ନୂଆପଡ଼ା ଉପନିର୍ବାଚନ ମଞ୍ଚରେ ନବୀନ ପଟ୍ଟନାୟକଙ୍କ ଭାଷଣରେ “ବେଇମାନ” ଶବ୍ଦ ଯେତେବେଳେ ଚମକି ଉଠିଲା, ଓଡ଼ିଶାର ରାଜନୀତି ମଞ୍ଚରେ ଏକ ଅଦୃଶ୍ୟ ଚିନ୍ତାଧାରା ପ୍ରକାଶ ପାଇଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଲକ୍ଷ୍ୟ କରି ଯେତେବେଳେ ସେ ଏହି ଶବ୍ଦ ବ୍ୟବହାର କଲେ, ସେତେବେଳେ ସେଠାରେ ଉପସ୍ଥିତ ତଥା ଓଡ଼ିଶାର ରାଜନୈତିକ ସଚେତନ ଲୋକମାନେ ଆପେ-ଆପେ ପ୍ରଶ୍ନ କଲେ-“ବେଇମାନ କିଏ?”
ଯିଏ ୨୫ ବର୍ଷ ଧରି ଓଡ଼ିଶା ଶାସନ କରିଛନ୍ତି, ସେ ନିଜ ଗୁରୁ, ସହଯୋଗୀ, ମିତ୍ର ଏପର୍ଯ୍ୟନ୍ତ ଦଳୀୟ ପରିବାର ସହିତ ବିଶ୍ୱାସ ଭଙ୍ଗର ଅଭିଯୋଗରେ ଘେରିଛନ୍ତି। ତେଣୁ ଏହି ଶବ୍ଦ ନବୀନଙ୍କ ମୁଖରୁ ଆସିବାମାତ୍ରେ ରାଜନୀତି ମଧ୍ୟରେ ଅନେକ ପୁରୁଣା ଅଧ୍ୟାୟ ପୁଣି ମନକୁ ଆସିଛି।
ବିଜୟ ମହାପାତ୍ର: ଯିଏ ଆଣିଲେ, ସେ ହେଲେ ପ୍ରଥମ ଶିକାର
/odishatv/media/post_attachments/uploadimage/library/16_9/16_9_0/Bijoy-Naveen-pic1-1_1623321122.jpg)
ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଯେତେବେଳେ ବିଜୁଙ୍କ ରାଜନୀତିକ ଉତ୍ତରାଧିକାରୀ ଖୋଜାଯାଉଥିଲା, ସେତେବେଳେ ବିଜୟ ମହାପାତ୍ରଙ୍କ ସମେତ ଅନେକ ବରିଷ୍ଠ ନେତା ଯେଉଁମାନେ କି ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ, ସେମାନେ ନବୀନଙ୍କୁ ରାଜନୀତିରେ ଆଣିଥିଲେ। ନବୀନ ଯେତେବେଳେ ଓଡ଼ିଆ ଭାଷା ଜାଣିନଥିଲେ, ସେତେବେଳେ ବିଜୟ ମହାପାତ୍ର ତାଙ୍କୁ ଲୋକମାନଙ୍କ ମଧ୍ୟରେ ଗ୍ରହଣୀୟ କରିଥିଲେ।
କିନ୍ତୁ ଶାସନ କ୍ଷମତାର ଶକ୍ତି ହାତମୁଠାକୁ ଆସିଲାପରେ, ନବୀନ ପ୍ରଥମେ ଯାହାକୁ ଦୂର କଲେ ସେ ହେଲେ ସେହି ବିଜୟ ମହାପାତ୍ର। ୨୦୦୦ ମସିହା ନିର୍ବାଚନର ଏପରି ସମୟରେ ତାଙ୍କର ଦଳୀୟ ଟିକେଟ୍ କଟାଗଲା ଯାହାକି ସମସ୍ତଙ୍କୁ ବିସ୍ମିତ କରିଥିଲା। ଏହି ଘଟଣାକୁ ନବୀନଙ୍କ ପ୍ରଥମ ବେଇମାନୀ ଭାବେ ଅନେକ ରାଜନୀତିକ ଅନୁଶୀଳକ ମନେ କରନ୍ତି। ଯିଏ ନବୀନଙ୍କ ରାଜନୀତିକ ଗୁରୁ, ସେହି ଗୁରୁକୁ ଦଳରୁ ବାହାର କରାଯିବା ରାଜନୀତିରେ ଏକ ଅନିଷ୍ଠ ଦୃଷ୍ଟାନ୍ତ ହେଲା। ନବୀନ ପଟ୍ଟନାୟକ ବିଜୟ ମହାପାତ୍ରଙ୍କ ବିରୋଧରେ ଏପରି ଷଡ଼ଯନ୍ତ୍ର ରଚିଲେ ଯେ ୨୦୦୦ ମସିହାର ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହେବା ସହିତ ସେ ଏ ପର୍ଯ୍ୟନ୍ତ ନିର୍ବାଚନ ଜିତିପାରୁନାହାନ୍ତି।
ନଳିନୀ ମହାନ୍ତି ଓ ଡା. କମଳା ଦାସ: ଦଳୀୟ ନେତାଙ୍କ ପ୍ରତି ଅସହିଷ୍ଣୁତା

ନଳିନୀ ମହାନ୍ତି ଥିଲେ ବିଜେଡି ଗଠନ ପରବର୍ତ୍ତୀ ଦିନରେ ନବୀନଙ୍କ ସହ ଥିବା ଜଣେ ଶକ୍ତିଶାଳୀ ନେତା। ତାଙ୍କର ମତଭେଦ ଦଳ ଭିତରେ ତିବ୍ର ହେବା ପରେ ସେ ଅପମାନରେ ତଳେ ପଡ଼ିଲେ। ତାଙ୍କ ଉପରେ ଦୁର୍ନୀତି ଦାଗ ଲଗାଇଲେ। ଏଥିରେ ସେ ମ୍ରିୟମାଣ ହୋଇ ମସ୍ତିଷ୍କ ଆଘାତରେ ପଡ଼ି ପ୍ରାଣ ହରାଇଲେ। ସେହିପରି ଦଶା ଭୋଗିଛନ୍ତି ଭୋଗରାଇର ନାରୀନେତ୍ରୀ ଡା. କମଳା ଦାସ।
/odishatv/media/post_attachments/uploadimage/library/16_9/16_9_0/recent_photo_1712908912.webp)
ଏହି ଅଭିଯୋଗ, ଅପବାଦ ଓ ରାଜନୀତିକ ଅସ୍ତିତ୍ୱ ହାରାଇବା ସେହି ଶକ୍ତିଶାଳୀ ନାରୀ ନେତ୍ରୀଙ୍କ ମନୋବଳ ଭାଙ୍ଗିଦେଲା। ଡା. କମଳା ଦାସଙ୍କ ଭିନ୍ନ ମତ ମଧ୍ୟ ସେହି ପରି ଶାସନ ମେସିନର ଚକ୍କିରେ ପେଷି ହୋଇଗଲା। ନବୀନ ଯୁଗରେ ନାରୀ ନେତୃତ୍ୱ ଯେଉଁପରି ଉପେକ୍ଷିତ ହୋଇଗଲା, ତାହା ଏହି ଘଟଣାରୁ ସ୍ପଷ୍ଟ।
ପ୍ୟାରୀମୋହନ ମହାପାତ୍ର: ଗୁରୁକୁ ଛୁରି

ପ୍ୟାରୀମୋହନ ମହାପାତ୍ର-ଯିଏ ନବୀନଙ୍କ ପାଇଁ ପ୍ରଶାସନ ଓ ରାଜନୀତିର ଦୁଇଟି ଦୁନିଆକୁ ଏକାକୀ ସମ୍ଭାଳି ତାଙ୍କୁ ସୁରକ୍ଷା ଦେଇଥିଲେ। ସେହି ମଣିଷ ନବୀନଙ୍କ ରାଜନୀତିର ଅନ୍ୟତମ ଶିକାର ହେଲେ। ୨୦୧୨ ମସିହାର ତଥାକଥିକ ମିଡ୍ନାଇଟ ଅପରେସନ ଘଟଣା ପରେ ନବୀନ ତାଙ୍କୁ ସମ୍ପୂର୍ଣ୍ଣ ଦଳ ଓ ସାମାଜିକ ମଞ୍ଚରୁ ବିଚ୍ଛିନ୍ନ କରିଦେଲେ। ଯିଏ ତାଙ୍କ ରାଜନୀତିକ ଜୀବନର ଭିତ୍ତି ରଚିଥିଲେ, ସେହି ଗୁରୁକୁ ସେହି ନିଜେ ଗଦିହୀନ କଲେ। ଏହି ଅଧ୍ୟାୟକୁ ଅନେକେ “ଗୁରୁଙ୍କ ସହିତ ବେଇମାନୀ ଘଟଣା” ଭାବେ ମନେ ରଖଛନ୍ତି।
