ବଢ଼ୁଥିବା ଆଭ୍ୟନ୍ତରୀଣ ବିଦ୍ରୋହ, ମୁଖିଆଙ୍କ ଅସୁସ୍ଥତା ଏବଂ ଅସ୍ଥିର ନୀତିରେ ଆକ୍ରାନ୍ତ ଥିବା ବିଜୁ ଜନତା ଦଳ ଆଗକୁ କିପରି ନିର୍ବାଚନ ପ୍ରଚାର କରିବ? କିଏ ଏହାର ମଙ୍ଗ ଧରିବେ ଏବଂ କିଏ ନବୀନଙ୍କ ପକ୍ଷରୁ ପ୍ରଚାର କରିବେ। କାରଣ ୨୦୨୪ ସାଧାରଣ ନିର୍ବାଚନ ଭଳି ଆସନ୍ତା ଉପ ନିର୍ବାଚନରେ ପାଣ୍ଡିଆନ୍ ପ୍ରଚାର କରିବେ ନାହିଁ। ଅପରପକ୍ଷେ ନବୀନଙ୍କ ଅସୁସ୍ଥତା ଓ ଅମନଯୋଗୀତା ବି ତାଙ୍କୁ ରଣାଙ୍ଗନରୁ ଦୂରେଇ ରଖିପାରେ। ପୁଣି ଯାହାଙ୍କୁ ଦଳ ଏବେ ମଙ୍ଗ ସମ୍ଭାଳିବାକୁ ପଠାଇଛନ୍ତି ତାଙ୍କୁ ନେଇ ଦଳରେ ଫାଟ ହେଲାଣି। ଏଭଳି ପରିସ୍ଥିତିରେ ନୂଆପଡ଼ାର ରାଜନୀତିରେ କିଏ ହେବେ ମୋଡ଼ ପରିବର୍ତ୍ତନକାରୀ ଚେହେରା? ନା ବିଜେଡି ଭିତରର କନ୍ଦଳ ଯୋଗୁ ନୂଆପଡ଼ା ହାତରୁ ଖସିଯିବ?
ନୂଆପଡ଼ାରେ ସରକାରର ଶକ୍ତି ଆଉ ବିରୋଧୀ ଦଳର ଦୁର୍ବଳତା ପରୀକ୍ଷା
ନିର୍ବାଚନ କମିଶନ ଦ୍ୱାରା ବିହାର ବିଧାନସଭା ଏବଂ ନୂଆପଡ଼ା ଉପ-ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକମାନେ ସେମାନଙ୍କ ରିପୋର୍ଟ ଦେଇସାରିଲେଣି। ଆଉ କିଛିଦିନ ପରେ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଘୋଷଣା ହେବ। ବିହାର ନିର୍ବାଚନ ସହ ଏକସଙ୍ଗେ ଏହାର ତାରିଖ ସ୍ଥିର ହୋଇପାରେ। ଏହା ସତ୍ୟ ଯେ ଏହି ଉପ ନିର୍ବାଚନ ରାଜ୍ୟରେ ସରକାର ବଦଳାଇ ଦେବ ନାହିଁ କି ବିରୋଧୀ ଦଳକୁ ଦୁର୍ବଳ କରିପାରିବ ନାହିଁ। କିନ୍ତୁ ଏହା ଦୁଇ ପକ୍ଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଥିରେ ୧୫ ମାସର ସରକାରର ଶକ୍ତି ପରୀକ୍ଷା ହେବ ଆଉ ବିରୋଧୀ ଦଳର ଦୁର୍ବଳତା। ଅର୍ଥାତ୍ କିଏ ଶକ୍ତି ହରାଇଛି ଆଉ କିଏ ଆହରଣ କରିପାରିଛି ତାହାର ହିସାବ କିତାବ ହେବ। ଏହା ଏକ ଛୋଟିଆ ନିର୍ବାଚନମଣ୍ଡଳୀ ହୋଇପାରେ କିନ୍ତୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନକୁ ଉଖାରିପାରେ।
