parasitic isopod: ପରଜୀବୀ ଆଇସୋପୋଡ୍ ସାମୁଦ୍ରିକ ଏବଂ ମୁହାଣମାଛମାନଙ୍କୁ ସଂକ୍ରମିତ କରି ସେମାନଙ୍କ ବୃଦ୍ଧିକୁ ପ୍ରଭାବିତ କରିଥାଏ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଗବେଷକମାନେ ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା (ଜେଡ୍ଏସ୍ଆଇ) ସହଯୋଗରେ ବାହାବଳପୁର ଓ ଗୋପାଳପୁର ଉପକୂଳରେ ଏକ ନୂଆ ପ୍ରଜାତିର ସାମୁଦ୍ରିକ ପରଜୀବୀ ଆଇସୋପୋଡ୍ ଆବିଷ୍କାର କରିଛନ୍ତି। ଏହାର ନାମକରଣ ‘ଲୋବୋଥୋରାକ୍ସ ଭାରତ’ ନାମରେ କରାଯାଇଛି। ଅନୁସନ୍ଧାନ ଜାତୀୟ ଗବେଷଣା ପ୍ରତିଷ୍ଠାନ ଆର୍ଥିକ ଅନୁଦାନରେ ବିଭାଗ ପକ୍ଷରୁ ଗବେଷଣା ଆରମ୍ଭ ହୋଇଥିଲା।
୨୦୨୩ ମାର୍ଚ୍ଚ ଏବଂ ମେ ମାସରେ ବାଲେଶ୍ୱରସ୍ଥିତ ବାହାବଲପୁର ଏବଂ ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରୁ ଏହି ପ୍ରଜାତିର ପରଜୀବୀ ଆଇସୋପୋଡ୍ ସଂଗ୍ରହ କରାଯାଇଥିଲା। ପରେ ଏହାକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ଗବେଷଣାଗାରରେ ବିଶ୍ଵବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଏବଂ ଗୋପାଳପୁରସ୍ଥିତ ଜେଡ଼ଏସଆଇର ମିଳିତ ତତ୍ତ୍ଵାବଧାନରେ ବିଭାଗର ଡ଼ ଜୟ କିଶୋର ସେଠ୍, ଗବେଷକ ସନ୍ଦୀପ କୁମାର ମହାପାତ୍ର, ସନ୍ମିତ୍ର ରୟ, ପୁନା ଜେଡ଼ଏସଆଇର ବୈଜ୍ଞାନିକ ଡ଼. ବାସୁଦେବ ତ୍ରିପାଠୀ, ଗୋପାଳପୁର ଜେଡ଼ଏସଆଇର ବୈଜ୍ଞାନିକ ଡ଼. ଅନୀଲ ମହାପାତ୍ର ପରୀକ୍ଷା ନିରୀକ୍ଷା କରିଥିଲେ। ଏଥିରୁ ୬ ପ୍ରକାରର ନମୁନା ସଂଗ୍ରହ କରାଯାଇଥିଲା।
ବିଶ୍ୱରେ ଏହାର ୩୮୦ଟି ପ୍ରଜାତି ରହିଥିବାବେଳେ ଭାରତରେ ୭୦ ପ୍ରକାର ଏବଂ ଓଡିଶାରେ ପ୍ରାୟ ୨୫ ପ୍ରକାର ଆଇସୋପୋଡ୍ ଦେଖାଯାଇଥାଆନ୍ତି। ଏହା ଏକ ଭିନ୍ନ ଓ ନୂତନ ପ୍ରଜାତିର ବୋଲି ଜଣାପଡିଛି। ଏମାନେ ସମୁଦ୍ରର ମଧ୍ୟମ ସ୍ତରରେ ଏବଂ ଲୁଣି ଅଂଶ ଜଳରେ ରହିଥାନ୍ତି। ସମୁଦ୍ରରେ ଥିବା ଶାବଳା ମାଛର ପାଟି ଭାଗରେ ରହି ମାଛ ଖାଉଥିଵା ଖାଦ୍ୟ ଏବଂ ମାଛର ରକ୍ତ ଏବଂ ଟିସୁ ଓ ମାଂସକୁ ଖାଦ୍ୟ ଭାବେ ବ୍ୟବହାର କରନ୍ତି। ଏମାନଙ୍କ ମୁଣ୍ଡ ଅର୍ଦ୍ଧ ଗୋଲାକାର, ୨ଟି ଆଖି, ୭ ହଳ ଗୋଡ଼ ଓ ବାଘ ନଖ ଭଳି ନଖ ରହିଥିବାରୁ ସେମାନେ ଜାବୁଡି ଧରି ରହି ପାରନ୍ତି। ପହଁରିଵା ପାଇଁ ୫ ହଳ ଗୋଡ଼ ବ୍ୟବହାର କରନ୍ତି।
