କୁରୁବଂଶର ରାଜକୁମାର ଦୁର୍ଯ୍ୟୋଧନର ଶାସନ କ୍ଷମତା ଲୋଭରୁ ମହାଭାରତ ହୋଇଥିଲା। ଏହି କାରଣରୁ କୁରୁବଂଶ ନାଶ ଯାଇଥିଲା। ଏବେ ଆମ ରାଜ୍ୟ ଓଡ଼ିଶାର ଦୀର୍ଘ ୨୪ ବର୍ଷ ଧରି ଭାଗ୍ୟବିଧାତା ସାଜିଥିବା ବିଜୁ ଜନତା ଦଳର ରାଜକୁମାରମାନଙ୍କର ମହତ୍ତ୍ୱାକାଂକ୍ଷା କାରଣରୁ ଏବେ ଧ୍ୱଂସ ହେବାକୁ ଯାଉଛି। ଏହି ରାଜକୁମାରମାନେ ଦଳର ଅର୍ଥ ଓ ଶଙ୍ଖଭବନକୁ ହାତେଇବା ସହିତ ଦଳର କମାଣ ହାସଲ କରିବା ପାଇଁ ନଜର ପକାଇଛନ୍ତି। ଏହି ଲକ୍ଷ୍ୟରେ ଓଡ଼ିଆ ଓ ଅଣଓଡ଼ିଆ ନେତାମାନଙ୍କ ଭିତରେ ପରସ୍ପର ଚେରକଟା ନୀତି ଆରମ୍ଭ ହୋଇଛି। ଅଣଓଡ଼ିଆ ନେତା ଜଣଙ୍କ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ହୋଇଛନ୍ତି। ଏଥିପାଇଁ ସେ ଓଡ଼ିଆ ନେତାଙ୍କୁ ଓଡ଼ିଆ ନେତାମାନଙ୍କ ବିରୋଧରେ ଲଗାଇ ସେମାନଙ୍କୁ ବଦନାମ କରିବାରେ ଲାଗିଛନ୍ତି। କିନ୍ତୁ କାହିଁକି ଓ ଏହାର କାରଣ କ’ଣ ?
ବିଜେଡି ପାଖରେ ୬୭୧ କୋଟି ଟଙ୍କାର ନଗଦ ରାଶି

ବିଜୁ ଜନତା ଦଳ ପକ୍ଷରୁ ଭାରତର ନିର୍ବାଚନ କମିଶନଙ୍କୁ ୨୦୨୪-୨୫ ଆର୍ଥିକ ବର୍ଷର ଆୟବ୍ୟୟ ବିବରଣୀ ଦିଆଯାଇଛି। ବିବରଣୀ ଅନୁସାରେ ଏବେ ଦଳ ପାଖରେ ୬୭୧ କୋଟି ଟଙ୍କାର ନଗଦ ରାଶି ରହିଛି। କାରଣ ୨୦୧୬-୧୭ରୁ ୨୦୨୨-୨୩ ମଧ୍ୟରେ ଦେଶର ସବୁଠାରୁ ଧନୀ ଆଞ୍ଚଳିକ ରାଜନୈତିକ ଦଳ ଥିଲା ବିଜୁ ଜନତା ଦଳ। ବିଜେଡି ନିର୍ବାଚନୀ ବଣ୍ଡ ମାଧ୍ୟମରେ ୭୭୫.୫ କୋଟି ଟଙ୍କା ପାଇଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଦଳ ସାତବର୍ଷ ମଧ୍ୟରେ ମୋଟ ୮୪୪.୬ କୋଟି ଟଙ୍କା ଦାନ ପାଇଥିଲା। ଯାହାର ପ୍ରାୟ ୯୦ ପ୍ରତିଶତ ନିର୍ବାଚନୀ ବଣ୍ଡ ଆକାରରେ ଖଣିମାଲିକ ଓ ଶିଳ୍ପପତିମାନଦଙ୍କ ପାଖରୁ ମିଳିଥିଲା।
ବିଜେଡି ଟଙ୍କା ଉପରେ ନେତାଙ୍କ ନଜର
ଏହି ଟଙ୍କା ଓ ଶଙ୍ଖଭବନ ଉପରେ ଏବେ ସମସ୍ତଙ୍କ ନଜର। ନବୀନଙ୍କ ଏକାନ୍ତ ବିଶ୍ୱସ୍ତ ବୋଲାଉଥିବା ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓ ତାଙ୍କ ପତ୍ନୀ ତଥା ନିଜକୁ ଓଡ଼ିଆ ଝିଅ ବୋଲି ଦାବି କରୁଥିବା ସୁଜାତା ରାଉତ କାର୍ତ୍ତିକେୟନଙ୍କର ବି ନଜର ରହିଛି। ଏକଥାକୁ ଆମେ ନୁହଁ ଅନେକ ବିଜେଡି