ଦୀର୍ଘ ୨୪ ବର୍ଷର ଅପ୍ରତିଦ୍ୱନ୍ଦ୍ୱୀ ଶାସନ ପରେ ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଧରଣର ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଯେଉଁ ବିଜୁ ଜନତା ଦଳ (ବିଜେଡି) ଏକ ଅଭେଦ୍ୟ ଦୁର୍ଗ ଓ ଅପରାଜେୟ ଭଳି ମନେ ହେଉଥିଲା, ଆଜି ସେହି ଦୁର୍ଗରେ ଫାଟ ସ୍ପଷ୍ଟ ଦେଖାଗଲାଣି। ବିଜେଡି ସଭାପତି ନବୀନ ପଟ୍ଟନାୟକ, ଯିଏ ଦିନେ ଦଳର ସର୍ବେସର୍ବା ଥିଲେ ଏବଂ ଯାହାଙ୍କ ନିର୍ଦ୍ଦେଶକୁ କେହି ଟାଳିବାକୁ ସାହସ କରୁନଥିଲେ, ଆଜି ସେ ନିଜ ବିଧାୟକ ଓ ନେତାମାନଙ୍କୁ ନେଇ ବିବ୍ରତ। ଦଳର ଭବିଷ୍ୟତକୁ ନେଇ ନେତାମାନେ ଏବେ ସନ୍ଦିହାନ, ଆଉ ଏହି ସନ୍ଦେହ ସେମାନଙ୍କୁ ବିଜେପି କିମ୍ବା କଂଗ୍ରେସ ଆଡ଼କୁ ଟାଣି ନେଉଛି। ଓଡ଼ିଶା ରାଜନୀତିର ଏହି ସନ୍ଧିକ୍ଷଣରେ ବାଲେଶ୍ୱରର ପୂର୍ବତନ ବିଜେଡି ସାଂସଦ ରବି ଜେନାଙ୍କ ଦଳତ୍ୟାଗ ଏବଂ ନିମାପଡ଼ାର ରମୁ ପାତ୍ରଙ୍କ କଂଗ୍ରେସ ପ୍ରତ୍ୟାବର୍ତ୍ତନ କେବଳ ଦୁଇଟି ଘଟଣା ନୁହେଁ, ବରଂ ଏହା ବିଜେଡି ଭିତରେ ଜଳୁଥିବା ଅସନ୍ତୋଷର ନିଆଁର ଏକ ପ୍ରତିଫଳନ।
ପାଣ୍ଡିଆନ ଫ୍ୟାକ୍ଟର
ଅଭେଦ୍ୟ କିଲ୍ଲା ଏବେ ଅସୁରକ୍ଷିତ ହୋଇଛି। ଗତ କିଛିବର୍ଷ ଧରି ବିଜେଡି ଭିତରେ ଏକ ଗୁରୁତର ଅଭିଯୋଗ ହୋଇ ଆସୁଥିଲା ଯେ, ନବୀନ ନିବାସ ଏବେ ଆଉ ନେତାଙ୍କ ପାଇଁ ନାହିଁ, ବରଂ ଏହା ଭିକେ ପାଣ୍ଡିଆନଙ୍କ କବଳରେ। ଦଳର ବରିଷ୍ଠ ନେତା, ସାଂସଦ ଏବଂ ବିଧାୟକମାନେ ନବୀନଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳୁନଥିଲା। ପାଣ୍ଡିଆନଙ୍କ ଅତିରିକ୍ତ ପ୍ରଭାବ ଦଳର ଶୃଙ୍ଖଳାକୁ ଭିତରୁ ଦୁର୍ବଳ କରିଦେଇଥିଲା। ଯେଉଁ ପାଣ୍ଡିଆନ ଦିନେ ନବୀନ ନିବାସକୁ ଏକ ଅଭେଦ୍ୟ କିଲ୍ଲାରେ ପରିଣତ କରି ନେତାମାନଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଥିଲେ, ଆଜି ସେହି ନବୀନ ନିବାସର ଦ୍ୱାର ବିଧାୟକମାନଙ୍କ ପାଇଁ ଖୋଲାଯାଇ ସ୍ୱାଗତ ସ୍ୱାଗତ କରାଯାଉଛି।
