Toll tax: ଉଭୟ ପ୍ରସ୍ତାବକୁ ସଡ଼କ ପରିବହନ ମନ୍ତ୍ରଣାଳୟ ଅନୁମୋଦନ କରିଛି।
ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର। ଖୁବ୍ ଶୀଘ୍ର ଟୋଲ ଟିକସରୁ ମିଳିପାରେ ମୁକ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟ ଟୋଲରୁ ଆଶ୍ୱସ୍ତି ଦେବା ପାଇଁ ଦୁଇଟି ପ୍ରସ୍ତାବ ଉପରେ ବିଚାର କରୁଛି। ପ୍ରଥମ ପ୍ରସ୍ତାବ ହେଉଛି ଅଢ଼େଇ ଲେନ୍ ଓ ସଂକୀର୍ଣ୍ଣ ଜାତୀୟ ରାଜପଥ ଉପରେ କୌଣସି ଶୁଳ୍କ ଲାଗୁ କରାଯିବ ନାହିଁ। ଦ୍ୱିତୀୟ ପ୍ରସ୍ତାବ ହେଉଛି ବର୍ଷକ ପାଇଁ ୩ ହଜାର ଟଙ୍କା ମୂଲ୍ୟରେ କାର୍ ପାଇଁ ଅସୀମିତ ଯାତ୍ରା ପାଇଁ ପାସ୍ ପ୍ରଦାନ କରିବା।
ମିଳିଥିବା ସୂଚନା ଅନୁଯାୟୀ, ଉଭୟ ପ୍ରସ୍ତାବକୁ ସଡ଼କ ପରିବହନ ମନ୍ତ୍ରଣାଳୟ ଅନୁମୋଦନ କରିଛି। ବର୍ତ୍ତମାନ ଏହି ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଛି, କାରଣ ଏହା କାର୍ଯ୍ୟକାରୀ ହେଲେ ଟୋଲରୁ ସରକାରଙ୍କ ଆୟ ହ୍ରାସ ପାଇବ। ତେବେ ସଂକୀର୍ଣ୍ଣ ଜାତୀୟ ରାଜପଥକୁ ଟୋଲ ମୁକ୍ତ କରିବା ଦ୍ୱାରା ବିଶେଷ କ୍ଷତି ହେବ ନାହିଁ ବୋଲି ଆକଳନ କରାଯାଇଛି।
ଏହା ପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଘରୋଇ ଯାନ ପାଇଁ ବାର୍ଷିକ ଏବଂ ଲାଇଫ୍ ଟାଇମ୍ ପାସର ବିକଳ୍ପ ଯୋଜନା ଉପରେ ଆଲୋଚନା କରିଥିଲେ। ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ ୱେରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେବା ପାଇଁ ସରକାର ବିଚାର କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ବାରମ୍ବାର କହିଛନ୍ତି। ଯଦି ଟୋଲ୍ ହ୍ରାସ କରାଯାଏ ତେବେ ତାଙ୍କ ପକ୍ଷରୁ କୌଣସି ଅଭିଯୋଗ ଆସିବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।
ଟାଇମ୍ସ ଅଫ୍ ଇଣ୍ଡିଆ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ସମୀକ୍ଷା ବୈଠକରେ ନୀତୀନ ଗଡ଼କରୀ ଅଢ଼େଇ ଲେନ୍ କିମ୍ବା ପକ୍କା ରାସ୍ତା ଥିବା ଦୁଇ ଲେନ୍ ବିଶିଷ୍ଟ ରାସ୍ତାକୁ ଟୋଲ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଅଧିକାରୀମାନଙ୍କୁ ଏହା ଉପରେ ବିଚାର କରିବାକୁ କହିଥିଲେ। ୪ ଲେନ୍ ବା ତା’ଠାରୁ ଅଧିକ ବିଶିଷ୍ଟ ଜାତୀୟ ରାଜପଥ ତୁଳନାରେ ଏହି ରାସ୍ତାଗୁଡ଼ିକରେ ଟୋଲ୍ ଶୁଳ୍କ ୬୪% କମ୍। ସମଗ୍ର ଦେଶରେ ଏହି ପ୍ରକାରର ୫୦ରୁ କମ୍ ଟୋଲ୍ ପ୍ଲାଜା ରହିଛି ଏବଂ ଅଳ୍ପ କେତୋଟିକୁ ବାଦ୍ ଦେଲେ ଅନ୍ୟ ସବୁ ସରକାରୀ ଅନୁଦାନପ୍ରାପ୍ତ ରାସ୍ତା। ଅର୍ଥାତ୍ ଏହି ରାସ୍ତାଗୁଡ଼ିକରେ ସରକାରୀ ଏଜେନ୍ସିଗୁଡିକ ଦ୍ୱାରା ଟୋଲ୍ ଆଦାୟ କରାଯାଏ ।
ଏହାବ୍ୟତୀତ ଅଧିକାଂଶ କ୍ଷେତ୍ରରେ ଏହି ଟୋଲରୁ ମିଳୁଥିବା ରାଶି ଖର୍ଚ୍ଚ ପରିମାଣଠାରୁ କମ୍ ହୋଇଥାଏ। ଏଭଳି ସ୍ଥିତିରେ ଏହି ରାସ୍ତାଗୁଡ଼ିକୁ ଟୋଲ ଫ୍ରି କରିବା ଖରାପ ପ୍ରସ୍ତାବ ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ୪ ଲେନ୍ କିମ୍ବା ତା’ଠାରୁ ଅଧିକ ଲେନ୍ ବିଶିଷ୍ଟ ଟୋଲ୍ ଆଦାୟ। ଏହି ରାସ୍ତାଗୁଡ଼ିକରେ ଘରୋଇ ଏଜେନ୍ସିଗୁଡିକ ଦ୍ୱାରା ଟୋଲ୍ ଆଦାୟ କରାଯାଏ । ଏଭଳି ପରିସ୍ଥିତିରେ ଯଦି ସରକାର ଘରୋଇ ଯାନ ପାଇଁ ବାର୍ଷିକ ପାସ୍ ଜାରି କରନ୍ତି ତେବେ କ୍ଷତି ଭରଣା କରିବାକୁ ପଡ଼ିବ।
ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ସରକାର ଟୋଲ୍ ଜରିଆରେ ମୋଟ ୬୧ ହଜାର କୋଟି ଟଙ୍କା ରୋଜଗାର କରିଛନ୍ତି। ଏହି ଅଂଶରେ ଘରୋଇ ଯାନର ଭାଗ ପ୍ରାୟ ୨୦-୨୧% ରହିଛି। ଅବଶିଷ୍ଟ ୭୯-୮୦% ଆୟ ବାଣିଜ୍ୟିକ ଓ ଭାରୀ ଯାନରୁ ଆସିଥାଏ।
Also read: https://purvapaksa.com/vaya-vandana-health-card-in-odisha-know-details-how-to-apply/
ଓଡ଼ିଶାରେ ବୟ ବନ୍ଦନା ସ୍ୱାସ୍ଥ୍ୟ କାର୍ଡ: ଜାଣନ୍ତୁ ବିବରଣୀ ଓ କେମିତି କରିବେ ଆବେଦନ