ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଆଉ ଏକ ଝଡ଼ ଉଠିଛି। ଟିଏମସିର ଦୁଇ ସାଂସଦ ମହୁଆ ମୋଇତ୍ରା ଓ କଲ୍ୟାଣ ବାନାର୍ଜୀ ଏବେ ଖୋଲାଖୋଲି ମୁହାଁମୁହିଁ ହୋଇଛନ୍ତି। ମହୁଆ ଓ କଲ୍ୟାଣଙ୍କ ଏହି ଲଢ଼େଇ ଏବେ ମହାଭାରତର ରୂପ ନେଇଛି, ଯେଉଁଥିରେ ଦୁଇ ନେତା ‘ଘୁଷୁରୀ’, ‘ହନିମୁନ’, ‘ଘର ଭାଙ୍ଗି’ ଭଳି ଶବ୍ଦ ବ୍ୟବହାର କରି ପରସ୍ପର ଉପରେ ଆକ୍ରମଣ ଓ ପାଲଟା ଆକ୍ରମଣ କରୁଛନ୍ତି।
ଏମାନଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଛି ଯେ ପାର୍ଟିର ସମ୍ମାନ ଉପରେ ପ୍ରଶ୍ନଚିହ୍ନ ଲାଗିଲାଣି । ଏହି ବିବାଦର ମୂଳ ବେଶ ଗଭୀର। ଆସନ୍ତୁ ବୁଝିବା ଏହି ‘ମହାଭାରତ’ କିପରି ଆରମ୍ଭ ହେଲା ଏବଂ ଏହା ପଛରେ ଥିବା ଆସଲ କାରଣ କ’ଣ…ଆସନ୍ତୁ ଜାଣିବା
କେମିତି ଆରମ୍ଭ ହେଲା ମହାଭାରତ ?
ବିବାଦର ନୂଆ ଅଧ୍ୟାୟ ସେତେବେଳେ ଆରମ୍ଭ ହେଲା ଯେତେବେଳେ କଲ୍ୟାଣ ବାନାର୍ଜୀ ମହୁଆ ମୋଇତ୍ରା ଓ ବିଜେଡି ପୂର୍ବତ୍ତନ ସାଂସଦ ପିନାକୀ ମିଶ୍ରଙ୍କ ସମ୍ପର୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାର ଜବାବରେ ମହୁଆ ମୋଇତ୍ରା ଏକ ପଡ଼କାଷ୍ଟରେ କହିଥିଲେ, ‘ଆପଣ ’ଘୁଷୁରୀ’ ସହ କୁସ୍ତି କରିପାରିବେ ନାହିଁ। କାରଣ ଘୁଷୁରୀକୁ ଏହା ପସନ୍ଦ ଓ ଆପଣ ନିଜେ ମଇଳା ହୋଇଯାଆନ୍ତି।’ ଏହା ସହିତ ସେ କହିଥିଲେ, ‘ଭାରତରେ ଅନେକ ନାରୀ-ବିରୋଧୀ, ଯୌନ କୁଣ୍ଠିତ ଓ ବିକୃତ ମାନସିକତାର ପୁରୁଷ ଅଛନ୍ତି, ଏବଂ ପ୍ରତ୍ୟେକ ପାର୍ଟିରେ ଏହିପରି ଲୋକ ଅନ୍ତର୍ଭୁକ୍ତ।’ ଏହି ବୟାନରେ ମହୁଆ ସିଧାସଳଖ କଲ୍ୟାଣ ବାନାର୍ଜୀଙ୍କୁ ‘ଘୁଷୁରୀ’ କହିଥିଲେ, ଯାହା ଭାରତୀୟ ରାଜନୀତିରେ ବୋଧହୁଏ ପୂର୍ବରୁ କେବେ ଶୁଣା ଯାଇ ନଥିଲା। ଏହା ପରେ ହଙ୍ଗାମା ହେବା ନିଶ୍ଚିତ ଥିଲା।
କଲ୍ୟାଣ ବାନାର୍ଜୀଙ୍କ ପାଲଟା ଆକ୍ରମଣ ଓ ଇସ୍ତଫା
ମହୁଆଙ୍କ ବୟାନର ଜବାବରେ କଲ୍ୟାଣ ବାନାର୍ଜୀ ଏକ୍ସରେ ଏକ କଡ଼ା ସନ୍ଦେଶ ଜାରି କରି କହିଥିଲେ, ‘ମହୁଆ ମୋଇତ୍ରାଙ୍କ ବୟାନ କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ସାଂସଦୀୟ ଶିଷ୍ଟାଚାରର ମଧ୍ୟ ଘୋର ଅବହେଳା।’ ସେହି ଦିନ କଲ୍ୟାଣ ବାନାର୍ଜୀ ଲୋକସଭାରେ ତୃଣମୂଳ କଂଗ୍ରେସର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଏବେ ପାର୍ଟି ନେତୃତ୍ୱର ଭରସା ନାହିଁ।
ମମତା ବାନାର୍ଜୀଙ୍କ ଭର୍ତ୍ସନା
ଅନ୍ୟପକ୍ଷରେ ସୂତ୍ର ଅନୁସାରେ, ସୋମବାର ପାର୍ଟି ସୁପ୍ରିମୋ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକରେ ଏହି ବିବାଦ ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରାଯାଇଥିଲା। ମମତା ତାଙ୍କ ସାଂସଦମାନଙ୍କ ମଧ୍ୟରେ ଏହି ଲଢ଼େଇକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ, ଅନ୍ୟପକ୍ଷରେ ରାଜ୍ୟସଭା ସାଂସଦମାନଙ୍କ ଅନୁଶାସିତ ଭୂମିକାର ପ୍ରଶଂସା କରିଥିଲେ।