ନେତା କହୁଛନ୍ତି। କେବଳ ପାଣ୍ଡିଆନ ଦମ୍ପତ୍ତି ନୁହଁନ୍ତି ବିଜେଡିର ପୂର୍ବତନ ସଂଗଠନ ସମ୍ପାଦକ ତଥା ଏବର ବରିଷ୍ଠ ଉପସଭାପତି ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କର ମଧ୍ୟ ନଜର ରହିଛି ବୋଲି ଆଲୋଚନା ହେଉଛି। ତେଣୁ ଏହି ଦୁଇଜଣଙ୍କ ମଧ୍ୟରୁ ବିଜେଡିର ଟଙ୍କା ଓ ଗାଦୀର ମାଲିକ କିଏ ହେବ ତାକୁ ନେଇ ଦଳ ଭିତରେ ଟଣାଓଟରା ଚାଲିଛି।
ପାଣ୍ଡିଆନଙ୍କ ରାସ୍ତାରେ ବବି କଣ୍ଟା!

ବର୍ତ୍ତମାନ ବିଜେଡିର ବରିଷ୍ଠ ଉପସଭାପତିମାନଙ୍କ ମଧ୍ୟରୁ ଅନେକ ନେତା ଓ ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଅଣଓଡ଼ିଆ ନେତା ପାଣ୍ଡିଆନ ନିର୍ଦ୍ଦେଶରେ ପରିଚାଳିତ ହେଉଥିବା କୁହାଯାଉଛି। କିନ୍ତୁ ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀ ସୁଜାତାଙ୍କ ରାସ୍ତାରେ ବବି କଣ୍ଟା ହୋଇଛନ୍ତି। ବବିଙ୍କୁ ବିଜେଡି ମାଲିକାନା ରାସ୍ତାରୁ ହଟାଇବା ପାଇଁ ପାଣ୍ଡିଆନ ଦଳର ନେତା ଓ ନେତ୍ରୀମାନଙ୍କୁ କାମରେ ଲଗାଇ ଦେଇଛନ୍ତି। ଏକଥା ଦଳୀୟ ମହଲରେ ଟୁପୁରୁ ଟାପୁରୁ ଚାଲିଛି। ଏହାର ପ୍ରମାଣ ମଧ୍ୟ ଦେଖିବାକୁ ମିଳିଲାଣି। ବିଜେଡି ନେତ୍ରୀ ଏଲିନା ଦାଶ ନୂଆପଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଓ ପରେ ଏହାର ପରାଜୟ ପାଇଁ ବବି ଦାସଙ୍କୁ ଦାୟୀ କରି ଫେସବୁକରେ କଟାକ୍ଷ କରିବାରେ ଲାଗିଛନ୍ତି। ଏଲିନାଙ୍କର ଏପରି ସମାଲୋଚନା ପାଣ୍ଡିଆନଙ୍କ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ବବିଙ୍କ ସମର୍ଥକମାନେ କହୁଛନ୍ତି। ଯେଉଁ ଏଲିନା ଦିନେ ବବିଙ୍କ ପଛେ ପଛେ ଛାଇ ଭଳି ରହି ନିଜର ବ୍ୟାବସାୟିକ ସାମ୍ରଜ୍ୟକୁ ବୃଦ୍ଧି କରିଥିଲେ ସେ ଏବେ କାହିଁକି ସମାଲୋଚନା କରୁଛନ୍ତି। ଏହା ପଛରେ କିଛି ସ୍ୱାର୍ଥ, ପ୍ରଲୋଭନ ରହିଛି ବୋଳି ଦଳୀୟ ମହଲରେ ଆଲୋଚନା ହେଉଛି। ତେଣୁ ଶ୍ରୀମୟୀଙ୍କ କଟାକ୍ଷ ଭଳି ଏଲିନାଙ୍କ ସମାଲୋଚନାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି।
ପାଣ୍ଡିଆନଙ୍କୁ ଦେବାଶୀଷଙ୍କ ବିରୋଧ
