ରାଜ୍ୟ ରାଜନୀତିରେ ଏବେ ଓବିସି ଚର୍ଚ୍ଚା ଜୋର ଧରିଛି। ଶାସକଦଳଠାରୁ ଆରମ୍ଭ କରି ବିରୋଧୀ, ସଂଗଠନଠାରୁ ଆରମ୍ଭ କରି ବ୍ୟକ୍ତିବିଶେଷ ଯାଏ ସମସ୍ତେ ଯେମିତି ଏହି ଜାତି ରାଜନୀତି ବୈତରଣୀକୁ ଡିଆଁ ମାରିଛନ୍ତି। ସଂଖ୍ୟା ଭିତ୍ତିରେ ଏହି ଓବିସିଙ୍କୁ ଆରକ୍ଷଣ ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଯାଉ ବୋଲି ଦାବି ହେଉଛି। ବିଧାନସଭାଠାରୁ ରାଜରାସ୍ତା ଯାଏ ଏ ଆନ୍ଦୋଳନ ଆମ ରାଜ୍ୟରେ ଏକ ନୂଆ ରାଜନୀତିକ ଗଣିତ ସୃଷ୍ଟି କରିବାକୁ ଯାଉଛି। ଆଉ ଏ ଭିତରେ ରାଜନୀତିକ ଦଳମାନଙ୍କ ଦ୍ୱାରା ଘୃଣିତ ବ୍ରାହ୍ମଣ, କରଣ କ୍ରମଶଃ ସଂଖ୍ୟାଲଘୁ ହୋଇ ଗଣତନ୍ତ୍ରରେ କୋଣଠେସା ହେବାକୁ ଲାଗୁଛି।
ରାଜା ରାଜୁଡ଼ା ସମୟରେ ରାଜନୀତିରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହିଆସିଛି। କେତେବେଳେ ଶାସକର ନୀତି ସମ୍ପ୍ରଦାୟ ଭିତରେ ନିଆଁ ଜଳାଇଛି ତ ଆଉ କେତେବେଳେ ଶାସକକୁ ବ୍ୟବସ୍ଥା ଆପଣାଇବାକୁ ବାଧ୍ୟ କରିଛି। ମୁଁ ଆପଣଙ୍କୁ ବ୍ରାହ୍ମଣ-ଅବ୍ରାହ୍ମଣ ବିଦ୍ୱେଷ କଥା କହୁଛି। ଶାସକ ଓ ଶାସିତଙ୍କ ଭିତରେ ଅବିଶ୍ୱାସ କଥା କହୁଛି। ବିଶ୍ୱ ଯେତେବେଳେ ନୂଆ ରାଜନୀତିକ ପରିବେଶରେ ପାଦ ରଖୁଥିଲା, ସେତେବେଳେ ଶାସନକୁ ମହଲ ଭିତରେ ସୀମିତ ନ ରଖି ପ୍ରଜାଙ୍କ ପାଖକୁ ନେବାର ଆବଶ୍ୟକତା ପଡ଼ିଲା। କିଛି ଉଦାରବାଦୀ ଶାସକ ଲୋକଙ୍କ ପାଖକୁ ଯିବା ଲାଗି ସମାଜର ଅବହେଳିତ ବର୍ଗଙ୍କ ଉତ୍ଥାପନ କରିବାକୁ ପଦକ୍ଷେପ ନେଲେ। ଏହିକ୍ରମରେ ଜନ୍ମ ନେଲା ସରକାରୀ ବ୍ୟବସ୍ଥାରେ ଆରକ୍ଷଣ ପ୍ରୟୋଗ।
