ଆଉ ଏକ ଏଲପିଜି ଟ୍ୟାଙ୍କର୍ ବୋଝେଇ ଜାହାଜ ଲାଗିଲା ବନ୍ଦରରେ | ଶିବାଲିକ୍ ପରେ ମଙ୍ଗଳବାର ଗୁଜୁରାଟ ବନ୍ଦରରେ ପହଞ୍ଚିଥିଲା ନନ୍ଦା ଦେବୀ | ଯେଉଁଥିରେ ୪୭,୦୦୦ ମେଟ୍ରିକ୍ ଟନ୍ ରୁ ଅଧିକ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (ଏଲପିଜି) ଯୋଗାଣ ହୋଇଥିବା ଜଣାପଡିଛି । ଯୁଦ୍ଧ ପ୍ରଭାବିତ ହରମୁଜ୍ ପ୍ରଣାଳୀ ପାର କରିବା ପରେ ଜାହାଜଟି ଗୁଜରାଟ ଭାଡିନାର ବନ୍ଦରରେ ପହଞ୍ଚିଥିଲା । ମଧ୍ୟପ୍ରାଚ୍ୟରେ ଘନିଷ୍ଠ ସଙ୍କଟ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଭାରତକୁ ପରିବହନ କରୁଥିବା ଏହା ଦ୍ୱିତୀୟ ଜାହାଜ ।

ଗୋଟିଏ ଦିନ ପୂର୍ବରୁ, ହରମୁଜ୍ ପ୍ରଣାଳୀ ଦେଇ ପରିବହନ ପାଇଁ ଅନୁମତି ପାଇଥିଲା ଅନ୍ୟ ଏକ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ | ଯାହା ୪୬,୦୦୦ ମେଟ୍ରିକ୍ ଟନ୍ ରୁ ଅଧିକ ଏଲପିଜି ନେଇ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲା । ଏଥିରେ ଭାରତୀୟ ପରିବାର ଦ୍ୱାରା ବ୍ୟବହୃତ ପ୍ରାୟ ୩୨.୪ଲକ୍ଷ ମାନକ ୧୪.୨କେଜି ଘରୋଇ ସିଲିଣ୍ଡର ସମକକ୍ଷ ଏଲପିଜି ରହିଥିଲା । ଅଧିକାରୀମାନେ ଆକଳନ କରିଛନ୍ତି ଯେ କେବଳ ଏହି ଜାହାଜ ଭାରତର ମୋଟ ଏଲପିଜି ଆମଦାନୀ ଆବଶ୍ୟକତାର ପ୍ରାୟ ଗୋଟିଏ ଦିନ ପୂରଣ କରିପାରିବ।

ଶନିବାର, ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା ସୂଚନା ଦେଇଥିଲେ ଯେ ଶିବାଲିକ୍ ଏବଂ ନନ୍ଦା ଦେବୀ ଯଥାକ୍ରମେ ମାର୍ଚ୍ଚ୧୬ ଓ ୧୭ ରେ ପହଞ୍ଚିବା ନେଇ ଆଶା କରାଯାଉଛି। “ପର୍ସିଆନ୍ ଉପସାଗର ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ଘଣ୍ଟା ମଧ୍ୟରେ ସେମାନଙ୍କ ସହିତ ଜଡିତ କୌଣସି ଅପ୍ରୀତିକର ଘଟଣା ନେଇ ରିପୋର୍ଟ କରାଯାଇ ନାହିଁ । ହରମୁଜ୍ ପ୍ରଣାଳୀର ପଶ୍ଚିମରେ ଅବସ୍ଥିତ ପାରସିଆନ୍ ଉପସାଗରରେ ୨୪ଟି ଭାରତୀୟ ପତାକା ଜାହାଜ ଥିଲା । ଏଥିମଧ୍ୟରୁ ଦୁଇଟି ଜାହାଜ, ଶିବାଲିକ୍ ଏବଂ ନନ୍ଦା ଦେବୀ ଗତକାଲି ବିଳମ୍ବିତ ରାତିରେ ଓ ଆଜି ସକାଳେ ସୁରକ୍ଷିତ ଭାବରେ ହରମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରିଛନ୍ତି ଏବଂ ବର୍ତ୍ତମାନ ଭାରତ ଅଭିମୁଖେ ଯାଉଛନ୍ତି,” ବୋଲି ସିହ୍ନା କହିଛନ୍ତି।

ନନ୍ଦା ଦେବୀ ଗୁଜରାଟ ବନ୍ଦରରେ ପହଞ୍ଚିବା ପରେ, ତାମିଲନାଡୁକୁ ୨୪,୦୦୦ମେଟ୍ରିକ୍ ଟନ୍ ଏଲପିଜି ପଠାଯିବ ବୋଲି ଆଶା କରାଯାଉଛି। ତେବେ ଦୁଇଟି ଜାହାଜର ଆଗମନ ଭାରତର ଏଲପିଜି ଯୋଗାଣକୁ ପୁନଃ ସ୍ଥିର କରିବ ବୋଲି ଆଶା କରାଯାଉଛି | ଯାହା ଫଳରେ ଏହା ଅଭାବର ବ୍ୟାପକ ଆଶଙ୍କାକୁ ଦୂର କରିବ । ବର୍ତ୍ତମାନ, ଅନେକ ସହରରେ ରନ୍ଧନ ଗ୍ୟାସ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି | ତେଣେ ଛୋଟ ବ୍ୟବସାୟ ମାଲିକମାନେ , ଯେଉଁମାନେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରାସ୍ତା କଡରେ ଥିବା ଛୋଟ ଦୋକାନ ଚଳାଉଛନ୍ତି ସେମାନେ ଚିନ୍ତା କରୁଛନ୍ତି ଯେ ଅଭାବ ସେମାନଙ୍କୁ ନିଜ ଧନ୍ଦା ବନ୍ଦ କରିବାକୁ ବାଧ୍ୟ କରିପାରେ ।
also read : https://purvapaksa.com/trump-fumes-as-allies-snub-call-to-join-hormuz-mission/


