- ସଂଗମସ୍ଥଳରେ ବୁଡ଼ ପକାଇଲେ କୋଟି କୋଟି ଶ୍ରଦ୍ଧାଳୁ
- ଶ୍ରଦ୍ଧାଳୁଙ୍କ ଉପରେ ପୁଷ୍ପ ବର୍ଷା
ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ଆଜିଠାରୁ ଆରମ୍ଭ। ଶ୍ରଦ୍ଧାଳୁଙ୍କ ସମେତ ଆଜି ଲକ୍ଷାଧିକ ସାଧୁସନ୍ଥ କୁମ୍ଭରେ ପହଞ୍ଚିଛନ୍ତି ଏବଂ ସେମାନଙ୍କୁ ତୀର୍ଥନଗରୀରେ ସନାତନପ୍ରେମୀ ଜୋର୍ଦାର୍ ସ୍ୱାଗତ କରିଛନ୍ତି। ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଛି ପ୍ରଥମ ପୁଣ୍ୟ ସ୍ନାନ । ବୁଡ଼ ପକାଇ ପାପ ଧୋଇବାକୁ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି। ପ୍ରଥମେ ସାଧୁ ସନ୍ଥ ଓ ତା’ପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଂଗମସ୍ଥଳରେ ବୁଡ଼ ପକାଉଛନ୍ତି । ଏଥିପାଇଁ ସଂଗମ ତଟରେ ଲାଗିଛି ସାଧୁ ସନ୍ଥ ଓ ଭକ୍ତଙ୍କ ଗହଳି। ବିଭିନ୍ନ ଆଖଡ଼ାର ସାଧୁ ସନ୍ଥଙ୍କ ହୋମ ଯଜ୍ଞ ଓ ମନ୍ତ୍ରଧ୍ୱନୀରେ କଂପୁଛି ଚଉଦିଗ।
ଏଥର ୬ଟି ସ୍ନାନ ତିଥି ରହିଥିବା ବେଳେ ୪୫ କୋଟି ଲୋକଙ୍କ ଆଗମନ ହେବ। ସେଥିପାଇଁ ୟୁପି ସରକାରଙ୍କ ପକ୍ଷରୁ ମହା ଆୟୋଜନ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ବି ଗ୍ରହଣ କରାଯାଇଛି। ମହାକୁମ୍ଭର ମହାଆରମ୍ଭ ପୂର୍ବରୁ ରବିବାର ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ହୋଇଛି ଗଙ୍ଗା ଆରତି। ପ୍ରୟାଗରାଜରେ ଏହି ସ୍ୱତନ୍ତ୍ର ଆରତି କରିଛନ୍ତି ମହିଳା। ସେହିପରି ଅଯୋଧ୍ୟାର ସରଯୁ ଘାଟରେ ସନ୍ଧ୍ୟା ଆରତି ହୋଇଛି। ପୁରୋହିତଙ୍କ ବେଦ ପାଠ ଓ ମନ୍ତ୍ରରେ ଆଧ୍ୟାତ୍ମିକ ହୋଇଥିଲା ସାରା ପରିବେଶ। ସୂର୍ଯ୍ୟାସ୍ତ ସମୟରେ ହେଉଥିବା ଏହି ସ୍ୱତନ୍ତ୍ର ଆରତିରେ ସାମିଲ ହୋଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ସେପଟେ ମନ ମୋହିଛି ଚିତ୍ତାକର୍ଷକ ଲେଜର୍ ଶୋ’। ପ୍ରୟାଗରାଜରେ ମହାକୁମ୍ଭର ବିଶେଷତା ବଖାଣିଛି ଆକର୍ଷଣୀୟ ଲେଜର ଶୋ’।
ଚଳିତ ବର୍ଷର ମହାକୁମ୍ଭ ମେଳାକୁ ଚିତ୍ତାକର୍ଷକ କରାଯିବା ନିମନ୍ତେ ସରିଛି ପୂର୍ବ ପ୍ରସ୍ତୁତି। ଚଳିତ ବର୍ଷ ୪ ହଜାର ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ଅଞ୍ଚଳରେ ହେବ ଗୋଲାପ ଫୁଲ ବର୍ଷା। ହେଲିକପ୍ଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କ ଉପରେ ହେବ ପୁଷ୍ପ ବର୍ଷା। ମହାକୁମ୍ଭ ମେଳାରେ ହେବାକୁ ଥିବା ବିଭିନ୍ନ ମୁଖ ସ୍ନାନ ସମୟରେ ଶ୍ରଦ୍ଧାଳୁଙ୍କ ଉପରେ ଏପରି ପୁଷ୍ପ ବର୍ଷା କରାଯିବା ନିମନ୍ତେ ପ୍ରସ୍ତୁତି ସରିଛି। ପ୍ରତି ସ୍ନାନ ଅବସରରେ ପ୍ରାୟ ୨୦ କୁଇଣ୍ଟାଲ ପୁଷ୍ପ ବର୍ଷା କରାଯିବ । ମହାକୁମ୍ଭ ମେଳାରେ ପର୍ଯ୍ୟଟକମାନେ ହେଲିକପ୍ଟରରେ ବୁଲିବାର ମଜା ନେଇ ପାରିବେ। ଏଥିନିମନ୍ତେ ପୂର୍ବରୁ ଭଡ଼ା ୩ ହଜାର ଟଙ୍କା ଥିବା ବେଳେ ଏବେ ତାହାକୁ କମ୍ କରି ୧୨୯୬ ଟଙ୍କା କରାଯାଇଛି।
