ନବୀନ ପଟ୍ଟନାୟକଙ୍କ ରାଜନୀତିରେ ‘ଅଗଲ-ବଗଲ’ ଶବ୍ଦଟି ଏବେ ବଡ଼ ଚର୍ଚ୍ଚାର ବିଷୟ। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ବହିଷ୍କାର ପରେ ଶୃଙ୍ଖଳାର ପାଠ ପଢ଼ାଉଥିବା ନବୀନଙ୍କ ପୁରୁଣା ଇତିହାସ କିନ୍ତୁ କିଛି ଅଲଗା କାହାଣୀ କହୁଛି। ଦୁର୍ନୀତି ଓ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ନେତାଙ୍କୁ କୋଳେଇ ନେବା ଏବଂ ପ୍ରଭାବଶାଳୀ ନେତାଙ୍କୁ ଦଳରୁ ବିଦା କରିବା କ’ଣ ନବୀନଙ୍କ ପ୍ରକୃତ ସ୍ୱଚ୍ଛତା? ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିଜକୁ ଏକ ‘ସ୍ୱଚ୍ଛ ଭାବମୂର୍ତ୍ତି’ର ନେତା ଭାବେ ଉପସ୍ଥାପିତ କରିଆସିଛନ୍ତି। ଯେତେବେଳେ ବି ଦଳରେ କୌଣସି ବିଶୃଙ୍ଖଳା କିମ୍ବା କନ୍ଦଳ ଦେଖାଦେଇଛି, ସେ ‘ଅଗଲ-ବଗଲ’ ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଅସ୍ତ୍ର ପ୍ରୟୋଗ କରିଛନ୍ତି। କିନ୍ତୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରିବା ପରେ ନବୀନଙ୍କ ଯେଉଁ ବୟାନ ଆସିଛି, ତାହା ତାଙ୍କର ଦୋମୁହାଁ ଚରିତ୍ରକୁ ପଦାରେ ପକାଇ ଦେଇଛି। ପ୍ରଶ୍ନ ଉଠୁଛି, ନବୀନଙ୍କ ପାଇଁ ଶୃଙ୍ଖଳାର ପରିଭାଷା କ’ଣ? କ’ଣ ପାଇଁ କିଛି ନେତାଙ୍କ ଦୋଷ କ୍ଷମ୍ୟ ହେଉଥିବାବେଳେ ଅନ୍ୟମାନଙ୍କ ପାଇଁ ବହିଷ୍କାର ହିଁ ଏକମାତ୍ର ପନ୍ଥା ସାଜୁଛି?

ରାଜନୀତିରେ କଥା ଓ କାମ ଯେତେବେଳେ ଏକାଠି ଚାଲେ, ସେତେବେଳେ ନେତୃତ୍ୱ ଉପରେ ଆସ୍ଥା ଦୃଢ଼ ହୋଇଥାଏ। କିନ୍ତୁ କଥା ଯଦି ଗୋଟିଏ ପ୍ରକାରର ଓ କାମ ଯଦି ତାହା ନ ହୋଇ ସମ୍ପୂର୍ଣ୍ଣ ଭିନ୍ନ ହୁଏ, ସେତେବେଳେ କେବଳ ସେହି ନେତୃତ୍ୱ ନୁହେଁ- ବିଶ୍ୱାସ ନିଜେ ପ୍ରଶ୍ନର ସାମ୍ନାକୁ ଆସିଯାଏ। ନବୀନଙ୍କ କଥା ସରଳ- “ଦଳରେ ଯେଉଁମାନେ ଅଗଲ ବଗଲ କରନ୍ତି, ମୁଁ ସେମାନଙ୍କୁ ଦଳରୁ ବହିଷ୍କାର କରେ।” କଥାଟି ଶୁଣିବାକୁ ନୀତିମୟ ଭଳି ଲାଗୁଛି। କିନ୍ତୁ ଗତ ୨୮ ବର୍ଷର ବିଜେଡି ରାଜନୀତିର ଘଟଣାଗୁଡ଼ିକୁ ଯଦି ଏକାଠି କରି ଦେଖାଯାଏ, ତେବେ ଏହି କଥା ନିଜେ ନିଜର ପ୍ରତିବାଦକ ହୋଇଯାଏ।
