କୌଣସି ବି ରାଷ୍ଟ୍ରର ବିଦେଶ ନୀତି ତା’ର ଆଭ୍ୟନ୍ତରୀଣ ଶକ୍ତି ଏବଂ ଆନ୍ତର୍ଜାତିକ ମର୍ଯ୍ୟାଦାର ପ୍ରତିଫଳନ। ବିଶେଷଜ୍ଞଙ୍କ ମତରେ, ବିଦେଶ ନୀତିର ସଫଳତା କୌଣସି ଭାବପ୍ରବଣତାରେ ନୁହେଁ, ବରଂ ଶୁଦ୍ଧ ‘ରାଷ୍ଟ୍ରହିତ’ (National Interest) ଉପରେ ପର୍ଯ୍ୟବସିତ। ସ୍ୱାଧୀନତା ପରଠାରୁ ଭାରତର ବିଦେଶ ନୀତି ଅନେକ ପର୍ଯ୍ୟାୟ ଦେଇ ଗତି କରିଛି। ଗୋଟିଏ ପଟେ ନେହେରୁଙ୍କ ଆଦର୍ଶବାଦୀ ଅଣ-ସଂଲଗ୍ନ ନୀତି ଏବଂ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପ୍ରଥମେ ଭାରତ’ (India First) ର ବାସ୍ତବବାଦୀ କୂଟନୀତି। ଆଜିର ପରିବର୍ତ୍ତିତ ବିଶ୍ୱ ପରିପ୍ରେକ୍ଷୀରେ, ଯେତେବେଳେ ବିଶ୍ୱ ଯୁଦ୍ଧର ଧ୍ୱଂସାବଶେଷ ମଧ୍ୟରେ ଶାନ୍ତି ଖୋଜୁଛି, ସେତେବେଳେ ଭାରତର ଭୂମିକା ଏବଂ ମୋଦୀ ସରକାରଙ୍କ ରଣନୀତି ଏକ ନୂତନ ଇତିହାସ ରଚନା କରୁଛି।
ବିଶ୍ୱ ସଙ୍କଟ ମଧ୍ୟରେ ଭାରତର ସନ୍ତୁଳିତ କୂଟନୀତି
ବର୍ତ୍ତମାନର ବିଶ୍ୱ ଭୂ-ରାଜନୀତି (Geopolitics) ଏକ ଜଟିଳ ସମୀକରଣ ମଧ୍ୟ ଦେଇ ଗତି କରୁଛି। ଇସ୍ରାଏଲ-ହମାସ-ଇରାନ ମଧ୍ୟରେ ଯୁଦ୍ଧର ନିଆଁ ଜଳୁଛି ଏବଂ ଆମେରିକା ପରି ଶକ୍ତିଶାଳୀ ଦେଶ ଏହି ବିବାଦରେ ସିଧାସଳଖ ଜଡ଼ିତ। ଏଭଳି ସମୟରେ ପାରମ୍ପରିକ କୂଟନୀତି କହେ ଯେ ଆପଣଙ୍କୁ କୌଣସି ଏକ ପକ୍ଷ ବାଛିବାକୁ ପଡ଼ିବ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଏହି ଧାରାକୁ ବଦଳାଇ ଦେଇଛି।
ଭାରତ ଏବେ ଇସ୍ରାଏଲର ବନ୍ଧୁ ଏବଂ ଇରାନର ମଧ୍ୟ ବିଶ୍ୱସ୍ତ ସହଯୋଗୀ। ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ପରେ ବି କୂଟନୈତିକ ସ୍ଥିରତା ବଜାୟ ରହିବା ଏହାର ପ୍ରମାଣ। ଇରାନର ବିଦେଶ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଭାରତୀୟ ଜାହାଜ ପାଇଁ ଖୋଲା ରହିବା କୌଣସି ସାଧାରଣ ଘଟଣା ନୁହେଁ। ଏହା ହେଉଛି ଭାରତର ସେହି ‘ନରମ ଶକ୍ତି’ (Soft Power) ଏବଂ ‘କଠୋର ରଣନୀତି’ର ମିଶ୍ରଣ, ଯାହା ଶତ୍ରୁ ଓ ମିତ୍ର ଉଭୟଙ୍କୁ ଭାରତର ସ୍ୱର ଶୁଣିବାକୁ ବାଧ୍ୟ କରୁଛି।
ଅତୀତର ଦଲିଲ୍: କଂଗ୍ରେସ ଓ ନେହେରୁଙ୍କ ନୀତିର ସମୀକ୍ଷା
ଇତିହାସର ପୃଷ୍ଠା ଓଲଟାଇଲେ ଦେଖାଯାଏ ଯେ, ଅତୀତରେ ଭାରତର ବିଦେଶ ନୀତି ପ୍ରାୟତଃ ‘ଆଦର୍ଶବାଦ’ରେ ହଜି ଯାଉଥିଲା, ଯାହା ଫଳରେ ରାଷ୍ଟ୍ରକୁ କ୍ଷତି ସହିବାକୁ ପଡୁଥିଲା।
