ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓଭାଲ ଅଫିସରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କ ସହ ସାକ୍ଷାତ କରିଛନ୍ତି । ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷର ପରବର୍ତ୍ତୀ ମାସରେ ହିଁ ପାକିସ୍ତାନର ସେନା ମୁଖ୍ୟଙ୍କ ସହ ସାକ୍ଷାତ କରିଛନ୍ତି । ଆମେରିକା ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଝୁଲି ରହିଛି, ଯେଉଁଥିରେ ଉଭୟ ଦେଶ ଦୋହଲୁଛନ୍ତି । ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସେହିପରି କରୁଛନ୍ତି । ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳରେ ପାକିସ୍ତାନକୁ ମିଳୁଥିବା ସାମରିକ ଅନୁଦାନକୁ ବନ୍ଦ କରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। କିନ୍ତୁ ଅସିମ ମୁନିରଙ୍କ ସହ ଆମେରିକୀୟ ରାଷ୍ଟ୍ରପତିଙ୍କ ସାକ୍ଷାତ ସେହି ଅବସରବାଦର ଏକ ଉଦାହରଣ । ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କାନାଡାରେ ସାକ୍ଷାତ ହେବାର ଥିଲା । କିନ୍ତୁ ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଟ୍ରମ୍ପ ପୂର୍ବରୁ ଚାଲିଯାଇଥିଲେ । ଏହାପରେ ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ଟେଲିଫୋନରେ କଥାବାର୍ତ୍ତା ହୋଇଥିଲା । ଏହି ସମୟରେ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଆସିବାକୁ ନିମନ୍ତ୍ରଣ ଦେଇଥିଲେ, କିନ୍ତୁ ମୋଦୀ ବ୍ୟସ୍ତତାର କାରଣ ଦର୍ଶାଇ ଆମେରିକୀୟ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ।
ଆମେରିକାରେ କାର୍ଯ୍ୟ କରିଥିବା ପାକିସ୍ତାନର ପୂର୍ବତନ ରାଜଦୂତ ହୁସେନ ହକ୍କାନୀ ଏହାକୁ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି, ଯିଏକି ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆମେରିକୀୟ ରାଷ୍ଟ୍ରପତି ନିକ୍ସନଙ୍କ ଧମକକୁ ଅଣଦେଖା କରି ପାକିସ୍ତାନର ବିଭାଜନ କରିଥିଲେ । ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ସେହି ପାକିସ୍ତାନୀ ସେନା ପାଇଁ ପ୍ରେମ ଦେଖାଉଛନ୍ତି, ଯେଉଁମାନେ ଅତୀତରେ ଆମେରିକାକୁ ବାରମ୍ବାର ଧୋକା ଦେଇଛନ୍ତି । ଏହା ଟ୍ରମ୍ପ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି । ଟ୍ରମ୍ପ-ମୁନିର ସାକ୍ଷାତ ପରେ ପୂର୍ବତନ ଆମେରିକୀୟ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିନ୍ଟନଙ୍କର ସେହି ପ୍ରସିଦ୍ଧ କଥା ମନେ ପଡ଼ୁଛି, ଯେଉଁଥିରେ ସେ ଇସଲାମାବାଦରେ କହିଥିଲେ, “ତୁମେ ଅଗଣାରେ ସାପ ପାଳି, ଏହା ଆଶା କର ନାହିଁ ଯେ ସେ ତୁମକୁ କାମୁଡ଼ିବ ନାହିଁ।”
ପାକିସ୍ତାନ ଉପରେ ଡୋନାଲ୍ଡ ଟ୍ରମ୍ପ କାହିଁକି ପ୍ରେମ ଦେଖାଉଛନ୍ତି?