୨୦୨୪ ନିର୍ବାଚନରେ ବିଜେଡି ନୂଆପଡ଼ା ଜିତିଥିଲା। ରାଜେନ୍ଦ୍ର ଢୋଲକିଆ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୦୮୮୧ ଭୋଟରେ ହରାଇଥିଲେ। ରାଜେନ୍ଦ୍ର ପାଇଥିବା ସମୁଦାୟ ଭୋଟ୍ ପରିମାଣ ଥିଲା ୬୧ହଜାର ୮୨୨। ଆଉ ଘାସିରାମ ପାଇଥିଲେ ୫୦ ହଜାର ୯୪୧। ଏହି ରଣାଙ୍ଗନରେ ତୃତୀୟ ସ୍ଥାନରେ ରହିଥିଲା ବିଜେପି। ଏହାର ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୧୭ ହଜାର ୮ଖଣ୍ଡ ଭୋଟରେ ରାଜେନ୍ଦ୍ରଙ୍କଠାରୁ ପଛରେ ଥିଲେ।
ପୁଅକୁ ଜିତାଇ ପାରିନଥିଲେ ବିଜେପିର ପୂର୍ବତନ ରାଜ୍ୟସଭାପତି
ଆଲୋଚନାକୁ ଆଗକୁ ନେବା ପୂର୍ବରୁ ଆସନ୍ତୁ ଟିକେ ୨୦୨୪ ନିର୍ବାଚନ ପ୍ରଚାର ବିଷୟରେ ମନେ ପକାଇବା। ମେ ୧୩ ତାରିଖରେ ନୂଆପଡ଼ାରେ ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମେ ୫ ତାରିଖରେ ପ୍ରଚାର କରିଥିଲେ। ମେ’ ୨ ତାରିଖରେ ତାଙ୍କ ପ୍ରମୁଖ ସହଯୋଗୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ନୂଆପଡ଼ା ଗସ୍ତରେ ଯାଇଥିଲେ। ବିଜେପି ବା କଂଗ୍ରେସ ପକ୍ଷରୁ କୌଣସି କେନ୍ଦ୍ରୀୟ ନେତା ନୂଆପଡ଼ା ଗସ୍ତ କରିନାହାନ୍ତି। ଅବଶ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆପଡ଼ାରେ ମେ’ ୪ ତାରିଖ ଦିନ ପ୍ରଚାର କରିଥିଲେ କିନ୍ତୁ ତାହା ପ୍ରାର୍ଥୀଙ୍କୁ ଜିତାଇପାରିନଥିଲା। ଯଦିଓ ଅଭିନନ୍ଦନଙ୍କ ବାପା ଏ ଅଞ୍ଚଳର ଜଣେ ପୁରୁଖା ନେତା ତଥା ଦଳର ସଭାପତି ଥିଲେ ଏବଂ ବିଜେପି ଟିକଟରେ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି କିନ୍ତୁ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଯୋଗୁ ସେ ତାଙ୍କ ପୁଅଙ୍କୁ ଜିତାଇବାରେ ସହାୟକ ହୋଇପାରିନଥିଲେ।
ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ନୂଆପଡ଼ା ବିଜେଡି ଦୁଇଫାଳ
ବିଜେପି ଓ କଂଗ୍ରେସରେ ପରିସ୍ଥିତି ଏଯାଏ ସମାନ ରହିଛି। କିନ୍ତୁ ବିଜେଡିରେ ବଦଳିଛି। କାରଣ ନବୀନ ଓଡ଼ିଶାରେ ନାହାନ୍ତି। ଗଲା କିଛିଦିନ ହେଲା ଓଡ଼ିଶା ରାଜନୀତିରେ ଭାଗ ନେଉ ନାହାନ୍ତି। ଏପରିକି ଦୁର୍ଗାପୂଜାରେ ତାଙ୍କୁ ଦେଖିବାକୁ ମିଳିଲା ନାହିଁ କି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ବି