ବିଜୁ ଜନତା ଦଳ ପାଇଁ ଚଳିତ ବର୍ଷର ପ୍ରତିଷ୍ଠା ଦିବସ କେବଳ ଏକ କ୍ୟାଲେଣ୍ଡର ତାରିଖ ନୁହେଁ, ବରଂ ଏହା ଦଳର ଆଗାମୀ ୨୫ ବର୍ଷର ଭବିଷ୍ୟତ ନିର୍ଦ୍ଧାରଣ କରିବାର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ଗତ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଅପରାଜେୟ ରହିଥିବା ଏହି ଆଞ୍ଚଳିକ ଦଳ ଏବେ ଦଳ ଭିତରେ ଦେଖା ଦେଇଥିବା ବାତ୍ୟାର ସମ୍ମୁଖୀନ। ଏହି ବାତ୍ୟାର କେନ୍ଦ୍ରବିନ୍ଦୁରେ ଅଛନ୍ତି ‘ଲିଗାସୀ’ ନେତା, ଯେଉଁମାନେ ବିଜୁ ବାବୁଙ୍କ ଆଦର୍ଶ ଏବଂ ଓଡ଼ିଆ ଅସ୍ମିତାକୁ ପାଥେୟ କରି ରାଜନୀତି କରୁଛନ୍ତି। ଅନ୍ୟପଟେ ଅଛନ୍ତି ପୂର୍ବତନ ପ୍ରଶାସକ ଭିକେ ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ। ପ୍ରତିଷ୍ଠା ଦିବସ ପୂର୍ବରୁ ବାରମ୍ବାର ବସୁଥିବା ଗୋପନ ବୈଠକ ଏବଂ ନେତାମାନଙ୍କ ମଧ୍ୟରେ ଚାଲିଥିବା ‘ତୁହାକୁ ତୁହା’ ଆଲୋଚନା ସ୍ପଷ୍ଟ କରୁଛି ଯେ, ବିଜେଡି ଭିତରେ ଏବେ ଏକ ବଡ଼ ଧରଣର ବିଦ୍ରୋହର ମୂଳଦୁଆ ପଡ଼ିସାରିଛି। ବୈଠକରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତାମିଲ ବୋହୁ ସୁଜାତା ରାଉତ କାର୍ତ୍ତିକେୟନଙ୍କର ବିଜେଡି ପ୍ରବେଶକୁ କିପରି ରୋକାଯାଇପାରିବ ତାହାହିଁ ମୁଖ୍ୟ ପ୍ରସଙ୍ଗ। କାରଣ ସୁଜାତା ବିଜେଡିରେ ପଶିଲେ ସମସ୍ତ ନେତାମାନଙ୍କୁ ସାଇଡ୍ କରି ନେତୃତ୍ୱ ଓ ଦଳକୁ ହାଇଜାକ କରିନେବାର ଆଶଙ୍କା ରହିଛି। ଅପରପକ୍ଷରେ ଦଳର ନେତୃତ୍ୱ ନେବାକୁ ପ୍ରଣବପ୍ରକାଶ ଦାସ ଓରଫ ବବି ଦାସ ଗୋଡ଼ ଟେକି ବସିଛନ୍ତି। କିନ୍ତୁ ତାଙ୍କ ରାସ୍ତାରେ କଣ୍ଟା ହେବାକୁ ଯାଉଛନ୍ତି ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା। ତେଣୁ ସେ ଏହି ଜେନ ଜି ରୂପକ ଲିଗାସୀ ନେତାମାନଙ୍କୁ ପାଣ୍ଡିଆନଙ୍କ ବିରୋଧରେ ଲଗାଇ ଦେଇଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଉତ୍ତରାଧିକାରୀ ପ୍ରସଙ୍ଗ ଓ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି

ବିଜେଡିର ରାଜନୈତିକ ମାନଚିତ୍ରରେ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ। ପାଣ୍ଡିଆନ ଜଣେ ବିଦେଶୀ, ବିଜେଡିକୁ ଭୋଟ୍ ଦେବା ଅର୍ଥ ପାଣ୍ଡିଆନଙ୍କୁ କ୍ଷମତା ଦେବା ସହିତ ସମାନ। ତେଣୁ ରାଜ୍ୟବାସୀ ଗତ ନିର୍ବାଚନରେ ବିଜେଡିକୁ ପାଣ୍ଡିଆନଙ୍କ ପାଇଁ କ୍ଷମତାଚ୍ୟୁତ କରିଛନ୍ତି। ଏହାପରେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଥିବା ନାଟକ କରିସାରିଛନ୍ତି। ତେଣୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ପାଣ୍ଡିଆନଙ୍କ ପରେ ସୁଜାତାଙ୍କୁ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ।
କିନ୍ତୁ ଏହି ସମ୍ଭାବନା ଦଳର ପୁରୁଖା ତଥା ଲିଗାସୀ ନେତାମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ସେମାନଙ୍କ ମତରେ, ଯଦି ସୁଜାତା ଦଳରେ ପ୍ରବେଶ କରନ୍ତି, ତେବେ ସେ ପୁଣିଥରେ ପାଣ୍ଡିଆନଙ୍କ ଶୈଳୀରେ ଦଳକୁ ‘ହାଇଜାକ’ କରିନେବାର ଆଶଙ୍କା ରହିଛି। ଏହା ହେଲେ ଦଶନ୍ଧି ଦଶନ୍ଧି ଧରି ବିଜୁ ବାବୁଙ୍କ ଆଦର୍ଶରେ କାମ କରି ଆସୁଥିବା ନେତାମାନେ କୋଣଠେସା ହୋଇଯିବେ।
ବବି ଦାସଙ୍କ ଚାଲ୍ ଓ ଲିଗାସୀ ନେତାଙ୍କ ଅସନ୍ତୋଷ

ଏହି ପୂରା ଘଟଣାକ୍ରମ ପଛରେ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏକଦା ନବୀନଙ୍କ ଅତି ବିଶ୍ୱସ୍ତ ରହିଥିବା ବବି ଦାସ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସ ଏବେ ଏହି ସଂଘର୍ଷର ମୁଖ୍ୟ ନାୟକ ସାଜିଛନ୍ତି। ଦଳ ପାଇଁ ଦିନରାତି ଏକ କରିଥିବା ବବି ଦାସ ଅନୁଭବ କରୁଛନ୍ତି ଯେ, ପାଣ୍ଡିଆନଙ୍କ ଅତିରିକ୍ତ ପ୍ରଭାବ ଯୋଗୁଁ ସେ ନିଜର ଏବଂ ନିଜ ପରିବାରର ରାଜନୈତିକ ସମ୍ମାନ ହରାଇଛନ୍ତି। ଗତ ନିର୍ବାଚନରେ ବବିଙ୍କୁ ତାଙ୍କ ଗଡ଼ ଯାଜପୁରରୁ ବାହାର କରି ସମ୍ବଲପୁର ଭଳି ଏକ କଠିନ ଆସନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଛିଡ଼ା କରାଇବା ଏକ ସୁଚିନ୍ତିତ ଚକ୍ରାନ୍ତ ଥିଲା ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ମାଆଙ୍କୁ କୋରାଇ ଆସନରେ ପରାସ୍ତ କରାଇବା ପଛରେ ମଧ୍ୟ ପାଣ୍ଡିଆନଙ୍କ ଭୂମିକା ଥିବା ନେଇ ବବିଙ୍କ ମନରେ ଗଭୀର ଆଘାତ ଲାଗିଛି। ତେଣୁ ବବି ଏବେ ପଛରେ ରହି ‘ଜେନ୍ ଜି’ ଏବଂ ଲିଗାସୀ ନେତାମାନଙ୍କୁ ଏକଜୁଟ କରି ପାଣ୍ଡିଆନଙ୍କ ବିରୋଧରେ ଏକ ଅଦୃଶ୍ୟ ପାଚେରୀ ଛିଡ଼ା କରିଛନ୍ତି।
