ଆଫ୍ରିକୀୟ ଦେଶ ନାଇଜରର ରାଜଧାନୀ ନିଆମେରେ ବୁଧବାର ରାତିରେ ଏକ ଭୟଙ୍କର ଏବଂ ଚିନ୍ତାଜନକ ଆକ୍ରମଣ ଘଟିଛି। ନିଆମେ ସ୍ଥିତ ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବସ୍ଥିତ ନାଇଜର ବାୟୁସେନା ଘାଟି ଉପରେ ସଶସ୍ତ୍ର ଆକ୍ରମଣକାରୀମାନେ ହଠାତ୍ ହମଲା କରିଥିଲେ। ଏହି ଆକ୍ରମଣ ସମୟରେ ପ୍ରବଳ ଗୁଳିଚାଳନା ଓ ବିସ୍ଫୋରଣ ଘଟିଥିବା ଖବର ମିଳିଛି, ଯାହା ଫଳରେ ସମଗ୍ର ରାଜଧାନୀରେ ଭୟର ପରିବେଶ ସୃଷ୍ଟି ହୋଇଥିଲା।

ନାଇଜରର ରାଷ୍ଟ୍ରାୟତ୍ତ ପ୍ରସାରକ ସଂସ୍ଥା ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ବୁଧବାର ମଧ୍ୟରାତ୍ରି ସମୟରେ କିଛି ସଶସ୍ତ୍ର ଲୋକ ମୋଟର ସାଇକେଲରେ ଆସି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ଆରମ୍ଭ ହେବା ସହିତ ସେଠାରେ ଭୟଙ୍କର ଗୁଳିଚାଳନା ଓ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ସୁରକ୍ଷା ବାହିନୀ ତୁରନ୍ତ ପ୍ରତିକ୍ରିୟା ଦେଇ ଆକ୍ରମଣକାରୀଙ୍କୁ ଘେରାଉ କରିଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ନାଇଜର ବାୟୁସେନାର ୪ ଜଣ ସୈନିକ ଆହତ ହୋଇଛନ୍ତି। ସେହିପରି ସୁରକ୍ଷା ବାହିନୀଙ୍କ ଗୁଳିଚାଳନାରେ ୨୦ ଜଣ ଆକ୍ରମଣକାରୀ ନିହତ ହୋଇଥିବା ବେଳେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଅନେକ ଆକ୍ରମଣକାରୀ ଆହତ ଅବସ୍ଥାରେ ପଳାଇବାକୁ ଚେଷ୍ଟା କରୁଥିଲେ ବୋଲି ଜଣାପଡିଛି।
ଏହି ଆକ୍ରମଣ ସମୟରେ ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ମଧ୍ୟ ବିସ୍ଫୋରଣ ଓ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା। ବିମାନବନ୍ଦରର ରନୱେରେ ଠିଆ ହୋଇଥିବା ଏକ ବିମାନ ଗୁଳିର ଶିକାର ହୋଇଥିଲା। ଏହି ଗୁଳିଚାଳନାରେ ବିମାନର ଫ୍ୟୁଜେଲେଜ୍ ଓ ଡାହାଣ ପକ୍ଷ ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବରେ ଆସନ୍ତା କିଛି ଦିନ ପାଇଁ ଉଡାଣ ସୂଚୀରେ ପରିବର୍ତ୍ତନ ଆସିପାରେ ବୋଲି ସୂଚନା ମିଳିଛି।
ଘଟଣା ପରେ ସମଗ୍ର ନିଆମେ ସହରରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି। ବାୟୁସେନା ଘାଟି ଏବଂ ବିମାନବନ୍ଦର ଆସପାସରେ ଅତିରିକ୍ତ ସେନା ମୁତୟନ କରାଯାଇଛି। ଏହି ଆକ୍ରମଣ ପଛରେ କେଉଁ ଗୋଷ୍ଠୀ ରହିଛି, ସେନେଇ ତଦନ୍ତ ଜାରି ରହିଛି।ନାଇଜର ପୂର୍ବରୁ ମଧ୍ୟ ଆତଙ୍କବାଦୀ ଏବଂ ସଶସ୍ତ୍ର ଗୋଷ୍ଠୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଆସୁଛି। ଏହି ନୂଆ ଆକ୍ରମଣ ଦେଶର ସୁରକ୍ଷା ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ସୃଷ୍ଟି କରିଛି।
also read https://purvapaksa.com/newborn-baby-girl-rescued-from-garbage-dump/
Newborn baby girl rescued from garbage dump ।। ଅଳିଆ ଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର


