Jayanarayan Mishra: ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ନିଜର ସ୍ପଷ୍ଟବାଦୀତା ଯୋଗୁ ଅନେକ ସମୟରେ ନିଜ ପାଇଁ ତଥା ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଥାଆନ୍ତି। ସେ ଆଜି ଯେଉଁ ବୟାନ ଦେଇଛନ୍ତି ସେଥିରେ ରାଜ୍ୟ ବିଜେପିର ନେତାମାନଙ୍କର ଅକଲ ଗୁଡୁମ ହୋଇଯାଇଛି।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ବଲପୁରରେ ଆୟୋଜିତ ସୁଭଦ୍ରା ସହାୟତା କିସ୍ତି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଓଡ଼ିଶାକୁ ନିଜର ରାଜ୍ୟଭାବେ ଗ୍ରହଣ କରିପାରିନାହାନ୍ତି। ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ବୃହତ୍ ଓଡ଼ିଶା ଗଠନ ସମୟରେ ଆମେ ଓଡ଼ିଶାରେ ମିଶି ଭୁଲ୍ କରିଦେଇଛୁ। ଏହା ଏକ ଐତିହାସିକ ଭୁଲ୍ ଥିଲା ବୋଲି ସେ ନିର୍ବିକାର କଣ୍ଠରେ କହିଛନ୍ତି।
ଜାଣି ରଖିବା କଥା ଆମର ସମ୍ବଲପୁର ଅଞ୍ଚଳର ଲୋକମାନଙ୍କୁ ଯେ ଉତ୍କଳ କହିଲେ କଟକ, ପୁରୀ ଓ ବାଲେଶ୍ୱର। ଉତ୍କଳ, କୋଶଳ ଓ କଳିଙ୍ଗ ମିଶିକି ଓଡ଼ିଶା ଗଠନ ହୋଇଛି। କେବଳ ଉତ୍କଳର ଜୟଗାନ ଗାଇବା, ଅଥଚ କଳିଙ୍ଗ ଓ କୋଶଳର ଜୟଗାନ କରାଯିବ ନାହିଁ କ’ଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଇଟା ଗୋଟେ ମାନସିକତା। ଆମକୁ ତମେ ଶୋଷଣ କରୁଛ। ଆମର ଅର୍ଥ, ଆମର ଖଣି, ଆମର ଜଙ୍ଗଲ, ଆମର ଚାଷ ସବୁଥିରେ ଆମକୁ ଶୋଷଣ କଲ। କଲଚରାଲି ବି ଆମକୁ ଏକ୍ସପ୍ଲଏଟ କରିବାକୁ ଚାହୁଁଛ। ଏଇଟା କି କଥା? ଆମେ ଓଡ଼ିଶା ପ୍ରଦେଶରେ ମିଶିବା ପାଇଁ ଆନ୍ଦୋଳନନରେ ସାମିଲ ହୋଇଥିଲୁ। କିନ୍ତୁ ଓଡ଼ିଶାରେ ମିଶି ଆମର ସବୁଠୁ ବଡ଼ ଭୁଲ୍ ହେଲା। ଆମର ଗୋଟେ ଐତିହାସିକ ଭୁଲ।
ଜୟନାରାୟଣଙ୍କ ମନ୍ତବ୍ୟକୁ ସେଠାରେ ଉପସ୍ଥିତ ମହିଳା ଓ ସମର୍ଥକମାନେ ତାଳି ମାରି ସମର୍ଥନ କରିଥିବାରୁ ଆଗକୁ ଏହା ଭୟଙ୍କର ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଏଥିସହ କୋଶଳ ବିବାଦ ପୁଣି ମୁଣ୍ଡ ଟେକିବାର ଆଶଙ୍କା ସୃଷ୍ଟି ହୋଇଛି। ଓଡ଼ିଶାକୁ ଭାଗ ଭାଗ କରିବା ପାଇଁ ଏହା ଏକ ହୀନ ଉଦ୍ୟମ ବୋଲି ବିରୋଧୀ ଶିବିରରୁ ସମାଲୋଚନା କରାଯାଇଛି। ଜୟନାରାୟଣ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି। ତେବେ ବିଜେପି ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ।
ସମ୍ବଲପୁର ବିଧାୟକଙ୍କ ଏଭଳି ମନ୍ତବ୍ୟ ପଛରେ ତାଙ୍କ ପ୍ରତି ଶାସକ ଦଳ ବିଜେପି ଓ ପୂର୍ବରୁ ଶାସନ କ୍ଷମତାରେ ଥିବା ବିଜେଡି ପକ୍ଷରୁ ଯେପରି ଷଡ଼ଯନ୍ତ୍ର କରାଯାଇଛି ସେ ତାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ସେ ଆଶା କରିଥିଲେ ଯେ ବିଜେପି କ୍ଷମତାକୁ ଆସିବା ପରେ ତାଙ୍କ ପ୍ରତି ଅନ୍ୟାୟରୁ ସେ ନ୍ୟାୟ ପାଇବେ। କିନ୍ତୁ ଫଳ ଓଲଟା ହେବାରୁ ସେ କୋଶଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ ପାଇଁ ପରୋକ୍ଷରେ ଇଙ୍ଗିତ ଦେଇଥିବା ଆଲୋଚନା ହେଉଛି।
Also readhttps://purvapaksa.com/temp-in-odisha-may-soar-past-40c-next-week/