ଭାରତ-ପ୍ରଶାନ୍ତ ମହାସାଗର ଉପରେ ନଜର ରଖୁଥିବା ଆମେରିକୀୟ ଜିଓ-ପୋଲିଟିକାଲ ବିଶେଷଜ୍ଞ ଡେରେକ ଜେ ଗ୍ରସମ୍ୟାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ରମ୍ପ-ମୁନିର ସାକ୍ଷାତ ବିଷୟରେ ଲେଖିଛନ୍ତି, “ତେବେ… ପାକିସ୍ତାନୀ ଫିଲ୍ଡ ମାର୍ଶାଲ ଅସିମ ମୁନିର ହ୍ୱାଇଟ ହାଉସରେ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନରେ ବସିବେ । ଟ୍ରମ୍ପଙ୍କ ଶାସନରେ ଆମେରିକା-ପାକିସ୍ତାନ ସମ୍ପର୍କ ଏତେ ଭଲ ଯେତିକି କେହି କେବେ କଳ୍ପନା ମଧ୍ୟ କରି ନ ଥିଲେ। ସରି ଇଣ୍ଡିଆ।” ଏହା ବ୍ୟତୀତ ସେ ଆଉ ଏକ ଏକ୍ସ ପୋଷ୍ଟରେ କହିଛନ୍ତି, “ଆମେରିକା ଭାରତ ସହ ବେଶ ଘନିଷ୍ଠ ସମ୍ପର୍କ ଗଢ଼ିଥିଲେ ମଧ୍ୟ, ନୂଆଦିଲ୍ଲୀ ଆମେରିକା-ପାକିସ୍ତାନ ସମ୍ପର୍କକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖିବା ଉଚିତ।” ହ୍ୱାଇଟ ହାଉସରେ ଏହି ବୈଠକ ଏପରି ସମୟରେ ହୋଇଛି ଯେତେବେଳେ ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ନିକଟରେ ହୋଇଥିବା ସଂଘର୍ଷ ଏବଂ ଇରାନ-ଇସ୍ରାଏଲ ସଂଘର୍ଷ ଆମେରିକୀୟ ନୀତି ନିର୍ମାତାମାନଙ୍କୁ ଏହି ଅଞ୍ଚଳରେ ପୁଣି ସକ୍ରିୟ ହେବାକୁ ବାଧ୍ୟ କରିଛି । ଟ୍ରମ୍ପଙ୍କର ଅସିମ ମୁନିରଙ୍କ ସହ ସାକ୍ଷାତ ଏକ ସଙ୍କେତ ଯେ ଆମେରିକା ପୁଣିଥରେ ପାକିସ୍ତାନର ସେନାକୁ ନିଜର ରଣନୈତିକ ଖେଳରେ ସାମିଲ କରିବାକୁ ଚାହୁଁଛି । କିନ୍ତୁ ପ୍ରଶ୍ନ ଏହା ଯେ ଯେତେବେଳେ ପାକିସ୍ତାନ ପୂର୍ବରୁ ଚୀନର ଶିବିରରେ ଅଛି, ସେତେବେଳେ ଆମେରିକା ପାକିସ୍ତାନଠାରୁ କ’ଣ ହାସଲ କରିପାରିବ?