ନୀତି, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ
ବିଜୁ ଜନତା ଦଳ ଗଠନ ହେବା ଦିନରୁ ନବୀନ ପଟ୍ଟନାୟକଙ୍କ ଛବି ଗଢ଼ାଯାଇଛି- “କ୍ଲିନ୍ ଇମେଜ୍”, “ନୀରବ କିନ୍ତୁ କଠୋର”, “ଦୁର୍ନୀତିରେ ଶୂନ୍ୟ ସହିଷ୍ଣୁତା”। ଏହି ଛବିକୁ ସେ ନିଜେ ବାରମ୍ବାର ଉଚ୍ଚାରଣ କରିଛନ୍ତି, ମଞ୍ଚରେ, ସାକ୍ଷାତ୍କାରରେ ଓ ବୟାନରେ। କିନ୍ତୁ ଏହି ନୀତି କ’ଣ ସମସ୍ତଙ୍କ ପାଇଁ ସମାନ? ପ୍ରଭାବଶାଳୀ ନେତାଙ୍କ ମାମଲାରେ ଯେଉଁଠି ନୀତି ନରମ ହୋଇଯାଏ, ସେଇଠି କମ୍ ପ୍ରଭାବଶାଳୀ ନେତାଙ୍କ ପାଇଁ ସେଇ ନୀତି ହଠାତ୍ ତୀକ୍ଷ୍ଣ ହୋଇଯାଏ। ବିଜେଡି ଓ ନବୀନ ପଟ୍ଟନାୟକଙ୍କର ଏହି ଦୋମୁହାଁ ପ୍ରୟୋଗ ହେଉଛି ଆଜିର ସବୁଠୁ ବଡ଼ ପ୍ରଶ୍ନ।
ଛାୟା ଦୁର୍ନୀତି: ମନ୍ତ୍ରୀ ହଟିଲେ, କିନ୍ତୁ ଦଳ ଛାଡ଼ିଲେ ନାହିଁ
ନବୀନ ସରକାରର ପ୍ରାରମ୍ଭିକ ଦିନରେ ଛାୟା ଦୁର୍ନୀତି ଅଭିଯୋଗ ଆସିଥିଲା ନଳିନୀ ମହାନ୍ତି, ଡା. କମଳା ଦାସ ଓ ପ୍ରଶାନ୍ତ ନନ୍ଦଙ୍କ ନାମରେ। ଏହି ଅଭିଯୋଗରେ ସେମାନେ ମନ୍ତ୍ରିମଣ୍ଡଳରୁ ବିଦା ହେଲେ। ଏହାକୁ ନବୀନଙ୍କ “କଠୋରତା”ର ଉଦାହରଣ ଭାବେ ପ୍ରଚାର କରାଗଲା। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି- ଏହି ଅଭିଯୋଗଗୁଡ଼ିକ ଆଜି ପର୍ଯ୍ୟନ୍ତ କେଉଁଠି ପ୍ରମାଣିତ ହେଲା କି? ଅଦାଲତରେ, ତଦନ୍ତରେ, କିମ୍ବା ନ୍ୟାୟିକ ପ୍ରକ୍ରିୟାରେ? ଉତ୍ତର- ପ୍ରମାଣିତ ହୋଇପାରିଲା ନାହିଁ। ଅଧିକ ଆଶ୍ଚର୍ଯ୍ୟର କଥା, ଯେଉଁ ପ୍ରଶାନ୍ତ ନନ୍ଦଙ୍କୁ ଛାୟା ଦୁର୍ନୀତିରେ ମନ୍ତ୍ରିପଦରୁ ବିଦା କରାଯାଇଥିଲା, ସେଇ ପ୍ରଶାନ୍ତ ନନ୍ଦଙ୍କୁ ପରେ ଦଳରେ ନେଇ ରାଜ୍ୟସଭାକୁ ପଠାଯାଇଥିଲା। ଯଦି ସେ ଅଗଲ ବଗଲ କରିଥିଲେ, ତେବେ ସେ କିପରି ସମ୍ମାନିତ ସାଂସଦ ହେଲେ? ଆଉ ଯଦି ସେ ନିର୍ଦ୍ଦୋଷ, ତେବେ ମନ୍ତ୍ରୀପଦ ହରାଇଥିଲେ କାହିଁକି? ଏହାର ଉତ୍ତର ଏ ପର୍ଯ୍ୟନ୍ତ ନବୀନଙ୍କ ମୁହଁରୁ ଶୁଣାଯାଇନାହିଁ।