ଆଧୁନିକ ଭାରତ ଇତିହାସରେ ଏ ବିଷୟ ଆମକୁ ୧୯୦୧ ମସିହା ଆଡ଼କୁ ଟାଣିନିଏ। ରାଜ୍ୟରେ ଏକ ଜାତି, ବର୍ଗ ବିହୀନ ସମାଜ ସୃଷ୍ଟି କରିବା ଲାଗି ତତ୍କାଳୀନ କୋହ୍ଲାପୁରର ରାଜା ଉଦ୍ୟମ କରିଥିଲେ। ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ଯାଇ ପଛୁଆ ବର୍ଗର ଲୋକଙ୍କୁ ଶିକ୍ଷା, ଦକ୍ଷତା ତାଲିମ ଦେଇ ରାଜକାର୍ଯ୍ୟ ପାଇଁ ଯୋଗ୍ୟ କରାଇଲେ। ଯୋଗ୍ୟବ୍ୟକ୍ତି ଯେମିତି ବେକାର ନ ବସେ ସେଥିଲାଗି କାମଧନ୍ଦା କରାଇଲେ।
କୋହ୍ଲାପୁର ସେତେବେଳେ ସାରାଦେଶରେ ଏକ ଉଦାହରଣ ସାଜିଲା। ଅନେକ ସାମାଜିକ କର୍ମୀ ଓ ନେତାଙ୍କୁ ଅନୁପ୍ରାଣିତ କଲା। ଆମ ରାଜ୍ୟରେ ଗୋପବନ୍ଧୁଙ୍କ ଭଳି ବିଦ୍ୱାନ ନିଜର ପଇତା ତ୍ୟାଗକରି ଦୀନ ଦରିଦ୍ରଙ୍କ ସେବାରେ ଲାଗିଲେ। ଏହାପରେ ବ୍ରିଟିଶ ସରକାର ରାଜନୀତିକ ସ୍ତରରେ ଭାରତୀୟଙ୍କୁ ବିଭାଜିତ କରିବା ଲାଗି ଜାତି ମଞ୍ଜି ବୁଣିଲେ। ରାଜନୀତିକ ପ୍ରତିନିଧିତ୍ୱ ପାଇଁ ଦଳିତ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କଲେ। ୧୯୦୯ ଭାରତ ସରକାରଙ୍କ ଆଇନ ଏହାକୁ ସମର୍ଥନ କଲା।
୧୯୨୭ରେ ଆରମ୍ଭ ହେଲା ପ୍ରଥମ ସର୍ବଭାରତୀୟ ଆରକ୍ଷଣ ବ୍ୟବସ୍ଥା। ଏହି ବର୍ଷ ମାଡ୍ରାସ୍ ପ୍ରେସିଡେନ୍ସୀ ଯେଉଁଥିରେ ଓଡ଼ିଶାର କିଛି ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା, ସେଠାରେ ବ୍ରାହ୍ମଣ-ଅବ୍ରାହ୍କଣ ଭେଦଭାବ ଆରମ୍ଭ ହେଲା। ଇଂରେଜମାନେ ସମାଜରେ ବିଭେଦ ସୃଷ୍ଟି କରିବାକୁ ହିନ୍ଦୁ ଅଣ ବ୍ରାହ୍ମଣଙ୍କୁ ଗୋଟିଏ ବର୍ଗରେ ରଖି ତାଙ୍କ ପାଇଁ ୪୪ ପ୍ରତିଶତ ଆସନ ଆରକ୍ଷଣ ଘୋଷଣା କଲେ। ଆଉ ବ୍ରାହ୍ମଣ ଗୋଷ୍ଠୀଙ୍କୁ ମୁସଲମାନ, ଖ୍ରୀଷ୍ଟିଆନ୍ଙ୍କ ବର୍ଗରେ ଅନ୍ତର୍ଭୁକ୍ତ କରିଲେ। ସେମାନଙ୍କ ପାଇଁ ମାତ୍ର ୧୬% ଆସନ ରଖାଗଲା। ବାକି ୮ ପ୍ରତିଶତ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଲା।