ଇତିହାସର ପୃଷ୍ଠା ଆଡ଼େଇଲେ ଜଣାପଡ଼େ ଯେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆମେରିକା ପାକିସ୍ତାନୀ ସେନା ସହ ଘନିଷ୍ଠତା ଦେଖାଉଛି । ଆଫଗାନିସ୍ତାନରେ ସୋଭିଏତ ସଂଘର ଅଧିକାର ବିରୁଦ୍ଧରେ ଆମେରିକା ଓ ପାକିସ୍ତାନ ଏକାଠି ହୋଇଥିଲେ । ସେହି ସମୟରେ ଜେନେରାଲ ଜିଆ-ଉଲ-ହକ ଓ ପରେ ପରଭେଜ ମୁଶାରଫ ଆମେରିକୀୟ ସ୍ୱାର୍ଥ ସହ ଅସ୍ଥାୟୀ ତାଲମେଳ କରିଥିଲେ । କିନ୍ତୁ ପରେ ଜଣାପଡ଼ିଥିଲା ଯେ ପାକିସ୍ତାନ ଆମେରିକାକୁ କିପରି ବ୍ୟବହାର କରିଥିଲା । ଆଇଏସଆଇର ପୂର୍ବତନ ମୁଖ୍ୟ ହାମିଦ ଗୁଲ ଗର୍ବର ସହ କହିଥିଲେ, “ଯେଉଁ ଆଇଏସଆଇ ଉପରେ ଦୋଷ ଲଦାଯାଉଛି, ସେହି ଆଇଏସଆଇ ଆମେରିକାର ସାହାଯ୍ୟରେ ଆଫଗାନିସ୍ତାନରେ ସୋଭିଏତ ସଂଘକୁ ପରାସ୍ତ କରିଥିଲା। ପୁଣି ଆଉ ଗୋଟିଏ ଜୁମଲା ସୃଷ୍ଚି ହେବ ଯେ ଆଇଏସଆଇ ସାହାଯ୍ୟରେ ଆମେରିକା, ଆମେରିକାକୁ ପରାସ୍ତ କରିଥିଲା ।” ହାମିଦ ଗୁଲଙ୍କ ଏହି ବୟାନ ଉପରେ ଆମେରିକାରେ ବେଶ ଚର୍ଚ୍ଚା ହୋଇଥିଲା, କିନ୍ତୁ ଆମେରିକା ଶିକ୍ଷା ଗ୍ରହଣ କରି ନଥିଲା।
ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଣ୍ଟରନାସନାଲ ଷ୍ଟଡିଜର ପୂର୍ବତନ ପ୍ରଫେସର ଏସଡି ମୁନି ନବଭାରତ ଟାଇମ୍ସ ସହ କଥାବାର୍ତ୍ତାରେ କହିଛନ୍ତି, “ଆମେରିକା ଇରାନକୁ ମୁକାବିଲା କରିବା ପାଇଁ ଅସିମ ମୁନିରଙ୍କ ସହଯୋଗ ଚାହୁଁଛି । ଆମେରିକା ମନେ କରୁଛି ଯେ ଭବିଷ୍ୟତରେ ଇରାନ ସହ ସ୍ଥଳ ଯୁଦ୍ଧ ହେଲେ ପାକିସ୍ତାନରୁ ସାହାଯ୍ୟ ଆଶା କରାଯାଇପାରେ । ସେମାନେ ପାକିସ୍ତାନକୁ ଇରାନ ସହ ସୀମା ବନ୍ଦ କରିବାକୁ କିମ୍ବା ଇସ୍ରାଏଲକୁ କୌଣସି ପ୍ରକାରରେ ସାହାଯ୍ୟ କରିବାକୁ କହିପାରନ୍ତି । କିନ୍ତୁ ଏହା କେବଳ ସମ୍ଭାବନା, ଆମ ପାଖରେ ପ୍ରମାଣ ନାହିଁ। ଏହା କେବଳ ଏକ ସାଧାରଣ ମଧ୍ୟାହ୍ନ ଭୋଜନ ନୁହେଁ, ଏହା ରଣନୈତିକ ବିଷୟ ପାଇଁ ହେଉଛି ।”
୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ପାକିସ୍ତାନକୁ “ପ୍ରମ୍ମୁଖ ଅଣ-ନାଟୋ ସହଯୋଗୀ” ଘୋଷଣା କରିଥିଲା ଏବଂ ୧୦ ବିଲିୟନ ଡଲାରରୁ ଅଧିକ ସାହାଯ୍ୟ ଦେଇଥିଲା । କିନ୍ତୁ ଯେତେବେଳେ ଆମେରିକା ଆଫଗାନିସ୍ତାନରୁ ପ୍ରତ୍ୟାହାର ଯୋଜନା କରିଥିଲା, ପାକିସ୍ତାନର ସେନା ଚୁପଚାପ ତାଲିବାନକୁ ସାହାଯ୍ୟ କରିଥିଲା ଏବଂ ଆମେରିକାକୁ ଏକ ଅସହଜ ସ୍ଥିତିରେ ଛାଡ଼ିଥିଲା । ଟ୍ରମ୍ପଙ୍କୁ ଏହା ସବୁ ଭଲ ଭାବେ ମନେ ଅଛି, ତଥାପି ଏଥର ସେ ନୂଆ ସମୀକରଣ ତିଆରି କରୁଛନ୍ତି । ଜେନେରାଲ ଅସିମ ମୁନିର କଟ୍ଟର ଇସଲାମିକ ବିଚାରଧାରାରେ ବିଶ୍ୱାସ କରନ୍ତି ଏବଂ ଭାରତ ବିରୁଦ୍ଧରେ ବିଷ ଉଗାଳିବାରେ ପାରଙ୍ଗମ । ଅସିମ ମୁନିରଙ୍କୁ ବର୍ତ୍ତମାନ ପାକିସ୍ତାନରେ ପ୍ରକୃତ ଶକ୍ତିର ଚାବିକାଠି ବୋଲି ବିବେଚନା କରାଯାଉଛି । ପାକିସ୍ତାନରେ ପ୍ରକୃତ ଶକ୍ତି ସବୁବେଳେ ସେନା ପାଖରେ ରହିଛି ଏବଂ ଟ୍ରମ୍ପଙ୍କର ସେମାନଙ୍କ ସହ ସିଧାସଳଖ ସମ୍ପର୍କ ଏହା ଦର୍ଶାଉଛି ଯେ ଆମେରିକାର ଇମରାନ ଖାନ, ଶରିଫ କିମ୍ବା ଭୁଟ୍ଟୋ ପରି ନେତାମାନଙ୍କ ଠାରେ କୌଣସି ଆଗ୍ରହ ନାହିଁ । ସେ ପାକିସ୍ତାନରେ ଏକ ସାମରିକ ଶାସକକୁ ହିଁ ଦେଖିବାକୁ ଚାହୁଁଛନ୍ତି ଯିଏ ତାଙ୍କ ଇଶାରାରେ ‘ଅପରିଷ୍କାର କାମ’ କରିବ।
ଆମେରିକା ପାକିସ୍ତାନରୁ ଏଥର କ’ଣ ଚାହୁଁଛି ?
ଇରାନ ଉପରେ ଚାପ ସୃଷ୍ଟି କରିବା ପାଇଁ ସମର୍ଥନ: ଆମେରିକା ଇସ୍ରାଏଲ-ଇରାନ ସଂଘର୍ଷରେ ସାମିଲ ଅଛି, ଯଦିଓ ସିଧାସଳଖ ଯୁଦ୍ଧ ଲଢ଼ୁନାହିଁ । ପାକିସ୍ତାନର ଶିଆ-ବହୁଳ ସୀମାନ୍ତ ଅଞ୍ଚଳକୁ ଏହି ଯୁଦ୍ଧରେ ସନ୍ତୁଳନ ରକ୍ଷା କରିବା ପାଇଁ ପାକିସ୍ତାନକୁ ବ୍ୟବହାର କରାଯାଉଛି । ପାକିସ୍ତାନ ଇରାନ ସହ ଲାଗିଥିବା ନିଜର ସୀମାକୁ ସିଲ କରିଦେଇଛି । ଅନ୍ୟପକ୍ଷରେ ହାସ୍ୟାସ୍ପଦ କଥା ଏହା ଯେ ପାକିସ୍ତାନର ନେତାମାନେ ଇରାନ ପାଇଁ ଜୀବନ ଦେବା ଓ ମରିବା କଥା କହୁଛନ୍ତି ଏବଂ ପାକିସ୍ତାନର ସେନା ଇସ୍ରାଏଲକୁ ସାହାଯ୍ୟ କରୁଛି ।
ଚୀନର ବେଲ୍ଟ ଏଣ୍ଡ ରୋଡ ପ୍ରୋଜେକ୍ଟକୁ ନିୟନ୍ତ୍ରଣ କରିବା: ଚୀନର ସିପିଇସି ପ୍ରୋଜେକ୍ଟ ପାକିସ୍ତାନରେ ରହିଛି । ଆମେରିକା ପାକିସ୍ତାନକୁ ଚୀନର ପ୍ରଭାବରୁ ଦୂରେଇ ରଖିବାକୁ ଚାହୁଁଛି। କିନ୍ତୁ ବିଶେଷଜ୍ଞମାନେ ମନେ କରନ୍ତି ଯେ ଏହା ସମ୍ଭବ ନୁହେଁ, ଯଦିଓ ଟ୍ରମ୍ପ ଯେତେ ବି ଚେଷ୍ଟା କରନ୍ତୁ ।
