ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ରାଜନୈତିକ ଇତିହାସ ଯେତେବେଳେ ଲେଖାଯିବ ସେତେବେଳ ନବୀନ ପଟ୍ଟନାୟକଙ୍କ ସରକାର ଏକ ନୂଆ ଫର୍ଦ୍ଦ ଖୋଲିଥିଲା ବୋଲି ଲେଖିବାକୁ ଇତିହାସକାରମାନେ ଏକ ରକମ ବାଧ୍ୟ ହେବେ। ୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ, ସେହି ବର୍ଷ ବିଜୁ ଜନତା ଦଳର ଗଠନ ଏବଂ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ମଙ୍ଗ ଧରିବା ଗୋଟିଏ ଗୋଟିଏ ଐତିହାସିକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।
ମେ ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ପଞ୍ଚମ ବିଜୟ ପରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା – କାହିଁକି ଓ କେମିତି ନବୀନ ବାରମ୍ବାର ନିର୍ବାଚନ ଜିତୁଛନ୍ତି ଓ ଏହା ପଛରେ ରାହସ୍ୟଟି କଣ? ପାଞ୍ଚଥର ମୁଖ୍ୟମନ୍ତ୍ରୀ ହେବା ଓଡ଼ିଶାର ଅନ୍ୟ କୌଣସି ରାଜନେତାଙ୍କ ଭାଗ୍ୟରେ ଜୁଟିନାହିଁ, ଭବିଷ୍ୟତରେ ଜୁଟିବ କି ନାହିଁ ତାହା ବି କହିବା କଷ୍ଟ। ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏହି ରାଜନୈତିକ ଉପଲବ୍ଧି କିନ୍ତୁ ବିଶେଷ ଗୁରୁତ୍ୱ ରଖେ କାରଣ ସେ ମୂଳରୁ ହିଁ ରାଜନୀତିରେ ପ୍ରବେଶ କରିବା ପାଇଁ ଇଛୁକ ନ ଥିଲେ। ରାଜନୈତିକ କୁଣ୍ଠାବୋଧ ଯେ ଘଟଣାଚକ୍ରରେ ଜଣକୁ ଅତି ଉଚ୍ଚ ସ୍ଥାନରେ ପହଞ୍ଚାଇବ ଏହା ଭାରତୀୟ ରାଜନୀତିରେ ଏକ ବିରଳ ଘଟଣା।
ନବୀନ ପଟ୍ଟନାୟକ ରାଜନୀତିକୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି ଏହା ଠିକ। କିନ୍ତୁ ଯେଉଁଭଳି ସ୍ଥିତିରେ ସେ ରାଜ୍ୟର ଶାସନ ଭାର ସମ୍ଭାଳିଥିଲେ ତାହା କିଛି କମ ଘଟଣା ବହୁଳ ନ ଥିଲା। ଓଡ଼ିଶା କେବେ ବି ଗୁଜରାଟ କି ମହାରାଷ୍ଟ୍ର ଭଳି ଉନ୍ନତ ରାଜ୍ୟ ତ ନ ଥିଲା। ଦାରିଦ୍ର୍ୟର କଷାଘାତ ଓ ସଂଖ୍ୟାଧିକ ସମସ୍ୟା ଦେଇ ଗତି କରୁଥିବା ଏକ ପଛୁଆ ରାଜ୍ୟର ମୁଖ୍ୟମନ୍ତ୍ରୀଭାବେ ନବୀନ ପଟ୍ଟନାୟକଙ୍କ ଅଭିଷେକ ନିଶ୍ଚିତଭାବେ କଣ୍ଟକଶୂନ୍ୟ ନ ଥିଲା।
ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଓ ସମର୍ଥକଙ୍କ କଥା ଭାଙ୍ଗି ନ ପାରି ନବୀନ ଯେତେବେଳେ ରାଜନୀତିକୁ ‘ହଁ’ କହିଲେ, ପଛକୁ ଫେରି ଚାହିଁବାର ଅବକାଶ ତାଙ୍କ ପାଇଁ ଆଉ ନ ଥିଲା। ଜଣେ ତପସ୍ୱୀ ଭଳି ଦୃଢ଼ତା ବା ଦୃଢ଼ ମନୋଭାବ ନବୀନ ପଟ୍ଟନାୟକଙ୍କ ରାଜନୀତିର ଏକ ଅଦ୍ଵିତୀୟ ପରିଚୟ ଓ ଏହି ଗୁଣଟି ହିଁ ତାଙ୍କୁ ଏତେଦିନ ଧରି ରାଜନୀତିରେ ରଖିପାରିଛି।
ବିଜୁବାବୁଙ୍କ ନିଧନ ପରେ ଯେତେବେଳେ ଆସିକା ଲୋକସଭା ଆସନ ପାଇଁ ୧୯୯୭ରେ ଉପନର୍ବାଚନ ହେଲା ସେତେବେଳେ ହିଁ ନବୀନଙ୍କ ଦୃଢ଼ତାର ପରିପ୍ରକାଶ ଘଟିଥିଲା। ବିରୋଧୀ ଦଳ ତାଙ୍କୁ ଜଣେ ‘ବାହାରର ଲୋକ’ ବୋଲି ଚିତ୍ରିତ କରିବା ସହିତ ଓଡ଼ିଶାର ଭାଷା ଓ ସଂସ୍କୃତି ସମ୍ବନ୍ଧରେ ସେ ପୂରା ଅଜ୍ଞ ବୋଲି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ତାହା ବିଶେଷ ଫଳ ଦେଇନଥିଲା।
ନବୀନ ପଟ୍ଟନାୟକଙ୍କ ରାଜନୀତିର ଆଉ ଏକ ବୈଶିଷ୍ଟ୍ୟ ହେଲା ବିରୋଧୀମାନଙ୍କ ମୁଳୋତ୍ପାଟନ। ଏହି ବୈଶିଷ୍ଟ୍ୟର ପରିଚୟ ମିଳିଥିଲା ଯେତେବେଳେ ସେ ପ୍ରଥମେ ବିଜୟ ମହାପାତ୍ରଙ୍କୁ ଦୁଆର ଦେଖାଇ ଦେଇଥିଲେ। ବିଜୟ ମହାପାତ୍ରଙ୍କ ରାଜନୈତିକ ଜୀବନରେ ଏହା ଥିଲା ସବୁଠାରୁ ବଡ଼ ଦୁର୍ଘଟଣା ଯେଉଁଥିରୁ ସେ ଆଜି ପର୍ଯ୍ୟନ୍ତ ବର୍ତ୍ତିପାରି ନାହାନ୍ତି। ପରବର୍ତ୍ତୀ ସମୟରେ ଅନ୍ୟ ବିରୋଧିମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ନବୀନ ରାସ୍ତାରୁ ହଟାଇ ଦେଇଥିଲେ।
ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ଭିତରେ ରାଜନୀତିର ଦାଓପେଞ୍ଚକୁ ଠିକଣା ଭାବରେ ବୁଝିଥିଲେ କେବଳ ନୁହେଁ ତାହାକୁ କାମରେ ବି ଲଗାଇଥିଲେ। ଜଣେ କୁଶଳୀ ରଣନୀତିକାର ଭାବରେ ସେ ଜାଣିପାରୁଥିଲେ ଲୋକଙ୍କ ଚିନ୍ତା ଓ ଚେତନାକୁ। ଲୋକଙ୍କୁ ପରଖିବାରେ ସେ ବେଶ୍ ଧୁରନ୍ଧର ଏବଂ ଏହି ନିରୀକ୍ଷଣପଟୁତା ହିଁ ତାଙ୍କୁ ଲୋକଙ୍କ ମନରେ ଏକ ଶାଶ୍ୱତ ସ୍ଥାନ ଦେଇ ଆସିଛି।