କଂଗ୍ରେସ ବିଧାୟକମାନେ ଯେତେ ଖୋଜିଲେ ବି ତାଙ୍କୁ ପାଇ ପାରିନଥିଲେ। ଅର୍ଥାତ୍ ଓଡ଼ିଶା ରାଜନୀତିରେ ତାଙ୍କ ଅମନଯୋଗୀତା ସ୍ପଷ୍ଟ ବାରି ହୋଇପଡ଼ୁଥିବା ଆଲୋଚନା ହେଉଛି। ଅପରପକ୍ଷେ ତାଙ୍କ ମୁଖ୍ୟ ସହଯୋଗୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ୨୦୨୪ ପ୍ରଚାର ଅଭିଯାନର ମୁଖ୍ୟ ସାରଥି ଥିଲେ ସିଏ ବି ଆଉ ସକ୍ରିୟ ରାଜନୀତିରେ ନାହାନ୍ତି ବୋଲି ଏକ ଛାପ ଗଣମାଧ୍ୟମରେ ଛାଡ଼ିଛନ୍ତି। ଏଣୁ ସେ ବି ପ୍ରଚାରରେ ଯୋଗଦେଲେ ପ୍ରଚାର ଅପେକ୍ଷା ଅପପ୍ରଚାର ଅଧିକ ହେବ ବୋଲି ଆଶଙ୍କା ହୋଇଛି। ଠିକ୍ ସେହିପରି ନିର୍ବାଚନ ପରିସ୍ଥିତି ସମ୍ଭାଳିବାକୁ ବିଜେଡି ପକ୍ଷରୁ ପଠାଯାଇଥିବା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ବି ଦଳରେ ଏକମତ ନାହିଁ। କାରଣ ଦଳୀୟ ନେତାମାନେ ଭାବୁଛନ୍ତି ଯେଉଁ ପାଣ୍ଡିଆନଙ୍କ ପାଇଁ ଦଳ ନିର୍ବାଚନ ହାରିଥିଲା ସେଇ ପାଣ୍ଡିଆନଙ୍କ ଦୂତ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ। ଏଣୁ ବିଜେଡି ଆଗରେ କେବଳ ସମ୍ପତ୍ତି କହିଲେ ରାଜେନ୍ଦ୍ରଙ୍କ ପରିବାର ପ୍ରତି ନୂଆପଡ଼ାବାସୀଙ୍କ ଅନୁକମ୍ପା ବା ସମବେଦନା।
ନୂଆପଡ଼ାରେ ସମବେଦନା କାମ କରେ ନାହିଁ
ଅବଶ୍ୟ ଏହି ସମବେଦନା ଅନେକ ସମୟରେ ବିଜୟର ମୁଖ୍ୟ କାରଣ ପାଲଟିଛି। ହେଲେ ନୂଆପଡ଼ାର ଇତିହାସ କିଛି ଅଲଗା। ଏଠାରେ ଯେତେବେଳେ ଉପ ନିର୍ବାଚନ ହୋଇଛି ସେଠାରେ ସମବେଦନା ପ୍ରସଙ୍ଗ ଜଳିପୋଡ଼ି ଯାଇଛି। ଅର୍ଥାତ୍ ମୃତ ବିଧାୟକଙ୍କ ପୁଅ ନିର୍ବାଚନ ଜିତିପାରି ନାହାନ୍ତି। ୧୯୯୭ ଉପ ନିର୍ବାଚନ ଏହି କାହାଣୀ ବର୍ଣ୍ଣନା କରେ। ୨୮ ବର୍ଷ ତଳର ଏହି କାହାଣୀରେ ତତ୍କାଳୀନ ଜନତା ଦଳର ନେତା ଘାସିରାମ ମାଝୀଙ୍କ ଦେହାନ୍ତ ଯୋଗୁ ଉପ ନିର୍ବାଚନ ହୋଇଥିଲା। ସେତେବେଳେ ବିଜୁ ବାବୁ ବି ବିରୋଧୀ ଦଳରେ ଥିଲେ। ଶାସନରୁ ଯାଇ ବିରୋଧୀରେ ବସିଥିବା ବିଜୁଙ୍କୁ ଓଡ଼ିଶା ଭଲ ଲାଗୁ ନ ଥିଲା। ସେ ପ୍ରଣବ ପ୍ରକାଶଙ୍କ ବାପା ଅଶୋକ ଦାସଙ୍କୁ ବିଧାନସଭାରେ ବିରୋଧୀ ଦଳ ଦାୟିତ୍ୱ ଦେଇ ଦିଲ୍ଲୀରେ ରହୁଥିଲେ। ଉପ ନିର୍ବାଚନ ପ୍ରଚାରରେ ଆସିନଥିଲେ। ଆଉ ତାଙ୍କ ଦଳ ସେତେବେଳେ ପରାଜୟ ଦେଖିଥିଲା।
