- ବୋଟ୍ରେ ନଥିଲା ଲାଇଫ୍ ଜ୍ୟାକେଟ୍
- ନେଭି ଡ୍ରାଇଭର୍ଙ୍କ ବିରୋଧରେ ଏଫଆଇଆର
- ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଓ ଫଡ଼ନାବିସଙ୍କ ସହାୟତା
ମୁମ୍ବାଇ ଗେଟ୍ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ବି ଜଣେ ବ୍ୟକ୍ତି ଓ ଜଣେ ଶିଶୁ ନିଖୋଜ ଅଛନ୍ତି। ନିଖୋଜ ଦୁଇ ଜଣ ହେଲେ ୪୩ ବର୍ଷୀୟ ହଂସରାଜ ଭାଟି ଓ ୭ ବର୍ଷୀୟ ଜୋହାନ ମହମ୍ମଦ ନିସାର ଅହମ୍ମଦ ପଠାନ। ମୁମ୍ବାଇ ଗେଟ୍ଓ୍ୱେ ଅଫ୍ ଇଣ୍ଡିଆ ପାଖରେ ହୋଇଥିବା ବୋଟ ଦୁର୍ଘଟଣା ମାମଲାରେ ନୌସେନା ସ୍ପିଡ୍ ବୋଟ୍ ଡ୍ରାଇଭରଙ୍କ ବିରୋଧରେ ହେବ ଆକ୍ସନ୍। ପୁଲିସ୍ ନେଭି ଡ୍ରାଇଭରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ନାଥାରାମ ଚୌଧୁରୀ ନୌସେନା ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହାକୁ ଆଧାର କରି କୋଲାବା ପୁଲିସ ମାମଲା ରୁଜୁ କରିଛି।
ସେପଟେ ଆଉ ଜଣେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ କହିବା ମୁତାବକ, ଫେରିବୋଟ୍ରେ କାହା ପାଖରେ ମଧ୍ୟ ଲଇଫ୍ ସେଫ୍ ଜ୍ୟାକେଟ୍ ନଥିଲା। ତେଣୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ୨୦ରୁ ୨୫ ମିନିଟ୍ ପରେ ନୌସେନା ଉଦ୍ଧାର ପାଇଁ ଆସିଥିଲା। ବୁଧବାର ଅପରାହ୍ଣରେ ମୁମ୍ବାଇ ଗେଟ୍ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ଭିତରେ ୧୦ ଜଣ ସାଧାରଣ ଲୋକ ଓ ୩ ଜଣ ନୌସେନା କର୍ମଚାରୀ ଅଛନ୍ତି।
ପାଖାପାଖି ଶହେରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମୁମ୍ବାଇ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ଗତକାଲି ଅପରାହ୍ଣ ୩ଟା ୫୫ ମିନିଟରେ ଏହି ଅଘଟଣ ଘଟିଥିଲା। ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟକଙ୍କୁ ନେଇ ଏଲିଫାଣ୍ଟା ଯାଉଥିଲା ଏହି ଡଙ୍ଗା। ଏଥିରେ ୫ କ୍ରିଉ ମେମ୍ବରଙ୍କୁ ନେଇ ପ୍ରାୟ ଶହେରୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ଏତିକିବେଳେ କରଞ୍ଜ ନିକଟ ଉରାନରେ ହଠାତ୍ ନୌସେନାର ସ୍ପିଡ୍ ବୋଟ ଆସି ଡଙ୍ଗାକୁ ଧକ୍କା ଦେଇଥିଲା। ନୌସେନା ପକ୍ଷରୁ କୁହାଯାଇଛି ସ୍ପିଡ ବୋଟ ସମୁଦ୍ରରେ ଟ୍ରାଏଲ୍ କରୁଥିଲା। ଇଞ୍ଜିନରେ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଯାତ୍ରାବାହୀ ଡଙ୍ଗାକୁ ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ଏହି ଦ୍ୱିପଟି ମୁମ୍ବାଇର ଦକ୍ଷିଣ ପୂର୍ବ ତଟରୁ ପ୍ରାୟ ୧୦ କିମି ଦୂରରେ ଅବସ୍ଥିତ। ବ୍ରିହନ୍ମୁମ୍ବାଇ ପୌର ନିଗମ ପକ୍ଷରୁ ଜାରି ସୂଚନାନୁସାରେ, ଅପରାହ୍ଣ ୩ଟା୧୫ ମିନିଟ୍ରେ ନୀଳକମଳ ନାମକ ବୋଟ୍ରେ ଯାତ୍ରୀମାନେ ଏଲିଫାଣ୍ଟା ଦ୍ବୀପକୁ ଯାତ୍ରା ଆରମ୍ଭ କରିଥିଲେ।
ପ୍ରାୟ ୪ଟା ବେଳେ ଦ୍ୱୀପ ଠାରୁ ଅନତି ଦୂର କରଞ୍ଜା ନିକଟରେ ବୋଟ୍ଟିକୁ ନୌସେନାର ଏକ ‘ସ୍ପିଡ୍ ବୋଟ୍’ ଧକ୍କା ଦେଇଥିଲା। ସ୍ପିଡ୍ବୋଟ୍ରେ ୪ ଜଣ ନୌସେନା କର୍ମଚାରୀ ଥିଲେ। ଧକ୍କା ଯୋଗୁଁ ଯାତ୍ରୀବାହୀ ବୋଟ୍ ପାଣିରେ ଡୁବିଯାଇଥିଲା। ଉଦ୍ଧାର କାର୍ଯ୍ୟରେ ୧୧ ନୌସେନା ବୋଟ୍, ୩ଟି ସାମୁଦ୍ରିକ ପୁଲିସ ବୋଟ୍, ତଟରକ୍ଷୀ ବାହିନୀର ଗୋଟିଏ ବୋଟ୍, ୪ଟି ହେଲିକପ୍ଟର ନିୟୋଜିତ ହୋଇଥିଲେ। ତେବେ ଏହି ଦୁର୍ଘଟଣାରେ ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆସିଥିବା କିଛି ଡଙ୍ଗାର ଡ୍ରାଇଭରମାନେ ଘଟଣାସ୍ଥଳରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ଏବଂ ସେମାନେ ସେମାନଙ୍କ ଜୀବନରେ ଏପରି ଭୟଙ୍କର ଦୁର୍ଘଟଣା କେବେ ଦେଖିନଥିଲେ ବୋଲି କହିଛନ୍ତି।
previous article:https://purvapaksa.com/sergiful-will-boost-teenage-creativity/