ସୁଜାତାଙ୍କର ବିଜେଡିରେ ପ୍ରବେଶ ଓ ଦଳର କାର୍ଯ୍ୟକାରୀ ସଭାପତି ହେବା ନେଇ ଡିସେମ୍ବର ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି ପାଣ୍ଡିଆନପନ୍ଥୀ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଥିଲେ। ସେ ଏଥିପାଇଁ ସୁଜାତା ପ୍ରସଙ୍ଗ କହିଥିଲେ, କାରଣ ପାଣ୍ଡିଆନ ଚାହୁଁଥିଲେ ସୁଜାତାଙ୍କୁ ନେଇ ଦଳୀୟ ନେତାମାନଙ୍କ ମନରେ କ’ଣ ଚିନ୍ତାଧାରା ରହିଛି। ଏହି ମନ୍ତବ୍ୟ ଦେବାର ୨୪ଘଣ୍ଟା ନ ପୁରୁଣୁ ଦଳର ରାଜ୍ୟସଭା ସାଂସଦ ତଥା ଦଳର ବରିଷ୍ଠ ନାଗରିକ ସେଲର ରାଙ୍କ୍ ଅଫ୍ ଭାଇସ ପ୍ରେସଡେଣ୍ଟ ଦେବାଶୀଷ ସାମନ୍ତରାୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ବିଜେଡିରେ ବ୍ୟୁରୋକ୍ରାଟିକ୍ ତାମସା
ଦେବାଶୀଷ ତାଙ୍କ ଚିଠିରେ ନବୀନଙ୍କୁ ଲେଖିଛନ୍ତି, ଇନ୍ ଦ ରାଙ୍କ୍ ଅଫ୍ ଭାଇସ୍ ପ୍ରେସିଡେଣ୍ଟ କ’ଣ? ବିଜେଡି ସିନିୟର୍ ସିଟିଜେନ୍ ସେଲର ଏହି ପଦବୀରେ ଆପଣ ମତେ ନିଯୁକ୍ତି ଦେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର ଅର୍ଥ ମୁଁ ବୁଝିପାରିଲିନି ସାର୍। ଲାଗୁଛି ଏହା ଏକ ବ୍ୟୁରୋକ୍ରାଟିକ୍ ତାମସା। ଏହି ପଦବୀ ପାଇ ନିଜକୁ ଅପମାନିତ ମନେକରୁଛି। ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ଏଭଳି ପଦବୀକୁ ମୁଁ ଗ୍ରହଣ କରିପାରୁନି। ପ୍ରବାଦପୁରୁଷ ବିଜୁ ବାବୁ କିମ୍ବା ଆପଣଙ୍କ ଅନୁଗତମାନଙ୍କର ବିଜେଡିରେ ସ୍ଥାନ ଥିବା ମୋର ସନ୍ଦେହ ହେଉଛି। ବିଜୁ ଲିଗାସୀଠାରୁ ଦୂରେଇ ଏହି ଦଳ ଅନ୍ୟ ଚିନ୍ତାଧାରା, ଆଦର୍ଶ ଓ କାର୍ଯ୍ୟକ୍ରମକୁ ଆପଣେଇଛି। ଖାଲି ଏହି ଚିଠି ନୁହେଁ, ଗଣମାଧ୍ୟମରେ ମଧ୍ୟ ବିସ୍ଫୋରଣ କରିଛନ୍ତି ଦେବାଶିଷ। କହିଛନ୍ତି, ବିଜୁ ଜନତା ଦଳ ପୂର୍ବଦଳ ହୋଇ ରହିନାହିଁ। ଏହା ବ୍ୟୁରୋକ୍ରାଟିକ୍ ଦଳ ହୋଇଯାଇଛି। ଏବେ ବି ଦଳକୁ ଭିକେ ପାଣ୍ଡିଆନ୍ ଚଳାଉଛନ୍ତି। ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ପରିଚାଳିତ ହେଉନାହିଁ।
ନବୀନଙ୍କ ନିର୍ଦ୍ଦେଶକ୍ରମେ ୱାକଫ୍ ବିଲରେ ଭୋଟ୍ ଦେଇନଥିଲେ ଦେବାଶୀଷ
