ଦ୍ୱାପର ଯୁଗର କଥା। ସେ ସମୟରେ ହୋଇଥିବା ମହାଭାରତ ଯୁଦ୍ଧର ମୁଖ୍ୟ ଖଳନାୟକ ଚୁପ୍ ସଇତାନ ଧ୍ରୁତରାଷ୍ଟ୍ରଙ୍କ କାଣ୍ଡକାରଖାନା ଭଳି ସାମଞ୍ଜସ୍ୟ ଥିବା ଘଟଣା ବର୍ତ୍ତମାନ ଆମ ରାଜ୍ୟରେ ଦେଖିବାକୁ ମିଳିଛି। ସେତେବେଳେ ଧ୍ରୁତରାଷ୍ଟ୍ର ଯେମିତି ଦୁର୍ଯ୍ୟୋଧନଙ୍କ ଅନ୍ୟାୟକୁ ନୀରବ ସମର୍ଥନ କରିବା ସହିତ ନ୍ୟାୟରେ ଥିବା ପାଣ୍ଡବମାନଙ୍କ ଉପରେ ଲଦି ଦେଇଥିଲେ ସେହିଭଳି ଓଡ଼ିଶାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଧ୍ରୁତରାଷ୍ଟ୍ର ଭୂମିକାକୁ ଆସିଯାଇଛନ୍ତି।
ନବୀନଙ୍କ ଏକମାତ୍ର ପଟ୍ଟଶିଷ୍ୟ ବୋଲି ନିଜକୁ ଘୋଷଣା କରିଥିବା ପୂର୍ବତନ ଆଇଏସଏସ ଅଧିକାରୀ ଥିବା ସରକାରଙ୍କ କର୍ମଚାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଦୁର୍ଯ୍ୟୋଧନଙ୍କ ଭଳି ନିଜକୁ ସର୍ବେସର୍ବା ଘୋଷଣା କରିବା ପାଇଁ ବିଜେଡିକୁ କ୍ଷମତାଚ୍ୟୁତ କରିବା ସହିତ ରାଜ୍ୟର ଅନେକ କ୍ଷତି ସାଧନ କରିଛନ୍ତି।
ଦୁର୍ଯ୍ୟୋଧନ ଯେଭଳି ଦ୍ରୌପଦୀଙ୍କ ବସ୍ତ୍ରହରଣ କରି ପାଣ୍ଡବମାନଙ୍କୁ ବନବାସକୁ ପଠାଇଲା ଭଳି ପାଣ୍ଡିଆନ ବିଜେଡିର ଅନେକ ବରିଷ୍ଠ ନେତାମାନଙ୍କୁ ଅପମାନିତ କରି ସେମାନଙ୍କୁ ରାଜନୈତିକ ବନବାସକୁ ପଠାଇ ଦେଇଥିଲେ। ଏହି ତାଲିକାରେ ଦଳର ଅନେକ ବରିଷ୍ଠ ନେତାମାନେ ରହିଛନ୍ତି। ଏପରିକି ଅନେକ ନେତାଙ୍କୁ ସ୍ୱର୍ଗବାସକୁ ପଠାଇ ଦିଆଯାଇଛି ବୋଲି ଅନେକ ଅଭିଯୋଗ ହୁଏ।
ରାଜ୍ୟସଭାରେ ୱାକଫ୍ ବିଲରେ ଭୋଟ ଦାନକୁ ନେଇ ଏବେ ବିଜେଡିରେ ଗତ ୬ଦିନ ହେଲା ମହାଭାରତ ଚାଲିଛି। ମହାଭାରତ ତୀବ୍ରତର ହେବାରୁ ଧ୍ରୁତରାଷ୍ଟ୍ର ରୂପୀ ନବୀନ ପଟ୍ଟନାୟକ ଶେଷରେ ମୁହଁ ଖୋଲିଛନ୍ତି। ମୁହଁ ଖୋଲି ଦଳୀୟ ନେତାଙ୍କ କାର୍ଯ୍ୟକଳାପ ଭୁଲ ବୋଲି କହିବା ସହିତ ଦୁର୍ଯ୍ୟୋଧନ ରୂପକ ପାଣ୍ଡିଆନ୍ଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି।
ନବୀନ କହିଛନ୍ତି, ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ ଅତୀତରେ ଶ୍ରୀ କାର୍ତ୍ତିକେୟନ ପାଣ୍ଡିଆନ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି। କୌଣସି କଥା ପାଇଁ ତାଙ୍କୁ ସମାଲୋଚନା କିମ୍ବା ଦୋଷ ଦିଆଯିବା ଉଚିତ ନୁହେଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି।
ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ପାଣ୍ଡିଆନ ୧୦ ମାସ ତଳେ ଦଳ ଛାଡ଼ିଛନ୍ତି ଏବଂ ଦଳର କୌଣସି କାର୍ଯ୍ୟରେ ସମ୍ପୃକ୍ତ ନୁହଁନ୍ତି।
ଓ୍ଵାକଫ୍ ବିଲ୍ ଭୋଟ୍ ପ୍ରସଙ୍ଗରେ ଦଳର ଅନେକ ନେତା ପୂର୍ବତନ ପ୍ରଶାସନିକ ଅଧିକାରୀ ପାଣ୍ଡିଆନଙ୍କୁ ତୀବ୍ର ସମାଲୋଚନା କରୁଥିବାବେଳେ ବିଜେଡି ସୁପ୍ରିମୋ ଏଭଳି ବୟାନ ଦେଇଛନ୍ତି।