ବସ୍ତୁତଃ,ଏହିସବୁ ଗୁଣ ଓ ସ୍ଵଭାବ ହିଁ ଠିକ୍ କାମ ପାଇଁ ଠିକ୍ ଲୋକ ଚୟନ କରିବାରେ ନବୀନଙ୍କୁ ସାହାଯ୍ୟ କରିଆସିଥିଲା। ବିଶେଷ କରି ରାଜନୀତିରେ କେତେବେଳେ କେଉଁ ରଣନୀତି ଗ୍ରହଣ କରିବାକୁ ହେବ ସେଥିରେ ନବୀନ ଓ ତାଙ୍କ ଦଳ କଦାପି ଝୁଣ୍ଟିନଥିଲେ। ଫଳସ୍ୱରୂପ, ଅନ୍ୟ ଦଳମାନଙ୍କଠାରୁ ବିଜୁ ଜନତା ଦଳ କେବଳ ଆଗରେ ରହିଥିଲା ତାହା ନୁହେଁ ଏକ ଆଞ୍ଚଳିକ ଦଳ ହେବା ସତ୍ତ୍ୱେ କିଛି ଜାତୀୟ ଦଳର ସର୍ବନାଶ କରିବାରେ ସଫଳ ହୋଇଥିଲା।
ରାଜନୈତିକ ସଫଳତା ବ୍ୟତୀତ ନବୀନଙ୍କ ସରକାର ପକ୍ଷରୁ ରାଜ୍ୟର କୋଟି କୋଟି ଲୋକଙ୍କ ପାଇଁ ଅନେକ ପ୍ରକାର କଲ୍ୟାଣମୂଳକ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ବିଗତ ଚବିଶ ବର୍ଷ ଧରି ସୁଚିନ୍ତିତ ଭାବେ ବିଭିନ୍ନ ବର୍ଗର ଜନସଂଖ୍ୟା ପାଇଁ ଯୋଜନାମାନ ପ୍ରସ୍ତୁତ ହୋଇଛି ଯାହାକି ତାଙ୍କ ଦଳ ପାଇଁ ଭୋଟ୍ବ୍ୟାଙ୍କରେ ପରିଣତ ହୋଇଛି।
ମିଶନ ଶକ୍ତି କଥା ଦେଖାଯାଉ। ଯାହା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ କରାଯାଇଥିଲା ତାହା ହିଁ ଆଜି ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଭୋଟବ୍ୟାଙ୍କ। ମହିଳାମାନେ ହିଁ ଆଜି ବିଜେଡିର ମେରୁଦଣ୍ଡ ଏଥିରେ ଦ୍ଵିରୁକ୍ତି ନାହିଁ। ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ନବୀନ ପଟ୍ଟନାୟକଙ୍କ ଅନ୍ୟ ଏକ ସାହସିକ ପଦକ୍ଷେପ। ଜାତୀୟ ସ୍ତରରେ ସକ୍ରିୟ ଥିବା ରାଜନୈତିକ ଦଳମାନଙ୍କ ପାଇଁ କାର୍ଯ୍ୟସୂଚୀ ତିଆରି କରିବା ବା ଆଜେଣ୍ଡା ସେଟିଂରେ ବିଜେଡି ଅଗ୍ରଣୀ ହୋଇପାରିଛି। ରାଜ୍ୟରେ ମଧ୍ୟ ମହିଳାମାନଙ୍କ ପାଇଁ ବ୍ୟାପକ ସୁବିଧା ଓ ସୁଯୋଗ ଦିଆଯାଇଛି ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି।
ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଭଲ ଦିଗ ହେଉଛି ସେ ଅକ୍ଲାନ୍ତ ପରିଶ୍ରମ କରନ୍ତି ଓ କୌଣସି ବିଷୟକୁ ହାଲୁକା ଭାବରେ ନିଅନ୍ତି ନାହିଁ। ବିଭିନ୍ନ ନିର୍ବାଚନରେ ତାଙ୍କ ପ୍ରଚାର ଶୈଳୀ ଯେଉଁମାନେ ନିକଟରୁ ଦେଖିଥିବେ ସେମାନେ ଏହାର ଅଦ୍ଵିତୀୟତାକୁ ଲକ୍ଷ୍ୟ କରିଥିବେ। ଗତ ଲୋକସଭା ନିର୍ବାଚନବେଳେ ବସରେ ବସି ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ସେ ଭୋଟ୍ ଲୋଡ଼ିଥିଲେ ଓ ସେହି ପ୍ରକ୍ରିୟାରେ ପ୍ରାୟ ସମଗ୍ର ରାଜ୍ୟ ବୁଲିଥିଲେ। କେନ୍ଦ୍ରାପଡ଼ା ଭଳି ସମ୍ବେଦନଶୀଳ ଆସନ ଯେଉଁଠି ତାଙ୍କ ବ୍ୟକ୍ତିଗତ ସମ୍ମାନ ଜଡ଼ିତ ଥିଲା ସେଠି ସେ ଅଧିକ ସମୟ ଦେଇଥିଲେ।
ଯେ କୌଣସି ମଣିଷଙ୍କ ଭଳି ନବୀନ ସମାଲୋଚନାର ଶିକାର ଯେ ହୋଇନାହାନ୍ତି ତାହା ନୁହେଁ। ତାଙ୍କ ଉପରେ ଯେତେ ପ୍ରକାର ରାଜନୈତିକ ଆକ୍ରମଣ ହୋଇଛି ତାହାକୁ ସେ ଅତ୍ୟନ୍ତ ଧୈର୍ଯ୍ୟର ସହ ଏବଂ ଅବିଚଳିତଭାବେ ସାମ୍ନା କରି ଆସିଛନ୍ତି। ଗତ ନିର୍ବାଚନବେଳେ ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନବୀନ ଓ ବିଜେଡି ସରକାରକୁ ଯେତେବେଳେ ଏକ ‘ପୋଡ଼ା ଟ୍ରାନ୍ସଫର୍ମର’ ସହିତ ତୁଳନା କରିଥିଲେ ସେଥିରେ ନବୀନ ଅସାଧାରଣ ସଂଯମତା ରକ୍ଷା କରିଥିଲେ।
ସତ କହିବାକୁ ଗଲେ, ଏହି ପ୍ରତିକ୍ରିୟାବିହୀନ ରାଜନୀତି ଓ ସଂଯମତା ହିଁ ନବୀନଙ୍କ ପାଇଁ ଅଭୂତପୂର୍ବ ସଫଳତାର କାରଣ ହୋଇଆସିଛି। ଜଣେ ସମ୍ଭ୍ରମଶୀଳ ରାଜନେତା ଭାବରେ ସେ ନିଜର ଭାବମୂର୍ତ୍ତିକୁ କେବଳ ବଜାୟ ରଖି ପାରିଛନ୍ତି ତାହା ନୁହେଁ ଏହି ସବୁ ଭଲ ଗୁଣ ଯୋଗୁଁ ସେ ଓଡ଼ିଶାକୁ ଶାସନ କରି ଆସିଥିଲେ।
୨୦୨୪ ସାଧାରଣ ନିର୍ବାଚନରେ ନବୀନଙ୍କ ଦଳର ପରାଜୟ ଓ ତାଙ୍କୁ ବିରୋଧୀ ଦଳରେ ବସିବା ରାଜନୀତିର ଏକ ଘଟଣାକ୍ରମ। ଏହା ସତ୍ତ୍ୱେ ନବୀନଙ୍କ ଲୋକପ୍ରିୟତା ଅତୁଟ ରହିଛି, ଯଦିଓ ଉତ୍ତରାଧିକାରୀଙ୍କୁ ନେଇ ଅନେକ ଦ୍ୱନ୍ଦ୍ୱ ଓ ସଂଶୟ ପ୍ରକାଶ ପାଇଛି।
ALSO READ https://purvapaksa.com/lethal-injection-vs-hanging/
