- ଭାରତ ସରକାରଙ୍କୁ ନେଇ ତଥ୍ୟହୀନ ମନ୍ତବ୍ୟ ଦେଇଥିଲେ
- ମେଟାକୁ ଜବାବ ତଲବ ପାଇଁ ସଂସଦୀୟ କମିଟିର ଯୋଜନା
କୋଭିଡ-୧୯ ମୁକାବିଲାରେ ବିଫଳତା କାରଣରୁ ଭାରତ ସମେତ ଅନେକ ଦେଶରେ କ୍ଷମତାସୀନ ସରକାର ପରାଜିତ ହୋଇଥିବା ନେଇ ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଦେଇଥିବା ତ୍ରୁଟିପୂର୍ଣ୍ଣ ଓ ତଥ୍ୟହୀନ ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତ ୧୦ ତାରିଖରେ ଲୋକପ୍ରିୟ ପଡକାଷ୍ଟ ଉପସ୍ଥାପକ ଜୋ ରୋଗାନଙ୍କୁ ଏକ ସାକ୍ଷାତକାର ଦେଇ ଜୁକରବର୍ଗ ଉପରୋକ୍ତ ବକ୍ତବ୍ୟ ଦେଇଥିଲେ। ସେ କହିଥିଲେ, ୨୦୨୪ ବର୍ଷରେ ସାରା ବିଶ୍ୱରେ ଏକାଧିକ ନିର୍ବାଚନ ହୋଇଥିଲା। ଭାରତ ସମେତ ଅନ୍ୟ ଦେଶଗୁଡ଼ିକରେ ହୋଇଥିବା ନିର୍ବାଚନରେ କ୍ଷମତାସୀନ ସରକାରଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। କାରଣ କ୍ଷମତାସୀନ ସରକାରମାନେ କୋଭିଡ-୧୯ ମହାମାରୀ ପରିଚାଳନାରେ ବିଫଳ ହେବା କାରଣରୁ ଏହା ବ୍ୟାପକ ଜନଅସନ୍ତୋଷ ସୃଷ୍ଟି କରିଥିଲା।
ତେବେ ଜୁକରବର୍ଗଙ୍କ ଏହି ମନ୍ତବ୍ୟ ଉପରେ ଗତ ୧୩ ତାରିଖରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଡ଼ା ପ୍ରତିକ୍ରିୟା ରଖିଥିଲେ। ଜୁକରବର୍ଗଙ୍କ ମନ୍ତବ୍ୟ ଭୁଲ ଥିଲା, କାରଣ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିଥିଲା। ଶ୍ରୀ ବୈଷ୍ଣବ କହିଥିଲେ, ଜୁକରବର୍ଗ ଏଭଳି କୌଣସି ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ ଥିଲା। ‘‘ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବେ ଭାରତ ୨୦୨୪ରେ ୬୪ କୋଟିରୁ ଅଧିକ ଭୋଟରଙ୍କୁ ନେଇ ନିର୍ବାଚନ ପରିଚାଳନା କରିଥିଲା। ଭାରତର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ଉପରେ ସେମାନଙ୍କର ବିଶ୍ୱାସକୁ ପୁନର୍ବାର ଦୋହରାଇଥିଲେ।
କୋଭିଡ ପରେ ୨୦୨୪ରେ ଭାରତ ସମେତ ଅଧିକାଂଶ ଦେଶରେ କ୍ଷମତାସୀନ ସରକାର ନିର୍ବାଚନରେ ହାରିଥିଲେ ବୋଲି ଜୁକରବର୍ଗ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ ଓ ଭିତ୍ତିହୀନ,’’ ବୋଲି ଶ୍ରୀ ବୈଷ୍ଣବ କହିଥିଲେ। ମେଟାକୁ ଟ୍ୟାଗ୍ କରି ସେ କହିଥିଲେ, ଜୁକରବର୍ଗ ଭୁଲ ତଥ୍ୟ ସହ ଏଭଳି ମନ୍ତବ୍ୟ ଦେବା ନିରାଶାଜନକ। ଏଭଳି କୌଣସି ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟ ଓ ବିଶ୍ୱସନୀୟତା ବଜାୟ ରଖିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଜାନୁଆରି ୧୩ ତାରିଖରେ ଏହି ପ୍ରସଙ୍ଗକୁ ନେଇ ଶ୍ରୀ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ସୂଚନା ପ୍ରଯୁକ୍ତି ଏବଂ ଯୋଗାଯୋଗ ଉପରେ ସଂସଦୀୟ ସ୍ଥାୟୀ କମିଟି ଏହି ଭୁଲ ସୂଚନା ପାଇଁ ମେଟା ଠାରୁ ଜବାବ ତଲବ ପାଇଁ ଯୋଜନା କରିଥିଲା।
ଶ୍ରୀ ନିଶିକାନ୍ତ ଦୁବେ କହିଥିଲେ,କୌଣସି ଗଣତାନ୍ତ୍ରିକ ଦେଶ ବିଷୟରେ ଭୁଲ ସୂଚନା ଏହାର ଭାବମୂର୍ତ୍ତିକୁ କଳଙ୍କିତ କରିଥାଏ। ଏହି ଭୁଲ ପାଇଁ ସଂଗଠନକୁ ସଂସଦ ଏବଂ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ ପଡ଼ିବ। କମିଟି ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବ ଏବଂ ଜାନୁଆରି ୨୦ରୁ ୨୪ ମଧ୍ୟରେ ମେଟା କାର୍ଯ୍ୟନିର୍ବାହୀଙ୍କୁ ଡକାଇବ। ଭାରତୀୟ ସଂସଦ ଏବଂ ଏହାର ନାଗରିକମାନଙ୍କୁ ମେଟା ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା କରିବ ବୋଲି କମିଟି ଆଶା କରୁଛି। ଏହି ସମସ୍ୟାଗୁଡ଼ିକର ସମାଧାନ କରିବାରେ ବିଫଳ ହେଲେ କମ୍ପାନୀ ବିରୋଧରେ ଆଇନଗତ ସୁପାରିସ ହୋଇପାରେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ ଆସିବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ଭୁଲକୁ ସ୍ୱୀକାର କରିବା ସହିତ କ୍ଷମା ପ୍ରାର୍ଥନା କରିଥିଲେ ମେଟାର ପବ୍ଲିକ୍ ପଲିସି ଉପସଭାପତି ଶିବନାଥ ଠକରାଲ। ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ‘‘୨୦୨୪ ନିର୍ବାଚନରେ ଅନେକ କ୍ଷମତାସୀନ ଦଳ କ୍ଷମତାଚ୍ୟୁତ ହୋଇଥିବା ନେଇ ମାର୍କଙ୍କ ମନ୍ତବ୍ୟ ଅନ୍ୟ ଦେଶ ପାଇଁ ସତ୍ୟ, କିନ୍ତୁ ଭାରତ ପାଇଁ ନୁହେଁ। ଅସାବଧାନତାବଶତଃ ହୋଇଥିବା ଏହି ତ୍ରୁଟି ପାଇଁ ଆମେ କ୍ଷମା ମାଗୁଛୁ। ମେଟା ପାଇଁ ଭାରତ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦେଶ ହୋଇ ରହିଛି ଏବଂ ଆମେ ଏହାର ଅଭିନବ ଭବିଷ୍ୟତର କେନ୍ଦ୍ରରେ ରହିବାକୁ ଅପେକ୍ଷା କରିଛୁ।
previous article:https://purvapaksa.com/navy-gets-three-powerful-warships/
