୧୯୯୫ ମସିହା, ଜୁଲାଇ ମାସ ୩୧ ତାରିଖ। ଭାରତର ଟେଲି ଯୋଗାଯୋଗ ଇତିହାସରେ ଏକ ଯୁଗାନ୍ତାକରୀ ଘଟଣା ଦେଖିବାକୁ ମିଳିଥିଲା। ଦେଶରେ ପ୍ରଥମ ଥର ପାଇଁ ମୋବାଇଲ ଯୋଗେ ଫୋନ୍ କଲ୍ କରାଯାଇଥିଲା। କିଏ ଏହି କଲ୍ କରିଥିଲେ ଜାଣନ୍ତି? ସେ କାହା ସହ କଥା ହୋଇଥିଲେ?
ଭାରତର ଦୁଇ ଲୋକପ୍ରିୟ ରାଜନେତା ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ଏବଂ କେନ୍ଦ୍ର ସୂଚନା, ଯୋଗାଯୋଗ ଲୋକ ସମ୍ପର୍କ ମନ୍ତ୍ରୀ ସୁଖରାମ ପ୍ରଥମ ଥର ପାଇଁ ମୋବାଇଲ ଫୋନରେ କଥାବର୍ତ୍ତା କରିଥିଲେ। ଉଭୟ ନୋକିଆ ହ୍ୟାଣ୍ଡସେଟ୍ ବ୍ୟବହାର କରି କରିଥିଲେ ଏବଂ ଏହି ମୋବାଇଲ କଲ୍ଟି ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ କରିଥିଲା। ଉକ୍ତ କଲ୍କୁ ସଫଳ କରାଇଥିଲା ମୋଦି-ଟେଲଷ୍ଟ୍ରା ନେଟୱାର୍କ।
ଭାରତର ବିକେ ମୋଦି ଏବଂ ଅଷ୍ଟ୍ରେଲିଆର ଟେଲଷ୍ଟ୍ରାର ମିଳିତ ଉଦ୍ୟୋଗରେ ଏହି ନେଟୱାର୍କ ପ୍ରସ୍ତୁତ ହୋଇଥିଲା। ଗୋଟିଏ କଲ୍ କ୍ଷଣକ ମଧ୍ୟରେ ୨ଟି ସହର କୋଲକାତା ଓ ନୂଆଦିଲ୍ଲୀକୁ ସଂଯୋଗ କରିଥିଲା। ସେତେବେଳେ ମୋବାଇଲ ବ୍ୟବହାର କରିବା ଏକ ବିଳାସପୂର୍ଣ୍ଣ ଜୀବନଶୈଳୀର ଅଂଶବିଶେଷ ଥିଲା। କଲ୍ କରିବା ପାଇଁ ମିନିଟ୍ ପିଛା ୮.୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଉଭୟ ଇନ୍କମିଂ ଓ ଆଉଟଗୋଇଂ କଲ୍ ପାଇଁ ଶୁଳ୍କ ଲାଗୁ ହେଉଥିଲା। ବ୍ୟସ୍ତ ବହୁଳ ସମୟରେ ମିନିଟ୍ ପିଛା ମୂଲ୍ୟ ୧୬.୮ ଟଙ୍କାକୁ ବୃଦ୍ଧି ପାଉଥିଲା, ଯାହା ଫଳରେ ମୋବାଇଲ୍ ଫୋନ୍ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ଉପଲବ୍ଧ ହୋଇଥିଲା।
ହେଲେ ଆଜି ସମୟ ବଦଳି ଯାଇଛି। ଭାରତରେ ମୋବାଇଲ ଜରୁରି ଉପକରଣ ପାଲଟି ଯାଇଛି। ମଜୁରିଆଠାରୁ ଆରମ୍ଭ କରି କୋଟିପତି ହାତରେ ରହୁଛି ରଙ୍ଗ ବେରଙ୍ଗର ମୋବାଇଲ ହ୍ୟାଣ୍ଡସେଟ। ବୈଷୟିକ ଉନ୍ନତି ଏବଂ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ଉଭୟ ହ୍ୟାଣ୍ଡସେଟ୍ ଓ କଲ୍ ଚାର୍ଜକୁ ମୂଲ୍ୟହୀନ କରିଦେଇଛିା ଇନ୍ କମିଂ କଲ୍ ପାଇଁ ମୂଲ୍ୟ ଏବେ କେବଳ ଖବର ହୋଇ ରହିଯାଇଛି।
୨୦୧୬ରେ ଏକ ବଡ଼ ପରିବର୍ତ୍ତନ ଆସିଥିଲା ଯେତେବେଳେ ଜିଓ ବଜାରରେ ପ୍ରବେଶ କରିଥିଲା, ସୁଲଭ ଡାଟା ପ୍ଲାନ୍ ଆରମ୍ଭ କରିଥିଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ମୋବାଇଲକୁ ସେବା ଉପଲବ୍ଧ କରାଇଥିଲା।
୧୯୯୫ମସିହାରେ ପ୍ରଥମ କଲଠାରୁ ଆରମ୍ଭ କରି ଆଜିର ନିରବଚ୍ଛିନ୍ନ ଯୋଗାଯୋଗ ପର୍ଯ୍ୟନ୍ତ ଭାରତର ମୋବାଇଲ ଶିଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ମୋବାଇଲ ଫୋନ୍ ଏବେ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଅଙ୍ଗ ପାଲଟିଛି, ଯାହା ସୁଲଭ ମୂଲ୍ୟରେ ସୁବିଧା ପ୍ରଦାନ କରୁଛି। ଏହି ଯାତ୍ରା କେବଳ ବୈଷୟିକ ଅଭିବୃଦ୍ଧି ନୁହେଁ ବରଂ ଭାରତରେ ଯୋଗାଯୋଗର ପରିଭାଷାକୁ ବଦଳାଇ ଦେଇଛି।
previous article: https://purvapaksa.com/apple-india-earned-rs-1000-crore-from-iphone-buyers/