- ୪ ଲକ୍ଷ କୋଟିର କାରବାର ଆକଳନ
- ଜିଡିପି ବଢିବ ୧%
ମାନବ ଜାତିର ସର୍ବବୃହତ ଆଧ୍ୟାତ୍ମିକ ସାଂସ୍କୃତିକ ସମାବେଶ ଭାବେ ବିବେଚନା କରାଯାଉଥିବା ମହାକୁମ୍ଭ ମେଳା କେବଳ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ ନାହିଁ ବରଂ ଏହାର ଏକ ଅସାଧାରଣ ଅର୍ଥନୈତିକ ପ୍ରଭାବ ମଧ୍ୟ ରହିଛି । ସୋମବାରଠାରୁ ପ୍ରୟାଗରାଜରେ ପବିତ୍ର ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ସଙ୍ଗମସ୍ଥଳରେ ମହାକୁମ୍ଭ ଆରମ୍ଭ ହୋଇଥିବା ବେଳେ ପୃଥିବୀର ସର୍ବବୃହତ ଧାର୍ମିକ ସମାବେଶ ଭାରତର ଅର୍ଥନୀତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେବା ସହ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବାଣିଜ୍ୟ ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି । ଶିଳ୍ପ ଆକଳନ ଅନୁଯାୟୀ, ମହାକୁମ୍ଭ ଉଭୟ ନାମମାତ୍ର ଏବଂ ବାସ୍ତବ ଜିଡିପିକୁ ୧ ପ୍ରତିଶତରୁ ଅଧିକ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ପ୍ରାୟ ୪୦ କୋଟି ପର୍ଯ୍ୟଟକ ଯୋଗଦେବେ ବୋଲି ଉତ୍ତରପ୍ରଦେଶ ସରକାର ଆଶା ରଖିଛନ୍ତି ।
ଉତ୍ତରପ୍ରଦେଶ ସରକାରଙ୍କ ଆକଳନ ଅନୁଯାୟୀ, ଏହି ମେଳାରେ ୪୦ କୋଟିରୁ ଅଧିକ ଦେଶ ବିଦେଶରୁ ଭକ୍ତ ଅଂଶଗ୍ରହଣ କରିବେ । ଯଦି ପ୍ରତ୍ୟେକ ବ୍ୟକ୍ତି ହାରାହାରି ୫,୦୦୦-୧୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ସମୁଦାୟ ଖର୍ଚ୍ଚ ୪.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରେ । ଏହା ଦ୍ୱାରା ଗୃହ ନିର୍ମାଣ, ପରିବହନ, କ୍ୟାଟରିଂ, ହସ୍ତଶିଳ୍ପ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ର ଉପକୃତ ହେବ । ଏହି ଖର୍ଚ୍ଚ ଜାନୁଆରି ଏବଂ ଫେବୃଆରି ମାସରେ ଯୋଜନାବିହୀନ ଅତିରିକ୍ତ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରତିନିଧିତ୍ୱ କରେ । ମହାକୁମ୍ଭ ଜିଡିପି ଆକଳନ ୧% ରୁ ଅଧିକ ବୃଦ୍ଧି କରିବ ବୋଲି ଆକଳନ କରାଯାଇଛି । ୨୦୨୩-୨୪ରେ ଭାରତର ଜିଡିପି ୨୯୫.୩୬ ଲକ୍ଷ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ରେ ଏହା ବୃଦ୍ଧି ପାଇ ୩୨୪.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହି ଅଭିବୃଦ୍ଧିରେ ମହାକୁମ୍ଭ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଅପରପକ୍ଷରେ ୪୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଭାରତ ତଥା ବିଦେଶର ବଡ ବଡ କମ୍ପାନୀମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେଇଛନ୍ତି । ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍ସ (ଏଫ୍ଏମସିଜି) ଠାରୁ ଆରମ୍ଭ କରି ଫାର୍ମା ସେକ୍ଟର, ମୋବିଲିଟି ପ୍ରୋଭାଇଡରଠାରୁ ଆରମ୍ଭ କରି ଡିଜିଟାଲ୍ ପେମେଣ୍ଟ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ କଂପାନୀଗୁଡ଼ିକ ନିଜର ମାର୍କେଟିଂ ପର୍ସ ଷ୍ଟ୍ରିଙ୍ଗ୍କୁ କୋହଳ କରିଛନ୍ତି ଏବଂ ମହାକୁମ୍ଭରେ ନିଜର ବ୍ରାଣ୍ଡିଂ ଓ ମାର୍କେଟିଂ ପାଇଁ ୩,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ଯାଉଛନ୍ତି ବୋଲି ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି । ମହାକୁମ୍ଭ ମେଳାରେ ବିଭିନ୍ନ ଢାଞ୍ଚା ନିର୍ମାଣ ପାଇଁ ରାଷ୍ଟ୍ରାୟତ୍ତ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (ସେଲ୍) ପ୍ରାୟ ୪୫ ହଜାର ଟନ୍ ଇସ୍ପାତ ଯୋଗାଇଛି ।
ମହାରତ୍ନ କମ୍ପାନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଥିବା ଇସ୍ପାତରେ ଚେକ୍ ପ୍ଲେଟ୍, ହଟ୍ ଷ୍ଟ୍ରିପ୍ ମିଲ୍ ପ୍ଲେଟ୍, ମାଇଲ୍ଡ୍ ଷ୍ଟିଲ୍ ପ୍ଲେଟ୍, ଆଙ୍ଗେଲ୍ ଏବଂ ଜୋଇଷ୍ଟ୍ ରହିଛି । ସନାତନ ଧର୍ମାବଲମ୍ବୀଙ୍କ ସବୁଠାରୁ ବଡ଼ ସମାବେଶ ପୂର୍ବରୁ ପ୍ରୟାଗରାଜରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି । ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶରେ ଯୋଗ ଦେବାକୁ ଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ୨୦୦ରୁ ଅଧିକ ରାସ୍ତା ନିର୍ମାଣ ଓ ଉନ୍ନତିକରଣ କରାଯାଇଛି । ୩ ଲକ୍ଷରୁ ଅଧିକ ଗଛ ଓ ୧ ଲକ୍ଷ ଉଦ୍ୟାନ ନମୁନା ରଖି ରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଇଛି, ଯାହା ପର୍ଯ୍ୟଟକଙ୍କ ଆକର୍ଷଣ ବଢାଇବ ।
previous article:https://purvapaksa.com/atishis-crowdfunding-campaign/