ଦିନେ ନବୀନଙ୍କ ଦର୍ଶନ ପାଇଁ ନେତାମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ, ଆଜି ନବୀନ ନିଜେ ସେମାନଙ୍କୁ ବାରମ୍ବାର ଡାକୁଛନ୍ତି, ଆପ୍ୟାୟିତ କରୁଛନ୍ତି ଏବଂ ବିନମ୍ରତାର ସହ ଆଲୋଚନା କରୁଛନ୍ତି। ଏହି ପରିବର୍ତ୍ତନ ଦର୍ଶାଉଛି ଯେ ନବୀନ ବୁଝିଗଲେଣି ଯେ ତାଙ୍କ ପାଖରେ ଆଉ ପୂର୍ବ ଭଳି କ୍ଷମତା ନାହିଁ ଏବଂ ନେତାମାନେ ତାଙ୍କ କଥା ମାନିବା ସ୍ଥିତିରେ ନାହାଁନ୍ତି।

ରାଜ୍ୟସଭା ନିର୍ବାଚନ
କ୍ରସ୍ ଭୋଟିଂର ଆଶଙ୍କା ଓ ଷଡ଼ଯନ୍ତ୍ର ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ସବୁଠାରୁ ବଡ଼ ଖେଳ ଆରମ୍ଭ ହୋଇଛି। ବିଜେଡି ପ୍ରାର୍ଥୀ ଡ. ସନ୍ତୃପ୍ତ ମିଶ୍ରଙ୍କ ବିଜୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସଂଖ୍ୟା ଦୃଷ୍ଟିରୁ ବିଜେଡି ପାଖରେ ପର୍ଯ୍ୟାପ୍ତ ସମର୍ଥନ ଥିଲେ ମଧ୍ୟ “ଭିତର ଶତ୍ରୁ” ଏବେ ନବୀନଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଛନ୍ତି। ରବି ଜେନାଙ୍କ ଇସ୍ତଫା ପରେ ତାଙ୍କ ପତ୍ନୀ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ, ରବି ଜେନା ହେଉଛନ୍ତି ସେହି ବିଦ୍ରୋହୀ ଗୋଷ୍ଠୀର “ଗୁଣ୍ଡୁଚି ମୂଷା”, ଯିଏ ନବୀନଙ୍କୁ ପାନେ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ସୁବାସିନୀଙ୍କ ସମେତ ସୌଭିକ ବିଶ୍ୱାଳ ଏବଂ ଦେବୀରଂଜନ ତ୍ରିପାଠୀଙ୍କ ଭଳି ଯୁବ ବିଧାୟକମାନଙ୍କ ଉପରେ ମଧ୍ୟ ଦଳର ନଜର ରହିଛି।
ସନ୍ତୃପ୍ତ ମିଶ୍ର, ଯିଏ ଜଣେ କର୍ପୋରେଟ୍ ଜଗତର ବଡ଼ ନାଁ, ଆଜି ସେ ବିଧାୟକମାନଙ୍କ ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ ନିଦ ହଜିଯିବା ଏବଂ ନବୀନ ପଟ୍ଟନାୟକ ବିବ୍ରତ ହେବା ସ୍ପଷ୍ଟ କରୁଛି ଯେ ବିଜେଡି ଭିତରେ କିଛି ଅଘଟଣ ଘଟିବାକୁ ଯାଉଛି।

ନୈତିକତା ବନାମ ରାଜନୈତିକ ସୁବିଧାବାଦ