ରାଜ୍ୟସଭା ସାଂସଦ ଏବଂ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ ବୁଧବାର ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ୱାକଫ୍ ବିଲ୍ ଉପର ସଦନରେ ଉପସ୍ଥାପିତ ହେବା ସମୟରେ ସେ ଭୋଟ୍ ଦେବାରୁ ବିରତ ରହିଥିଲେ। “ନବୀନ ବାବୁ ମୋତେ ଫୋନ୍ କରି ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ଭୋଟ୍ ଦେବାକୁ ଯାଇନଥିଲି,” ବୋଲି ସାମନ୍ତରାୟ କହିଛନ୍ତି।
ନବୀନ ଏବେ ଗୃହବନ୍ଦୀ

ବିଜେଡି ସାଂସଦ ଆହୁରି କହିଛନ୍ତି ଯେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଠୋର ଭାବରେ ଏକାକୀ ରଖାଯାଇଛି ଏବଂ ତାଙ୍କୁ ଦଳୀୟ ନେତାମାନଙ୍କୁ ଭେଟିବାକୁ ଦିଆଯାଉନାହିଁ। ସାମନ୍ତରାୟ ଅଭିଯୋଗ କରିଛନ୍ତି ଯେ ବାରମ୍ବାର ଚେଷ୍ଟା ସତ୍ତ୍ୱେ ନୂଆଦିଲ୍ଲୀରୁ ଫେରିବା ପରେ ମଧ୍ୟ ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରବେଶ ଅନୁମତି ଦିଆଯାଇନଥିଲା।
ରାଜ୍ୟସଭା ସାଂସଦ ଆହୁରି ଦାବି କରିଛନ୍ତି ଯେ ବରିଷ୍ଠ ନେତା ଭୂପିନ୍ଦର ସିଂହଙ୍କୁ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟିବାରୁ ବାରଣ କରାଯାଇଛି, ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ରଙ୍କ ସମେତ ଭିକେ ପାଣ୍ଡିଆନଙ୍କ ନିକଟତର କିଛି ବ୍ୟକ୍ତି ସମସ୍ତ ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ସେ ଦାୟୀ କରିଛନ୍ତି।
“ପାଣ୍ଡିଆନ କେବେବି ଓଡ଼ିଶାରେ ଷ୍ଟାର ହୋଇପାରିବେ ନାହିଁ”
ସାମନ୍ତରାୟ ବିଜେଡିର ନିର୍ବାଚନୀ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି କହିଥିଲେ, “ପାଣ୍ଡିଆନ କେବେବି ଓଡ଼ିଶାରେ ଷ୍ଟାର ହୋଇପାରିବେ ନାହିଁ” ଏବଂ ୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ନବୀନ ପଟ୍ଟନାୟକ ଏବଂ ବିଜୁ ପଟ୍ଟନାୟକଙ୍କ ଫଟୋକୁ ନିଜ ଫଟୋ ସହିତ ବଦଳାଇ ଦେଇଥିବା ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ପରାଜୟ ପରେ, ପାଣ୍ଡିଆନ ତାଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଏବେ ‘ଓଡ଼ିଆମାନଙ୍କ ଉପରେ ପ୍ରତିଶୋଧ’ ନେଉଛନ୍ତି। ଦେବାଶିଷ ସାମନ୍ତରାୟ ଦଳୀୟ ପଦ ଛାଡ଼ିବା ଏବଂ ଗଣମାଧ୍ୟମରେ ବିସ୍ଫୋରଣ କରିବା ପରେ ତାଙ୍କ ପଛକୁ ବାହାରିଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂ। ଦେବାଶିଷଙ୍କ ମତ ଓ ମନ୍ତବ୍ୟକୁ ସେ ସମର୍ଥନ କରିଛନ୍ତି।
