- ୧୧ଦିନରେ ଖେଳିଲେଣି ୬ଟି ମ୍ୟାଚ୍
ଭାରତୀୟ ଦଳ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାବେଳେ ଜଣେ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରି ହେଉଛି । ସେ ହେଉଛନ୍ତି ପେସ୍ ବୋଲର ମହମ୍ମଦ ସାମି । ଗତ ୨୦୨୩ ଦିନିକିଆ ବିଶ୍ୱକପ ବେଳେ ସାମି ଆହତ ହୋଇଥିଲେ। ସେବେଠୁ ସେ ଭାରତୀୟ ଦଳକୁ ଫେରି ନାହାନ୍ତି। ଅବଶ୍ୟ ସେ ଫିଟ୍ ହୋଇ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ଖେଳିବା ଜାରି ରଖିଛନ୍ତି ।
ଗତ ରଣଜୀ ଟ୍ରଫି ପଞ୍ଚମ ରାଉଣ୍ଡ ମୁକାବିଲା ଜରିଆରେ ସାମି ଦୀର୍ଘ ୩୬୦ ଦିନ ପରେ କ୍ରିକେଟକୁ ଫେରିଥିଲେ। ୪ଦିନିଆ ମ୍ୟାଚ୍ ଖେଳି ସେ ଫିଟନେସ ପ୍ରମାଣ ଦେଇଥିଲେ। ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ଭାରତୀୟ ଦଳ ନଜର ରଖିଥିଲା । ତଥାପି ତାଙ୍କୁ ତରବରିଆ ଭାବେ ଅଷ୍ଟ୍ରେଲିଆ ଡ଼କା ଯାଇନଥିଲା । ବର୍ତ୍ତମାନ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚାଲିଛି । ସାମି ଇତି ମଧ୍ୟରେ ୬ଟି ମ୍ୟାଚ୍ ଖେଳି ୨୩.୩ ଓଭର ବୋଲିଂ କରିସାରିଲେଣି । ତାଙ୍କର ପ୍ରତ୍ୟେକ ମ୍ୟାଚ୍ ଦେଖିବା ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ଫିଜିଓ ଓ ଚୟନ କମିଟି ସଦସ୍ୟ ଶିବସୁନ୍ଦର ଦାସ ଗ୍ରାଉଣ୍ଡରେ ଉପସ୍ଥିତ ରହୁଛନ୍ତି । ତଥାପି କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସାମିଙ୍କୁ ଏନସିଏର ସ୍ପୋର୍ଟ୍ସ ଓ ସାଇନ୍ସ ସେଣ୍ଟର ପକ୍ଷରୁ ଫିଟନେସ ପ୍ରମାଣପତ୍ର ମିଳିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅନୁମାନ କରାଯାଉଛି । ସାମି ମଧ୍ୟ ସବୁ ଆଲୋଚନାଠୁ ଦୂରେଇ ରହି କେବଳ ଖେଳ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।
ସାମି ମଧ୍ୟ ଚମତ୍କାର ଫର୍ମ ଦେଖାଇଛନ୍ତି। ସେ ତିନୋଟି ମ୍ୟାଚରେ ଶୃଙ୍ଖଳିତ ପ୍ରଦର୍ଶନ କରିଛନ୍ତି। ଅବଶିଷ୍ଟ ତିନୋଟିରେ ୩୫ରୁ ଅଧିକ ରନ୍ ପ୍ରଦାନ କରିଛନ୍ତି। ବେଙ୍ଗଲ ତା’ର ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ରାଜକୋଟରେ ରାଜସ୍ଥାନ ବିପକ୍ଷରେ ଖେଳିବ ଏବଂ ଯଦି ସାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ଚୟନ କରାଯାଏ ତେବେ ୧୩ ଦିନ ମଧ୍ୟରେ ଏହା ତାଙ୍କର ସପ୍ତମ ଟି-୨୦ ହେବ। ଏହି କାର୍ଯ୍ୟଭାର ଯଥେଷ୍ଟ ପ୍ରମାଣ କରୁଛି ଯେ ସାମି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି ଏବଂ ସେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତିନୋଟି ଟେଷ୍ଟ୍ ଖେଳିବା ଉଚିତ୍।
ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଶୃଙ୍ଖଳା ବିଷୟରେ କହିବାକୁ ଗଲେ ପ୍ରଥମ ଦୁଇଟି ଟେଷ୍ଟ ମଧ୍ୟରେ ୧୦ ଦିନର ବ୍ୟବଧାନ ଥିଲା ଏବଂ ଅନେକ ବିଶ୍ୱାସ କରିଥିଲେ ଯେ ସାମିଙ୍କୁ ଅଷ୍ଟ୍ରେଲିଆ ଗସ୍ତ କରିବା ଏବଂ ଆଡିଲେଡ ଟେଷ୍ଟ ପାଇଁ ନିଜକୁ ଉପଲବ୍ଧ କରାଇବାର ଏହା ଏକ ଆଦର୍ଶ ସୁଯୋଗ । ଅବଶିଷ୍ଟ ୩ଟି ଟେଷ୍ଟ ପାଇଁ ଯଦି ସାମିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଏ, ତା’ହେଲେ ସ୍ଥାତୀୟ ଜଳବାୟୁ ସହ ଖାପ ଖୁଆଇବା ପାଇଁ ତାଙ୍କୁ ସମୟ ମିଳିବ। ଏହି ସମୟ ମଧ୍ୟରେ ସେ ଲୟ ଶାଣିତ କରିପାରିବେ। ବ୍ରିସବେନ୍, ମେଲବର୍ଣ୍ଣ ଓ ସିଡନୀରେ ଶେଷ ୩ଟି ଟେଷ୍ଟ ଖେଳାଯିବ।
previous article: https://purvapaksa.com/category/example-3/