ମନ୍ଦିର ସହର ପ୍ରୟାଗରାଜରୁ ମିଳିଥିବା ଦୃଶ୍ୟଗୁଡ଼ିକ ଦର୍ଶାଉଛି ଯେ ଭକ୍ତମାନେ ସହରର ଅନେକ ଘାଟରେ ଏକତ୍ରିତ ହୋଇ ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳ ତ୍ରିବେଣୀରେ ବୁଡ଼ ପକାଇ ସେମାନଙ୍କର ପାପ ଧୋଇ ମୋକ୍ଷ ପ୍ରାପ୍ତ କରୁଛନ୍ତି। ୪୫ ଦିନିଆ ମହାକୁମ୍ଭ ଗଙ୍ଗା, ଯମୁନା ଏବଂ ରହସ୍ୟମୟ ସରସ୍ୱତୀ ନଦୀରେ ଅନୁଷ୍ଠିତ ହେବ ଏବଂ ୪୫ କୋଟିରୁ ଅଧିକ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଆଶା କରାଯାଉଛି। କେବଳ ଭାରତରୁ ନୁହେଁ ବରଂ ସାରା ବିଶ୍ୱରୁ ଲୋକମାନେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜରେ ପହଞ୍ଚିବା ଆରମ୍ଭ କରିଛନ୍ତି।
ପ୍ରୟାଗରାଜରେ ଭକ୍ତମାନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି, “ଏହା ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ପାଳନ କରୁଥିବା କୋଟି କୋଟି ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ! ମହାକୁମ୍ଭ ୨୦୨୫ ପ୍ରୟାଗରାଜରେ ଆରମ୍ଭ ହେଉଛି। ଯାହା ବିଶ୍ୱାସ, ଭକ୍ତି ଏବଂ ସଂସ୍କୃତିର ଏକ ପବିତ୍ର ସଙ୍ଗମରେ ଅଗଣିତ ଲୋକଙ୍କୁ ଏକାଠି କରୁଛି। ମହାକୁମ୍ଭ ଭାରତର କାଳଜୟୀ ଆଧ୍ୟାତ୍ମିକ ଐତିହ୍ୟକୁ ପ୍ରତିଫଳିତ କରେ ଏବଂ ବିଶ୍ୱାସ ଏବଂ ସଦ୍ଭାବନାକୁ ପାଳନ କରେ।”
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହାକୁମ୍ଭ ଭାରତର ପ୍ରାଚୀନ ସାଂସ୍କୃତିକ ଓ ଧାର୍ମିକ ପରମ୍ପରାକୁ ବିଶ୍ୱସ୍ତରରେ ଖ୍ୟାତି ପ୍ରଦାନ କରିବ। ଯେଉଁଠି ସଂସ୍କୃତିର ସମାଗମ ଅଛି, ସେଠାରେ ବିଶ୍ୱାସ ଓ ସଦ୍ଭାବନାର ସମାଗମ ମଧ୍ୟ ରହିଛି। ମହାକୁମ୍ଭ-୨୦୨୫ ‘ବିବିଧତା ମଧ୍ୟରେ ଏକତା‘ର ବାର୍ତ୍ତା ଦେଉଛି, ପ୍ରୟାଗରାଜ ମାନବିକତାର କଲ୍ୟାଣ ସହିତ ସନାତନଙ୍କ ସହ ସାକ୍ଷାତ କରୁଛି ବୋଲି ତାଙ୍କ ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି।
previous article:https://purvapaksa.com/7-special-trains-from-odisha-for-maha-kumbh-mela/
