Sonia-Rahul: ନେସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲା ଭାରତୀୟ ରାଜନୀତିରେ ବଡ଼ ଝଡ଼ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମନି ଲଣ୍ଡରିଂ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଏହି ମାମଲା କେବଳ ଆଇନଗତ ନୁହେଁ, ବରଂ କଂଗ୍ରେସ ପାର୍ଟି ଓ ଗାନ୍ଧୀ ପରିବାରର ଭାବମୂର୍ତ୍ତି ଉପରେ ଗଭୀର ପ୍ରଭାବ ପକାଇପାରେ । ରାହୁଲ ଓ ସୋନିଆଙ୍କୁ ଏଥିପାଇଁ ଜେଲ ଯିବାକୁ ପଡ଼ିପାରେ ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଉଛି।
ତେବେ ପୁରା ମାମଲା କ’ଣ ? କାହିଁକି ଭରା ସାମ୍ବାଦିକ ସମ୍ମିଳନୀରେ ପି ଚିଦାମ୍ବରମକୁ ପଚାରିବାକୁ ପଡ଼ିଲା ଏଥିରା ଅପରାଧ କ’ଣ ଅଛି ? ଏସବୁ ଉତ୍ତର ଜାଣିବାକୁ ଅତୀତକୁ ଫେରିବାକୁ ପଡ଼ିବ । ନ୍ୟାସନାଲ ହେରାଲ୍ଡର ଜନ୍ମ ଓ ମୃତ୍ୟୁରେ ରହିଛି ଏହାର ଉତ୍ତର ।
ନେସନାଲ ହେରାଲ୍ଡ ଖବରାକାଗଜ 1938ରେ ଜବାହରଲାଲ ନେହୁରୁ ଆରମ୍ଭ କରିଥିଲେ, ଯାହା ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରମୁଖ ସ୍ୱର ପାଲଟି ଥିଲା। 2008ରେ ଭାରୀ କରଜ ଯୋଗୁଁ ଏହା ବନ୍ଦ ହୋଇଥିଲା । ଏହା ପରେ ଯଙ୍ଗ ଇଣ୍ଡିଆନ ଲିମିଟେଡ୍ ନାମକ ଏକ ନୂଆ କମ୍ପାନୀ ଗଠନ ହେଲା, ଯେଉଁଥିରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କର 76% ଅଂଶୀଦାରୀ ରହିଛି। ଇଡିର ଅଭିଯୋଗ, ଏହି କମ୍ପାନୀ ମାଧ୍ୟମରେ ଗାନ୍ଧୀ ପରିବାର ମାତ୍ର 50 ଲକ୍ଷ ଟଙ୍କାରେ 2000 କୋଟିର ସମ୍ପତ୍ତି ହାତେଇ ନେଇଛନ୍ତି। ଇଡି ଦାବି କରୁଛି ଯେ କଂଗ୍ରେସ ପାର୍ଟି 90 କୋଟିର ଋଣ ମାଫ କରି ଏହି ସମ୍ପତ୍ତି ଯଙ୍ଗ ଇଣ୍ଡିଆନକୁ ହସ୍ତାନ୍ତର କରିଛି, ଯାହା ମନି ଲଣ୍ଡରିଂର ଏକ ଉଦାହରଣ।
ଇଡିର ଅଭିଯୋଗ ଯେ, ଗାନ୍ଧୀ ପରିବାର ରାଜନୈତିକ ପ୍ରଭାବ ବ୍ୟବହାର କରି ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ ଓ ଅନ୍ୟ ସହରରେ ଥିବା ନେସନାଲ ହେରାଲ୍ଡର ମୂଲ୍ୟବାନ ସମ୍ପତ୍ତି ହାତେଇ ନେଇଛନ୍ତି। 2022ରେ ଇଡି ସୋନିଆ ଓ ରାହୁଲଙ୍କୁ ବାରମ୍ବାର ପଚରାଉଚୁରା କରିଥିଲା, କିନ୍ତୁ ସୁପ୍ରିମ କୋର୍ଟରୁ ସେମାନଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା। ଏହା ସହ, ସୋନିଆଙ୍କ ଜାମାତା ରବର୍ଟ ଭଦ୍ରାଙ୍କୁ ମଧ୍ୟ ମନି ଲଣ୍ଡରିଂ ମାମଲାରେ ତିନି ଦିନ ପଚରାଉଚୁରା କରାଯାଇଛି। କଂଗ୍ରେସ ଏହି ସବୁକୁ ‘ରାଜନୈତିକ ପ୍ରତିଶୋଧ’ ବୋଲି ଅଭିଯୋଗ କରୁଛି। ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ପି. ଚିଦମ୍ବରମ ପ୍ରଶ୍ନ କରିଛନ୍ତି ଯେ ‘ଏଥିରେ କ୍ରାଇମ୍ କେଉଁଠି ଅଛି?’ କଂଗ୍ରେସ ଦାବି କରୁଛି ଯେ ଯଙ୍ଗ ଇଣ୍ଡିଆନ ଏକ ଅଣ-ଲାଭକାରୀ କମ୍ପାନୀ, ଯାହା ନେସନାଲ ହେରାଲ୍ଡର ଐତିହ୍ୟ ବଞ୍ଚାଇବା ପାଇଁ କାମ କରୁଛି, ଏବଂ ଏଥିରେ ସୋନିଆ ବା ରାହୁଲଙ୍କୁ କୌଣସି ବ୍ୟକ୍ତିଗତ ଲାଭ ହୋଇନାହିଁ।
ବିଜେପି ଏହି ମାମଲାକୁ ‘ଗାନ୍ଧୀ ପରିବାରର ଭ୍ରଷ୍ଟାଚାର’ ଓ ‘ବଂଶବାଦୀ ରାଜନୀତି’ର ପ୍ରମାଣ ବୋଲି ପ୍ରଚାର କରୁଛି। ବିଜେପି ନେତା ସମ୍ବିତ ପାତ୍ରା ଦାବି କରିଛନ୍ତି, ‘ଏମାନେ ଜେଲ ଯିବେ।’ ସୋସିଆଲ ମିଡିଆରେ ବିଜେପି ଏହାକୁ ‘ମୋଦୀ 3.0ର ବଡ଼ ସଫଳତା’ ବୋଲି ପ୍ରଚାର କରୁଛି। ଅନ୍ୟପକ୍ଷରେ, 25 ଏପ୍ରିଲ 2025ରେ ଦିଲ୍ଲୀ କୋର୍ଟ ଇଡିର ଚାର୍ଜସିଟ୍ ଉପରେ ନିଷ୍ପତ୍ତି ନେବ। ଯଦି କୋର୍ଟ ସୋନିଆ ଓ ରାହୁଲଙ୍କୁ ସମନ ଜାରି କରେ ବା ହିରାସତରେ ନିଏ, ତେବେ ଏହା କଂଗ୍ରେସର ସଙ୍ଗଠନ ଓ ନୈତିକତା ଉପରେ ଗଭୀର ଆଘାତ ଦେବ। ଏହା ସହ, ଏହି ମାମଲା ଭାରତୀୟ ରାଜନୀତିରେ ଏକ ନୂଆ ବିତର୍କ ସୃଷ୍ଟି କରିଛି, ଯେଉଁଥିରେ ଇଡିର ଭୂମିକାକୁ ନେଇ ବିପକ୍ଷ ଦଳମାନେ ‘ରାଜନୈତିକ ଅପବ୍ୟବହାର’ର ଅଭିଯୋଗ ଉଠାଉଛନ୍ତି।”
ଏହି ମାମଲା କଂଗ୍ରେସ ପାଇଁ ବୋଫୋର୍ସ କାଣ୍ଡ ପରେ ଗାନ୍ଧୀ ପରିବାରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଇଡି କେବଳ ଗାନ୍ଧୀ ପରିବାରକୁ ନୁହେଁ, ଅନ୍ୟ ବିପକ୍ଷ ନେତା ଯେମିତି ଛତିଶଗଡ଼ର ଭୂପେଶ ବଘେଲ, ବିହାରର ଲାଲୁ ଯାଦବ ଓ କେରଳର ପିନାରାୟୀ ବିଜୟନଙ୍କ ପରିବାରକୁ ମଧ୍ୟ ତଦନ୍ତ କରୁଛି। ବିପକ୍ଷ ଦଳମାନେ ଇଡି ଉପରେ ‘ରାଜନୈତିକ ଅସ୍ତ୍ର’ ଭାବେ ବ୍ୟବହାର ହେଉଥିବାର ଅଭିଯୋଗ କରୁଛନ୍ତି। ତେବେ, ଗାନ୍ଧୀ ପରିବାର ଏହି ଅଭିଯୋଗରୁ ମୁକ୍ତି ପାଇବେ, ନା ଜେଲ ଯିବେ? 25 ଏପ୍ରିଲରେ କୋର୍ଟର ନିଷ୍ପତ୍ତି ଏହା ସ୍ଥିର କରିବ। ଏହା ଭାରତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।
ALSO READ: https://purvapaksa.com/why-is-bjp-not-defending-defender-atakar/