ଭାରତକୁ ସନ୍ତୁଳନ କରିବା: ଗତ କିଛି ବର୍ଷରେ ଭାରତ ରୁଷିଆରୁ ଦୂରେଇ ଆମେରିକାର ନିକଟତର ହୋଇଛି। କିନ୍ତୁ ଆମେରିକାକୁ ଏବେ ମଧ୍ୟ ରୁଷିଆ ଓ ଭାରତର ସମ୍ପର୍କ ଖଟକୁଛି। ଏପରି ପରିସ୍ଥିତିରେ ଭାରତକୁ ସନ୍ତୁଳନ କରିବା ପାଇଁ ଆମେରିକା ପାଖରେ ପାକିସ୍ତାନ କାର୍ଡ ଅଛି, ଯାହାକୁ ସେ ଖେଳୁଛି।
ବର୍ତ୍ତମାନ ପାକିସ୍ତାନର ଦୁଇ ହାତରେ ଲଡ଼ୁ!
ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ କୌଣସି ସର୍ତ ବିନା ନିଜର କୋଳରେ ବସାଇଛନ୍ତି । ସ୍ପଷ୍ଟ କଥା ଯେ ପାକିସ୍ତାନର ଦୁଇ ହାତରେ ଲଡ଼ୁ ଅଛି। ଚୀନରୁ ଦୂରେଇ ନଯାଇ ତାକୁ ଆମେରିକୀୟ ଶିବିରରେ ବହୁ ବର୍ଷ ପରେ ଠିଆ ହେବାର ସୁଯୋଗ ମିଳିଛି। ଏପରି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାକିସ୍ତାନକୁ କିଛି ପ୍ରତିରକ୍ଷା ସାହାଯ୍ୟ ବା ପ୍ରତିରକ୍ଷା ଉପକରଣ ଦେଇପାରେ । ଆମେରିକାର ଇଶାରାରେ ହିଁ ପାକିସ୍ତାନକୁ ଆଇଏମଏଫରୁ ଋଣ ମିଳିଛି ଏବଂ ବିଶ୍ୱ ବ୍ୟାଙ୍କରୁ ମଧ୍ୟ ଋଣ ମିଳିଛି । ଏପରି ପରିସ୍ଥିତିରେ ଆମେରିକାର ସହଯୋଗରେ ପାକିସ୍ତାନକୁ ଏକ ନୂଆ ରାହତ ପ୍ୟାକେଜ ମିଳିପାରେ । ଅସିମ ମୁନିରଙ୍କ ହ୍ୱାଇଟ ହାଉସ ଗସ୍ତ ପାକିସ୍ତାନର ସେନାକୁ ପୁଣିଥରେ ଆନ୍ତର୍ଜାତୀୟ ବୈଧତା ଦେଇପାରେ।
ଏସଡି ମୁନି କହିଛନ୍ତି, “ନିଶ୍ଚିତ ଭାବେ ଏହା ଭାରତ ପାଇଁ ଏକ କୂଟନୈତିକ ଝଟକା ଏବଂ ଏହା ସେହି ଦିନଠାରୁ ଆରମ୍ଭ ହୋଇଛି, ଯେତେବେଳେ ଟ୍ରମ୍ପ ଟାରିଫକୁ ନେଇ ଆମ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ ଏବଂ ଯେଉଁ ଦିନ ଟ୍ରମ୍ପ ପାକିସ୍ତାନ ସହ ଯୁଦ୍ଧବିରତି ବିଷୟରେ କହିଥିଲେ। ସେ ଏପର୍ଯ୍ୟନ୍ତ କହି ନାହାଁନ୍ତି ଯେ ପାକିସ୍ତାନ (ପହେଲଗାମ ଆତଙ୍କବାଦୀ ଆକ୍ରମଣ) ପାଇଁ ଦାୟୀ। ଆମେରିକା ଯୋଗୁଁ ହିଁ ପାକିସ୍ତାନକୁ ଆଇଏମଏଫ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କରୁ ଋଣ ମିଳିଛି, ଆମେରିକା ଯୋଗୁଁ ହିଁ ଜାତିସଂଘରେ ଆତଙ୍କବାଦ ଉପରେ ଅଧ୍ୟକ୍ଷତା ମିଳିଛି। ଯଦି ଆମେ ଏହାକୁ ଠିକ୍ ଭାବେ ନ ବୁଝି ପାକିସ୍ତାନକୁ ଏକାକୀ କରିଥିବା ଭାବୁଛୁ, ତେବେ ଏହା ଆମର ଭୁଲ।”
