ଶପଥପାଠ କରାଇଲେ ହାଇକୋର୍ଟ ମୁଖ୍ୟବିଚାରପତି
ଓଡ଼ିଶାର ୨୭ତମ ରାଜ୍ୟପାଳଭାବେ ଡକ୍ଟର କମ୍ଭମପତି ହରିବାକୁ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂଆ ଅଭିଷେକ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରନ୍ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ଥିଲେ। ଏହାଛଡ଼ା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଏଥିରେ ଉପସ୍ଥିତ ଥିଲେ।
ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ। ସନ୍ଧ୍ୟାରେ କମ୍ଭମପତି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ମା’ ବିମଳା, ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ପ୍ରାୟ ୪୫ ମିନିଟ୍ ଧରି ଶ୍ରୀମନ୍ଦିର ଭିତରେ ସେ ରହିଥିଲେ ଓ ମହାପ୍ରସାଦ ସେବନ କରି ଫେରିଥିଲେ। ସିଂହଦ୍ୱାରରେ ପହଞ୍ଚିବା
ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଲାଗିଖଣ୍ଡୁଆ ଦେଇ ସ୍ୱାଗତ କରାଯାଇଥିଲା। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ସୋମନାଥ ଖୁଣ୍ଟିଆ ଓ ଅନ୍ୟମାନେ ଲାଗିଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଥିଲେ। ଦର୍ଶନ ସାରି ଫେରିବା ପରେ ଜୟ ଜଗନ୍ନାଥ କହି ଭାବବିହ୍ୱଳ ହୋଇ ପଡ଼ିଥିଲେ ନୂଆ ରାଜ୍ୟପାଳ। ରଘୁବର ଦାସ ଇସ୍ତଫା ଦେବା ପରେ ଗତ ଡିସେମ୍ବର ୨୪ ତାରିଖରେ କାମ୍ଭମପତିଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।
ଶିକ୍ଷାକ୍ଷେତ୍ରରୁ ରାଜନୀତି ପର୍ଯ୍ୟନ୍ତ ଯାତ୍ରା
୧୯୫୩ ମସିହାରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା କାମ୍ଭମପତି ରାଜନୀତିରେ ଲମ୍ବା କ୍ୟାରିୟର ରଖିଛନ୍ତି। ତାଙ୍କର ରାଜନୈତିକ ଯାତ୍ରା ତାଙ୍କ ବିଶ୍ୱବିଦ୍ୟାଳୟ ଜୀବନରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ସେ ୧୯୭୨ ରେ ଜୟ ଆନ୍ଧ୍ର ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ୧୯୭୦ ଦଶକର ମଧ୍ୟଭାଗରେ ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କୁ ୬ ମାସ ଜେଲରେ ମଧ୍ୟ ରଖାଯାଇଥିଲା ।
ବୃତ୍ତିରେ ଜଣେ ଶିକ୍ଷାବିତ୍ କାମ୍ଭମପତି ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂରେ ବିଟେକ୍ ଏବଂ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଛନ୍ତି। ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ କଲେଜରେ ଆସୋସିଏଟ୍ ପ୍ରଫେସର ଭାବରେ ଶିକ୍ଷାକ୍ଷେତ୍ରକୁ ୨୪ ବର୍ଷ ଉତ୍ସର୍ଗ କରିଥିଲେ ଯେଉଁଠାରେ ସେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ । ୧୯୭୭ମସିହାରେ ସେ ଜନତା ଦଳରେ ଯୋଗଦେବା ପରେ ରାଜନୀତି ସହ ତାଙ୍କର ସମ୍ପର୍କ ପୁନର୍ବାର ଆରମ୍ଭ ହୋଇଥିଲା। ୧୯୭୮ ବେଳକୁ ସେ ଆନ୍ଧ୍ରପ୍ରଦେଶରେ ଏହାର ଯୁବ ଶାଖାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।
ପରବର୍ତ୍ତୀ ସମୟରେ ସେ ଆନ୍ଧ୍ରପ୍ରଦେଶରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଧାରଣ ସମ୍ପାଦକ ହୋଇଥିଲେ, ଯାହା କି ସେ ୧୯୯୩ରୁ ଏକ ଦଶନ୍ଧି ଧରି ଏହି ପଦରେ ରହିଥିଲେ । ୧୯୯୯ରେ ସେ ବିଶାଖାପାଟଣା-୧ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କୁ ୨୦୦୫ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଥିଲା ଏବଂ ୨୦୧୪ରୁ ୨୦୧୮ ମଧ୍ୟରେ ଆନ୍ଧ୍ରପ୍ରଦେଶ ବିଜେପିର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସାଂସଦ ଭାବେ କାମ୍ଭମପତି ବିଭିନ୍ନ ସଂସଦୀୟ କମିଟିରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ।
previous article:https://purvapaksa.com/agri-odisha-fair-begins-today/
