ଭାରତୀୟ ଗଣତନ୍ତ୍ରରେ ବଜେଟ୍ କେବଳ ଆୟ-ବ୍ୟୟର ହିସାବ କାଗଜ ନୁହେଁ। ଏହା ରାଜନୈତିକ ଇଚ୍ଛାଶକ୍ତି, ଅର୍ଥନୈତିକ ଦାର୍ଶନିକତା ଓ ଜିଓ ପଲିଟିକ୍ସ ଚିନ୍ତାଧାରାର ଏକ ସଂଯୁକ୍ତ ଘୋଷଣାପତ୍ର। ଏହି ପ୍ରସଙ୍ଗରେ ନିର୍ମଳା ସୀତାରମଣଙ୍କ ନଅଟି ବଜେଟ୍ ମଧ୍ୟରୁ ସାମ୍ପ୍ରତିକ ବଜେଟ୍ ଏକ ଭିନ୍ନ ଚରିତ୍ର ଦେଖାଏ। ଏହା ସବୁଠାରୁ କମ୍ “ନିର୍ବାଚନମୁଖୀ” ବଜେଟ୍, କିନ୍ତୁ ସେଇ ସମୟରେ ସବୁଠାରୁ ଅଧିକ ଜିଓ ପଲିଟିକ୍ସ ଚାପରେ ତିଆରି ହୋଇଥିବା ଅର୍ଥନୈତିକ ଦଲିଲ।
ପ୍ରଥମ ଦୃଷ୍ଟିରେ ଏହି ବଜେଟ୍ ଶାନ୍ତ, ସଂଯମୀ ଏବଂ ଅତ୍ୟଧିକ ସାବଧାନ। କିନ୍ତୁ ଭିତରେ ଭିତରେ ଏହା ଏକ ଗଭୀର ରାଜନୈତିକ ଆତ୍ମବିଶ୍ୱାସ ଜିଓ ପଲିଟିକ୍ସ ଚିନ୍ତାର ଦ୍ୱନ୍ଦ୍ୱକୁ ପ୍ରକାଶ କରେ। ଏହି ବିରୋଧାଭାସକୁ ବୁଝିବା ପାଇଁ ବଜେଟ୍କୁ କେବଳ ଅର୍ଥନୀତିର ଚକ୍ଷୁରେ ନୁହେଁ, ବରଂ ରାଜନୀତି, ଆଦର୍ଶ ଓ ଦାର୍ଶନିକତାର ଆଲୋକରେ ଦେଖିବା ଦରକାର।
ଭାରତର ବଜେଟ୍ ଇତିହାସରେ ମଧ୍ୟବିତ୍ତ ବର୍ଗ ସବୁବେଳେ ସବୁଠାରୁ ବଡ଼ ଲକ୍ଷ୍ୟ ରହିଆସିଛି। ଟିକସ ଛାଡ଼, ଆୟକର ସୀମା ବୃଦ୍ଧି, ଘର କିଣିବା ପାଇଁ ପ୍ରୋତ୍ସାହନ—ଏସବୁ ହେଉଛି ପରିଚିତ ବଜେଟ୍ ଉପହାର। କିନ୍ତୁ ଏହି ବଜେଟ୍ରେ ସେହି ଚିହ୍ନିତ ରାଜନୈତିକ ଲୋଭ ପ୍ରାୟ ଅନୁପସ୍ଥିତ।
ନା ମଧ୍ୟବିତ୍ତ ବର୍ଗ ପାଇଁ ନୂଆ ଉପହାର, ନା ରାଜ୍ୟଗୁଡ଼ିକୁ ବଡ଼ ଆବଣ୍ଟନ, ନା ସହଯୋଗୀ ଦଳକୁ ଖୁସି କରିବା ପାଇଁ କୌଣସି ବିଶେଷ ରିଆୟତି। ଏହି “ନିର୍ବାଚନୀ ନିର୍ଲିପ୍ତତା” କୌଣସି ଅବହେଳା ନୁହେଁ; ଏହା ଏକ ସଚେତନ ରାଜନୈତିକ ଚୟନ।
ଏହା ଦେଖାଏ ଯେ ସରକାର ୨୦୨୪ ପରବର୍ତ୍ତୀ ରାଜନୈତିକ ଅନିଶ୍ଚିତତାକୁ ମନରୁ ହଟାଇ ଦେଇଛି। ଭୋଟ ବ୍ୟାଙ୍କ ଉପରେ ଏକ ଗଭୀର ଆତ୍ମବିଶ୍ୱାସ ଏହି ବଜେଟ୍ର ପ୍ରତ୍ୟେକ ଧାରାରେ ଲୁଚି ରହିଛି। ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟଗୁଡ଼ିକୁ ଦେଖିଲେ ଏହି ଆତ୍ମବିଶ୍ୱାସ ଅଧିକ ସ୍ପଷ୍ଟ ହୁଏ। କେଉଁଠି ଜିତ ନିଶ୍ଚିତ, କେଉଁଠି ହାର ପ୍ରାୟ ନିଶ୍ଚିତ—ଏହି ଗଣନା ମଧ୍ୟରେ ବଜେଟ୍ରୁ ରାଜନୈତିକ ଲୋଭକୁ ବାଦ ଦିଆଯାଇଛି।