ପାକିସ୍ତାନର ଧୋକାବାଜ ବୈଦେଶିକ ନୀତି
ପାକିସ୍ତାନ ଅତୀତରେ ଆମେରିକାଠାରୁ ଆରମ୍ଭ କରି ଆଫଗାନିସ୍ତାନ ଓ ଚୀନ ପର୍ଯ୍ୟନ୍ତ ଧୋକା ଦେଇସାରିଛି। ଧୋକା ଦେବା ପାକିସ୍ତାନର ବୈଦେଶିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। ପାକିସ୍ତାନ ଆଫଗାନିସ୍ତାନରେ ଆମେରିକାକୁ ୨୦ ବର୍ଷ ଧରି ଗୁମରାହ କରିଥିଲା ଏବଂ ପିଠି ପଛରେ ତାଲିବାନକୁ ଆଶ୍ରୟ ଦେଇଥିଲା। ଏହି କାରଣରୁ ଆମେରିକା ଥାଉଁ ଥାଉଁ ଅଗଷ୍ଟ ୨୦୨୧ରେ ତାଲିବାନ କାବୁଲ ଉପରେ ଅଧିକାର କରିଥିଲା ଏବଂ ଆମେରିକୀୟ ସେନାକୁ ଅପମାନିତ ହୋଇ ବାହାରିବାକୁ ପଡ଼ିଥିଲା । ପାକିସ୍ତାନ ତାଲିବାନକୁ ଧୋକା ଦେଇ କାବୁଲ ଶାସନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ତାଲିବାନ ଆଗରେ ତାର ଉଦ୍ୟମ ସଫଳ ହୋଇ ନଥିଲା। ସିପିଇସିରେ ନିବେଶ ସତ୍ତ୍ୱେ ଚୀନକୁ ପାକିସ୍ତାନ ବାରମ୍ବାର ଗୁମରାହ କରିଛି। ଜଳବିଦ୍ୟୁତ ଡ୍ୟାମ ଓ ଗ୍ୱାଦାର ବନ୍ଦରରେ ପ୍ରତିଶ୍ରୁତି ଭଙ୍ଗ କରିଛି। କିନ୍ତୁ ଭାରତକୁ ମୁକାବିଲା କରିବା ପାଇଁ ଚୀନ ସବୁ ଜାଣି ମଧ୍ୟ ପାକିସ୍ତାନର ଚାଲବାଜିକୁ ସହ୍ୟ କରୁଛି। ଏହା ବ୍ୟତୀତ ପାକିସ୍ତାନ ଇରାନ ସହ ବହୁକୋଟି ଡଲାରର ଗ୍ୟାସ ପାଇପଲାଇନ ପ୍ରୋଜେକ୍ଟ ଆରମ୍ଭ କରି ଧୋକା ଦେଇଥିଲା ଏବଂ ଇରାନ ନିଜର ଅଂଶ କାମ ସମାପ୍ତ କରିବା ପରେ ପ୍ରୋଜେକ୍ଟରୁ ବାହାରି ଆସିଥିଲା । ପାକିସ୍ତାନ ତୁର୍କୀ ଓ ମାଲେସିଆ ସହ ମିଶି କରି ସାଉଦି ଆରବର ପିଠିରେ ଛୁରା ମାରିବାକୁ ଚେଷ୍ଟା କରିଥିଲା, କିନ୍ତୁ ପ୍ରିନ୍ସ ସଲମାନଙ୍କ ଅସନ୍ତୋଷ ପରେ କ୍ଷମା ମାଗିଥିଲା। ଏହା ବ୍ୟତୀତ ପାକିସ୍ତାନ ସାଉଦି ନେତୃତ୍ୱାଧୀନ ଇସଲାମିକ ସାମରିକ ମେଣ୍ଟରେ ୟମନରେ ଶିଆ ବିଦ୍ରୋହୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଥିଲା, ଯାହାଦ୍ୱାରା ଇରାନ ଅସନ୍ତୁଷ୍ଟ ହୋଇଥିଲା।
ଇନ୍ଦିରା ଗାନ୍ଧୀଙ୍କ ପଥରେ ନରେନ୍ଦ୍ର ମୋଦୀ?