• ୧୯୪୮ର ଫିଲିସ୍ତିନ ପ୍ରସ୍ତାବ: ନେହେରୁଙ୍କ ପ୍ରସ୍ତାବ ଏତେ ଦୁର୍ବଳ ଥିଲା ଯେ ଉଭୟ ଇସ୍ରାଏଲ ଓ ଫିଲିସ୍ତାନ ତାକୁ ପରିହାସ କରି ପ୍ରତ୍ୟାଖ୍ୟାନ କରିଥିଲେ।
• ୧୯୫୨ର କୋରିଆ ସଙ୍କଟ: ଦକ୍ଷିଣ କୋରିଆ ନେହେରୁଙ୍କୁ ଜଣେ ମଧ୍ୟସ୍ଥି ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲା ଏବଂ ତାଙ୍କୁ ଜଣେ ‘କମ୍ୟୁନିଷ୍ଟ ସମର୍ଥକ’ ଭାବେ ଚିହ୍ନିତ କରିଥିଲା।
• ୧୯୫୬ର ହଙ୍ଗେରୀ ଆକ୍ରମଣ: ସୋଭିଏତ ସଂଘର ଆକ୍ରମଣକୁ ବିରୋଧ ନକରି ଭାରତ ନିଜର ନୈତିକ ସାହସ ହରାଇଥିଲା।
ଏହି ସମସ୍ତ ଘଟଣା ଦର୍ଶାଏ ଯେ ସେତେବେଳେ ଭାରତ କେବଳ ଏକ ପକ୍ଷର ପ୍ରବକ୍ତା ସାଜୁଥିଲା। ୧୯୭୧ ଯୁଦ୍ଧ ପରି ଏକ ବଡ଼ ସଫଳତା ସତ୍ତ୍ୱେ ବିଶ୍ୱ ସମ୍ମୁଖରେ ଆମେ ନିଜକୁ ଏକାକୀ ପାଇଥିଲୁ, ଯେଉଁଥିପାଇଁ ଜାତିସଂଘରେ ୯୦ଟି ଦେଶ ଆମ ବିରୋଧରେ ଛିଡ଼ା ହୋଇଥିଲେ।
ବର୍ତ୍ତମାନର ଦୃଢ଼ତା: ଧାରା ୩୭୦ରୁ ସର୍ଜିକାଲ ଷ୍ଟ୍ରାଇକ୍
ମୋଦୀ ସରକାରଙ୍କ ସମୟରେ ଭାରତ ନିଜର ଆଭ୍ୟନ୍ତରୀଣ ସ୍ୱାର୍ଥ ରକ୍ଷା ପାଇଁ ବିଶ୍ୱର ଚାପକୁ ଖାତିର କରିନାହିଁ। ଧାରା ୩୭୦ ହଟାଇବା ସମୟରେ ବିରୋଧୀ ଦଳ ଏହାକୁ ଏକ ବଡ଼ ବିଫଳତା ବୋଲି କହିଥିଲେ, କିନ୍ତୁ ବାସ୍ତବତା ହେଉଛି ପାକିସ୍ତାନ ଓ ତୁର୍କୀ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ଦେଶ ଭାରତ ବିରୋଧରେ ସ୍ୱର ଉତ୍ତୋଳନ କରିନାହାନ୍ତି। ଏପରିକି ଇସଲାମିକ ଦେଶଗୁଡ଼ିକ ମଧ୍ୟ ଏହାକୁ ଭାରତର ବ୍ୟକ୍ତିଗତ ମାମଲା ବୋଲି କହି ଏଡ଼ାଇ ଯାଇଥିଲେ।
ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ଭାରତ ବିଶ୍ୱକୁ ବାର୍ତ୍ତା ଦେଲା ଯେ, ‘ଆମେ କାହା ଉପରେ ଆକ୍ରମଣ କରୁନାହୁଁ, କିନ୍ତୁ ଆମକୁ କେହି ଆଘାତ କଲେ ଆମେ ଘରେ ପଶି ମାରିବୁ’। ଏହି ‘ନୂତନ ଭାରତ’ର ନୀତି ବିଶ୍ୱ ଶକ୍ତିମାନଙ୍କୁ ଭାରତ ସହ ମେଣ୍ଟ କରିବାକୁ ବାଧ୍ୟ କରିଛି।
ବିରୋଧୀ ଦଳଙ୍କ ଆଭିମୁଖ୍ୟ ଓ ଦେଶର ସମ୍ମାନ
ଦୁର୍ଭାଗ୍ୟର ବିଷୟ ଯେ, ଯେତେବେଳେ ଦେଶ ବିଦେଶରେ ସମ୍ମାନିତ ହେଉଛି, ସେତେବେଳେ ଦେଶର କିଛି ରାଜନୈତିକ ଦଳ ଏହାକୁ କ୍ଷୁଦ୍ର ରାଜନୈତିକ ସ୍ୱାର୍ଥରେ ଦେଖୁଛନ୍ତି। ରାହୁଲ ଗାନ୍ଧୀଙ୍କ ଦ୍ୱାରା ଏହାକୁ ‘ମୋଦୀଙ୍କ ବ୍ୟକ୍ତିଗତ ନୀତି’ କୁହାଯିବା ହେଉଛି ହାସ୍ୟାସ୍ପଦ। ବିଦେଶ ନୀତି କୌଣସି ବ୍ୟକ୍ତିର ନୁହେଁ, ବରଂ ଦେଶର ହୋଇଥାଏ। ଅତୀତରେ କଂଗ୍ରେସ ସରକାର ବଲୁଚିସ୍ତାନ ମାମଲାକୁ ଯୁଗ୍ମ ବିବୃତିରେ ସାମିଲ କରି ପାକିସ୍ତାନକୁ ହାତରେ ଅସ୍ତ୍ର ଟେକି ଦେଇଥିଲେ।