‘ବିଜୁ ପରିବାର’ର ଦ୍ୱାହି ଓ ଜାତୀୟତାବାଦ
ଲିଗାସୀ ନେତାମାନଙ୍କ ମଧ୍ୟରେ ଥିବା ପ୍ରମୁଖ ଚେହେରା ତଥା ବରିଷ୍ଠ ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ସ୍ପଷ୍ଟ କରିଛନ୍ତି ଯେ, ସେମାନେ କୌଣସି ପରିସ୍ଥିତିରେ ବି ପାଣ୍ଡିଆନ ଦମ୍ପତ୍ତିଙ୍କୁ ଦଳର ମଙ୍ଗ ଧରିବାକୁ ଦେବେ ନାହିଁ। ସେମାନଙ୍କ ଯୁକ୍ତି ହେଉଛି, ବବି ଦାସ ହେଉଛନ୍ତି ବିଜୁ ପରିବାରର ସଦସ୍ୟ। ତାଙ୍କ ବାପା ଅଶୋକ ଦାସ ବିଜୁ ବାବୁଙ୍କ ଜଣେ ଅନୁଗାମୀ ଥିଲେ। ତେଣୁ ବିଜେଡିର କର୍ତ୍ତୃତ୍ୱ ଜଣେ ଓଡ଼ିଆ ତଥା ବିଜୁ ପରିବାରର ଲୋକ ପାଖରେ ରହିବା ଉଚିତ, ନା ଜଣେ “ଅଣ-ଓଡ଼ିଆ” ପ୍ରଶାସକଙ୍କ ହାତରେ। ଏହି ଯୁକ୍ତି ଦର୍ଶାଇ ଦେବାଶୀଷ ବାରମ୍ବାର ବିଭିନ୍ନ ଫୋରମରେ ପାଣ୍ଡିଆନଙ୍କ ବିରୋଧରେ ବିଷୋଦ୍ଗାର କରିଆସୁଛନ୍ତି। ପାଣ୍ଡିଆନ ଦମ୍ପତ୍ତିଙ୍କୁ ଦଳର ମଙ୍ଗ ଦେବା ଅର୍ଥ ହେଉଛି ବିଜୁ ବାବୁଙ୍କ ସ୍ୱପ୍ନକୁ ଜଳାଞ୍ଜଳି ଦେବା। ଏହି ଲିଗାସୀ ନେତାମାନେ ଏବେ ଖୋଲାଖୋଲି ଭାବେ କହିଲେଣି ଯେ, ସେମାନେ ପାଣିରେ ରହି କୁମ୍ଭୀର ସହ ଲଢ଼ିବେ, ଅର୍ଥାତ୍ ଦଳ ଭିତରେ ରହି ପାଣ୍ଡିଆନଙ୍କ ପ୍ରତିଟି ପଦକ୍ଷେପକୁ ବିରୋଧ କରିବେ।
ନବୀନଙ୍କ ବୟାନ ଓ ଆଗାମୀ ବିପଦ

ଗତ ନିର୍ବାଚନ ସମୟରେ ନିଜେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ଏବଂ ଓଡ଼ିଶାବାସୀ ହିଁ ତାଙ୍କର ଉତ୍ତରାଧିକାରୀ ବାଛିବେ। ଯଦି ନବୀନ ବାବୁ ଏବେ ନିଜ ନିଷ୍ପତ୍ତି ବଦଳାଇ ସୁଜାତା କିମ୍ବା ପାଣ୍ଡିଆନଙ୍କୁ ଦଳର ଦାୟିତ୍ୱ ଦିଅନ୍ତି, ତେବେ ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଏହା ଦଳରେ ଏକ ବଡ଼ ଧରଣର ବିଭାଜନ ସୃଷ୍ଟି କରିପାରେ। ଯଦି ଲିଗାସୀ ନେତାମାନେ ବିଦ୍ରୋହ କରନ୍ତି, ତେବେ ବିଜୁ ଜନତା ଦଳ ଦୁଇ ଭାଗରେ ବିଭକ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
ଶାନ୍ତି ନା ବିଭାଜନ?