ପିତାଙ୍କ ସେବାକାରୀଙ୍କୁ ଦଳରୁ ବିଦା

ବିଜୁ ପଟ୍ଟନାୟକଙ୍କ ଶେଷ ଜୀବନରେ ଯଦି କିଏ ସେବା କରିଥିଲା, ସେ ହେଉଛନ୍ତି ଦିଲ୍ଲୀପ ରାୟ। ଏପରିକି ନବୀନଙ୍କୁ ରାଜନୀତିକୁ ଆଣିଥିବା ନେତାଙ୍କ ମଧ୍ୟରୁ ଦିଲ୍ଲୀପ ରାୟ ଅନ୍ୟତମ। ଦିଲ୍ଲୀପଙ୍କୁ ଯେପରି ନବୀନ କେନ୍ଦ୍ର ମନ୍ତ୍ରିମଣ୍ଡଳ ଓ ଦଳରୁ ବିଦା କଲେ ତାହାକୁ କେହି ଭୁଲି ନାହାନ୍ତି।
ପୁରୁଣା ବିଜେଡି ଯୋଦ୍ଧାମାନେ: ଭୟ ଓ ଅବହେଳାର ସଂସ୍କୃତି

ରାମକୃଷ୍ଣ ପଟ୍ଟନାୟକ, ସୁରେନ୍ଦ୍ର ନାୟକ, ପ୍ରଫୁଲ ଘଡ଼େଇ, ଦାମୋଦର ରାଉତ, ପ୍ରଭାତ ତ୍ରିପାଠୀ, କାଳିନ୍ଦି ବେହେରା, ବ୍ରଜ ତ୍ରିପାଠୀ- ଏହି ସବୁ ଜଣେ ଜଣେ ନବୀନଙ୍କ ରାଜନୈତିକ ଯୋଦ୍ଧା। କିନ୍ତୁ ଆସ୍ତେ ଆସ୍ତେ ସେମାନେ ଦଳ ଭିତରୁ ଦୂର ହୋଇଗଲେ। କେହି ବହିଷ୍କୃତ, କେହି ନିରବ ଭାବେ ଅବହେଳିତ। ନବୀନ ଯୁଗରେ ଦଳ ମଧ୍ୟରେ “ଭୟର ଶାସନ” ଗଢ଼ାହେଲା- ଯେଉଁଠି ନିର୍ଦ୍ଦେଶ ମାନିବା ହିଁ ନିଷ୍ଠା, ପ୍ରଶ୍ନ କରିବା ହେଉଛି ବେଇମାନୀ। ଏହି ଭୟର ପରିବେଶ ଆଜି ମଧ୍ୟ ବିଜେଡିର ରାଜନୀତିକ ଶୃଙ୍ଖଳାର ମୂଳ ଆଧାର ହୋଇଛି।
ରଘୁନାଥ ମହାନ୍ତି: ଦଳୀୟ ଶିକାର
/sambad-english/media/post_attachments/wp-content/uploads/2018/03/raghunath-mohanty.jpg)
ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପରିବାର ଉପରେ ଲାଗିଥିବା ଅଭିଯୋଗ ଓ ଗିରଫ ଘଟଣା ଓଡ଼ିଶା ରାଜନୀତିରେ ଦୀର୍ଘ ସମୟ ଯାଏ ଚର୍ଚ୍ଚା ହୋଇଥିଲା। ତାଙ୍କୁ ଜେଲ ମଧ୍ୟ ଦେଖିବାକୁ ପଡ଼ିଲା, ଏବଂ ସେହି ସମୟରେ ନବୀନ ସରକାର ମୌନ ରହିଲା। ଲୋକମାନେ କହିଲେ- ନବୀନଙ୍କ ନିକଟତମ ମନ୍ତ୍ରୀ ମଧ୍ୟ ରକ୍ଷା ପାଉନି, ତେବେ ସାଧାରଣ ନେତାଙ୍କ ଅବସ୍ଥା କ’ଣ?
