ଜିହାଦ ଓ ଜନ୍ନତରେ ୭୨ ହୁରଙ୍କ ସ୍ୱପ୍ନ ଦେଖାଇ ଭାରତ ବିରୋଧରେ ଜିହାଦି ବିକ୍ରି କରୁଥିବା ମସୁଦ ଅଜହର ମୃତ୍ୟୁର ଭୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡ଼ୁଛି । କେବେ ପାକିସ୍ତାନରେ ବସି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଜୈଶ-ଏ-ମହମ୍ମଦର କମାଣ୍ଡର ଏବେ ତା’ ଭାଇ ମୌଲାନା ତଲହା ଆସିଫଙ୍କୁ ସାଙ୍ଗରେ ନେଇ ଆଫଗାନିସ୍ତାନରେ ଲୁଚି ରହିଛି । ଏହାର ସବୁଠାରୁ ବଡ଼ କାରଣ ହେଉଛି ଅପରେସନ ସିନ୍ଦୁର । ଭାରତର ଆତଙ୍କବାଦ ବିରୋଧରେ ଚାଲିଥିବା ଏହି ଦୃଢ଼ ଜବାବୀ ଅଭିଯାନ ଆତଙ୍କବାଦୀମାନଙ୍କ ହୋସ ଉଡ଼ାଇ ଦେଇଛି । ଗୁଇନ୍ଦା ସୂତ୍ର ଅନୁସାରେ, ମସୁଦ ଅଜହରଙ୍କୁ ଭୟ ରହିଛି ଯେ ଭାରତୀୟ ଏଜେନ୍ସିଗୁଡ଼ିକ ଆଉ ଥରେ ଆତଙ୍କବାଦୀ ଆଡ୍ଡା ଉପରେ ବଡ଼ ଆକ୍ରମଣ କରିପାରନ୍ତି । ଏପରି ପରିସ୍ଥିତିରେ ସେ ବି ତା’ ମୃତ ସମ୍ପର୍କୀୟମାନଙ୍କ ପାଖକୁ ଜନ୍ନତକୁ ଯିବାର ଆଶଙ୍କା ରହିଛି । ତେଣୁ ସେ ପାକିସ୍ତାନ ଛାଡିଥିବା କୁହାଯାଉଛି ।
କୁହାଯାଉଛି ଯେ ଅଜହର ବର୍ତ୍ତମାନ ଆଫଗାନିସ୍ତାନର ଖୋସ୍ତ ପ୍ରଦେଶର ଗୁରବୁଜ ଜିଲ୍ଲାରେ ଲଶ୍କର-ଏ-ତୈୟବାର ଏକ ଟ୍ରେନିଂ କ୍ୟାମ୍ପରେ ଲୁଚି ରହିଛି । ଗୁରୁତର ହୃଦୟ ରୋଗରେ ପୀଡ଼ିତ ଅଜହରଙ୍କୁ କରାଚୀ ଆସିବା-ଯିବା କରିବାକୁ ପଡ଼ୁଛି, ଯେଉଁଠାରୁ ସେ ଗୁପ୍ତ ଭାବେ ଔଷଧ ନେଉଛି । ତା’ର ଅବସ୍ଥା ଏପରି ଯେ ଡାକ୍ତର ତାକୁ କଥା ହେବା ପାଇଁ ମଧ୍ୟ ମନା କରିଛନ୍ତି । ଅପରେସନ ସିନ୍ଦୁରରେ ଅଜହର ପରିବାରର ଅନେକ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ସେ ତା’ ଛୋଟ ଭାଇ ମୌଲାନା ତଲହାଙ୍କୁ ମଧ୍ୟ ଆଫଗାନିସ୍ତାନ ନେଇଯାଇଛି ଏବଂ ତାକୁ ଆତଙ୍କବାଦୀ କ୍ୟାମ୍ପଗୁଡ଼ିକର ଦେଖାଶୁଣାର ଦାୟିତ୍ୱ ଦେଇଛି । ପାକିସ୍ତାନକୁ ଭଲ ଭାବେ ଜଣାଅଛି ଯେ ଭାରତ ଏବେ ‘ଚେତାବନୀ’ ନୁହେଁ, ସିଧାସଳଖ କାର୍ଯ୍ୟାନୁଷ୍ଠାନ କରୁଛି । ଏହି ଭୟ ଏବେ ମସୁଦ ଅଜହର ଭଳି ଖୁଙ୍ଖାର ଆତଙ୍କବାଦୀମାନଙ୍କୁ ଶାନ୍ତିରେ ଶୋଇବାକୁ ଦେଉନାହିଁ ।
ତାଲିବାନ ସହିତ ପୁରୁଣା ‘ବନ୍ଧୁତା’ ପୁନର୍ବାର କାମ ଆସିଲା
ଯଦିଓ ଆଫଗାନ ତାଲିବାନ ସରକାର ଖୋଲାଖୋଲି କହୁଛି ଯେ ସେ କୌଣସି ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ଦେଉନାହିଁ, କିନ୍ତୁ ବାସ୍ତବତା ହେଉଛି ତାଲିବାନର ଅନେକ କମାଣ୍ଡର ପୁରୁଣା ସମ୍ପର୍କ ଯୋଗୁଁ ଅଜହର ଭଳି ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଛନ୍ତି । ସେହିପରି କାଶ୍ମୀରରେ ଆଲକାଇଦାର ଶାଖା ‘ଲଶ୍କର-ଏ-ଗଜୱାତ-ଉଲ-ହିନ୍ଦ’ର ବଡ଼ ନାମ ଡକ୍ଟର ଅବଦୁଲ ରଉଫ ମଧ୍ୟ ଏବେ ଆଫଗାନିସ୍ତାନର କୁନାର ପ୍ରଦେଶରେ ଲୁଚି ରହିଛି । ସେ ସେଠାରେ ଏକ ଆତଙ୍କବାଦୀ ଟ୍ରେନିଂ ସେଣ୍ଟରରେ ନିଜର ଆଡ୍ଡା ତିଆରି କରିଛି ।
‘ଅପରେସନ ସିନ୍ଦୁର’ପାଇଁ ଭୟଭୀତ ଆତଙ୍କବାଦୀ
ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକର ‘ଅପରେସନ ସିନ୍ଦୁର’ ଭଳି ରଣନୀତି ସେହି ଆତଙ୍କର ଅଡ୍ଡାଗୁଡ଼ିକୁ ସିଧାସଳଖ ନିଶାନା କରିଛି, ଯାହାକୁ ପୂର୍ବରୁ କେହି ଛୁଇଁ ପାରୁନଥିଲେ । ଏହି କାରଣରୁ ଏବେ ସେହି ଆତଙ୍କବାଦୀ ମୁଖିଆ, ଯିଏ କେବେ ମାଇକରେ ଛିଡ଼ା ହୋଇ ‘୭୨ ହୁର’ର କଥା କରୁଥିଲା, ସେ ଆଜି ଭୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡ଼ୁଛି।ଦିନେ ଅନ୍ଯମାନଙ୍କୁ ଯିଏ‘ଶହୀଦ‘ ହେବା ପାଇଁ ପଠାଉଥିଲା, ଏବେ ସେହି ବ୍ୟକ୍ତି ନିଜେ ନିଜ ଜୀବନ ବଞ୍ଚାଇବା ପାଇଁ ବାରଦୁଆର ଶୁଣ୍ଢିପିଣ୍ଢା ହେଉଛି ।