ବିଷ୍ଣୁ ଦାସଙ୍କ ବିରୋଧରେ ଅଭିଯୋଗ ଥିଲା, ଦଳ ଥିଲା

ଜଗତସିଂପୁରର ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ମାମଲା ଆଉ ଗୋଟିଏ ଉଦାହରଣ। ମନ୍ତ୍ରୀ ଥିବାବେଳେ ତାଙ୍କ ପୁଅଙ୍କ ମାଟ୍ରିକ ପରୀକ୍ଷାରେ ନମ୍ବର ବଢ଼ାଇବା ଅଭିଯୋଗ ହେଲା। ଏହା ସାଧାରଣ ଅପରାଧ ନୁହେଁ- ଏହା ଶିକ୍ଷା ବ୍ୟବସ୍ଥାର ଉପରେ ସିଧା ଆକ୍ରମଣ। ଫଳ? ସେ ମନ୍ତ୍ରୀପଦ ହରାଇଲେ। କିନ୍ତୁ ଦଳରୁ ବିଦା ହେଲେ ନାହିଁ। ଏହାଠାରୁ ଅଧିକ ଆଶ୍ଚର୍ଯ୍ୟ- ତାଙ୍କ ପରଲୋକ ପରେ, ସେଇ ପୁଅକୁ, ଯାହାଙ୍କ ନାମରେ ଜାଲିଆତିର ଅଭିଯୋଗ ଥିଲା, ଦଳୀୟ ଟିକଟ ଦିଆଗଲା। ଏହା କ’ଣ ନୀତି? ନା କେବଳ ସୁବିଧାନୁସାରେ ନୀତି? ଏ ବାବଦରେ ନବୀନ ବି ନିରବ।
ପ୍ରମିଳା ମଲ୍ଲିକ: ଦୁର୍ନୀତିରୁ କମିଟି ପର୍ଯ୍ୟନ୍ତ

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବାବେଳେ ପ୍ରମିଳା ମଲ୍ଲିକଙ୍କ ନାମରେ ମିଡ୍–ଡେ–ମିଲ ପାଇଁ ଯୋଗାଇ ଦିଆଯାଉଥିବା ଡାଲି ଦୁର୍ନୀତିର ଅଭିଯୋଗ ଆସିଥିଲା। ଏହି ଦୁର୍ନୀତି ୭ଶହ କୋଟିର ବୋଲି ଜଣାପଡ଼ିଥିଲା। ଏହା ଗରିବ ପିଲାଙ୍କ ଖାଦ୍ୟ ସହିତ ଜଡ଼ିତ ମାମଲା- ନୀତିଗତ ଭାବେ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଥିଲା। ଏହି ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ହେଲା। ନବୀନ କ’ଣ ପ୍ରମିଳା ମଲ୍ଲିକଙ୍କୁ ଦଳରୁ ବହିଷ୍କାର କଲେ? ଉତ୍ତର – ନା। ବରଂ ଆଜି ସେ ଦଳର ସବୁଠୁ କ୍ଷମତାଶାଳୀ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ। ଏହାକୁ କ’ଣ କହିବେ- ସୁଧାର? ନା ପୁରସ୍କାର? ନାଁ ଦୁର୍ନୀତିକୁ ସମର୍ଥନ। ନବୀନଙ୍କ କହିବା ଅନୁସାରେ ବୋଧହୁଏ ଏହା ଅଗଲ ବଗଲ ନ ଥିଲା।