ଏହି ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଗଲା ଯେ ଲୋକସଭାରେ ସମନ୍ୱୟର ଦାୟିତ୍ୱ ଏବେ ଅଭିଷେକ ବାନାର୍ଜୀ ସମ୍ଭାଳିବେ, କାରଣ ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ। ଏହାର କିଛି ଘଣ୍ଟା ପରେ କଲ୍ୟାଣ ବାନାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।
ମାତ୍ର କଲ୍ୟାଣ ବାନାର୍ଜୀ ମଧ୍ୟ ମହୁଆ ମୋଇତ୍ରାଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରିବାରେ ପଛରେ ରହି ନାହାନ୍ତି। ସେ ୫୦ ବର୍ଷୀୟ ମହୁଆଙ୍କର ପୂର୍ବତନ ବିଜେପି ସାଂସଦ ପିନାକୀ ମିଶ୍ରଙ୍କ ସହ ବିବାହକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ‘ମହୁଆ ହନିମୁନରୁ ଭାରତକୁ ଫେରି ମୋ ସହ ଲଢ଼େଇ ଆରମ୍ଭ କରିଦେଲେ! ସେ ୪୦ ବର୍ଷର ପରିବାରକୁ ଭାଙ୍ଗି ଦେଇଛନ୍ତି ଓ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ସହ ବିବାହ କରିଛନ୍ତି। ସେ କ’ଣ ସେହି ମହିଳାଙ୍କୁ ଆଘାତ ଦେଇ ନାହାନ୍ତି?’
ତାଙ୍କ ଏହି ବୟାନ ମହୁଆଙ୍କ ରାଗକୁ ଆହୁରି ବଢ଼ାଇ ଦେଇଥିଲା। ମାତ୍ର ଏହି ଲଢ଼େଇ ପଛର ମୁଳ କାରଣ ବେଶ ଗଭୀର ଓ ପୁରୁଣା। ଏହି ଝଗଡ଼ାର ପ୍ରଥମ ଝଲକ ଏହି ବର୍ଷ ଏପ୍ରିଲରେ ଦେଖିବାକୁ ମିଳିଥିଲା, ଯେତେବେଳେ ଏକ ହ୍ୱାଟ୍ସଆପ ଚାଟରେ କଲ୍ୟାଣ ବାନାର୍ଜୀ, ମହୁଆ ମୋଇତ୍ରାଙ୍କ ବିଷୟରେ କହିଥିବା କଥା ଭାଇରାଲ ହୋଇଥିଲା। ଆସଲରେ ୪ ଏପ୍ରିଲରେ ଯେତେବେଳେ ଏକ ଟିଏମସି ପ୍ରତିନିଧିମଣ୍ଡଳୀ ନିର୍ବାଚନ କମିଶନଙ୍କୁ ଭେଟିଥିଲେ, ସେତେବେଳେ ମହୁଆ ମୋଇତ୍ରା ଜାଣିବାକୁ ପାଇଥିଲେ ଯେ ତାଙ୍କ ନାମକୁ ଏକ ଜ୍ଞାପନରୁ ବାଦ ଦିଆଯାଇଥିଲା। ଏହି ତାଲିକା କଲ୍ୟାଣ ବାନାର୍ଜୀ ପ୍ରସ୍ତୁତ କରିଥିଲେ, ଯାହା ଉପରେ ମହୁଆ ମୋଇତ୍ରା ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ଦୁହିଁଙ୍କ ମଧ୍ୟରେ ସେଠାରେ କମିଶନର ଦ୍ୱାର ନିକଟରେ ଝଗଡ଼ା ଆରମ୍ଭ ହୋଇଥିଲା।
ଏହା ପରେ କଲ୍ୟାଣ ବାନାର୍ଜୀ ଓ କୀର୍ତ୍ତି ଆଜାଦଙ୍କ ମଧ୍ୟରେ ଏକ ହ୍ୱାଟ୍ସଆପ ଗ୍ରୁପରେ ହୋଇଥିବା କଥାବାର୍ତ୍ତାର ସ୍କ୍ରୀନସଟ ଲିକ୍ ହୋଇଥିଲା, ଯେଉଁଥିରେ କଲ୍ୟାଣ ବାନାର୍ଜୀ ମହୁଆ ମୋଇତ୍ରାଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ କରିଥିଲେ। ଏହି ସ୍କ୍ରୀନସଟଗୁଡ଼ିକୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ସେୟାର କରିଥିଲେ, ଯାହା ଟିଏମସିର ଆଭ୍ୟନ୍ତରୀଣ କଳହକୁ ଉଜାଗର କରିଥିଲା
