେ ଯଥା ସ୍ମିତା ପୃଷ୍ଟି, ନଳିନୀକାନ୍ତ ଶର୍ମା, ମୋନାଲି ସାହୁ ଓ ସଂଗ୍ରାମ ଖଟେଇ ନିର୍ବାଚିତ ହୋଇଛନ୍ତି। ସ୍ମିତା ସମାପ୍ତିକା ପଟ୍ଟନାୟକ ସମୀକ୍ଷକ ଭାବେ ନିର୍ବାଚିତ ହୋଇଛନ୍ତି।
ପ୍ରଥମ ଥର ପାଇଁ ଓଡିଶା ସଚିବାଳୟ ସେବା ସଂଘରେ ତିନି ଜଣ ମହିଳା କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଭାବେ ମନୋଜ କୁମାର ପଟ୍ଟନାୟକ ସାଥି ନିର୍ବାଚନ କମିଶନର ସୁରଜ କୁମାର ଯତି ଓ ବିକ୍ରମ କୁମାର ସାହୁଙ୍କୁ ଏହି ନିର୍ବାଚନ ପରିଚାଳନା କରିଥିଲେ।
ଇତି ମଧ୍ୟରେ ସଚିବାଳୟ ସେବା ସଂଘ ପରିଷରରେ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ଓଡ଼ିଶା ସଚିବାଳୟ ସେବାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ଏବଂ ନୂତନ କର୍ମକର୍ତ୍ତା ସଂଘକୁ ନୂଆ ସୋପାନକୁ ନେଇ ଯିବେ ବୋଲି ଆଶାବ୍ୟକ୍ତ କରିଥିଲେ।