ଦିବ୍ୟଶଙ୍କର ମିଶ୍ର: ଅଭିଯୋଗ ଥିଲା, ଦୟା ମିଳିଲା

କଳାହାଣ୍ଡିର ଜିଲ୍ଲାର ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ମମିତା ମେହେର ହତ୍ୟାକାଣ୍ଡ ସଂପର୍କିତ ଚର୍ଚ୍ଚାରେ ଆସିଲା। ପଶ୍ଚିମ ଓଡ଼ିଶାରେ ଦଳ ଭୟଙ୍କର ଭାବେ ବଦନାମ ହେଲା। ଏପରି ଘଟଣାରେ ଯଦି ନବୀନଙ୍କ ନୀତି ଯଦି ସତ୍ୟ ଥାଆନ୍ତା, ତେବେ ଦିବ୍ୟଶଙ୍କର ଦଳରୁ ବହିଷ୍କାର ହେବା ଉଚିତ ଥିଲା। କିନ୍ତୁ ସେହିପରି କିଛି ହେଲା ନାହିଁ। ଏବେ ସେ ଦଳର ତଥା ନବୀନ ନିବାସର ଜଣେ ଆଗଧାଡ଼ିର ବିଶ୍ୱସ୍ତ ନେତା।
ପ୍ରତାପ ଜେନା: ଟ୍ରିପଲ ମର୍ଡର ଓ ଉପସଭାପତି
/odishatv/media/post_attachments/uploadimage/library/16_9/16_9_0/Pratap-Jena_1617768002.jpg)
ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ନାମରେ ଟ୍ରିପଲ ମର୍ଡର ଭଳି ସଙ୍ଗୀନ ଅଭିଯୋଗ ରହିଛି। ଏହା ସାଧାରଣ ଅଗଲବଗଲ ନୁହେଁ- ଏହା ଅତ୍ୟନ୍ତ ଗମ୍ଭୀର ଆପରାଧିକ ମାମଲା। ନବୀନ କ’ଣ କଲେ? ତାଙ୍କୁ ଦଳରୁ ବହିଷ୍କାର କଲେ? ଉତ୍ତର- ନା। ବରଂ ଦଳର ବରିଷ୍ଠ ଉପସଭାପତି କରି ନିଜ ପାଖରେ ରଖିଲେ। ଏହି ନିଷ୍ପତ୍ତି ନବୀନଙ୍କ ବୟାନକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରେ।
ବିକ୍ରମ ପଣ୍ଡା: ଜେଲରେ, କିନ୍ତୁ ପଦରେ ଅଛନ୍ତି

ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଓକିଲ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ତିନିମାସ ହେଲା ଜେଲରେ ଅଛନ୍ତି। ଏପରି ପରିସ୍ଥିତିରେ ନବୀନ କ’ଣ ତାଙ୍କୁ ଜିଲ୍ଲା ସଭାପତି ପଦରୁ ମୁକ୍ତ କରିଛନ୍ତି? ଉତ୍ତର- ନା। ଏହା କ’ଣ ଦଳୀୟ ଶୃଙ୍ଖଳା? ନା କେବଳ ରାଜନୈତିକ ସୁବିଧାର କଥା?
ଅରବିନ୍ଦ ମହାପାତ୍ର: କାହିଁକି ଏକା?