ଆମେରିକା ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଏହି ଅବସରବାଦୀ ଖେଳକୁ ଭାରତ ଭଲଭାବେ ଜାଣେ। ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କ ଆମେରିକା ଆସିବାର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯାହା ଭାରତର ବୈଦେଶିକ ନୀତିରେ ଏକ ନୂଆ ଅଧ୍ୟାୟ। ମୋଦୀ ସରକାର ସ୍ପଷ୍ଟ କରିଛନ୍ତି ଯେ ଭାରତ ଏବେ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଆମେରିକାର ଚାଲବାଜି ଉପରେ ଭରସା କରିବ ନାହିଁ। ଭାରତ ଏବେ ଏକ ସକ୍ରିୟ ରଣନୈତିକ ଶକ୍ତି ଭାବେ ଉଭା ହେଉଛି, ଯିଏ ଆମେରିକୀୟ ସ୍ୱାର୍ଥ ସହ ଚାଲି ମଧ୍ୟ ନିଜର ନିଷ୍ପତ୍ତି ସ୍ୱାଧୀନଭାବେ ନେଇପାରେ।
ଏସଡି ମୁନି କହିଛନ୍ତି, “ଭାରତ ମଧ୍ୟ ଏହା କରୁଛି। ଯେଉଁ ଦିନଠାରୁ ଆମେରିକା ସହ ଏପରି କଥାବାର୍ତ୍ତା (ବାଣିଜ୍ୟ ଯୁଦ୍ଧ) ଆରମ୍ଭ ହୋଇଛି, ଭାରତ ଚୀନ ସହ କଥାବାର୍ତ୍ତା ଆରମ୍ଭ କରିଛି। ଚୀନର ସୁର ମଧ୍ୟ ସାଧାରଣ ହୋଇଛି। ଚୀନକୁ ସବୁଠାରୁ ବଡ଼ ଅସୁବିଧା ଏହା ଥିଲା ଯେ ଭାରତ ଆମେରିକା ଆଡ଼େ ଅଧିକ ଯାଉଥିଲା, ଯାହାକୁ ଚୀନ ନିଜ ପାଇଁ ବିପଦ ମନେ କରୁଥିଲା। ଆମେ ଚୀନ ଓ ୟୁରୋପ ସହ ସମ୍ପର୍କକୁ ମଜବୁତ କରିବା ଆରମ୍ଭ କରିଛୁ, ଏବଂ ଆମେ ଏହା ଚେଷ୍ଟା କରିପାରୁ ଯେ ଆମର ଶକ୍ତିକୁ, ଅର୍ଥନୀତିକୁ ମଜବୁତ କରିବା ଉଚିତ। ଏହି କାରଣରୁ ଆମର ବିଶ୍ୱସନୀୟ ଅଂଶୀଦାର ଯେପରି ରୁଷିଆ ଅଛି, ତାଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ଉଚିତ। ଆମେରିକା ସହ ତୁମେ ଯେଉଁ ସମ୍ପର୍କ ଗଢ଼ୁଛ ବା କଥାବାର୍ତ୍ତା କରୁଛ, ତାହା ସାବଧାନରେ କରିବା ଉଚିତ।”
ଆମେରିକା କ’ଣ ପୁଣି ଧୋକା ଖାଇବ?