ପୁରୁଷ ପ୍ରଜାତିର ଲମ୍ବ ପ୍ରାୟ ୧.୫ ସେଣ୍ଟିମିଟର ଏବଂ ମହିଳା ପ୍ରଜାତିର ଲମ୍ବ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ରହିଥାଏ। ଏହି ଜୀବଗୁଡ଼ିକ ଅମେରୁଦଣ୍ଡୀ। ଏମାନେ ସ୍ତର ସ୍ତର ଖୋଳପାରେ ରହିଥିବାରୁ ମାଛ ମାନେ ଖାଇ ପାରନ୍ତି ନାହିଁ। ଏମାନଙ୍କୁ ମଣିଷ ଖାଆନ୍ତି ନାହିଁ। ବିଷାକ୍ତ ମଧ୍ୟ ନୁହନ୍ତି। ଏମାନଙ୍କ ପଛ ଭାଗ ଅର୍ଦ୍ଧ ଗୋଲାଗାର। ଏମାନଙ୍କ ରଙ୍ଗ କ୍ରିମି ଧଳା ରଙ୍ଗ ଭଳି। ଡ଼ିଏନଏ ପରୀକ୍ଷାରେ ପୂର୍ବରୁ ମିଳିଥିବା ଏହି ପ୍ରଜାତିର ପରଜୀବୀଠାରୁ ଶତକଡା ୩ ଭାଗ ଭିନ୍ନତା ରହିଛି। ଏହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପରେ ଶୁକ୍ରବାର ଜୋନାଲ ଜୁଟାକ୍ସାରେ ପ୍ରକାଶିତ ହୋଇଥିବା ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଡ଼. ଜୟ କିଶୋର ସେଠ୍ ସୂଚନା ଦେଇଛନ୍ତି।
ଲୋବୋଥୋରାକ୍ସ ଭାରତ ନାମକ ଏହି ପ୍ରଜାତି ସାଇମୋଥୋଇଡା ପରିବାରର ଅଟେ । ପରଜୀବୀ ଆଇସୋପୋଡ୍ ସାମୁଦ୍ରିକ ଏବଂ ମୁହାଣମାଛମାନଙ୍କୁ ସଂକ୍ରମିତ କରି ସେମାନଙ୍କ ବୃଦ୍ଧିକୁ ପ୍ରଭାବିତ କରିଥାଏ, ଯାହା ପରିବର୍ତ୍ତେ ଜଳଚାଷ ଶିଳ୍ପ ଏବଂ ସେମାନଙ୍କର ଉତ୍ପାଦକତାକୁ ପ୍ରଭାବିତ କରିଥାଏ । ଜୈବ ବିବିଧତା ସଂରକ୍ଷଣ, ଇକୋସିଷ୍ଟମ ପରିଚାଳନା ଏବଂ ଉନ୍ନତ ଜଳଚାଷ ଅଭ୍ୟାସ ପାଇଁ ପରଜୀବୀ ଆଇସୋପୋଡର ଜୀବବିଜ୍ଞାନ ଗୁରୁତ୍ୱପୂର୍ଣ୍ଣ | ଏହି ନୂତନ ପ୍ରଜାତିର ଆବିଷ୍କାର ଏକ ପ୍ରମୁଖ ବର୍ଗୀକରଣ ପତ୍ରିକା ଜୁଟାକ୍ସାରେ ପ୍ରକାଶ ପାଇଛି।
previous article:https://purvapaksa.com/chemotherapy-will-be-available-in-every-district-treatment/
