MLA Lad fund: ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ସମୁଦାୟ ୭୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି
ଏଣିକି ଜଣେ ବିଧାୟକ ନିଜ ବିଧାନସଭା ମଣ୍ଡଳୀର ବିକାଶ ଲାଗି ବର୍ଷକୁ ୫ କୋଟି ଟଙ୍କା ଖର୍ଚ୍ଚ କରିପାରିବେ। ଏନେଇ ବଜେଟରେ ଅର୍ଥ ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଲାଗି ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ସମୁଦାୟ ୭୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବା ଆର୍ଥିକ ବର୍ଷ ଲାଗି ଏହି ଅର୍ଥକୁ ଖର୍ଚ୍ଚ କରିପାରିବେ ବିଧାୟକ।
ପୂର୍ବରୁ ବିଧାୟକମାନଙ୍କର ହାତପାଣ୍ଠି ବା ଆଞ୍ଚଳିକ ବିକାଶ ପାଣ୍ଠି ଲ୍ୟାଡ୍ ଫଣ୍ଡ୍ ୩ କୋଟି ଟଙ୍କା ଥିଲା। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଲାଗି କୌଣସି ବିଧାୟକ ଏହି ଅର୍ଥ ଖର୍ଚ୍ଚ କରିବା ଲାଗି ବ୍ୟବସ୍ଥା ରହିଥିଲା। ହେଲେ ଦିନକୁ ଦିନ ଅଧିକ ଅର୍ଥର ଆବଶ୍ୟକତା ଓ ଲୋକଙ୍କ ଦାବିକୁ ନଜରରେ ରଖି ବିଧାୟକମାନେ ବିଧାନସଭାରେ ଏ ନେଇ ଦାବି କରି ଆସୁଥିଲେ। ଏହାସହ ଖର୍ଚ୍ଚରେ ଜିଏସ୍ଟି ସଂଯୋଗ ହେଉଥିବାରୁ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି ବୋଲି ବିଧାୟକମାନେ ଦାବି କରିଥିଲେ। ଏହି ଦାବିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବଜେଟ୍ ଉପସ୍ଥାପନବେଳେ ଏମଏଲ୍ଏଇ ଲ୍ୟାଡ୍ ଫଣ୍ଡ୍କୁ ୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
ଏହାସହ ଆଞ୍ଚଳିକ ବିକାଶରେ ଭାରସାମ୍ୟ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଅତିରିକ୍ତ ୧୪୨ କମୋଟି ଟଙ୍କକା ଆବଣ୍ଟନ କରିଛନ୍ତି। ଏହା ବିଧାନସଭା ମଣ୍ଡଳୀ ଅନୁସାରେ ଆବଣ୍ଟନ ବା ସିଡବ୍ଲ୍ୟୂଏ ଭାବେ ପରିଚିତ ହେବ। ବଜେଟରେ ଏହି ବ୍ୟବସ୍ଥାକୁ ଉଲ୍ଲେଖ କରିବା ସମୟରେ ମୁଖ୍ୟମନ୍ତ୍ରୀ ଏ ପାଣ୍ଠିକୁ ବିଧାୟକମାନେ ପ୍ରଭାବଶାଳୀ ଉପଯୋଗ କରିବେ ବୋଲି ନିବେଦନ କରିଛନ୍ତି।
Also readhttps://purvapaksa.com/odisha-budget-290000cr/