ସେଦିନକୁ ମୁଁ ଏଠାରେ ଉପସ୍ଥାପନ କରିବାର କାରଣ ହେଉଛି ବର୍ତ୍ତମାନ ବିଜେଡିର ପରିସ୍ଥିତି। ଆପଣ ମନେପକାନ୍ତୁ ସେ ସମୟକୁ। ୧୯୯୦ରୁ ୯୫ ମସିହା ଯାଏ ନିରଙ୍କୁଶ ଜନ ସମର୍ଥନ ଲାଭ କରି କ୍ଷମତା ଉପଭୋଗ କରିଥିଲେ ବିଜୁ ପଟ୍ଟନାୟକ। ତାଙ୍କ ଆଗରେ ବିରୋଧୀ ଦଳ ଏତେ କ୍ଷୀଣ ହୋଇଯାଇଥିଲା ଯେ ସାମ୍ବିଧାନିକ ଭାବେ କୌଣସି ନେତାଙ୍କୁ ବିରୋଧୀ ଦଳ ନେତାର ଆଖ୍ୟା ମିଳିପାରିନଥିଲା। କିନ୍ତୁ ବିଜୁ ପଟ୍ଟନାୟକ ୧୯୯୫ ନିର୍ବାଚନରେ ଚିତ୍ପଟାଙ୍ଗ ମାରିଥିଲେ। ଏହାପରେ ସେ ବିରୋଧୀ ଦଳ ନେତା ଭାବେ ବିଧାନସଭାରେ ବସିବାକୁ ବାଧ୍ୟ ହେଲେ। କିନ୍ତୁ ଏହା ବିଜୁଙ୍କୁ କେବେ ଭଲ ଲାଗୁ ନ ଥାଏ। ପୁଣି ନିଜ ସ୍ୱାସ୍ଥ୍ୟାବସ୍ଥା ଭଲ ନ ରହିବାରୁ ଅଶୋକ ଦାସଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦେଇ ସେ ଦିଲ୍ଲୀରେ ରହିବା ଆରମ୍ଭ କରିଲେ। ସେତେବେଳେ ଦିଲ୍ଲୀପ ରାୟ ତାଙ୍କର ସେବା ଶୁଶ୍ରୁଶା କରୁଥିବା କୁହାଯାଏ।
ନବୀନଙ୍କ ଅନୁପସ୍ଥିତିରେ କିଏ ନେବ ନୂଆପଡ଼ା ଦାୟିତ୍ୱ
ରାଜ୍ୟରେ ନବୀନ ପଟ୍ଟନାୟକ ଦୀର୍ଘକାଳ ନିରଙ୍କୁଶ କ୍ଷମତା ଉପଭୋଗ କରିବା ପରେ ବିରୋଧୀ ଦଳ ନେତା ଭୂମିକାରେ ରହିଛନ୍ତି। ତାଙ୍କର ବି ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। କେତେବେଳେ ଦିଲ୍ଲୀ ଓ କେତେବେଳେ ଭୁବନେଶ୍ୱର ହେଉଛନ୍ତି ନବୀନ। ପୁଣି ସେ ସଭାପତି ଥିବା ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇଛି। ଏଭଳି କ୍ଷେତ୍ରରେ ନୂଆପଡ଼ା ଉପ ନିର୍ବାଚନ ଦେଖୁଛି। ଏହା ସଂଯୋଗ ହୋଇପାରେ। କିନ୍ତୁ ଏ ସଂଯୋଗ ଯଦି ପୁଣିଥରେ ବାସ୍ତବ ଫଳାଫଳ ଦିଏ ତେବେ ବିଜେଡି ୫୧ ଆସନରୁ ୫୦ରେ ପହଞ୍ଚି ପାରେ। ଆଉ ଯଦି ଏହି ସଂଯୋଗକୁ ବିଜେଡି ନିଜ ବଳରେ ଅଲଗା କରିବାକୁ ଚାହେଁ ତେବେ ଦୃଢ଼ ନେତୃତ୍ୱ ଫେରାଇ ଆଣିବାକୁ ହେବ। ପୁଣି ବୁଲି ବୁଲି ଆମେ ସେଇ ପ୍ରଶ୍ନକୁ ଆସିବା ଯେ ଏଭଳି ପରିସ୍ଥିତିରେ ନେତୃତ୍ୱ ନେବ କିଏ? ବିଜେଡି ପାଇଁ ପ୍ରଚାର କରିବ କିଏ?