ଆଜି ବିରୋଧୀ ଦଳ ପାକିସ୍ତାନ ବା ଚୀନ୍ର ଭାଷାରେ କଥା କହିବା ଦ୍ୱାରା ଦେଶର ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଛି। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଦେଶର କୂଟନୈତିକ ବିଜୟକୁ ପରାଜୟ ବୋଲି ଦର୍ଶାଇବା ଜଣେ ଦାୟିତ୍ୱବାନ ନେତାଙ୍କ ପାଇଁ ଶୋଭା ପାଏ ନାହିଁ।
ଶକ୍ତି ସୁରକ୍ଷା ଓ ଅର୍ଥନୈତିକ ସ୍ୱାଧୀନତା
ବିଦେଶ ନୀତି କେବଳ ଯୁଦ୍ଧ ବା ଶାନ୍ତି ମଧ୍ୟରେ ସୀମିତ ନୁହେଁ, ଏହା ଦେଶର ରୋଷେଇ ଘର ସହ ମଧ୍ୟ ଜଡ଼ିତ। ବିଶ୍ୱରେ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ମୋଦୀ ସରକାର ଯୁଦ୍ଧକାଳୀନ ଭିତ୍ତିରେ ‘ପିଏନଜି’ (PNG) ଉତ୍ପାଦନ ୪୦% ବୃଦ୍ଧି କରିଛନ୍ତି। ଏହା ସହିତ ରୁଷଠାରୁ ଶସ୍ତା ତୈଳ କ୍ରୟ କରି ଭାରତ ନିଜର ଅର୍ଥନୀତିକୁ ସୁରକ୍ଷିତ ରଖିପାରିଛି। ପଶ୍ଚିମା ଦେଶମାନଙ୍କ ଚାପ ସତ୍ତ୍ୱେ ଭାରତ ନିଜ ନିଷ୍ପତ୍ତିରେ ଅଟଳ ରହିବା ଦର୍ଶାଏ ଯେ ଭାରତ ଏବେ କାହାର ‘ପକେଟ୍ କଣ୍ଟ୍ରି’ ନୁହେଁ।
୨୨ ବର୍ଷର ବିଫଳତା ବନାମ ଉଜ୍ଜ୍ୱଳ ଭବିଷ୍ୟତ
ଶେଷରେ, ଯେଉଁମାନେ ନିଜ ଶାସନ କାଳରେ ଦେଶର ବିଦେଶ ନୀତିକୁ ଦୁର୍ବଳ କରିଥିଲେ, ସେମାନେ ଆଜିର ସଫଳତାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମୋଦୀଙ୍କ ବିଦେଶ ନୀତି ଭାରତକୁ ଏକ ‘ବିଶ୍ୱମିତ୍ର’ର ମାନ୍ୟତା ଦେଇଛି। ଜି-୨୦ ଶିଖର ସମ୍ମିଳନୀରୁ ଆରମ୍ଭ କରି କୋଭିଡ୍ ସମୟରେ ଟିକା ଯୋଗାଣ ପର୍ଯ୍ୟନ୍ତ, ଭାରତ ପ୍ରମାଣ କରିଛି ଯେ ଆମେ କେବଳ ଜଣେ ବଜାର ନୁହଁ, ବରଂ ଜଣେ ଜ୍ଞାନଦାତା ଓ ଶାନ୍ତିଦୂତ।
ରାଜନୈତିକ ମତଭେଦ ସତ୍ତ୍ୱେ, ଯେତେବେଳେ ଦେଶର ମାନ-ସମ୍ମାନ କଥା ଆସେ, ସମସ୍ତଙ୍କୁ ଏକ ସ୍ୱରରେ କହିବାକୁ ହେବ। ଆଜିର ଭାରତ ଆଉ ପଛକୁ ଫେରିବାକୁ ପ୍ରସ୍ତୁତ ନୁହେଁ। ବିରୋଧୀଙ୍କ ଆକ୍ରୋଶ ସତ୍ତ୍ୱେ ଭାରତ ନିଜର କୂଟନୈତିକ ବିଜୟ ରଥକୁ ଆଗକୁ ବଢ଼ାଇ ଚାଲିବ।
AlsoRead; https://purvapaksa.com/five-indian-ships-near-hormuz/
ହରମୁଜ୍ ନିକଟରେ ଭାରତର ପାଞ୍ଚଟି ଜାହାଜ || Five Indian ships near Hormuz


