ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓବାଦୀ ବିରୋଧୀ ଅଭିଯାନରେ ବଡ଼ ସଫଳତା। ଛତିଶଗଡ଼ର ବିଜାପୁର ଜିଲ୍ଲା ଅଞ୍ଚଳରେ ସୁରକ୍ଷାବାହିନୀ ସହ ମାଓବାଦୀଙ୍କ ଗୁଳିବିନିମୟ ଘଟି ୨ ଜଣ ହାର୍ଡକୋର ମାଓବାଦୀ ନିପାତ ହୋଇଛନ୍ତି। ଏହି ଏନକାଉଣ୍ଟର ଛତିଶଗଡ଼ର ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ କୂଳବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ଏହି ଅଞ୍ଚଳ ମାଲକାନଗିରି ସୀମାନ୍ତ ସହ ଲାଗିଥିବାରୁ ଦୁଇ ରାଜ୍ୟର ସୁରକ୍ଷାବାହିନୀ ଯୁକ୍ତ ଅଭିଯାନ ଚାଲାଇଥିଲେ।

ସୂତ୍ର ଅନୁସାରେ ମାଓବାଦୀ ପ୍ରଭାବ ନେଇ ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଜଙ୍ଗଲ ଭିତରୁ ମାଓବାଦୀମାନେ ସୁରକ୍ଷାବାହିନୀ ଉପରେ ଅଚାନକ ଗୁଳିଚାଳନା କରିଥିଲେ । ପ୍ରତିଉତ୍ତରରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳିଚାଳନା କରିଥିଲେ । ଦୀର୍ଘ ସମୟ ଧରି ଦୁଇ ପକ୍ଷରେ ଗୁଳିବିନିମୟ ଚାଲିଥିଲା ।
ଏହି ଏନକାଉଣ୍ଟରରେ ୨ ଜଣ ହାର୍ଡକୋର ମାଓବାଦୀ ଟଳିଥିବା ବେଳେ ଅନ୍ୟମାନେ ଜଙ୍ଗଲ ଭିତରକୁ ପଳାଇଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ଏକ ଏସଆରଏଲ ରାଇଫଲ, ଏକ ଇନସାସ ରାଇଫଲ ସହ ବିଭିନ୍ନ ପ୍ରକାରର ବନ୍ଧୁକ ଓ ମାଓବାଦୀମାନଙ୍କ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
ଘଟଣା ସମ୍ପର୍କରେ ଜିତେନ୍ଦ୍ର ଯାଦବ ସୂଚନା ଦେଇ କହିଛନ୍ତି ଯେ ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ନିପାତ ମାଓବାଦୀମାନଙ୍କ ପରିଚୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଛି । ସେମାନେ ଦୀର୍ଘଦିନ ଧରି ଏହି ଅଞ୍ଚଳରେ ସକ୍ରିୟ ଥିବା ଓ କେତେକ ହିଂସାତ୍ମକ ଘଟଣାରେ ଜଡିତ ଥିବା ସନ୍ଦେହ କରାଯାଉଛି।
ସୁରକ୍ଷାବାହିନୀଙ୍କ ଏହି ସଫଳତାକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି, କାରଣ ମାଲକାନଗିରି-ବିଜାପୁର ସୀମାନ୍ତ ଅଞ୍ଚଳ ଦୀର୍ଘଦିନ ଧରି ମାଓବାଦୀ କ୍ରିୟାକଳାପର କେନ୍ଦ୍ର ରୂପେ ପରିଚିତ । ସ୍ଥାନୀୟ ଲୋକମାନେ ଏହି ଅଭିଯାନକୁ ସ୍ୱାଗତ କରିଥିବା ବେଳେ ଅଞ୍ଚଳରେ ସାଧାରଣ ପରିସ୍ଥିତି ଫେରାଇବା ପାଇଁ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ା କରାଯାଇଛି। ଦୁଇ ରାଜ୍ୟର ସୁରକ୍ଷାବାହିନୀ ଏକାସାଥି ମାଓବାଦୀ ଦମନ ଅଭିଯାନ ଜାରି ରଖିବେ ବୋଲି ସୂଚନା ମିଳିଛି।
also read https://purvapaksa.com/rajyasabha-election-2/