ପାଣ୍ଡିଆନଙ୍କର ଅକଲ ଗୁଡୁମ
ଦେବାଶୀଷଙ୍କ ଏପରି ବିସ୍ଫୋରଣ ପରେ ଏବେ ଗୁରୁ-ଚେଲା ନବୀନ ଓ ପାଣ୍ଡିଆନଙ୍କର ଅକଲ ଗୁଡୁମ ହୋଇଯାଇଥବା କୁହାଯାଉଛି। ଦେବାଶୀଷ ଓ ଭୂପିନ୍ଦରଙ୍କ ବିରୋଧରେ ଅନ୍ୟ ନେତାମାନଙ୍କ ଭଳି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାନ୍ତି କି ସେମାନଙ୍କ ଆକ୍ରମଣକୁ ସହିପାରୁ ନାହାନ୍ତି। ଦେବୀ ମିଶ୍ରଙ୍କର ଏହି ଟେଷ୍ଟରମରା କଥାରେ ପାଣ୍ଡିଆନ କ୍ୟାମ୍ପ ଯେଉଁ କରେଣ୍ଟ ପାଇଛନ୍ତି ସେଥିରୁ ସହଜରେ ମୁକୁଳିବା ଦେଖାଯାଉନାହିଁ। ତେଣୁ ସୁଜାତାଙ୍କର ଡିସେମ୍ବରରେ ପ୍ରସ୍ତାବିତ ବିଜେଡି ଏଣ୍ଟ୍ରିରେ କିଛିଦିନ ପାଇଁ ବ୍ରେକ୍ ଲାଗିପାରେ ବୋଲି ବିଜେଡି ମହଲରେ ଆଲୋଚନା ହେଉଛି।
ମହାଭାରତରେ ଯେପରି ଦୁର୍ଯ୍ୟୋଧନ ରାଜଗାଦୀ ଓ ରାଜ୍ୟ ପାଇଁ ପାଣ୍ଡବମାନଙ୍କ ସହିତ କୁଟକପଟ ଓ ଯୁଦ୍ଧ କରି ଶେଷରେ ନାଶ ଗଲେ, ସେହିପରି ନବୀନଙ୍କ ବିଶ୍ୱସ୍ତ ସେବକ ବିଜେଡି ଟଙ୍କା ଓ ନେତୃତ୍ୱ ହାସଲ ପାଇଁ ଓଡ଼ିଆ ମତଦାତା ତଥା ନେତାମାନଙ୍କ ବିରୋଧରେ କୁଟକପଟ ଚଳାଇଛନ୍ତି। ପାଣ୍ଡିଆନଙ୍କର ଏହି କୁଟକପଟକୁ ରାଜ୍ୟବାସୀ ଠିକ୍ ଠଉରାଇ ପାରି ୨୦୨୪ ନିର୍ବାଚନରେ ବିଜେଡିକୁ କ୍ଷମତାରୁ ହଟାଇ ଦେଇଥିଲେ। ଏବେ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ନାଶ ହେବ ବୋଲି ଆଲୋଚନା ହେଲାଣି।
ଏହି କ୍ରମରେ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ଖୁବ୍ଶିଘ୍ର ବିଜେଡି ଲୋପ ପାଇଯିବ। ସୁଜାତା ନେତା ନୁହଁନ୍ତି, ସେ ଆସିଲେ କ’ଣ ହେବ? ବିଜେଡି ଆଉ ରହିବ ନାହି; ତା’ କଥା ଆଲୋଚନା କରିକି ଲାଭ କ’ଣ? ଦଳ ଥିଲେ ସିନା ସେ ଦାୟିତ୍ୱ ନେବେ କି ସଭାପତି ହେବେ ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି।
also read https://purvapaksa.com/these-5-signs-are-seen-when-goddess-lakshmi-is-angry/