ଏହାର ଅର୍ଥ ହେଉଛି, ୱାକଫ୍ ବିଲ୍କୁ ସମର୍ଥନ କରିବା ପାଇଁ ନବୀନ ନିଜେ ସସ୍ମିତ ପାତ୍ରଙ୍କୁ ନୀର୍ଦ୍ଦେଶ ଦେଇଛନ୍ତି। ନରେ ବା ଗୁଞ୍ଜରେ ଅଶ୍ୱତ୍ଥମା ହତ ଭଳି ସେ ସମର୍ଥନ କଥାକୁ ସ୍ୱୀକାର କରିଛନ୍ତି।
ହୋଟେଲ ଭଳି ସ୍ଥାନରେ ଦଳୀୟ ନେତାମାନେ ସଭା କରୁଥିବାରୁ ବିଜେଡି ସୁପ୍ରିମୋ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଁ ଏଠାରେ କହିବାକୁ ଚାହୁଁଛି ଯେ ଦଳୀୟ ସଦସ୍ୟଙ୍କ ଦ୍ୱାରା ହୋଟେଲରେ କୌଣସି ବଡ଼ ସଭାକୁ ମୁଁ ନାପସନ୍ଦ କରେ। ସେମାନଙ୍କର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ଅଛି ଯାହା ଏକ ବଡ଼ କୋଠା, ଯେଉଁଠାରେ ସେମାନଙ୍କୁ ବୈଠକ କରିବାକୁ କୁହାଯାଇଛି ଏବଂ ସେମାନେ ଏହା କରିବା ଉଚିତ ବୋଲି ନବୀନ କହିଛନ୍ତି।
ପ୍ରଭାତ ତ୍ରିପାଠୀ ପାଣ୍ଡିଆନ୍ଙ୍କ କଡ଼ା ଭାଷାରେ ସମାଲୋଚନା କରୁଥିବାରୁ ତାଙ୍କୁ ବଦନାମ୍ କରିବାକୁ ନବୀନ ଅର୍ଦ୍ଧ ସତ୍ୟ କହି ଅପଚେଷ୍ଟା କରିଛନ୍ତି। ବିଜେଡି ସୁପ୍ରିମୋ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସେ ଦଳର ନୁହଁନ୍ତି। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଚିଟ୍ ଫଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ କିଛି ବର୍ଷ ବିଜେଡିରୁ ବହିଷ୍କାର କରାଯାଇଥିଲା ଏବଂ ସେ କିଛି ବର୍ଷ ଜେଲରେ ମଧ୍ୟ ରହିଥିଲେ। ମୁଁ ପୁଣିଥରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସେ ଦଳର ନୁହଁନ୍ତି।
ନବୀନ ଏବେ ବାର୍ଦ୍ଧକ୍ୟ ଗ୍ରାସୁ ଥିବାରୁ ତାଙ୍କର ପୁରୁଣା କଥା ମନେ ରହୁନାହିଁ। ୨୦୧୭ ନଭେମ୍ବର ୧୦ ତାରିଖରୁ ନିଜେ ନବୀନ ପଟ୍ଟନାୟକ ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ଦେଇଛନ୍ତି। ଯଦି ଏହା ସତ୍ୟ ନୁହେଁ ପାଣ୍ଡିଆନ୍ଙ୍କୁ ସୁରକ୍ଷା ଦେବା ପାଇଁ ନବୀନ ମିଛ କହୁଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ଶେଷରେ ଧ୍ରୁତରାଷ୍ଟ୍ର ନିଜେ ବଞ୍ଚି ରହି ନିଜର ୧୦୦ ପୁତ୍ରଙ୍କ କୁରୁବଂଶ ନାଶ କରିବା ସହିତ ସାମ୍ରାଜ୍ୟ ହରାଇଥିଲେ ସେହିଭଳି ନବୀନଙ୍କ ଆଖି ସାମ୍ନାରେ ବିଜେଡି ଭାଙ୍ଗି ଯିବାର ସଂକେତ ମିଳିଲାଣି। ଯଦି ବିଜେଡି ନେତାମାନଙ୍କର ସାମନ୍ୟତମ ମାନସମ୍ମାନ ଥିବ ତେବେ ସେମାନେ ବିଜେଡି ଛାଡ଼ି ନୂତନ ଆଞ୍ଚଳିକ ଦଳ ଗଠନ କରିବେ କିମ୍ବା ଶିବସେନା ଓ ଏନସିପି ଭଳି ଦଳକୁ ନିଜ କବ୍ଜା ନେବେ। ନ ହେଲେ ନବୀନଙ୍କଠାରୁ ଅପମାନିତ ପାଇବା ପରେ ବେହିଆ ଭଳି ଦାନ୍ତ ନିକୁଟି ପାଣ୍ଡିଆନଙ୍କ ପଦ ଲେହନ କରିବେ।
Also readhttps://purvapaksa.com/even-the-naveen-niwas-is-not-reliable/