ବ୍ରାହ୍ମଣ ବର୍ଗ ପାଇଁ ଏହା ପ୍ରଥମ ଅପମାନ ଥିଲା। ଯାହା ସ୍ୱାଧୀନତାର ୭୮ ବର୍ଷ ହେଲା ଜାରି ରହିଛି। ଫରକ ଏତିକି ଯେ, ଏହି ୭୮ ବର୍ଷ ଭିତରେ ମୁସଲମାନ ଓ ଖ୍ରୀଷ୍ଟିଆନ୍ଙ୍କ ଲାଗି ଅନେକ ସକରାତ୍ମକ ପଦକ୍ଷେପ ନିଆଯାଇ ତାଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରାଯାଉଛି କିନ୍ତୁ ବ୍ରାହ୍ମଣ ବର୍ଗଙ୍କ ଲାଗି କୌଣସି ସ୍ୱତନ୍ତ୍ର ସରକାରୀ କାର୍ଯ୍ୟକ୍ରମ ଘୋଷଣା କରାଯାଇପାରି ନାହିଁ। ଫଳରେ ସେମାନେ ଦିନକୁ ଦିନ ଦରିଦ୍ର ହେବାକୁ ବାଧ୍ୟ ହୋଇଛନ୍ତି। ଏହି ଅବସ୍ଥା ଅନେକ ବ୍ରାହ୍ମଣ ପରିବାରକୁ ଅନ୍ୟଧର୍ମକୁ ଗ୍ରହଣ କରିବାକୁ ବି ବାଧ୍ୟ କରିଛି। ଆଉ କିଛିଙ୍କୁ ଅନ୍ୟ ଜାତିରେ କନ୍ୟାଦାନ କରି ନିଜ ଲୁହ ନିଜେ ପିଇବାର କୁ-ପରମ୍ପରା ସୃଷ୍ଟି କରିଛି।
କିନ୍ତୁ ଓଡ଼ିଶା କେବେ ଜାତିଭିତ୍ତିରେ ଭାଗଭାଗ ହୋଇ ନାହିଁ। କେବେ ଜାତିଭିତ୍ତିରେ ଭୋଟ୍ ଦେଇ ନାହିଁ। ଯେଉଁ ଖଣ୍ଡାୟତମାନେ ଦୀର୍ଘ ଦିନ ଧରି ରାଜ୍ୟରେ ଜମିଦାରଭାବେ ପରିଚିତ ହୋଇଥିଲେ ସେମାନଙ୍କୁ ବି ପଛୁଆ ବର୍ଗଭାବେ ଗ୍ରହଣ କରିଛି। ଏହାଠୁ ବଳି ଉଦାର ଚିନ୍ତା ଆଉ କେଉଁଠି ଥାଇପାରେ?
ଏବେ ସାମ୍ପ୍ରତିକ ରାଜନୀତିରେ ଆରକ୍ଷଣକୁ ନେଇ ଚାଲିଥିବା ବିତଣ୍ଡା ଯୁକ୍ତିକୁ ଆଲୋଚନା କରିବା। ଏହା ଓବିସି ଆରକ୍ଷଣକୁ ନେଇ ସୃଷ୍ଟି ହୋଇଛି। ଏହାର ମୂଳ ବିହାର ରାଜନୀତି ଛଡ଼ା ଆଉ କିଛି ହୋଇନପାରେ। କାରଣ ବିହାରରେ ଜାତିଭିତ୍ତିକ ରାଜନୀତି କ୍ଷମତା ନିର୍ଦ୍ଧାରଣ କରେ। କିନ୍ତୁ ଏହି ବିହାର ରାଷ୍ଟ୍ରୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବାରୁ କେନ୍ଦ୍ରର ବିଜେପି ସରକାର ଜାତିଭିତ୍ତିକ ଜନଗଣନାକୁ ଗ୍ରହଣ କରିଛନ୍ତି। ଏ ଜନଗଣନାର ରିପୋର୍ଟ ୨୦୨୬ ଜନଗଣନା ପରେ ସାମ୍ନାକୁ ଆସିବ।
