Gadkari : ଗଡ଼କରୀ ବରମୁଣ୍ଡା ଯାଇ ପାଖାପାଖି ୩୨୦୦ କୋଟି ଟଙ୍କାର ୧୭ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ରାୟ ୮୨୦ କୋଟି ଟଙ୍କାର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଗୁରୁବାର ବିଭିନ୍ନ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିବା ପରେ ଓଡ଼ିଶାର ସଡ଼କ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବାକୁ ଯାଉଛି। ଦିନିକିଆ ରାଜ୍ୟ ଗସ୍ତରେ ଆସୁଥିବା ଗଡ଼କରୀ ୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବା ସହ ରାଜ୍ୟରେ ଚାଲିଥିବା ରାଜପଥ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ଅବସରରେ ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡ. ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଗଡ଼କରୀ ବରମୁଣ୍ଡା ଯାଇ ପାଖାପାଖି ୩୨୦୦ କୋଟି ଟଙ୍କାର ୧୭ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ରାୟ ୮୨୦ କୋଟି ଟଙ୍କାର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ।
ତାଳଚେରରୁ କାମାକ୍ଷାନଗର ଜାତୀୟ ରାଜପଥ-୧୪୯ ଓ ୫୩କୁ ୭୯୫ କୋଟି ଟଙ୍କା ବ୍ୟୟରେ ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା, ଶିଖରପୁର ଓ ବଡ଼ଚଣାଠାରେ ୪୬ କୋଟି ଟଙ୍କାରେ ଗାଡ଼ି ଅଣ୍ଡରପାସ ନିର୍ମାଣ କରାଯିବ।
୯୭୩ କୋଟି ଟଙ୍କା ବ୍ୟୟରେ ବଅଁରପାଳ-ଗୋଡିବନ୍ଧର ୪ ଲେନ୍ ନିର୍ମାଣ, ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡ଼ି ଘାଟ ଅଂଶକୁ ୭୧୮ କୋଟି ଟଙ୍କାରେ ପ୍ରଶସ୍ତୀକରଣ, ମଙ୍ଗଳପୁରରୁ କାୟାଙ୍ଗୋଲା ପର୍ଯ୍ୟନ୍ତ ୧୦ ନମ୍ବର ଜାତୀୟ ରାଜପଥକୁ ଆରଡି ଦେଇ ୩୭୪ କୋଟି ଟଙ୍କା ବ୍ୟୟରେ ପ୍ରଶସ୍ତୀକରଣ ଓ ଜରିମୁଲିକୁ ସଂଯୋଗ କରୁଥିବା ପୂଜାରୀପଲ୍ଲୀ ଘାଟିର ମହାନଦୀ ଉପରେ ୨୭୩.୯୪ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ କରାଯିବ।
ରାଜ୍ୟର ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଲଜିଷ୍ଟିକ୍ସକୁ ସହଜ କରିବା ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବା ଏହି ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ। ନୂଆ ଭିତ୍ତିଭୂମି ପଦକ୍ଷେପ ସମେତ ସଡ଼କ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି।
ରାଜ୍ୟର ମେଗା ଭିତ୍ତିଭୂମି ଯୋଜନାକୁ କେନ୍ଦ୍ର ସମର୍ଥନ କରିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇସାରିଛି ଏବଂ ‘ଡବଲ୍ ଇଞ୍ଜିନ୍ ସରକାର’ ଜାତୀୟ ରାଜପଥ ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବେ, ଯାହା ଯାତ୍ରା ସମୟ ହ୍ରାସ କରିବ, ଉନ୍ନତ ଯୋଗାଯୋଗ ମାଧ୍ୟମରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବ।
Also read: https://purvapaksa.com/4000-yr-old-chariot-to-be-displayed-at-national-museums-harappan-gallery/
ଜାତୀୟ ସଂଗ୍ରହାଳୟର ହରପ୍ପା ଗ୍ୟାଲେରିରେ ପ୍ରଦର୍ଶିତ ହେବ ୪ ହଜାର ବର୍ଷ ପୁରୁଣା ରଥ