ବଜେଟ୍ ପୂର୍ବରୁ କର୍ପୋରେଟ୍ ଜଗତ, ବିଦେଶୀ ନିବେଶକ ଏବଂ ପ୍ରତିଷ୍ଠାନ-ଅନୁକୂଳ ଅର୍ଥନୀତିଜ୍ଞମାନଙ୍କ ଠାରୁ ଅନେକ ପରାମର୍ଶ ଆସିଥିଲା। ମୁଦ୍ରାସ୍ଫୀତି ନିମ୍ନ ସ୍ତରରେ ଥିବା ସମୟରେ ଅଧିକ ଟଙ୍କା ମୁଦ୍ରଣ, କିଛି ସରକାରୀ ସମ୍ପତ୍ତି ବିକ୍ରୟ, ପୁଞ୍ଜି ଲାଭ କର ହ୍ରାସ—ଏସବୁ ମାଧ୍ୟମରେ ଅର୍ଥନୀତିକୁ ତେଜ କରିବା ପାଇଁ ଦାବି ହୋଇଥିଲା।
କିନ୍ତୁ ସରକାର ପ୍ରାୟତଃ ବିପରୀତ ଦିଗରେ ଚାଲିଲା। ବଜାରକୁ ଉତ୍ତେଜିତ କରିବା ପରିବର୍ତ୍ତେ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ ବୃଦ୍ଧି କରାଗଲା। ଏହା ଏକ ସ୍ପଷ୍ଟ ବାର୍ତ୍ତା- ସରକାର ଅତି ତେଜ ବଜାର ଚାଳକୁ ଭୟ କରୁଛି। ଏହି ଭୟ ଅର୍ଥନୈତିକ ଠାରୁ ଅଧିକ ଜିଓ ପଲିଟିକ୍ସ।
ଆଜିର ବିଶ୍ୱ ଅର୍ଥନୀତି ଏକ ଅସ୍ଥିର ଭୂମି ଉପରେ ଠିଆ ହୋଇଛି। ଯୁଦ୍ଧ, ବ୍ୟାପାର ଦ୍ୱନ୍ଦ୍ୱ, ଶକ୍ତି ଯୋଗାଣ ସଙ୍କଟ—ଏସବୁ ଭାରତୀୟ ଅର୍ଥନୀତିକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରୁଛି। ଏହି ପରିପ୍ରେକ୍ଷୀରେ ବଜେଟ୍ର ସଂଯମୀ ଧାରା ବୁଝିବା ସହଜ।
ଏହା ଏକ ଆତ୍ମବିଶ୍ୱାସୀ ରାଜନୀତି—କିନ୍ତୁ ଚିନ୍ତିତ ଜିଓ ପଲିଟିକ୍ସ। ସରକାର ଜାଣେ ଯେ ଆଗାମୀ କିଛି ବର୍ଷ ବିଶ୍ୱ ଅର୍ଥନୀତି ପାଇଁ ସହଜ ହେବ ନାହିଁ। ସେଥିପାଇଁ ଅତିରିକ୍ତ ରିସ୍କ ନେବାକୁ ଏହା ପ୍ରସ୍ତୁତ ନୁହେଁ।
ଏହି ବଜେଟ୍ ଏକ ଆଦର୍ଶଗତ ଘୋଷଣା ମଧ୍ୟ। ଏହା କହୁଛି—ରାଜ୍ୟ ଅତ୍ୟଧିକ ହସ୍ତକ୍ଷେପ କରିବ ନାହିଁ, କିନ୍ତୁ ସମ୍ପୂର୍ଣ୍ଣ ମୁକ୍ତ ବଜାରକୁ ମଧ୍ୟ ଛାଡ଼ି ଦେବ ନାହିଁ। ଏହି “ମଧ୍ୟମାର୍ଗୀ” ଦାର୍ଶନିକତା ହିଁ ମୋଦୀ ସରକାରଙ୍କ ଅର୍ଥନୈତିକ ଚିନ୍ତାଧାରାର ମୂଳ।
ମୋଦୀ ସରକାରଙ୍କ ଏହି ବଜେଟ୍ ନ ଉତ୍ସାହଜନକ, ନ ହତାଶାଜନକ। ଏହା ଏକ ଗଣନାକୃତ ସଂଯମ। ରାଜନୈତିକ ଭାବେ ଏହା ଆତ୍ମବିଶ୍ୱାସପୂର୍ଣ୍ଣ—ଭୋଟ ବ୍ୟାଙ୍କ ଉପରେ ଅଟୁଟ ବିଶ୍ୱାସ। କିନ୍ତୁ ଭୂ-ରାଜନୈତିକ ଭାବେ ଏହା ଚିନ୍ତିତ—ବିଶ୍ୱ ଅନିଶ୍ଚିତତାକୁ ନେଇ ସାବଧାନ।
ଶେଷ ପର୍ଯ୍ୟନ୍ତ, ଏହି ବଜେଟ୍ ଭାରତର ବର୍ତ୍ତମାନ ମନୋଭାବକୁ ପ୍ରତିବିମ୍ବିତ କରେ—ଆତ୍ମବିଶ୍ୱାସ ଅଛି, କିନ୍ତୁ ନିର୍ଲିପ୍ତତା ନୁହେଁ; ଆଶା ଅଛି, କିନ୍ତୁ ଅନ୍ଧ ବିଶ୍ୱାସ ନୁହେଁ।
AlsoRead; https://purvapaksa.com/supplies-minister-vows-to-defeat-bjp/
Supplies Minister vows to defeat BJP || ବିଜେପିକୁ ହରାଇବାକୁ ଯୋଗାଣମନ୍ତ୍ରୀଙ୍କ ଶପଥ


