ଖୁବ୍ଶୀଘ୍ର ହେବ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଦିନକ ତଳେ ପୁନର୍ବାର ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ମନମୋହନ ସାମଲଙ୍କ ଏହି ଇଙ୍ଗିତ ଆଶାୟୀଙ୍କୁ ଅସ୍ଥିର କରିଛି। ଅନ୍ୟପକ୍ଷରେ ମନ୍ତ୍ରୀମଣ୍ଡଳରୁ ବାଦ ଆଶଙ୍କାରେ ଥିବା ତିନି ଚାରିଜଣ ମନ୍ତ୍ରୀ ମଧ୍ୟ ଅନୁଭବ କରୁଛନ୍ତି ।
ଖବର ଅନୁଯାୟୀ, ଚଳିତ ମାସ ମୋହନଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ ସମ୍ପ୍ରସାରଣ ହୋଇପାରେ। ସମ୍ଭବତଃ ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି। ଆସନ୍ତାକାଲିଠାରୁ କୃଷ୍ଣପକ୍ଷ ଆରମ୍ଭ। ତେଣୁ ୨୪ ତାରିଖରେ ଅମାବାସ୍ୟା ପରେ ନୂଆ ମନ୍ତ୍ରୀ ପରିଷଦ ଶପଥ ନେଇ ପାରନ୍ତି ବୋଲି ସୂଚନା ମିଳିଛି ।
ସ୍ବାସ୍ଥ୍ୟ, ଆଇନ, ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ବର୍ଷକ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛି । ପୁନଶ୍ଚ ଏକାଧିକ ମନ୍ତ୍ରୀଙ୍କ ନିକଟରେ ଦୁଇ ତିନିଟି ବିଭାଗ ରହିଛି । ତେଣୁ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏକ ସମତୁଲ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଚିନ୍ତନ ଚାଲିଛି। ତେବେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ବୋର୍ଡ, ନିଗମ ନିଯୁକ୍ତି ଆଦି ହେବାକୁ ଯାଉଛି।
ରାଜ୍ୟରେ ବର୍ତ୍ତମାନ ୬ଟି ମନ୍ତ୍ରୀପଦ ଖାଲି ପଡ଼ିଛି। ସେହିପରି ଅଧିକାଂଶ ମନ୍ତ୍ରୀମାନଙ୍କ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଏନେଇ ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ ପ୍ରାଥମିକ ଆଲୋଚନା କରିଛନ୍ତି ବୋଲି କୁହାଯାଉଛି। ପ୍ରତି ଲୋକସଭା କ୍ଷେତ୍ରରୁ ଅନ୍ୟୁନ ଜଣକୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେବାକୁ ବିଚାରବିମର୍ଶ କରାଯାଇଛି ବୋଲି ଜଣେ ତୁଙ୍ଗ ନେତା କହିଛନ୍ତି। ମହିଳା ଭାଗିଦାରୀ ବୃଦ୍ଧି କରିବାକୁ ଦଳର ନେତୃତ୍ବ ଆପାତତଃ ସ୍ଥିର କରିସାରିଛନ୍ତି।
ବୋର୍ଡ, ନିଗମ, ଏକାଡେମୀ ଓ କମିସନରେ ସରକାର ଏଯାବତ୍ ନିଯୁକ୍ତି ଦେଇପାରି ନାହାନ୍ତି। ଦଳର ଛାମୁଆ ନେତାଙ୍କ ମଧ୍ୟରେ ଛକାପଞ୍ଝା, ଗୋଷ୍ଠୀକନ୍ଦଳ ଏବଂ ଲବି ରାଜନୀତି କାରଣରୁ ସମ୍ପ୍ରସାରଣ ଓ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି।
ସଭାପତି ଭାବରେ ମନମୋହନ ଦଳରେ ପୁନର୍ବାର ଦାୟିତ୍ୱ ନେବା ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ନିଗମ ନିଯୁକ୍ତିସବୁ ଶୀଘ୍ର ଶେଷ କରାଯିବାର ପଥ ପରିଷ୍କାର ହୋଇଛି। ଅନ୍ୟ ଏକ ସୂଚନା ଅନୁଯାୟୀ ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ସ୍ବରୂପ ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଛି । ଏକୋଇଶି ଲୋକସଭା ଆସନକୁ ପ୍ରତିନିଧୂତ୍ଵ ମିଳିବାକୁ ଯାଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ମନ୍ତ୍ରୀମଣ୍ଡଳର ଚୂଡ଼ାନ୍ତ ସ୍ବରୂପ ନେଇ ଏକ କବାଟକିଳା ବୈଠକ କରିପାରନ୍ତି। ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଶେଷ ସପ୍ତାହରେ ସମ୍ପ୍ରସାରଣ କରାଯିବ।
Also Readhttps://purvapaksa.com/vatsala-worlds-oldest-asiatic-elephant-dies-at-109/