କିନ୍ତୁ ଓଡ଼ିଶାର ରାଜନେତାମାନେ ଏବେଠାରୁ ଓବିସିଙ୍କ ସଂଖ୍ୟାକୁ ୫୪ ପ୍ରତିଶତ ବୋଲି ଦର୍ଶାଇ ‘ଯାହାର ଯେତିକି ସଂଖ୍ୟା ତାହାର ସେତିକି ଗୁରୁତ୍ୱ’ ବୋଲି କହିବାରେ ଲାଗିଲେଣି। ଏହି କଥାକୁ ବିଚାରକୁ ନେଲେ ଓବିସିଙ୍କ ପାଇଁ ୫୪ ପ୍ରତିଶତ ଆରକ୍ଷଣ ତାଙ୍କ ଦାବି। ସଂଖ୍ୟା ଗଣିତର ଏହି ଆନୁପାତିକ ବ୍ୟବସ୍ଥାକୁ ନେଇ ରାଜନେତାମାନେ ଯେଉଁ ଯୁକ୍ତି ଉପସ୍ଥାପନ କରୁଛନ୍ତି ସେଥିରେ ଅନ୍ୟ ଜାତିର ଭାଗ କେତେ ରହିବ ତାହା ବି ବିଚାର କରିବା ଦରକାର।
ଆମେ ଦେଶରେ ୨୦୧୧ ପରେ ଜନଗଣନା ହୋଇନାହିଁ। ଏଣୁ ୨୦୧୧ ଜନଗଣନାକୁ ହିସାବକୁ ନେଲେ ରାଜ୍ୟରେ ଅନୁସୂଚିତ ଜନଜାତି ବର୍ଗ ହେଉଛନ୍ତି ସମୁଦାୟ ଜନସଂଖ୍ୟାର ୨୩ ପ୍ରତିଶତ। ଅନୁସୂଚିତ ଜାତି ହେଉଛନ୍ତି ୧୭ ପ୍ରତିଶତ। ଏଣୁ ସଂଖ୍ୟା ଆଧାରରେ ଆରକ୍ଷଣ ଦେଲେ ଏମାନଙ୍କ ଭାଗରେ ସମୁଦାୟ ଚାକିରି, ଶିକ୍ଷାନୁଷ୍ଠାନର ଆସନରେ ୪୦ ପ୍ରତିଶତ ସଂରକ୍ଷିତ ରହିବ। ଅର୍ଥାତ୍ ରାଜ୍ୟରେ ଓବିସି, ଏସ୍ସି, ଏସ୍ଟି ବର୍ଗଙ୍କୁ ମିଶାଇଲେ ସମୁଦାୟ ୯୪ ପ୍ରତିର ସଂରକ୍ଷିତ ରହିବ। ସରକାରୀ ଯୋଜନା ହେଉ ବା ପାଠପଢ଼ା ଅବା ପୁଣି ଚାକିରିରେ ୯୪ ପ୍ରତିଶତ ଏହି ସଂରକ୍ଷିତ ବର୍ଗଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ହେବ।
ଆଉ ୬ ପ୍ରତିଶତରୁ ୫% ହେଉଛନ୍ତି ମୁସଲମାନ, ଖ୍ରୀଷ୍ଟିୟାନ। ସେମାନଙ୍କ ଭିତରେ ନିଜ ପାଇଁ ସ୍ଥାନ ସୁରକ୍ଷିତ କରିବା ପାଇଁ ସବୁ ସରକାର ନୂଆ ସହାୟକ ନୀତି ଘୋଷଣା କରୁଥିବାରୁ ସେମାନଙ୍କ ପାଇଁ ବି ସଂଖ୍ୟାଲଘୁ ସହାୟତା ପାଣ୍ଠିରୁ ସ୍ୱତନ୍ତ୍ର ଖର୍ଚ୍ଚ ବହନ ହେବ।
ଅର୍ଥାତ୍ ସରକାରଙ୍କ କୌଣସି ବି ଯୋଜନା ଯେଉଁ ସମ୍ପ୍ରଦାୟ ପାଇଁ ହୋଇ ନାହିଁ କି ହେବ ନାହିଁ ସେହି ସମ୍ପ୍ରଦାୟର ସଂଖ୍ୟା ୧ ପ୍ରତିଶତରୁ ବି କମ୍ । ଆଉ ସେମାନଙ୍କ ଭିତରେ କିଏ ଅଛନ୍ତି ଜାଣନ୍ତି? ବ୍ରାହ୍ମଣ, କରଣ, ରାଜପୁତ୍ ଓ ଅନ୍ୟ ଧର୍ମ ସମ୍ପ୍ରଦାୟର ନାଗରିକ। ଅର୍ଥାତ୍ ଏ ରାଜ୍ୟରେ ସଂଖ୍ୟାଲଘୁ କିଏ ତାହା ଆପଣ ଭଲଭାବେ ବୁଝିପାରୁଥିବେ?