ବୈଜୟନ୍ତ ପଣ୍ଡା: ବିଜୁଙ୍କ ବନ୍ଧୁଙ୍କ ପୁଅ ପ୍ରତି ଶିତଳ ହୃଦୟ

ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ମିତ୍ର ବଂଶୀଧର ପଣ୍ଡାଙ୍କ ପୁଅ ବୈଜୟନ୍ତ ପଣ୍ଡା ଥିଲେ ନବୀନଙ୍କ ଆଧୁନିକ ମୁଖପାତ୍ର। ସେ ଦଳକୁ ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରିଥିଲେ। କିନ୍ତୁ ଏପରି ପରିସ୍ଥିତି ହେଲାଯେ ସେ ନିଜ ମତ ଦେଲାମାତ୍ରେ ତାଙ୍କ ଉପରେ ସରକାରୀ କଳର ଆକ୍ରମଣ ଆରମ୍ଭ ହେଲା। ନବୀନଙ୍କ ଶୀତଳ ବ୍ୟବହାର ତାଙ୍କୁ ବିଜେଡି ଛାଡ଼ିବାକୁ ବାଧ୍ୟ କଲା। ଏପରିକି ତାଙ୍କ ପିତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଦେବାକୁ ନବୀନ ଯାଇନଥିଲେ- ଯାହାକୁ ଅନେକ ଓଡ଼ିଆ ମନ ଏକ ମାନବୀୟ ବେଇମାନୀ ଭାବେ ଦେଖିଲା।
ସୌମ୍ୟରଞ୍ଜନ ପଟ୍ଟନାୟକ: ସମ୍ପାଦକରୁ ଶତ୍ରୁ

ସମ୍ବାଦ ଓ କନକ ନ୍ୟୁଜ୍ର ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ ଯେତେବେଳେ ବିଜେଡିରେ ଯୋଗ ଦେଲେ, ନବୀନ ତାଙ୍କୁ ରାଜସଭା ପଠାଇଲେ, ପରେ ବିଧାନସଭାର ବିଧାୟକ କରି ଆଣିଲେ। କିନ୍ତୁ ସେହି ମିଡିଆ ସଂସ୍ଥାଗୁଡ଼ିକ ଯେତେବେଳେ ସରକାରୀ ଅସମାନତା ଓ ଦୁର୍ନୀତି ଉପରେ ଖବର କଲେ, ସେମାନଙ୍କୁ ଅସନ୍ତୁଷ୍ଟି ଓ ଚାପରେ ପଡ଼ିବାକୁ ହେଲା। ସୌମ୍ୟଙ୍କ ସମ୍ପାଦକ ଜୀବନରେ ଏହା ଥିଲା ଏକ ଦୁଃଖଦ ଅଧ୍ୟାୟ- ଯେଉଁଠି ମିଡିଆ ମୁକ୍ତିକୁ ପ୍ରଶାସନିକ ଶିକୁଳ ବାନ୍ଧି ଦେଲା। ଏପରିକି ଏଥିରୁ ବରତ ହେବା ପାଇଁ ନବୀନଙ୍କ ସରକାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକ ପଦବୀ ଛଡ଼ାଇ ନେବା ସହିତ ତାଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇଥିଲା।
ପ୍ରଦୀପ ପାଣିଗ୍ରାହୀ: ସହଯୋଗୀରୁ ଅଭିଯୋଗୀ ପର୍ଯ୍ୟନ୍ତ
ଗଞିଜାମ ଜିଲ୍ଲାର ପ୍ରଦୀପ ପାଣିଗ୍ରାହୀ- ଜଣେ ଶିକ୍ଷିତ ଓ ଯୁବ ଚିନ୍ତାଧାରାର ନେତା। ନବୀନ ତାଙ୍କୁ ଦଳର ଆଗାମୀ ମୁହଁ ଭାବେ ଉପସ୍ଥାପନ କରିଥିଲେ। କିନ୍ତୁ ପରେ ଅସ୍ପଷ୍ଟ ଅଭିଯୋଗ ଓ ପାଣ୍ଡିଆନ୍ ଗୋଷ୍ଠୀର ଅସନ୍ତୁଷ୍ଟିରେ ସେ ନିଜ ସମ୍ମାନ ହାରିଲେ। ଜେଲରେ ପଠାଯାଇଥିବା ଘଟଣା ସେହି ରାଜନୀତିକ ବେଇମାନୀର ଅନ୍ୟ ଏକ ଅଧ୍ୟାୟ ହେଲା। ଅଧ୍ୟାପକ ଚାକିରି ଛଡ଼ାଇ ରାଜନୀତିକୁ ଆଣିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ କୁମନ୍ତ୍ରଣାରେ ମିଥ୍ୟା ମାମଲା କରି ତାଙ୍କୁ ଜେଲରେ ପୁରାଇ ତାଙ୍କ ଝିଅ ବାହାଘର ଭାଙ୍ଗି ଦେଇଛନ୍ତି ସେ କଥାକୁ ନବୀନ ପଟ୍ଟନାୟକ ଭୁଲିଗଲେଣି କି? ଏହିସବୁ ମାମଲା ନବୀନ କ୍ଷମତାରୁ ଯିବା ପରେ କିପରି ଷଡ଼ଯନ୍ତ୍ରରେ କରାଯାଇଥିଲା ତାହା ପଦାକୁ ଆସିଥିଲା। ଶେଷରେ ସେ ବିଜେପିରେ ଯୋଗ ଦେଇ ନବୀନ ନୀତିରେ “ନିଷ୍ଠାର ମୂଲ୍ୟ କେତେ କମ” ତାହା ଦେଖାଇଦେଲେ।
ବିଜେପି ସହିତ ବେଇମାନୀ

ନବୀନ ରାଜନୀତିକୁ ଆସିବା ପରେ ବିଜେପି ହିଁ ତାଙ୍କୁ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ମନ୍ତ୍ରାଳୟ ଦେବା ସହିତ କ୍ୟାବିନେଟ ମନ୍ତ୍ରୀ କରିଥିଲା। ଏହାପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନରେ ମଧ୍ୟ ବସାଇଥିଲା। କିନ୍ତୁ ଯାହାର ମନରେ ବେଇମାନୀ ବସା ବାନ୍ଧିଛି ସେ ଏଥିରୁ ବାଦ୍ କିପରି ପଡନିବେ। ୨୦୦୯ରେ ନବୀନ ବିଜେପି ସହିତ ମେଣ୍ଟ ଭାଙ୍ଗି ବିଜେପିକୁ ବାହାରର ରାସ୍ତା ଦେଖାଇ ଦେଇଥିଲେ।
ବେଇମାନ କିଏ? ଜନମାନସର ନୀତିଗତ ପ୍ରଶ୍ନ
“ବେଇମାନ” ଶବ୍ଦ ରାଜନୀତିରେ ସାଧାରଣ ନୁହେଁ। ଏହା ଅନୁଭବ, ଇତିହାସ ଓ ନୀତିର ପରୀକ୍ଷା। ଯିଏ ଅନ୍ୟକୁ ବେଇମାନ କହେ, ସେ ନିଜ ଜୀବନ ଯାତ୍ରାରେ କେତେ ନିଷ୍ଠାବାନ ରହିଛନ୍ତି- ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ କଥା।
ନବୀନ ପଟ୍ଟନାୟକଙ୍କ ରାଜନୀତି ଯଦି ପଛକୁ ଦେଖାଯାଏ, ତାହାର ମୂଳ ରେଖାରେ ରହିଛି ବିଶ୍ୱାସ ଭଙ୍ଗ, ଭୟ ଓ ନିରବ ଶାସନ।
ତେଣୁ ନୂଆପଡ଼ାର ମଞ୍ଚରେ ଯେତେବେଳେ ନବୀନ “ବେଇମାନ” ଶବ୍ଦ ଉଚ୍ଚାରଣ କଲେ, ଲୋକମାନେ ନିରବ ହୋଇ ଏକାହିଁ ପ୍ରଶ୍ନ କରୁଛନ୍ତି-“ଯିଏ ନିଜ ଗୁରୁ, ମିତ୍ର ଓ ସହଚରଙ୍କ ସହିତ ନିଷ୍ଠା ରଖିପାରିଲେ ନାହିଁ, ସେ ଅନ୍ୟଙ୍କୁ ବେଇମାନ କହିବାର ନୈତିକ ଅଧିକାର ରଖେ କି?”
Also readhttps://purvapaksa.com/naveens-beiman-chalisa-a-history-of-losing-trust-in-politics/
Naveen’s Beiman Chalisa II ନବୀନଙ୍କ ବେଇମାନ ଚାଳିଶା-ରାଜନୀତିରେ ବିଶ୍ୱାସ ଭଙ୍ଗର ଇତିହାସ