ଶ୍ରୀମୟୀଙ୍କୁ ନେଇ ବିଜେଡି ଅକଳରେ
ପଶ୍ଚିମ ଓଡ଼ିଶାର ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଯୋଗୁ ବିଜେଡି ଅକଳରେ ପଡ଼ିଯାଇଛି। ପଶ୍ଚିମ ଓଡ଼ିଶାର ନେତାମାନେ ଭାବୁଛନ୍ତି ବିଜେଡିରେ ତାଙ୍କ ଅଞ୍ଚଳର ନେତାମାନଙ୍କୁ ଗୁରୁତ୍ୱ ଦିଆଯାଏ ନାହିଁ। କେବଳ ଉପକୂଳ ଓଡ଼ିଶା ଓ ପାଣ୍ଡିଆନଙ୍କ ଚାଟୁକାରମାନଙ୍କୁ ଦଳରେ ବଡ଼ ବଡ଼ ପଦବୀ ମିଳୁଛି। ଶ୍ରୀମୟୀ ମିଶ୍ରଙ୍କୁ ମନ୍ମଥ ରାଉତରାୟ, ମୁଖପାତ୍ର ଲେଲିନ ମହାନ୍ତି, ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନାଙ୍କ ସମେତ କିଛି ନାରୀ ନେତ୍ରୀ ଯେଉଁଭଳି ସମାଲୋଚନା କରୁଛନ୍ତି ସେଥିରେ ପଶ୍ଚିମ ଓଡ଼ିଶାର ନେତାମାନେ ଦଳର ନେତୃତ୍ୱ ଉପରେ ଖପ୍ପା ହୋଇଛନ୍ତି। ଶ୍ରୀମୟୀଙ୍କୁ ସମାଲୋଚନା କରୁଥିବା ଏହି ନେତାମାନେ ସମସ୍ତେ ଉପକୂଳ ଓଡ଼ିଶାର। ପ୍ରଣବ ପ୍ରକାଶ ଦାସ ଉପକୂଳରୁ ହୋଇଥିବାରୁ ଏହି ନେତାମାନଙ୍କୁ ତାଗିଦ୍ କରିବା ଓ ଶ୍ରୀମୟୀଙ୍କୁ ସୁରକ୍ଷା ଦେବାକୁ ଉଚିତ ମଣିନାହାନ୍ତି ବୋଲି ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ଶ୍ରୀମୟୀ ମାମଲାରେ ପଶ୍ଚିମ ଓଡ଼ିଶାକୁ ରାଜ୍ୟ ମାନ୍ୟତା ପାଇଁ ଦାବି କରୁଥିବା କୋଶଳ ନେତାମାନେ ମଧ୍ୟ ଉପକୂଳ ଓଡ଼ିଶାର ବିଜେଡି ନେତାମାନଙ୍କୁ ସମାଲୋଚନା କରୁଛନ୍ତି। ଏଭଳି ସ୍ଥିତିରେ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଉପକୂଳ ଓଡ଼ିଶାର ନେତାମାନେ ପ୍ରଚାର କଲେ ଏହା ମତଦାତା, ଦଳୀୟ କର୍ମୀଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଆଶଙ୍କା ବଢ଼ିବାରେ ଲାଗିଛି।
କ୍ଷମତା ହରାଇ ବିଜେଡି ଛଟପଟ
ସାଧାରଣତଃ ଅତୀତରେ ଯେତେ ଉପନିର୍ବାଚ ହୋଇଛି, ସେତେବେଳେ ବିଜେଡି କ୍ଷମତାରେ ଥିବାରୁ ସରକାରୀ କଳର ସହାୟତା ନେବା ସହିତ ଦଳୀୟ ନେତାମାନଙ୍କର ମେଳା କରି ଜନମତକୁ ବିଭ୍ରାନ୍ତ କରି ନିର୍ବାଚନ ଜିତୁ ଥିଲା। ଏବେ ବିଜେଡି ବିରୋଧୀ ଦଳରେ ବସିବା ପରେ ପ୍ରଥମ ଉପନିର୍ବାଚନ ସାମ୍ନା କରିବାକୁ ଯାଉଛି। ଏପରି ସ୍ଥିତିରେ ସଂଗଠନ ପାଖରେ ଦଳର ନେତା ନାହାନ୍ତି କି ସରକାରୀ କଳର ସହାୟତା ମିଳିବାର ସମ୍ଭାବନା ମଧ୍ୟ ନାହିଁ। ତେଣୁ ନୂଆପଡନା ନିର୍ବାଚନ ବିଜେଡି ଓ ଏହାର ଉପକୂଳିଆ ନେତାଙ୍କ ନେତୃତ୍ୱ ପାଇଁ ଅଗ୍ନିପରୀକ୍ଷା ସଦୃଶ ହେବାକୁ ଯାଉଛି। ଆମେ କେବଳ ଫଳାଫଳକୁ ଅପେକ୍ଷା କରିବା କ’ଣ କରୁଛନ୍ତି ନୂଆପଡ଼ା ମତଦାତା।
Also readhttps://purvapaksa.com/do-you-know-about-these-organizations-that-originated-from-the-sangh-family/