ଉତ୍ତର ସ୍ପଷ୍ଟ? ଓଡ଼ିଶାରେ ପ୍ରକୃତ ସଂଖ୍ୟାଲଘୁ ଅବହେଳିତ ହେଉଛନ୍ତି ବ୍ରାହ୍ମଣ, ଏବଂ କରଣ ଜାତି। ଏମାନଙ୍କୁ ସରକାର ଉଚ୍ଚ ଜାତିର ବ୍ୟକ୍ତି ବୋଲି ଗ୍ରହଣ କରୁଛନ୍ତି। ଏମାନଙ୍କ ପାଇଁ ଚାକିରିରେ ସ୍ୱତନ୍ତ୍ର ସ୍ଥାନ ନାହିଁ, ପାଠପଢ଼ାରେ ତାଙ୍କୁ ସରକାରୀ ସହାୟତା ମିଳେ ନାହିଁ, ଉଦ୍ୟୋଗ କରିବାକୁ ଚାହିଁଲେ ବ୍ୟାଙ୍କରୁ ଋଣ ପ୍ରୋତ୍ସାହନ ବି ନାହିଁ- ତଥାପି ଏମାନେ ନିଜ ଉଦ୍ୟମ, ଅଧ୍ୟବସାୟ ବଳରେ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରନ୍ତି।
ଦିଅଁ ଦେବତା, ପୂଜାପାଠ କରି ଦି’ ପଇସା ରୋଜଗାର କରନ୍ତି। ରାସ୍ତା ଘାଟରେ ଗାଡ଼ି ଉପରେ ଫୁଲ, ପାଣି ଧୂପ ଦେଇ ଆପଣଙ୍କ ମଙ୍ଗଳ କାମନା କରନ୍ତି, କିନ୍ତୁ ଜବାବରେ ତାଙ୍କୁ ଆପଣଙ୍କ ଗାଳି ଖାଇବାକୁ ପଡ଼େ, ପୁଲିସର ନିର୍ଯାତନା ସହିବାକୁ ପଡ଼େ। ଏବେ ତ କମ୍ପ୍ୟୁଟର ଓ ଜ୍ଞାନର ସରଳୀକରଣ ହେତୁ କିଛି ଅବ୍ରାହ୍ମଣ ବି ବ୍ରାହ୍ମଣ-କରଣଙ୍କ କୌଳିକ ବୃତ୍ତିରେ ପ୍ରବେଶ କରି ବେଶ୍ ଦି’ ପଇସା ରୋଜଗାର କରୁଛନ୍ତି, ଆଉ ବ୍ରାହ୍ମଣ-କରଣଙ୍କ ବୃତ୍ତିକୁ ତାଚ୍ଛଲ୍ୟ କରିବାକୁ ଭୁଲୁ ନାହାନ୍ତି।
ଏବେ ଆରକ୍ଷଣ ଓ କୋର୍ଟଙ୍କ ତର୍ଜମା ବାବଦରେ କହୁଛି। ସୁପ୍ରିମକୋର୍ଟ ଆରକ୍ଷଣକୁ ନେଇ ଯେଉଁ ଟିପ୍ପଣୀ ଦେଇଛନ୍ତି ସେଥିରେ ସଂଖ୍ୟାନୁପାତିକ ଆରକ୍ଷଣକୁ ବିରୋଧ କରାଯାଇଛି। ୧୬ ନଭେମ୍ବର ୧୯୯୨ ମସିହାରେ ସୁପ୍ରିମକୋର୍ଟ ଇନ୍ଦିରା ସାହାଣୀ ବନାମ କେନ୍ଦ୍ର ସରକାର ମାମଲାର ବିଚାର କରି ଏ ବିଷୟକୁ ସ୍ପଷ୍ଟ କରି କହିଛନ୍ତି। ସମ୍ବିଧାନର ଧାରା ୧୬, ଅନୁଚ୍ଛେଦ ୪ ଅନୁସାରେ ରାଜ୍ୟ ସରକାର ବା କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ଲାଗି ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ବ୍ୟବସ୍ଥା କରିବାକୁ କ୍ଷମତା ଦେଇଛନ୍ତି କିନ୍ତୁ ଏହା ଆନୁପାତିକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ଏଣୁ ସମୁଦାୟ ଆରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅର୍ଥାତ୍ ଆମ ରାଜ୍ୟରେ ରାଜନେତାମାନେ ଯେଉଁ ବୟାନବାଜୀ କରୁଛନ୍ତି ତାହା ସମ୍ବିଧାନ ବିରୋଧୀ। ପୁଣି କିଛି ରାଜନେତା ତ’ ସୁପ୍ରିମେକାର୍ଟ ଦେଇଥିବା କଟକଣାକୁ ହଟାଇବା ଲାଗି ଆଇନ ଆଣିବାକୁ କହୁଛନ୍ତି। ଦେଶର ବିରୋଧୀ ଦଳର ନେତା ଏକ ନିର୍ଦ୍ଦିଷ୍ଟ ଜାତି ବା ସମ୍ପ୍ରଦାୟକୁ ଆୟୁଧ କରି ଏହାକୁ ସମର୍ଥନ କରିଛନ୍ତି। ଏହା କେତେଦୂର ଦେଶର ଏକାତା, ଧୈର୍ଯ୍ୟ ଓ ଦେଶ ଭିତରେ ସଦ୍ଭାବକୁ କାଏମ ରଖିବ ତାହା ଆପଣ ବିଚାର କରନ୍ତୁ।