ଏହି ସମସ୍ତ ଉଦାହରଣ ପରେ ପ୍ରଶ୍ନ ଉଠେ- ତେବେ ଅରବିନ୍ଦ ମହାପାତ୍ର କାହିଁକି? ସେ କ’ଣ ସବୁଠୁ ବଡ଼ ଅଗଲବଗଲ କରିଥିଲେ? ନା ସେ ପ୍ରଭାବଶାଳୀ ନୁହେଁ ବୋଲି ସହଜ ଲକ୍ଷ୍ୟ? ଏଠି ନବୀନଙ୍କ ଦୋମୁହାଁ ଚରିତ୍ର ସବୁଠୁ ସ୍ପଷ୍ଟ ହୋଇଯାଏ।
ନବୀନ କ’ଣ ସଖୀ କଣ୍ଢେଇ?
ଉପରୋକ୍ତ ଘଟଣାବଳୀରୁ ଏହା ସ୍ପଷ୍ଟ ଯେ, ନବୀନଙ୍କ କଥା ଓ କାମ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। ସେ ନିଜ ବିବେକ ଅନୁସାରେ ନୁହେଁ, ବରଂ କୌଣସି ଅଦୃଶ୍ୟ ଶକ୍ତି ବା ‘କୋଟେରୀ’ ଦ୍ୱାରା ପରିଚାଳିତ ହେଉଛନ୍ତି। ଯେଉଁ ନେତାମାନେ ଦଳ ପାଇଁ ବିପଦ କିମ୍ବା ନବୀନଙ୍କ ପାରିପାର୍ଶ୍ୱିକ ଗୋଷ୍ଠୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି, ସେମାନଙ୍କୁ ‘ଅଗଲ-ବଗଲ’ କହି ବିଦା କରାଯାଉଛି। କିନ୍ତୁ ଯେଉଁମାନେ ନିଜର ଅପରାଧିକ ସାମ୍ରାଜ୍ୟ ଚଲାଇ ଦଳର ଅନ୍ଧ ଅନୁଗତ ହୋଇ ରହୁଛନ୍ତି, ସେମାନଙ୍କୁ ସୁରକ୍ଷା କବଚ ମିଳୁଛି। ଓଡ଼ିଶାବାସୀ ଏବେ ବୁଝିଲେଣି ଯେ ନବୀନଙ୍କ ‘କ୍ଲିନ୍ ଇମେଜ୍’ କେବଳ ଏକ ବଡ଼ ବିଜ୍ଞାପନ। ବାସ୍ତବରେ ଦଳରେ ଗୁଣ୍ଡାଗର୍ଦ୍ଦି ଏବଂ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଇଛି। ଯଦି ଆଜି ଅରବିନ୍ଦ ମହାପାତ୍ରଙ୍କ ଭଳି ନେତାଙ୍କୁ ବହିଷ୍କାର କରାଯାଉଛି, ତେବେ ପ୍ରମିଳା ମଲ୍ଲିକ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା କିମ୍ବା ବିକ୍ରମ ପଣ୍ଡାଙ୍କ ପାଇଁ ନିୟମ ଅଲଗା କାହିଁକି? ଏହି ଦୋମୁହାଁ ନୀତି ହିଁ ବିଜେଡିର ପତନର କାରଣ ସାଜିବ। ନବୀନ ପଟ୍ଟନାୟକଙ୍କ ଗତକାଲିର ବୟାନ ଆଜି ତାଙ୍କର ଦୀର୍ଘ ଶାସନକାଳର ଏକ ଆଇନା। ଏହି ଆଇନାରେ ଯାହା ଦେଖାଯାଉଛି, ସେହିଟା ହେଉଛି- ଦୋମୁହାଁ ଚରିତ୍ର।
also read https://purvapaksa.com/this-black-hole-will-swallow-the-earth/
This black hole will swallow the Earth ।। ପୃଥିବୀକୁ ଗିଳି ଦେବ ଏହି କଳା ଗର୍ତ୍ତ , ବିରଳ ଘଟଣା କେବେ ଘଟିବ ?


