ଭୁବନେଶ୍ୱରରେ ନିୟୋଜିତ ହେବେ ଟୁରିଷ୍ଟ ଅଫିସର
ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୭୦୦୦ ହଜାର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଚାରିଆଡେ ଜୋରସୋର ପ୍ରସ୍ତୁତି ଚାଲିଛି। ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଲାଗିପଡିଛନ୍ତି । ଏଥିରେ ଯୋଗ ଦେବାକୁ ଥିବା ଅତିଥିମାନେ ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ପର୍ଯ୍ୟଟନ ସ୍ଥାନଗୁଡିକର ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ସହ ଅତିଥିଙ୍କ ବ୍ୟବସ୍ଥିତ ଭ୍ରମଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ।
ଏଥିପାଇଁ ଓଡିଶାକୁ ପ୍ରବାସୀଙ୍କ ଆଗମନ ଆରମ୍ଭ ହୋଇଗଲାଣି । ଓଡ଼ିଶାରେ ପ୍ରଥମ ଥର ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେଉଥିବା ବେଳେ ଫୋକସ୍ରେ ରହିବ ପର୍ଯ୍ୟଟନ । ଏଥିପାଇଁ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥାନଗୁଡିକର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଉଛି। ସ୍ୱର୍ଣ୍ଣ ତ୍ରିଭୂଜ ଭାବେ ଅଭିହିତ ଭୁବନେଶ୍ୱର, ପୁରୀ, କୋଣାର୍କ ସହ ଯାଜପୁର ପରି ବିଭିନ୍ନ ସହର ୩୧ଟି ପର୍ଯ୍ୟଟନସ୍ଥଳୀକୁ ଅତିଥିମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଏସବୁ ସ୍ଥାନରେ ପ୍ରାୟ ୧୦୦ ଜଣ ପ୍ରଶିକ୍ଷିତ ଗାଇଡ୍ ରହିବେ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ୍) ସହଯୋଗରେ ଏହି ଗାଇଡ୍ ମାନଙ୍କୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି ।
ଏଥିସହ ୨୦୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯିବ । ଜାନୁଆରି ୭-୧୧ ପର୍ଯ୍ୟନ୍ତ ଏମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ସାଂସ୍କୃତିକ ଓ ଐତିହାସିକ ତଥ୍ୟ ପ୍ରଦାନ କରିବେ । ଏଥିସହ ଭୁବନେଶ୍ଵରର ପର୍ଯ୍ୟଟନ ସ୍ଥଳୀମାନଙ୍କରେ କମିଶନରେଟ ପୁଲିସ ପକ୍ଷରୁ ଟୁରିଷ୍ଟ ଅଫିସର ନିୟୋଜିନ ନେଇ ବ୍ୟବସ୍ଥା କରାଯାଉଛି । ଧଉଳି ଶାନ୍ତିସ୍ତୁପ, ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ ଆଦି ସ୍ଥାନରେ ହେଲ୍ପଡେସ୍କ ଖୋଲାଯିବ, ଯେଉଁଠାରେ ଏହି ଅଫିସରମାନେ ରହିବେ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ତଥା ପର୍ଯ୍ୟଟକଙ୍କ ସହାୟତା ପାଇଁ ଏହି ଅଫିସରମାନେ ନିୟୋଜିତ ହେବେ।
ଏଥିସହ ଅତିଥି ମାନଙ୍କ ରହଣି ପାଇଁ ହୋଟେଲ ବୁକିଂ ଜାରି ରହିଛି।. ୨୦୦ରୁ ଅଧିକ ହୋଟେଲ ବୁକିଂ କରାଯାଇଥିବା ବେଳେ, କେତେକ ସ୍ଥାନରେ ହୋମ୍ ଷ୍ଟେର ବ୍ୟବସ୍ଥା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଗଠିତ ହେଇଥିବା ବିଭିନ୍ନ କମିଟି ନିୟମିତ ବୈଠକ କରି ପ୍ରସ୍ତୁତିକୁ ତ୍ୱରାନ୍ୱିତ କରୁଛନ୍ତି। ସେମାନଙ୍କ ସମସ୍ତ ସୁବିଧା ସହ ପ୍ରବାସୀଙ୍କ ଗସ୍ତ ଅନୁଭୂତି ଯେପରି ସୁରୁଖୁରୁରେ ସମ୍ପାଦନା ହେବ ଏଥିପାଇଁ ଓଡିଶା ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।
କେବଳ ଏତିକି ନୁହେଁ ଏହି ସମାବେଶ ଦ୍ଵାରା ଭାରତ ପ୍ରତି ପ୍ରବାସୀଙ୍କର ଆନ୍ତରିକତା ବଢିବା ସହ ସମ୍ପର୍କ ସୁଦୃଢ ହେବ । ଏହାସହ ଓଡ଼ିଶାର କଳା, ସଂସ୍କୃତିକୁ ଓ ପରମ୍ପରା ପ୍ରଦର୍ଶିତ କରୁଥିବା ସାଂସ୍କୃତିକ ମହୋତ୍ସବ ଆୟୋଜନ କରାଯାଉଛି, ଯାହା ଅତିଥିଙ୍କ ମନୋରଞ୍ଜନ କରିବା ସହ ଓଡିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ଦେବ ଏବଂ ଓଡ଼ିଶା ବିଷୟରେ ଅଧିକ ଆଗ୍ରହ, ଜ୍ଞାନ ତଥା ଲୋକପ୍ରିୟତା ବୃଦ୍ଧି କରିବ।
previous article:https://purvapaksa.com/draft-ugc-regulations-2025-unveiled/