ଏହା ଏକ ବଡ଼ ପ୍ରଶ୍ନ। ଟ୍ରମ୍ପ କ’ଣ ରିଗାନ, କ୍ଲିନ୍ଟନ ଓ ବୁଶଙ୍କ ଦ୍ୱାରା କରାଯାଇଥିବା ସେହି ଭୁଲକୁ ପୁଣି ଦୋହରାଇବେ? ପାକିସ୍ତାନର ସେନା ନିଜର ସ୍ୱାର୍ଥ ପାଇଁ କାହାକୁ ବି ବ୍ୟବହାର କରିପାରେ, ତେଣିକି ସେ ଆମେରିକା, ଚୀନ ବା ସାଉଦି ଆରବ ହେଉ। ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜିଆ ଉଲ ହକ ୧୯୮୦ ଦଶକରେ ଆମେରିକୀୟ ରାଷ୍ଟ୍ରପତି ଜିମି କାର୍ଟର ଓ ରୋନାଲ୍ଡ ରିଗାନଙ୍କୁ ଭେଟିଥିଲେ। ମୁଶାରଫ ୨୦୦୦ ଦଶକରେ ବିଲ କ୍ଲିନ୍ଟନଙ୍କୁ ଭେଟିଥିଲେ। ୯/୧୧ ପରେ ମୁଶାରଫ ପୁଣିଥରେ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କୁ ଭେଟିଥିଲେ। ଜୁଲାଇ ୨୦୧୯ରେ ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କୁ ଭେଟିଥିଲେ। ଏବେ ଟ୍ରମ୍ପ ଅସିମ ମୁନିରଙ୍କୁ ଭେଟିଛନ୍ତି।
ଭାରତ, ଆମେରିକା ଓ ପାକିସ୍ତାନର ଏହି ଦୁଇମୁଖୀ ଆଚରଣକୁ ବେଶ ଭଲଭାବେ ଜାଣେ। ଏହି କାରଣରୁ ଭାରତ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଆରମ୍ଭ କରିଛି। ଡୋନାଲ୍ଡ ଟ୍ରମ୍ପ ଓ ଅସିମ ମୁନିରଙ୍କ ମଧ୍ୟାହ୍ନ ଭୋଜନ କେବଳ ଏକ ଭୋଜନ କାର୍ଯ୍ୟକ୍ରମ ନୁହେଁ, ବରଂ ଭବିଷ୍ୟତର ସେହି ରଣନୀତିର ମୂଳଦୁଆ ହୋଇପାରେ ଯେଉଁଥିରେ ଆମେରିକା ପୁଣିଥରେ ପାକିସ୍ତାନର ସାମରିକ ବ୍ୟବସ୍ଥା ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି। କିନ୍ତୁ ଏଥର ଭାରତ ଚୁପ ରହିବ ନାହିଁ। ଯଦି ଇତିହାସ କୌଣସି ସଙ୍କେତ ଦେଉଛି, ତେବେ ପାକିସ୍ତାନ ସହ ନିକଟତା, ନିକଟ ଭବିଷ୍ୟତରେ ଆମେରିକା ପାଇଁ ମହଙ୍ଗା ହୋଇପାରେ, କାରଣ ଆମେରିକାକୁ ଏବେ ଚୀନର ମୁକାବିଲା କରିବାକୁ ପଡ଼ିବ ଏବଂ ସେହି ସମୟରେ ପାକିସ୍ତାନ ଆମେରିକା ସହ ଠିଆ ହେବ ନାହିଁ।
ALSO READ https://purvapaksa.com/pattachitra-of-odisha-has-gained-global-fame-but-faces-major-challenges/