ଆଜିକାଲିର ରାଜନୀତିରେ ନୀତି ଓ ଆଦର୍ଶର ସ୍ଥାନ ବହୁତ କମ୍। ରାଜନୈତିକ ସମୀକ୍ଷକମାନେ ମତ ଦିଅନ୍ତି ଯେ “ନୋଟ୍ ଯୁଆଡ଼େ ଭୋଟ୍ ସିଆଡ଼େ”। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ମାଲେମାଲ୍ ଅଫର୍ ଦିଆଯାଉଥିବା ଚର୍ଚ୍ଚା ହେଉଛି। ଯଦି ଜଣେ ବିଧାୟକ ନିଜର ଭବିଷ୍ୟତ ଅନ୍ଧକାରମୟ ଦେଖୁଛନ୍ତି ଏବଂ ତାଙ୍କୁ ୧୦ କୋଟି ଟଙ୍କାର ପ୍ରଲୋଭନ ମିଳୁଛି, ତେବେ ସେ ନୈତିକତାକୁ ଜଳାଞ୍ଜଳି ଦେବାକୁ ପଛାଇବେ ନାହିଁ। ୧୦ କୋଟି ଟଙ୍କାର ଅଫର୍ ଆଗରେ ଲୋକଲଜ୍ଜା କିମ୍ବା ଦଳୀୟ ଆନୁଗତ୍ୟ ଫିକା ପଡ଼ିଯାଉଛି।
ନବୀନଙ୍କୁ ପାନେ ଦେବା ପାଇଁ ସୁଚିନ୍ତିତ ରଣନୀତି
ବିଜେଡିର ଅନେକ ନେତା ଅନୁଭବ କରୁଛନ୍ତି ଯେ, ସେମାନଙ୍କୁ ବିଗତ ୫ ବର୍ଷ ଧରି ଅଣଦେଖା କରାଯାଇଛି। ସରକାର ଓ ଦଳ ଭିତରେ ବ୍ୟୁରୋକ୍ରାଟ୍ମାନଙ୍କ ପ୍ରାଦୁର୍ଭାବ ସେମାନଙ୍କୁ ଅଣନିଶ୍ୱାସୀ କରିଦେଇଥିଲା। ଏବେ ସେହି ଅସନ୍ତୋଷ ପ୍ରତିଶୋଧର ରୂପ ନେଇଛି। ବିଜେଡିରୁ ଗୋଟିଏ ପରେ ଗୋଟିଏ ନେତା ବାହାରିବା ଏବଂ ବିରୋଧୀ ଦଳ ସହ ସମ୍ପର୍କ ରଖିବା ଏହି ରଣନୀତିର ଏକ ଅଂଶ। ନବୀନ ନିବାସରେ ମହାପ୍ରସାଦ ଖୁଆଇ ଶପଥ ଦିଆଯିବା ପରେ ମଧ୍ୟ ବିଧାୟକମାନେ ଗଣମାଧ୍ୟମ ଆଗରେ ଦୃଢ଼ତା ପ୍ରକାଶ ନ କରିବା ଏକ ବଡ଼ ସଙ୍କେତ।
ପରୀକ୍ଷା ଘଡ଼ିରେ ବିଜୁ ଜନତା ଦଳ ଆଗାମୀ କିଛି ଦିନ ଓଡ଼ିଶା ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ହୁଏ ଏବଂ ବିଜେଡି ପ୍ରାର୍ଥୀ ପରାଜିତ ହୁଅନ୍ତି, ତେବେ ଏହା ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ବଡ଼ ପରାଜୟ ହେବ। ଦଳ ଭାଙ୍ଗିବା ପ୍ରକ୍ରିୟା ଆହୁରି ତେଜିବ। ନବୀନ ନିବାସର ମହାପ୍ରସାଦ ଶପଥ କାମ ଦେଉଛି ନା ବିଦ୍ରୋହୀଙ୍କ ରଣନୀତି ସଫଳ ହେଉଛି, ତାହା ସମୟ କହିବ। ମାତ୍ର ଏତିକି ନିଶ୍ଚିତ ଯେ, ନବୀନ ପଟ୍ଟନାୟକଙ୍କ ପାଇଁ ଏହା ଏକ ଅଗ୍ନିପରୀକ୍ଷା ଏବଂ ଓଡ଼ିଶାରେ ବିଜେଡିର ଏକଚାଟିଆ ପ୍ରଭାବ ଏବେ ଇତିହାସ ହେବାକୁ ଯାଉଛି।
AlsoRead; https://purvapaksa.com/a-sad-picture-of-kangalistan/