ବିଜେଡି ଏବେ ଏକ ଅଭାବନୀୟ ସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ବ୍ୟକ୍ତିଗତ ଆକ୍ରୋଶ ଏବଂ ଅନ୍ୟପଟେ କ୍ଷମତା ଦଖଲର ଲଢ଼େଇ। ପାଣ୍ଡିଆନଙ୍କୁ ବିରୋଧ କରିବା ପାଇଁ ଲିଗାସୀ ନେତାମାନେ ଯେଉଁ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି, ତାହା ଓଡ଼ିଶା ରାଜନୀତିରେ ଏକ ନୂଆ ମୋଡ଼ ଆଣିବ। ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ କ’ଣ ବାର୍ତ୍ତା ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯଦି ସେ ‘ଲିଗାସୀ’କୁ ସମ୍ମାନ ନ ଦିଅନ୍ତି, ତେବେ ବିଜେଡି ଭିତରେ ଥିବା ଏହି ଅନ୍ତଃସ୍ୱର ଏକ ମହାସଂଗ୍ରାମରେ ପରିଣତ ହେବା ନିଶ୍ଚିତ।
ଓଡ଼ିଶାବାସୀ ଏକ ସ୍ଥିର ସରକାର ଏବଂ ସ୍ପଷ୍ଟ ନେତୃତ୍ୱ ଚାହାଁନ୍ତି। ବିଜେଡି ଭିତରେ ଚାଲିଥିବା ଏହି ‘ହାଇଜାକ’ ରାଜନୀତି ଯଦି ସମାପ୍ତ ନ ହୁଏ, ତେବେ ଇତିହାସ ସାକ୍ଷୀ ଅଛି-ଯେଉଁ ଦଳ ନିଜ କର୍ମୀ ଓ ନେତାଙ୍କୁ ଅଣଦେଖା କରିଛି, ତାହାର ପତନ ଅତି ନିକଟତର ହୋଇଛି।
ବିଜେଡି ଏବେ କେଉଁ ରାସ୍ତାରେ?
ଆଜି ବିଜେଡି ଦୁଇଟି ରାସ୍ତାରେ-
ପ୍ରଥମତଃ-
ଲିଗାସୀ, ସଂଗଠନାତ୍ମକ ନେତୃତ୍ୱ-
ଯେଉଁଠି ଦଳ ଚାଲିବ ନେତାମାନଙ୍କ ମାଧ୍ୟମରେ।
ଦ୍ୱିତୀୟତଃ-
ମ୍ୟାନେଜମେଣ୍ଟ–କେନ୍ଦ୍ରିକ, ପରିବାର–ପ୍ରଭାବିତ ମଡେଲ୍-
ଯେଉଁଠି ଶକ୍ତି ରହିବ କିଛି ଲୋକଙ୍କ ହାତରେ।
ଏହି ଚୟନ ନିର୍ଣ୍ଣୟ କରିବ- ବିଜେଡି ଏକ ରାଜନୈତିକ ଦଳ ରହିବ, ନା ଏକ ନିୟନ୍ତ୍ରିତ ପ୍ରକଳ୍ପ ହେବ।
ପ୍ରତିଷ୍ଠା ଦିବସରେ ବ୍ୟାନର ଉଠିବ, ଭାଷଣ ହେବ, ସ୍ଲୋଗାନ୍ ହେବ।
କିନ୍ତୁ ବିଜେଡିର ଅସଲ ପରୀକ୍ଷା ମଞ୍ଚରେ ନୁହେଁ- ପରଦା ପଛରେ ହେବ।
ପ୍ରଶ୍ନ ଏକ- ବିଜେଡି କ’ଣ ବିଜୁଙ୍କ ଦଳ ରହିବ,
ନା ପାଣ୍ଡିଆନ ଯୁଗର ଏକ ନୂଆ ଅବତାର?
ଏହି ପ୍ରଶ୍ନର ଉତ୍ତର ଦଳର ଭବିଷ୍ୟତ ଲେଖିଦେବ।


